Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପର୍ତ୍ତୁଗାଲ, ଆମେରିକା, ନେଦରଲାଣ୍ଡ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ତାଙ୍କର ବିଦେଶ ଗସ୍ତ ଆରମ୍ଭ କରିବେ । ସେ ପର୍ତ୍ତୁଗାଲ, ଯୁକ୍ତରାଷ୍ଟ୍ର ଆମେରିକା ଓ ନେଦରଲାଣ୍ଡ ଗସ୍ତରେ ଯିବେ । ଏହି ଦେଶମାନଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ତାଙ୍କ ବିଦେଶ ଗସ୍ତର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

“ମୁଁ ଆସନ୍ତା 24 ଜୁନ 2017ରେ ପ୍ରଥମେ ପର୍ତ୍ତୁଗାଲ ଯିବି । ଚଳିତ ବର୍ଷ ଜାନୁଆରୀରେ ମହାମାନ୍ୟ ପ୍ରଧାନମନ୍ତ୍ରୀ ଆଂଟୋନିଓ କୋଷ୍ଟାଙ୍କ ଭାରତ ଗସ୍ତ ପରେ ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ଐତିହାସିକ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆହୁରି ଦୃତ ଗତିରେ ଆଗକୁ ବଢ଼ୁଛି ।

ମୁଁ ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ କୋଷ୍ଟାଙ୍କ ସହ ଆଲୋଚନା ପାଇଁ ଖୁବ ଉତ୍କଣ୍ଠିତ । ଆମର ସାମ୍ପ୍ରତିକ ଆଲୋଚନାକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଆମର ପୂର୍ବ ନିଷ୍ପତ୍ତି ଏବଂ ମିଳିତ ପଦକ୍ଷେପଗୁଡିକର କେତେ କଣ ଅଗ୍ରଗତି ହୋଇଛି ତାହା ସମୀକ୍ଷା କରିବୁ । ପରସ୍ପର ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି, ମହାକାଶ ଗବେଷଣା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଆର୍ଥିକ ସହଯୋଗ ଭଳି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ବନ୍ଧକୁ ଆହୁରି ବ୍ୟାପକ କରିବା ଦିଗରେ ଯେଉଁ ସବୁ ସୁଯୋଗ ରହିଛି, ସେ ବିଷୟରେ ମଧ୍ୟ ଆଲୋଚନା ହେବ । ଆତଙ୍କବାଦ ନିରୋଧି ସହଯୋଗକୁ ଆହୁରି ଦୃଢୀଭୂତ କରିବା ଲାଗି ଆଲୋଚନା କରିବୁ ଏବଂ ପରସ୍ପର ସ୍ୱାର୍ଥ ଜଡିତ ଆନ୍ତର୍ଜାତିକ ପ୍ରସଙ୍ଗଗୁଡିକ ଉପରେ ମତ ବିନିମୟ ହେବ । ପର୍ତ୍ତୁଗାଲ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ଏବଂ ପୁଞ୍ଜି ନିବେଶ ବୃଦ୍ଧି କ୍ଷେତ୍ରରେ ରହିଥିବା ସୁଯୋଗକୁ ଆହୁରି ଘନୀଭୂତ କରାଯାଇପାରିବ ବୋଲି ମୁଁ ବିଶ୍ୱାସ କରୁଛି ।

ଗସ୍ତ କାଳରେ ପର୍ତ୍ତୁଗାଲରେ ରହୁଥିବା ଭାରତୀୟ ସମୁଦାୟ ସହ ମତ ବିନିମୟ କରିବା ଲାଗି ମଧ୍ୟ ମୁଁ ଆଗ୍ରହୀ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗସ୍ତର ଦ୍ୱିତୀୟ ଚରଣରେ ପ୍ରଧାନମନ୍ତ୍ରୀ ଜୁନ 24 ରୁ 26 ମଧ୍ୟରେ ୱାଶିଂଟନ ଡିସି ଗସ୍ତ କରିବେ ।

“ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ଜୁନ 24 ରୁ 26 ତାରିଖ ମଧ୍ୟରେ ମୁଁ ୱାଶିଂଟନ ଗସ୍ତ କରୁଛି । ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ମୁଁ ଟେଲିଫୋନରେ କଥାବାର୍ତ୍ତା ହୋଇଛି । ଦୁଇ ଦେଶର ଲୋକମାନଙ୍କ ପାରସ୍ପରିକ ସୁବିଧା ନିମନ୍ତେ ସମସ୍ତ ପ୍ରକାର ଆଲୋଚନାକୁ ଫଳପ୍ରଦ କରି ଏହାକୁ ଆଗକୁ ବଢ଼ାଇବା ନିମନ୍ତେ ଯେଉଁ ପ୍ରତିବଦ୍ଧତା ରହିଛି ସେ ସମ୍ପର୍କରେ ଆମ୍ଭେ ବିସ୍ତୃତ ଆଲୋଚନା କରିବୁ । ଭାରତ ଓ ଆମେରିକା ମଧ୍ୟରେ ବର୍ତ୍ତମାନ ରହିଥିବା ବହୁମୁଖି ଭାଗିଦାରୀତାକୁ ଆହୁରି ମଜବୁତ କରିବା ଦିଗରେ ବିସ୍ତୃତ ମତ ବିନିମୟ କରିବା ସକାଶେ ଅପୂର୍ବ ସୁଯୋଗ ମିଳୁଥିବାରୁ ଏଥିଲାଗି ମୁଁ ଉତ୍କଣ୍ଠିତ ହୋଇ ରହିଛି ।

ଭାରତ-ଆମେରିକା ବନ୍ଧୁତା ଓ ସହଭାଗୀତା ବହୁ ସ୍ତରୀୟ ଓ ବିବିଧତାରେ ଭରା । ଏହା କେବଳ ସରକାର-ସରକାର ମଧ୍ୟରେ ସମ୍ବନ୍ଧ ନୁହେଁ, ବରଂ ସବୁ ଭାଗୀଦାରମାନଙ୍କ ମଧ୍ୟରେ ଉତ୍ତମ ସହଭାଗୀତା ଓ ସହଯୋଗ । ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକାର ନୂଆ ପ୍ରଶାସନ ସହ ଆମର ବନ୍ଧୁତ୍ୱପୂର୍ଣ୍ଣ ସମ୍ବନ୍ଧକୁ ଆହୁରି ଆଗକୁ ବଢ଼ାଇବା ଦିଗରେ ପ୍ରୟାସ କରିବାକୁ ମୁଁ ଆଗ୍ରହୀ ।

ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ କ୍ୟାବିନେଟ ସହଯୋଗୀମାନଙ୍କ ସହିତ ସରକାରୀ ଆଲୋଚନା ବ୍ୟତୀତ ମୁଁ ଆମେରିକାର ଅନେକ ଖ୍ୟାତନାମା ସିଇଓମାନଙ୍କୁ ଭେଟି ଆଲୋଚନା କରିବି । ପୂର୍ବଥର ମାନଙ୍କ ଭଳି ଏଥର ମଧ୍ୟ ମୁଁ ଆମେରିକାରେ ରହୁଥିବା ଭାରତୀୟ ମୂଳ ବାସିନ୍ଦାଙ୍କ ସହ ବ୍ୟାପକ ମତ ବିନିମୟ କରିବାକୁ ଆଗ୍ରହୀ ।”

ଗସ୍ତର ତୃତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଜୁନ 27ରେ ନେଦରଲାଣ୍ଡ ଗସ୍ତ କରିବେ ।

