ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏକ ଯୋଜନାକୁ ମଞ୍ଜୁରି ଦେବା ସହ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ (SPV) ପକ୍ଷରେ 611 କୋଟି ଟଙ୍କା ଦରରେ 99 ବର୍ଷୀୟ ଲିଜ ହୋଲ୍ଡ ଅନ୍ତର୍ଗତ 3.7 ଏକର ଜମି ହସ୍ତାନ୍ତର କରିବା ଲାଗି ଭାରତ ବ୍ୟବସାୟ ପ୍ରୋତ୍ସାହନ ସଂଗଠନ (ITPO)କୁ କ୍ଷମତା ପ୍ରଦାନ କରିଛନ୍ତି । ପଞ୍ଚତାରକା ହୋଟେଲ ନିର୍ମାଣ ଓ ପରିଚାଳନା ଲାଗି ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ (ITDC) ଏବଂ ଭାରତୀୟ ରେଳପଥ ଖାଦ୍ୟପେୟ ଓ ପର୍ଯ୍ୟଟନ ନିଗମ (IRCTC) ମିଳିତ ଭାବେ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ କମ୍ପାନୀ ଗଠନ କରିବେ ।
ଅନ୍ତର୍ଜାତୀୟ ପ୍ରଦର୍ଶନ ଏବଂ ସମ୍ମେଳନ କେନ୍ଦ୍ର (IECC) ପ୍ରକଳ୍ପର କାର୍ଯ୍ୟାନ୍ୱୟନ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଏବଂ ଏହା 2020-21 ସୁଦ୍ଧା ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି ।
ପ୍ରଗତି ମୈଦାନରେ ହୋଟେଲ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ଲାଗି ଏସପିଭି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ, ଏଥିରେ ସାମିଲ ରହିଛି – ଦୀର୍ଘ ଅବଧିର ଲିଜ ଆଧାରରେ ହୋଟେଲ ନିର୍ମାଣ, ପରିଚାଳନା ଓ ପ୍ରବନ୍ଧନ ଲାଗି ପାରଦର୍ଶୀ ଓ ପ୍ରତିଦ୍ୱନ୍ଦ୍ୱୀ ଟେଣ୍ଡର ପ୍ରକ୍ରିୟା ଅନ୍ତର୍ଗତ ତୃତୀୟ ପକ୍ଷ ବିକାଶକାରୀ ଓ ସଞ୍ଚାଳନକାରୀଙ୍କ ଚୟନ ।
ଭାରତର ଭିତ୍ତିଭୂମି ଓ ପର୍ଯ୍ୟଟନକୁ ସର୍ବଶ୍ରେଷ୍ଠ ମାନକ ଓ ସେବା ଅନୁଯାୟୀ ବିକଶିତ କରିବା ଲାଗି ସରକାରଙ୍କ ଉଦ୍ଦେଶ୍ୟ ଅନୁରୂପ ଆଇଟିପିଓ ପ୍ରଗତି ମୈଦାନର ପୁନର୍ବିକାଶ କରି ଏହାକୁ ବିଶ୍ୱସ୍ତରୀୟ ଆଇଇସିସିରେ ପରିଣତ କରିବା ଲାଗି ଏହି ମେଗା ପ୍ରକଳ୍ପ କାର୍ଯ୍ୟାନ୍ୱୟନ କରୁଛି । ସାରା ବିଶ୍ୱରେ ହୋଟେଲ ସୁବିଧା ଯେକୌଣସି ବୈଠକ, ଉପକ୍ରମ, ସମ୍ମେଳନ ଓ ପ୍ରଦର୍ଶନୀ (MICE)ର ଅଭିନ୍ନ ଅଙ୍ଗରେ ପରିଣତ ହୋଇଛି ।
ହୋଟେଲ ସୁବିଧା ଆଇଇସିସି ପ୍ରକଳ୍ପର ଅଭିନ୍ନ ଅଙ୍ଗ, ଯାହା ଭାରତକୁ ବିଶ୍ୱସ୍ତରୀୟ ବୈଠକ, ଉପକ୍ରମ, ସମ୍ମେଳନ ଓ ପ୍ରଦର୍ଶନୀ (MICE) କେନ୍ଦ୍ର ଭାବେ ବିକଶିତ କରିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ବ୍ୟବସାୟ ଓ ବାଣିଜ୍ୟକୁ ପ୍ରୋତ୍ସାହନ ଦେବ । ହୋଟେଲ ଆଇଇସିସି ପ୍ରକଳ୍ପର ମୂଲ୍ୟ ସମ୍ବର୍ଦ୍ଧନ କରିବ ଏବଂ ଭାରତୀୟ ବ୍ୟବସାୟ ଓ ଉଦ୍ୟୋଗକୁ ଲାଭ ମିଳିବ ।
ଏହା ବ୍ୟତୀତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାକୁ ପ୍ରଗତି ମୈଦାନର ଏହି ପରିବର୍ତ୍ତନରୁ ଲାଭ ମିଳିବ ଯେଉଁଠି ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ବ୍ୟବସାୟୀ ଓ ସାଧାରଣ ଲୋକ ଭାଗ ନେଇଥାନ୍ତି । ଭାଗ ନେଉଥିବା ବ୍ୟବସାୟୀ, ଉଦ୍ୟମୀ ଓ ଲୋକମାନଙ୍କୁ ଏହି ଆଧୁନିକ ସୁବିଧାରୁ ବହୁତ ଲାଭ ମିଳିବ । ବ୍ୟବସାୟ ମେଳାରେ ଭାଗ ନେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ । ଲୋକମାନଙ୍କୁ ଏକ ପ୍ଲାଟଫର୍ମ ମିଳିବ ଯେଉଁଠି ସେମାନେ ନିଜ ବ୍ୟବସାୟକୁ ସମ୍ପ୍ରସାରିତ କରିପାରିବେ ଏବଂ ଭାରତୀୟ ସାମଗ୍ରୀ ଓ ସେବାକୁ ପ୍ରୋତ୍ସାହନ ଦେଇପାରିବେ ।
*************