ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ-କିସାନ) ଯୋଜନାର ଦ୍ୱିତୀୟ କିସ୍ତି ଅର୍ଥ ଜାରି କରିବା ଲାଗି ଆଧାର ସଂକ୍ରାନ୍ତ ସର୍ତ୍ତ କୋହଳ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏହି ଯୋଜନା ମାଧ୍ୟମରେ ସାରା ଦେଶରେ 2 ହେକ୍ଟର ପର୍ଯ୍ୟନ୍ତ କୃଷି ଉପଯୋଗୀ ଜମି ଥିବା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ପରିବାରଗୁଡ଼ିକୁ ଆୟ ସହାୟତା ଯୋଗାଇ ଦିଆଯିବ ।
ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି କେତେକ ଛାଡ଼କୁ ବାଦ ଦେଇ, 2 ହେକ୍ଟର ପର୍ଯ୍ୟନ୍ତ କୃଷି ଉପଯୋଗୀ ଜମି ଥିବା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ପରିବାରଗୁଡ଼ିକୁ ବାର୍ଷିକ 6 ହଜାର ଟଙ୍କା ପ୍ରଦାନ ମାଧ୍ୟମରେ ଆୟ ସହଯୋଗ ପ୍ରଦାନ କରିବା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 24 ଫେବୃଆରୀ, 2019୯ରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଅର୍ଥରାଶି 2 ହଜାର ଟଙ୍କାର ତିନୋଟି କିସ୍ତିରେ ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ ଦିଆଯିବ । ସାରା ଦେଶରେ 1 କୋଟି କୃଷକ ପରିବାର ପାଇଁ ପ୍ରଥମ କିସ୍ତି ଆକାରରେ 2 ହଜାର କୋଟି ଟଙ୍କାର ଅର୍ଥରାଶି ଜାରି କରାଯାଇଛି । ପ୍ରଥମ କିସ୍ତିର ବଳକା ହିତାଧିକାରୀମାନଙ୍କୁ ଅର୍ଥରାଶି ଶୀଘ୍ର ଜାରି କରାଯିବ ।
ଯୋଜନାର ଦ୍ୱିତୀୟ କିସ୍ତି ଏପ୍ରିଲ 1, 2019ରେ ଜାରି କରାଯିବ । ଫେବୃଆରୀ 1, 2019ରେ କେନ୍ଦ୍ର କ୍ୟାବିନେଟ ଏହି ଯୋଜନାକୁ ମଞ୍ଜୁରି ଦେବା ସମୟରେ ଦ୍ୱିତୀୟ କିସ୍ତି ଲାଗି ଆଧାରକୁ ବାଧ୍ୟତାମୂଳକ କରିଥିଲେ । ତେବେ ଦ୍ୱିତୀୟ କିସ୍ତି ଲାଗି ଶତପ୍ରତିଶତ ଆଧାର ଡାଟା ହାସଲ କରିବା କଠିନ, କାରଣ ଏଥିପାଇଁ ଇଲେକଟ୍ରୋନିକ ବାୟୋମେଟ୍ରିକ ପ୍ରାମାଣିକତାର ଆବଶ୍ୟକତା ରହିଥାଏ । ଡେମୋଗ୍ରାଫିକ ସିଡିଂ କାରଣରୁ ବହୁସଂଖ୍ୟକ ହିତାଧିକାରୀମାନଙ୍କ ନାମ ରଦ୍ଦ ହୋଇଯିବ । ହିତାଧିକାରୀମାନଙ୍କ ଆଧାର ବିବରଣୀକୁ ପ୍ରମାଣିତ କରିବା କାରଣରୁ ଦ୍ୱିତୀୟ କିସ୍ତିକୁ ଜାରି କରିବାରେ ବିଳମ୍ବ ହେବ । ଦ୍ୱିତୀୟ କିସ୍ତି ଜାରି କରିବାର ତାରିଖ ଏପ୍ରିଲ 1, 2019 ଧାର୍ଯ୍ୟ କରାଯାଇଛି । ବିଳମ୍ବ ଦ୍ୱାରା କୃଷକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବ, ତେଣୁ ଆଧାର ସର୍ତ୍ତକୁ କୋହଳ କରାଯାଇଛି । ଏହି ସର୍ତ୍ତ ତୃତୀୟ କିସ୍ତି ଜାରି କରିବା ନିମନ୍ତେ ଲାଗୁ ହେବ । ଦ୍ୱିତୀୟ କିସ୍ତି ଲାଗି କେବଳ ଆଧାର ସଂଖ୍ୟାକୁ ହିଁ ବାଧ୍ୟତାମୂଳକ ଭାବେ ଗ୍ରହଣ କରାଯିବ । ପରିଶୋଧ ପୂର୍ବରୁ ସରକାର ତଥ୍ୟକୁ ପ୍ରମାଣିତ କରିବା ଲାଗି ଯଥେଷ୍ଟ ପଦକ୍ଷେପ ନେବେ ।
**********