“ମୁଁ ଜୁନ 27, 2017ରେ ନେଦରଲାଣ୍ଡ ଯିବି । ଭାରତ-ନେଦରଲାଣ୍ଡ କୁଟନୈତିକ ସମ୍ପର୍କର 70 ବର୍ଷ ପୂର୍ତ୍ତି ଉପଲକ୍ଷେ ଆମେ ଏବର୍ଷ ସମାରୋହ ପାଳନ କରୁଛୁ । ଏହି ଗସ୍ତ କାଳରେ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମହାମାନ୍ୟ ମିଷ୍ଟର ମାର୍କ ରୁଟ୍ଟେଙ୍କ ସହ ମୋର ସରକାରୀ ଆଲୋଚନା ହେବ । ଏଥିସହିତ ସେଠାକାର ରାଜା ୱିଲେମ-ଆଲେକଜେଣ୍ଡାର ଏବଂ ରାଣୀ ମେକ୍ସିମାଙ୍କୁ ମୋର ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ମୁଁ ପ୍ରଧାନମନ୍ତ୍ରୀ ରୁଟ୍ଟେଙ୍କ ସହ ମିଶି ଆମ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିକୁ ସମୀକ୍ଷା କରିବୁ । ଆଲୋଚନା କାଳରେ ଆତଙ୍କବାଦ ନିରୋଧି ପଦକ୍ଷେପ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ରୁଟ୍ଟେଙ୍କ ସହ ବିସ୍ତୃତ ମତ ବିନିମୟ ହେବ ।

ଭାରତ-ନେଦରଲାଣ୍ଡ ସମ୍ପର୍କର ମୂଳ ଆଧାର ହେଉଛି ଆର୍ଥିକ ସମ୍ବନ୍ଧ । ୟୁରୋପୀୟ ସଙ୍ଘ ମଧ୍ୟରେ ନେଦରଲାଣ୍ଡ ଆମର ଷଷ୍ଠ ବୃହତ ବାଣିଜ୍ୟ ସହଯୋଗୀ ଏବଂ ପଞ୍ଚମ ବୃହତ୍ତମ ପୁଞ୍ଜି ବିନିଯୋଗକାରୀ । ଜଳ ଓ ବର୍ଜ୍ୟ ପରିଚାଳନା, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ଅକ୍ଷୟ ଶକ୍ତି, ବନ୍ଦର, ବିକାଶ, ଜାହାଜ ଚଳାଚଳ ଆଦି କ୍ଷେତ୍ରରେ ନେଦରଲାଣ୍ଡର ଆଧୁନିକ ବୈଷୟିକ ଜ୍ଞାନ ଆମର ଆବଶ୍ୟକତା ଅନୁରୂପ । ଭାରତ-ନେଦରଲାଣ୍ଡ ମଧ୍ୟରେ ଆର୍ଥିକ ସମ୍ବନ୍ଧ ଓ ଆଲୋଚନା ଏକ ଲାଭପ୍ରଦ ବିଷୟ । ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ବନ୍ଧକୁ ଆହୁରି ଯେପରି ବୃଦ୍ଧି କରାଯିବ ସେଥିଲାଗି ମୁଁ ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ରୁଟ୍ଟେଙ୍କ ସହ ବିସ୍ତୃତ ଆଲୋଚନା କରିବି । ଏହାଛଡା ନେଦରଲାଣ୍ଡର ପ୍ରମୁଖ ଉଦ୍ୟୋଗଗୁଡିକର ସିଇଓମାନଙ୍କୁ ଭେଟି ଭାରତରେ ଅଧିକ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ ଜଣାଇବି । ଭାରତର ଅଭିବୃଦ୍ଧି ଯାତ୍ରାରେ ସେମାନେ ସହଯୋଗୀ ହେବାକୁ ପ୍ରବର୍ତ୍ତାଇବି ।

ଏବେ ୟୁରୋପର ଦ୍ୱିତୀୟ ସର୍ବାଧିକ ଭାରତୀୟ ବାସିନ୍ଦା ନେଦରଲାଣ୍ଡରେ ରହୁଛନ୍ତି । ଏହି ସମ୍ବନ୍ଧ ଦୁଇ ଦେଶ ମଧ୍ୟରେ ଦୃଢ଼ ଜନ-ଜନ ସମ୍ପର୍କ ପ୍ରତିଷ୍ଠା ଦିଗରେ ସହାୟକ ହୋଇଛି । ମୋର ଗସ୍ତ କାଳରେ ନେଦରଲାଣ୍ଡର ଭାରତୀୟ ବାସିନ୍ଦାଙ୍କ ସହ ମତ ବିନିମୟ କରିବାକୁ ଖୁବ୍ ଆଗ୍ରହୀ ଅଛି”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ।

*****