ଜାତୀୟ ପରିବର୍ତ୍ତନକାରୀ ପରିବହନ ଓ ବ୍ୟାଟେରୀ ସଂଚୟ ମିଶନକୁ କ୍ୟାବିନେଟର ମଞ୍ଜୁରି
ସ୍ୱଚ୍ଛ, ସଂଯୁକ୍ତ, ସହଭାଗୀ ଓ ସାମଗ୍ରୀକ ପରିବହନ ପଦେକ୍ଷପକୁ ମିଳିବ ପ୍ରୋତ୍ସାହନ
ବ୍ୟାଟେରୀ ଓ ବୈଦ୍ୟୁତିକ ବାହନ ଯନ୍ତ୍ରାଂଶ ପାଇଁ ପର୍ଯ୍ୟାୟଭିତ୍ତିକ ଉତ୍ପାଦନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିମ୍ନୋକ୍ତ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ମିଳିଛି :
ପରିବର୍ତ୍ତନକାରୀ ପରିବହନ ଏବଂ ବ୍ୟାଟେରୀ ସଂଚୟ ପାଇଁ ଏକ ଜାତୀୟ ମିଶନ ପ୍ରତିଷ୍ଠା କରାଯିବ । ଏହା ସ୍ୱଚ୍ଛ, ସଂଯୁକ୍ତ, ସହଭାଗୀ, ଅକ୍ଷୟ ତଥା ସାମଗ୍ରୀକ ପରିବହନ ପ୍ରୟାସକୁ ଆଗେଇ ନେବ ।
ଭାରତରେ କେତେକ ବୃହତ–ଧରଣର, ରପ୍ତାନୀ–ପ୍ରତିଦ୍ୱନ୍ଦ୍ୱିତାମୂଳକ ଏକୀକୃତ ବ୍ୟାଟେରୀ ଏବଂ ସେଲ–ଉତ୍ପାଦନ ପ୍ଳାଣ୍ଟ ପ୍ରତିଷ୍ଠା ନିମନ୍ତେ ସହାୟତା କରିବା ଲାଗି 5 ବର୍ଷର ଅବଧି ପାଇଁ 2024 ପର୍ଯ୍ୟନ୍ତ ପର୍ଯ୍ୟାୟଭିତ୍ତିକ ଉତ୍ପାଦନ କାର୍ଯ୍ୟକ୍ରମ (ପିଏମପି)ର ଆରମ୍ଭ କରାଯିବ ।
ସମ୍ପୂର୍ଣ୍ଣ ବୈଦ୍ୟୁତିକ ବାହନ (ଇଭି) ମୂଲ୍ୟ ଶୃଙ୍ଖଳାର ସ୍ଥାନୀୟ ଉତ୍ପାଦନ ଲାଗି 2024 ପର୍ଯ୍ୟନ୍ତ 5 ବର୍ଷର ଅବଧି ବିଶିଷ୍ଟ ପିଏମପି ସୃଷ୍ଟି କରାଯିବ ।
ଉଭୟ ପିଏମପି ଯୋଜନା ଜାତୀୟ ପରିବର୍ତନକାରୀ ପରିବହନ ଏବଂ ବ୍ୟାଟେରୀ ସଂଚୟ ମିଶନ ଦ୍ୱାରା ଅନୁମୋଦନ ଲାଭ କରିବ ।
ଜାତୀୟ ପରିବର୍ତ୍ତନକାରୀ ପରିବହନ ଏବଂ ବ୍ୟାଟେରୀ ସଂଚୟ ମିଶନ :
ଗଠନ ଢାଂଚା
ବହୁ–ବିଷୟକ “ଜାତୀୟ ପରିବର୍ତ୍ତନକାରୀ ପରିବହନ ଏବଂ ବ୍ୟାଟେରୀ ସଂଚୟ ମିଶନ” ସହ ଏକ ଆନ୍ତଃ ମନ୍ତ୍ରଣାଳୟ ଷ୍ଟିଅରିଂ କମିଟି ଗଠନ କରାଯିବ ଯାହାର ଅଧ୍ୟକ୍ଷତା କରିବେ ନୀତି ଆୟୋଗର ସିଇଓ ।
ଏହି ଷ୍ଟିଅରିଂ କମିଟିରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ଶକ୍ତି ମନ୍ତ୍ରଣାଳୟ, ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ, ବିଜ୍ଞାନ ଏବଂ କାରିଗରୀ ବିଭାଗ, ଭାରୀ ଉଦ୍ୟୋଗ ବିଭାଗ, ଉଦ୍ୟୋଗ ଏବଂ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର ସଚିବ ଏବଂ ଶିଳ୍ପ ମାନକ ବ୍ୟୁରୋର ମହାନିର୍ଦ୍ଦେଶକ ସଦସ୍ୟ ରହିବେ ।
