Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନେତୃତ୍ୱର ଗୁରୁତ୍ୱ : “ସାମ୍ପ୍ରତିକ ବିଶ୍ୱରେ ମହାତ୍ମା ଗାନ୍ଧୀଙ୍କ ପ୍ରାସଙ୍ଗିକତା” ପ୍ରସଙ୍ଗରେ ଇସିଓଏସଓସି ଚାମ୍ବର କାର୍ଯ୍ୟକ୍ରମ ଆୟୋଜିତ


ବିଶ୍ୱ ଶାନ୍ତି ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମଜୟନ୍ତୀ ଉପଲକ୍ଷେ ମିଳିତ ଜାତିସଂଘର 74ତମ ସାଧାରଣ ପରିଷଦ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ମିଳିତ ଜାତିସଂଘ ମୁଖ୍ୟାଳୟସ୍ଥିତ ଇସିଓଏସଓସି ଚାମ୍ବରରେ ଆଜି ସନ୍ଧ୍ୟା 6.30 ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମିଳିତ ଜାତିସଂଘ ମହାସଚିବ ମହାମହିମ ମିଃ ଆଂଟୋନିଓ ଗୁଟେରେସ, କୋରିଆ ରାଷ୍ଟ୍ରପତି ମହାମହିମ ମିଃ ମୁନ ଜେ ଇନ, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ମହାମହିମ ମିଃ ଲି ସିନ ଲୁଙ୍ଗ, ବାଂଲାଦେଶ ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନା, ଜାମାଇକା ପ୍ରଧାନମନ୍ତ୍ରୀ ମହାମହିମ ମିଃ ଆଣ୍ଡ୍ରୁୟ ହୋଲନେସ, ନ୍ୟୁଜିଲ୍ୟାଣ୍ଡର ମହାମହିମ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟ ମାନ୍ୟଗଣ୍ୟ ଅତିଥିମାନଙ୍କ ମଧ୍ୟରେ ଭୂଟାନ ପ୍ରଧାନମନ୍ତ୍ରୀ ମହାମହିମ ମିଃ ଲୋତେ ସେରିଙ୍ଗ, କୋରିଆର ପ୍ରଥମ ମହିଳା ମହାମହିମ କିମ ଜଙ୍ଗ ସୁକ, ମିଳିତ ଜାତିସଂଘର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ସଦସ୍ୟ ରାଷ୍ଟ୍ରର କୂଟନୀତିଜ୍ଞମାନେ ଉପସ୍ଥିତ ଥିଲେ ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ. ଜୟଶଙ୍କର ସ୍ୱାଗତ ଭାଷଣ ଦେଇଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ଅତିଥିମାନେ ମିଳିତ ଭାବେ ମିଳିତ ଜାତସଂଘ ମୁଖ୍ୟାଳୟରେ ଗାନ୍ଧୀ ସୌର ପାର୍କର ଉଦଘାଟନ କରିଥିଲେ । ଭାରତ ସରକାରଙ୍କ ଦ୍ୱାରା ଏହି ପାର୍କ ନିର୍ମାଣ କରାଯାଇଛି । ଏହି ଅବସରରେ ମଧ୍ୟ ଅତିଥିମାନଙ୍କ ଦ୍ୱାରା ଓଲ୍ଡ ୱେଷ୍ଟବରୀସ୍ଥିତ ନ୍ୟୁୟର୍କ କଲେଜ ଷ୍ଟେଟ ୟୁନିଭର୍ସିଟି ଠାରେ ଗାନ୍ଧୀ ଶାନ୍ତି ଉଦ୍ୟାନର ଉଦଘାଟନ କରାଯାଇଥିଲା ଏବଂ ମିଳିତ ଜାତିସଂଘ ଡାକ ପ୍ରଶାସନ ଦ୍ୱାରା ଅଣାଯାଇଥିବା ଗାନ୍ଧୀ 150 ଡାକ ଟିକେଟ ଉନ୍ମୋଚନ କରାଯାଇଥିଲା ।
ବିଂଶ ଶତାବ୍ଦୀରେ ମାନବର ବ୍ୟାପକ ସ୍ୱାଧୀନତା ଲାଗି ମହାତ୍ମା ଗାନ୍ଧୀଙ୍କ ଯୋଗଦାନ ଉପରେ ପ୍ରଧାନମନ୍ତ୍ରୀ ତାଙ୍କର ଦୀକ୍ଷାନ୍ତ ଭାଷଣ ଦେଇଥିଲେ । ସମସ୍ତଙ୍କ କଲ୍ୟାଣ (ସର୍ବୋଦୟ), ବଂଚିତଙ୍କ ଉତ୍ଥାନ (ଅନ୍ତ୍ୟୋଦୟ) ଏବଂ ପରିବେଶର ସ୍ଥାୟିତ୍ୱ ପାଇଁ ଗାନ୍ଧୀଙ୍କ ପ୍ରୟାସ ଉପରେ ସେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ସାମୂହିକ ଇଚ୍ଛାଶକ୍ତି, ସହଭାଗୀ ଲକ୍ଷ୍ୟ, ନୈତିକ ଉଦ୍ଦେଶ୍ୟ, ଜନ ଆନ୍ଦୋଳନ ଏବଂ ବ୍ୟକ୍ତିଗତ ଉତ୍ତରଦାୟିତ୍ୱ ପ୍ରତି ମହାତ୍ମା ଗାନ୍ଧୀଙ୍କ ବିଶ୍ୱାସ ବର୍ତ୍ତମାନ ସମୟରେ ଅତ୍ୟନ୍ତ ଜରୁରି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିଂସାକାଣ୍ଡ, ଆତଙ୍କବାଦ, ଅର୍ଥନୈତିକ ଅସମାନତା, ସାମାଜିକ-ଅର୍ଥନୈତିକ ଶୋଷଣ, ମହାମାରୀ ଏବଂ ଜଳବାୟୁ ପରିବର୍ତ୍ତନର ସମ୍ଭାବ୍ୟ ବିପଦ ଜନସାଧାରଣ, ସମାଜ ଓ ରାଷ୍ଟ୍ରକୁ ପ୍ରଭାବିତ କରୁଛି । ଏହି ପ୍ରସଙ୍ଗରେ ସମସ୍ତଙ୍କୁ ଏବଂ ପ୍ରତ୍ୟେକଙ୍କୁ ସଚେତନ କରିବା ଲାଗି ନେତୃତ୍ୱର ଆବଶ୍ୟକତା ରହିଛି । ଗାନ୍ଧୀଙ୍କ ଆଦର୍ଶ ଏ ଦିଗରେ ଉତ୍ସାହପ୍ରଦ ନେତୃତ୍ୱ ଲାଗି ନୈତିକ ମାର୍ଗଦର୍ଶନ କରିବ ।
ମିଳିତ ଜାତିସଂଘ ମହାସଚିବ ଗୁଟେରେସ କହିଥିଲେ ଯେ ଦରିଦ୍ରତମ ଲୋକର ଜୀବନ, ସମ୍ମାନ ଓ ଭାଗ୍ୟ ବଦଳାଇବାରେ ସହାୟକ କୌଣସି ପଦକ୍ଷେପ କିମ୍ବା ନୀତିକୁ ଆକଳନ କରିବା ଲାଗି ଗାନ୍ଧୀଜୀ ଆମକୁ ମାର୍ଗ ଦେଖାଇଛନ୍ତି । ସ୍ୱଚ୍ଛତା, ମାତୃ ସ୍ୱାସ୍ଥ୍ୟ, ପ୍ରାଥମିକ ଶିକ୍ଷା, ଲିଙ୍ଗଗତ ସମାନତା, ନାରୀ ସଶକ୍ତିକରଣ, କ୍ଷୁଧା ମୁକ୍ତି ଏବଂ ବିକାଶ ପାଇଁ ସହଭାଗୀତା ସୁନିଶ୍ଚିତ କରିବା ଥିଲା ଗାନ୍ଧୀଜୀଙ୍କ ଜୀବନର ଆଧାର । ଏମଡିଜି କିମ୍ବା ଏସଡିଜି ଲକ୍ଷ୍ୟ ଧାର୍ଯ୍ୟ କରାଯିବାର ବହୁ ପୂର୍ବରୁ ଗାନ୍ଧୀଜୀ ଏସବୁର ପ୍ରଚଳନ କରିଥିଲେ । ବାସ୍ତବରେ ସ୍ଥାୟୀ ବିକାଶ ଲକ୍ଷ୍ୟ ହେଉଛି ଗାନ୍ଧୀଜୀଙ୍କ ଆଦର୍ଶ ଅନୁରୂପ କାର୍ଯ୍ୟ ।

ଏହି ସମାରୋହରେ ଅଂଶଗ୍ରହଣ କରିଥିବା ନେତୃବର୍ଗ ଗାନ୍ଧୀ ବିଚାର ପ୍ରତି ସମ୍ମାନ ବ୍ୟକ୍ତ କରିଥିଲେ । ସେମାନେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ବିଚାର ଭବିଷ୍ୟତ ପିଢ଼ିକୁ ମଧ୍ୟ ପ୍ରଭାବିତ କରିବ । ସେମାନେ କହିଥିଲେ ଯେ ମହତ୍ମା ଗାନ୍ଧୀ ଜାତି, ଧର୍ମ, ବର୍ଣ୍ଣ ଓ ରାଷ୍ଟ୍ରଠାରୁ ଉର୍ଦ୍ଧ୍ଵରେ ଏବଂ ତାଙ୍କର ସ୍ୱର ଏକବିଂଶ ଶତାବ୍ଦୀରେ ଏକ ଦିବ୍ୟବାଣୀ ଭାବେ ଉଭା ହୋଇଛି । ଗାନ୍ଧୀଜୀ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ । ସେ ଏକାଧାରରେ ଜଣେ ଜାତୀୟତା ଓ ଅନ୍ତର୍ଜାତୀୟତାବାଦୀ, ପରମ୍ପରା ଓ ସଂସ୍କାରବାଦୀ, ରାଜନେତା ଓ ଆଧ୍ୟାତ୍ମିକ ଗୁରୁ, ଲେଖକ ଓ ବିଚାରକ ତଥା ସାମାଜିକ ସଂସ୍କାର ଓ ପରିବର୍ତ୍ତନ ଲାଗି ଜଣେ ଶାନ୍ତିବାଦୀ ଓ କାର୍ଯ୍ୟକର୍ତ୍ତା ଥିଲେ । ସାରା ବିଶ୍ୱ ମହାତ୍ମା ଗାନ୍ଧୀଙ୍କୁ କେବଳ ଅହିଂସା ମାର୍ଗର ଅବଲମ୍ବନ ଏବଂ ସାମଗ୍ରୀକ ମାନବୀୟ ଚିନ୍ତାଧାରା ପାଇଁ ମନେ ରଖିନାହିଁ, ବରଂ ବ୍ୟକ୍ତି ଚରିତ୍ରର ଏପରି ଏକ ସ୍ତର ପାଇଁ ମନେ ରଖିଛି ଯାହା ଆଧାରରେ ଆମେ ସାର୍ବଜନୀନ ଜୀବନରେ ପୁରୁଷ ଓ ମହିଳାଙ୍କୁ, ରାଜନୈତିକ ବିଚାର ଓ ସରକାରୀ ନୀତିକୁ ଏବଂ ଆମ ବିଶ୍ୱର ଆଶା ଓ ଆକାଂକ୍ଷାକୁ ପରୀକ୍ଷା କରିଥାଉ ।

******