ଭୂମିକା:
ଏହି ମିଶନ ଇଭି, ଇଭି ଯନ୍ତ୍ରାଂଶ ଓ ବ୍ୟାଟେରୀଗୁଡ଼ିକ ପାଇଁ ପରିବର୍ତ୍ତନକାରୀ ପରିବହନ ଏବଂ ପର୍ଯ୍ୟାୟଭିତିକ ଉତ୍ପାଦନ କାର୍ଯ୍ୟକ୍ରମ ରଣନୀତି ସୁପାରିସ ଏବଂ ପରିଚାଳନା କରିବ ।
ସମ୍ପୂର୍ଣ୍ଣ ଇଭି ମୂଲ୍ୟ ଶୃଙ୍ଖଳାରେ ସ୍ଥାନୀୟ ଉତ୍ପାଦନ ଲାଗି ଏକ ପର୍ଯ୍ୟାୟଭିତ୍ତିକ ଉତ୍ପାଦନ କାର୍ଯ୍ୟକ୍ରମ (ପିଏମପି)ର ଶୁଭାରମ୍ଭ କରାଯିବ । ଜାତୀୟ ପରିବର୍ତ୍ତନକାରୀ ପରିବହନ ଏବଂ ବ୍ୟାଟେରୀ ସଂଚୟ ମିଶନ ପିଏମପିର ରୂପରେଖ ବିବେଚନା କରିବ ଏବଂ ଏପରି କାର୍ଯ୍ୟକ୍ରମର ବିବରଣୀକୁ ଚୂଡ଼ାନ୍ତ ରୂପ ଦେବ ।
ବୈଦ୍ୟୁତିକ ବାହନ ଯନ୍ତ୍ରାଂଶ ସହିତ ବ୍ୟାଟେରୀ ପାଇଁ ଏକ ସ୍ପଷ୍ଟ ମେକ ଇନ ଇଣ୍ଡିଆ ରଣନୀତି ସହିତ ମିଶନ ଦ୍ୱାରା ପ୍ରତ୍ୟେକ ସ୍ଥାନୀୟକରଣ ପର୍ଯ୍ୟାୟ ଏବଂ ମୂଲ୍ୟ ସମ୍ବର୍ଦ୍ଧନର ବିବରଣୀ ହାସଲ କରାଯାଇପାରିବ ।
ଭାରତରେ ପରିବହନକୁ ପରିବର୍ତିତ କରିବା ଲାଗି ବିଭିନ୍ନ ପ୍ରଦକ୍ଷେପ ମଧ୍ୟରେ ସମନ୍ୱୟ ଆଣିବା ଲାଗି ମନ୍ତ୍ରଣାଳୟ/ବିଭାଗ ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ପ୍ରମୁଖ ଅଂଶୀଦାରମାନଙ୍କ ସହିତ ଏହି ମିଶନ ସମନ୍ୱୟ ସ୍ଥାପନ କରିବ ।
କାର୍ଯ୍ୟଖସଡ଼ା:
2019-20 ସୁଦ୍ଧା ବୃହତ–ସ୍କେଲ ମଦ୍ୟୁଲ ଏବଂ ପ୍ୟାକ ଆସେମ୍ବ୍ଲି ପ୍ଳାଣ୍ଟ ଉପରେ ପ୍ରାରମ୍ଭିକ ଗୁରୁତ୍ୱାରୋପ କରାଯାଇ ଜିଗା–ସ୍କେଲରେ ବ୍ୟାଟେରୀ ଉତ୍ପାଦନର କାର୍ଯ୍ୟାନ୍ୱୟନ ପାଇଁ ଏକ ପର୍ଯ୍ୟାୟଭିତ୍ତିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯିବ, ଏହାପରେ 2021-22 ସୁଦ୍ଧା ଏକୀକୃତ ସେଲ ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରାଯିବ ।
ବ୍ୟାଟେରୀ ପାଇଁ ପିଏମପିର ବିବରଣୀ ମିଶନ ଦ୍ୱାରା ପ୍ରସ୍ତୁତ କରାଯିବ । ଏହି ମିଶନ ଭାରତରେ ବ୍ୟାଟେରୀ ଉତ୍ପାଦନ ଶିଳ୍ପର ସାମଗ୍ରୀକ ଓ ବିସ୍ତୃତ ଅଭିବୃଦ୍ଧି ସୁନିଶ୍ଚିତ କରିବ ।
ଏହି ମିଶନ ଏକ ଜରୁରି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବ ଯାହା ଭାରତକୁ ଏହାର ଆକାର ଏବଂ ସ୍ତର ଆଧାରରେ ଅଭିନବ, ପ୍ରତିଦ୍ୱନ୍ଦ୍ୱିତାମୂଳକ ବହୁ–ମୁଖୀ ପରିବହନ ସମାଧାନ ଉତ୍ପାଦନ ଲାଗି ସକ୍ଷମ କରିବ ଯାହା ବିଶ୍ୱସ୍ତରରେ ବିବିଧ ସନ୍ଦର୍ଭରେ ଉପଯୋଗ ହୋଇପାରିବ ।
ଏହି ମିଶନ “ନୂତନ ଭାରତରେ” ପରିବର୍ତ୍ତନକାରୀ ପରିବହନ ପାଇଁ ଏକ ନିରନ୍ତର ପରିବହନ ଇକୋସିଷ୍ଟମର ପ୍ରଚଳନ କରି କାର୍ଯ୍ୟଖସଡ଼ାକୁ ପରିଭାଷିତ କରିବ । ମେକ ଇଣ୍ଡିଆର ପ୍ରୋତ୍ସାହନ ମାଧ୍ୟମରେ ଘରୋଇ ଉତ୍ପାଦନକୁ ବଳ ଯୋଗାଇବ ତଥା ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ।
ପ୍ରଭାବ:
ଏହି ମିଶନ ପରିବହନ ସମାଧାନକୁ ପରିଚାଳନା କରିବ ଯାହା ଶିଳ୍ପ, ଅର୍ଥବ୍ୟବସ୍ଥା ଏବଂ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଲାଭ ଆଣିବ ।
ଏସବୁ ସମାଧାନ ସହରଗୁଡ଼ିକରେ ବାୟୁର ମାନ ସୁଧାରିବା ସହିତ ତୈଳ ଆମଦାନୀରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବ ତଥା ଅକ୍ଷୟ ଶକ୍ତି ଏବଂ ସଂରକ୍ଷଣ ସମାଧାନର ଉପଯୋଗକୁ ବୃଦ୍ଧି କରିବ ।
ଏହି ମିଶନ ରଣନୀତି ଏବଂ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବ ଯାହା ବୈଦ୍ୟୁତିକ ପରିବହନ ଲାଗି ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ଘରୋଇ ଉତ୍ପାଦନ ଇକୋସିଷ୍ଟମ ବିକଶିତ କରିବା ପାଇଁ ଏହାର ଆକାର ଏବଂ ସ୍ତର ଉପରେ ନିର୍ଭର କରିବା ନିମନ୍ତେ ଭାରତକୁ ସକ୍ଷମ କରିବ ।
ଏ ଦିଗରେ ଦିଆଯାଇଥିବା ପଦକ୍ଷେପ ସମସ୍ତ ନାଗରିକମାନଙ୍କୁ ଲାଭାନ୍ୱିତ କରିବ କାରଣ ଏହାର ଲକ୍ଷ୍ୟ ହେଉଛି “ସହଜ ଜୀବନଧାରଣ”କୁ ପ୍ରୋତ୍ସାହନ ଦେବା ଏବଂ ଆମ ନାଗରିକମାନଙ୍କ ଜୀବନଧାରଣ ମାନ ବୃଦ୍ଧି କରିବା ତଥା ଦକ୍ଷତାର ବିବିଧ କ୍ଷେତ୍ରରେ “ମେକ ଇନ ଇଣ୍ଡିଆ” ଜରିଆରେ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ।