Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନବନିର୍ମିତ ସଂସଦ ଭବନ (ପାର୍ଲାମେଣ୍ଟ ହାଉସକୁ) ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥି ସହିତ ଏହି ଅବସରରେ ନୂଆ ସ୍ମାରକମୁଦ୍ରା ଏବଂ ଡାକ ଟିକଟ ଉତ୍ସର୍ଗୀକୃତ ହୋଇଛି । ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନରେ ନନ୍ଦୀ ପ୍ରତିମା ସହିତ ରାଜଦଣ୍ଡ ବା ସେଙ୍ଗୋଲକୁ ପ୍ରତିଷ୍ଠା କରିଥିଲେ । ସେ ମଧ୍ୟ ପ୍ରଦୀପ ପ୍ରଜ୍ଜଳନ କରିବା ସହିିତ ସେଙ୍ଗୋଲ ଉପରେ ପୁଷ୍ପ ପ୍ରଦାନ କରିଥିଲେ । 

ଏହି ଅବସରରେ ସମବେତ ଅତିଥି ଓ ଲୋକପ୍ରତିନିଧିଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଦେଶର ଇତିହାସରେ ଅଳ୍ପ କିଛି କ୍ଷଣ ରହିଛି ଯାହା ଅମର, ଅବିନିଶ୍ୱର ହୋଇ ରହିଥାଏ । ସମୟର ମୁହଁରେ କିଛି ତାରିଖ ଆମର ହସ୍ତାକ୍ଷର ପାଲଟେ । ୨୮ମେ ୨୦୨୩ ସେହିଭଳି ଏକ ଦିବସ । “ଭାରତର ଜନସାଧାରଣ ଅମୃତ ମହୋତ୍ସବ ପାଇଁ ନିଜକୁ ନିଜେ ଏକ ଉପହାର ପ୍ରଦାନ କରିଛନ୍ତି ।” ଏହି ଗୌରବୋଜ୍ଜ୍ୱଳ ଘଟଣା ପାଇଁ ସେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ଏକ ମାମୁଲି ଭବନ ନୁହେଁ ; ଏହା ୧୪୦ କୋଟି ଭାରତୀୟଙ୍କ ଆଶା ଆକାଂକ୍ଷା ଓ ସ୍ୱପ୍ନର ପ୍ରତିଫଳନ । “ଏହା ଆମ ଗଣତନ୍ତ୍ରର ମନ୍ଦିର ଏବଂ ସମଗ୍ର ବିଶ୍ୱକୁ ଭାରତର ସଂକଳ୍ପର ବାର୍ତ୍ତା ପ୍ରେରଣ କରେ । ଏହି ନୂଅ।। ପାର୍ଲାମେଣ୍ଟ ଭବନ ଯୋଜନାକୁ ବାସ୍ତବତାରେ, ନୀତିକୁ କାର୍ଯ୍ୟକାରିତାରେ, ଇଚ୍ଛାଶକ୍ତିକୁ କାର୍ଯ୍ୟକ୍ରମରେ ରୂପାୟନ ଏବଂ ସଂକଳ୍ପରୁ ସିଦ୍ଧିକୁ ସଂଯୋଗ କରେ । ଏହା ଆମ ମୁକ୍ତି ସଂଗ୍ରାମୀମାନଙ୍କର ସ୍ୱପ୍ନ ସାକାର କରିବା ନିମନ୍ତେ ଏକ ମାଧ୍ୟମ ହେବ । ଏହା ଆତ୍ମନିର୍ଭର ଭାରତର ସୂର୍ଯ୍ୟୋଦୟ ଦେଖିବ ଏବଂ ବିକଶିତ ଭାରତର ଅନୁଭୂତି ଲାଭ କରିବ । ନୂଆ ସଂସଦ ଭବନ ପ୍ରାଚୀନ ଓ ନବୀନର ସହାବସ୍ଥାନର ଏକ ଉଦାହରଣ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ନୂତନ ପଥ ଦେଇ ଗତି କଲେ ନୂଆ ଆଦର୍ଶମାନ ପ୍ରତିଷ୍ଠା କରି ହେବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ନୂତନ ମାର୍ଗ ଅନୁସରଣ କରି ନୂଆ ନୂଆ ଲକ୍ଷ୍ୟ ହାସଲ କରୁଛି । ସବୁଆଡେ ନୂଆ ଉତ୍ସାହ, ନୂତନ ଶକ୍ତି, ଅଭିନବ ଭାବନା, ନୂଆ ବିଚାର ଏବଂ ନବଯାତ୍ରା ଦେଖିବାକୁ ମିଳୁଛି । ଏଥିରେ ନୂଆ ଲକ୍ଷ୍ୟ, ନୂତନ ଦିଗ ଓ ନୂତନ ବିଶ୍ୱାସ ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱ ଭାରତର ସଂକଳ୍ପ ଓ ନିଷ୍ପତ୍ତି ଆଡେ ନଜର ରଖିଛି । ବିଶ୍ୱବାସୀ ଭାରତର ନାଗରିକଙ୍କ ସାମର୍ଥ୍ୟ, ବଳ, ଲୋକଶକ୍ତିରର ପରମାୟୁକାଳକୁ ଆଶା ଓ ସମ୍ମାନର ସହ ଦେଖୁଛନ୍ତି । “ଭାରତ ଯେତେବେଳେ ଆଗକୁ ବଢୁଛି, ସମଗ୍ର ବିଶ୍ୱ ଆଗକୁ ଗତି କରୁଛି । ନୂଆ ପାର୍ଲାମେଣ୍ଟ ଭବନ ଭାରତର ବିକାଶ ସହିତ ସମଗ୍ର ବିଶ୍ୱର ବିକାଶକୁ ଆବାହନ କରିବ ।” 

ପବିତ୍ର ସେଙ୍ଗୋଲ ବା ରାଜଦଣ୍ଡ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାନ୍ ଚୋଳ ସାମ୍ରାଜ୍ୟରେ ସେନଗଲ ରାଷ୍ଟ୍ର ପ୍ରତି ସେବା ଓ ଦାୟିତ୍ୱ ନିର୍ବାହର ଏକ ପ୍ରତୀକ ଭାବେ ବିବେଚିତ ହେଉଥିଲା । ରାଜାଜୀ ଓ ଅଧୀନମ୍‌ଙ୍କ ଦିଗ୍‌ଦର୍ଶନରେ ଏହି ସେନଗଲ ଭାରତୀୟଙ୍କୁ ବ୍ରିଟିଶ ଶାସକମାନଙ୍କର କ୍ଷମତା ହସ୍ତାନ୍ତରର ଏକ ପବିତ୍ର ପ୍ରତୀକଭାବେ ବ୍ୟବହୃତ ହୋଇଥିଲା । ଅଧୀନମ୍ ମଠର ସାଧୁମାନେ ଏହି ଉତ୍ସବରେ ଯୋଗ ଦେବାକୁ ଆସିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ମଥା ପାତି ପ୍ରଣତି ଜଣାଇ ନିଜର କୃତଜ୍ଞତା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଆମର ସୌଭାଗ୍ୟ ଯେ ଏହି ପବିତ୍ର ସେନଗଲର ମର୍ଯ୍ୟାଦା ପୁନରୁଦ୍ଧାର କରିବାରେ ଆମେ ସଫଳ ହୋଇଛି । ଗୃହର ଅଧିବେଶନ ଚାଲିବା ସମୟରେ ଏହି ସେନଗଲ ଆମକୁ ଉତ୍ସାହିତ କରିବ ।

ସେ ଆହୁରି କହିଥିଲେ ଯେ ଭାରତ କେବଳ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ନୁହେଁ, ଏହା ମଧ୍ୟ ଗଣତନ୍ତ୍ରର ଜନନୀ । ଭାରତରେ ବୈଶ୍ୱିକ ଗଣତନ୍ତ୍ରର ଢାଞ୍ଚ ପ୍ରଥମେ ପଡିଥିଲା । ଭାରତରେ ପ୍ରଚଳିତ ଗଣତନ୍ତ୍ର କେବଳ ଏକ ବ୍ୟବସ୍ଥା ନୁହେଁ; ଏହା ଏକ ସଂସ୍କୃତି, ଏକ ବିଚାର ଓ ଗୋଟିଏ ପରମ୍ପରା । ବେଦରୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ପ୍ରାଚୀନ ପରମ୍ପରାରେ ଗଣତାନ୍ତ୍ରିକ ଉପାୟରେ ଏକାଠି ହେବା ସଂଘ, ସମବାୟ ଓ କମିଟି ଗଠନ କରିବାର ବ୍ୟବସ୍ଥା ପ୍ରଚଳିତ ଥିଲା । ସେହିଭଳି ମହାଭାରତରୁ ସେ ଗଣରାଜ୍ୟ ବା ରିପବ୍ଲିକର ଉଦାହରଣ ଦେଇ ବୈଶାଳୀ ଗଣରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ନୀତିର ପ୍ରବର୍ତ୍ତନ କଥା କହିଥିଲେ ।

ସେ ଆହୁରି କହିଥିଲେ ଯେ ପ୍ରଭୁ ବାସବେଶ୍ୱରଙ୍କ ‘ଅନୁଭବ ମଣ୍ଟପ୍ପ’ (ମଣ୍ଡପ) ଆମ ସମସ୍ତଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ତାମିଲନାଡୁରୁ ଉଦ୍ଧାର ହୋଇଥିବା ୯୦୦ ଶତାବ୍ଦୀର ଏକ ଶିଳାଲେଖରୁ ତଥ୍ୟ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ସେତେବେଳେ ମଧ୍ୟ ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଭାବନା ଥିଲା। ଭାରତରେ ଗଣତନ୍ତ୍ରର ଏହି ପ୍ରାଚୀନତା କଥା ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ । ତେଣୁ “ଆମ ଗଣତନ୍ତ୍ର ଆମର ପ୍ରେରଣା ଓ ଆମ ସମ୍ବିଧାନ ଆମ ସଂକଳ୍ପ” ବୋଲି ସେ କହିଥିଲେ । ପାର୍ଲାମେଣ୍ଟ ଜନତାଙ୍କ ପ୍ରତିନିଧିତ୍ୱ କରେ ଏବଂ ଏହାର ଗୁରୁତ୍ୱ ସମ୍ପର୍କରେ ଶ୍ଲୋକ ମାଧ୍ୟମରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ଅଗ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରନ୍ତି ସେମାନଙ୍କୁ ଭାଗ୍ୟ ସହାୟତା ଦିଏ ନାହିଁ । ଯେଉଁମାନେ ଆଗକୁ ବଢିବାକୁ ଉଦ୍ୟମ କରନ୍ତି ସେମାନଙ୍କୁ ଭାଗ୍ୟ ସାହାଯ୍ୟ କରିଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୀର୍ଘ କାଳର ଦାସତ୍ୱ ଯୋଗୁଁ ଭାରତ ଅନେକ କିଛି ହରାଇଥିଲା । ସ୍ୱାଧୀନତା ପରେ ଆମେ ଆମର ନୂଆ ଯାତ୍ରା ଆରମ୍ଭ କରି ଏବେ ଅମୃତକାଳରେ ପହଞ୍ଚିଛୁ । ଅମୃତକାଳ ଏକ ସମୟ ଖଣ୍ଡ ଯାହା ବିକାଶକୁ ନୂଆ ଗତି ଓ ଦିଗ ଦେବା ସହିତ ଆମ ଐତିହ୍ୟକୁ ସୁରକ୍ଷିତ ରଖିବ । ଏହି ଅମୃତ କାଳ ଅନେକ ଆଶା ଆକାଂକ୍ଷା ପୂରଣ କରିବାର ସମୟ । ତଦନୁସାରେ ଗଣତନ୍ତ୍ରର ପ୍ରମୁଖ କାର୍ଯ୍ୟସ୍ଥଳ ପାର୍ଲାମେଣ୍ଟ ମଧ୍ୟ ଏହି ସମୟରେ ନୂଆ ଆଧୁନିକ ହେବା ଆବଶ୍ୟକ । ତାହାହିଁ ହୋଇଛି ଏବଂ ଏଥିରେ ଆଧୁନିକତାର ସ୍ପର୍ଶ ଦିଆଯାଇଛି । 

ଦାସତ୍ୱ ଭାରତର ଗୌରବକୁ ଅପରହଣ କରି ନେଇଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥି ସହିତ ଆମ ଦେଶର ସମୃଦ୍ଧି ଓ ସ୍ଥାପତ୍ୟର ସୁବର୍ଣ୍ଣ ଯୁଗର ମଧ୍ୟ ଅବସାନ ଘଟିଥିଲା । ତେବେ ଆଜିର ଭାରତ ଭିନ୍ନ । ଏକ ବିଂଶ ଶତାବ୍ଦୀର ଭାରତ ଆତ୍ମବିଶ୍ୱାସରେ ଭରପୂର । ଆଜିର ଭାରତ ଦାସତ୍ୱର ମନୋଭାବ ପରିହାର କରି ଆମର ପ୍ରାଚୀନ ସମୃଦ୍ଧ କଳା ଓ ସ୍ଥାପତ୍ୟର ଗୌରବକୁ ଆଲିଙ୍ଗନ କରୁଛି । ଏହି ନୂଆ ସଂସଦ ଭବନ ସେହି ପ୍ରୟାସର ଏକ ଜୀବନ୍ତ ଉଦାହରଣ । ଏହି ଭବନର ଐତିହ୍ୟ ସହିତ ବାସ୍ତୁ, କଳା, କୌଶଳ, ସଂସ୍କୃତି ଓ ସମ୍ବିଧାନର ଉଦ୍ଧୃତିମାନ ଅଛି । ଲୋକସଭାର ଆଭ୍ୟନ୍ତରୀଣ ଭାଗ ଜାତୀୟ ପକ୍ଷୀ ମୟୂର ଆକାରରେ ହୋଇଥିବାବେଳେ ରାଜ୍ୟସଭା ଜାତୀୟ ଫୁଲ ପଦ୍ମ ଆକାରରେ ତିଆରି ହୋଇଛି । ପାର୍ଲାମେଣ୍ଟ ପରିସରରେ ଏକ ଜାତୀୟ ବୃକ୍ଷ ବରଗଛ ରହିଛି । ନୂଆ ସଂସଦ ଭବନରେ ଦେଶର ବିଭିନ୍ନ ଭାଗର ବିଶେଷତ୍ୱର ଛାପ ଦିଆଯାଇଛି । ଏଥିରେ ରାଜସ୍ଥାନର ଗ୍ରାନାଇଟ୍‌, ମହାରାଷ୍ଟ୍ରର କାଠ, ଭାଧୋଇ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଗାଲିଚା ଲାଗିଛି । ଭବନର ପ୍ରତ୍ୟେକ ରେଣୁରେ ଏକ ଭାରତ ଶ୍ରେଷ୍ଠ ଭାରତର ଚେତନା ଆମେ ଦେଖୁବାକୁ ପାଉ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନୂଆ ସଂସଦ ଭବନ ନିର୍ମାଣ ପାଇଁ ୬୦ହଜାର ଶ୍ରମିକ ନିୟୋଜିତ ହୋଇଥିଲେ । ସେମାନଙ୍କ ଅବଦାନକୁ ମନେ ରଖିବାକୁ ସଂସଦ ଭବନରେ ଶ୍ରମିକଙ୍କ ନାମରେ ଏକ ଗ୍ୟାଲେରୀ ମଧ୍ୟ ନିର୍ମାଣ କରାଯାଇଛି । ଏହି ଶ୍ରମିକମାନଙ୍କ ମଧ୍ୟରୁ କେତେକଙ୍କ ସହିତ ସେ ବ୍ୟକ୍ତିଗତ ଭାବେ କଥାବାର୍ତ୍ତା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ ନୂଆ ପାର୍ଲାମେଣ୍ଟରେ ପ୍ରଥମ ଥର ପାଇଁ ଶ୍ରମିକମାନଙ୍କ ଅବଦାନକୁ ଅମରତ୍ୱ ପ୍ରଦାନ କରାଯାଇଛି ।

 ନୂଆ ସଂସଦ ଭବନ ନିର୍ମାଣ ଫଳରେ ପୁରୁଣା ସଂସଦ ଭବନରେ ସ୍ଥାନାଭାବ ଜନିତ ଯେଉଁ ଅସୁବିଧା ହେଉଥିଲା ତାହା ଅବସାନ ଘଟିଛି । ଏବେ ଲୋକପ୍ରତିନିଧି ଓ ଅଧିକାରୀମାନେ ନୂଆ ସଂସଦ ଭବନର ସୁଦୀର୍ଘ ଓ ଆଧୁନିକ ପରିସରରେ ସହଜରେ କାମ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଭାଷଣ ପ୍ରସଙ୍ଗରେ ତାଙ୍କର ନ’ବର୍ଷର ଶାସନ କାଳର ଉପଲବ୍ଧ ଏବଂ ଭାରତର ବିକାଶ ଯାତ୍ରାର ବିବରଣୀ ଉପସ୍ଥାପନ କରିଥିଲେ । ତାଙ୍କ ସରକାର ଲୋକ କଲ୍ୟାଣ ଏବଂ ନବ ଭାରତ ନିର୍ମାଣ କାର୍ଯ୍ୟ ଅଙ୍ଗୀକୃତ ଭାବେ କରୁଛି ବୋଲି କହି ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଉ ୨୫ବର୍ଷ ପରେ ଆମେ ସ୍ୱାଧୀନତାର ୧୦୦ବର୍ଷ ପାଳନ କରିବା । ସେହି ୨୫ବର୍ଷ ପାଇଁ ଅମୃତକାଳର ଯାତ୍ରା ଆରମ୍ଭ ହୋଇଛି ଯାହା ଭାରତ ନିର୍ମାଣ ପାଇଁ ଅଭିପ୍ରେତ । ଭାରତୀୟମାନଙ୍କର ବିଶ୍ୱାସ କେବଳ ତାଙ୍କ ଦେଶ ଭିତରେ ସୀମିତ ନୁହେଁ । ଇତିହାସର ଏହାର ସାକ୍ଷୀ । ଭାରତ ନିଜେ ସୁଦୃଢ ଓ ବିକଶିତ ହୋଇ ଅନେକ ରାଷ୍ଟ୍ରଙ୍କୁ ଉନ୍ନତ କରିବାକୁ ବଦ୍ଧ ପରିକର । 

ତଥାପି ଆମେ “ରାଷ୍ଟ୍ର ପ୍ରଥମ” ନୀତିରେ କାମ କରି ଆଗେଇ ଚାଲିଛୁ । ବିକଶିତ ଭାରତ ଆମର ପ୍ରଥମ ଲକ୍ଷ୍ୟ । ଆମ ଲକ୍ଷ୍ୟରେ ପହଞ୍ଚିବାକୁ ଆମକୁ ଉପଯୁକ୍ତ ରାସ୍ତାରେ ସଂଯମର ସହିତ ଚାଲିବାକୁ ପଡିବ ।

 ସେ ଆହୁରି କହିଥିଲେ ଯେ ନୂଆ ପାର୍ଲାମେଣ୍ଟ ଭବନ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରକୁ ନୂଆ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିବ । ଆମ ଶ୍ରମଜୀବୀମାନେ ନୂଆ ସଂସଦ ଭବନକୁ ଅତି ସୁନ୍ଦର କରି ଗଢି ତୋଳଛନ୍ତି । ଏବେ ପାର୍ଲାମେଣ୍ଟର ଦାୟିତ୍ୱ ହେଲା ଶ୍ରମିକଙ୍କ ଏହି ଅବଦାନକୁ ଦେବତ୍ୱର ସ୍ପର୍ଶ ଦେବା । ଆମର ଲୋକ ପ୍ରତିନିଧିମାନେ ଉତ୍ସର୍ଗୀକୃତ କାମ କରିବେ ବୋଲି ଆଶା ଓ ବିଶ୍ୱାସ । 

ନୂଆ ସଂସଦ ଭବନର ପ୍ରତ୍ୟେକଟି ଇଟା, ପ୍ରତିଟି କାନ୍ଥ, ପ୍ରତ୍ୟେକ ରେଣୁ ଗରିବଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ହେବ । ଏହି ନୂଆ ସଂସଦ ଭବନ ସ୍ୱାଧୀନତାର ୧୦୦ତମ ବର୍ଷ ଓ ବିକଶିତ ଭାରତ ଦେଖିବ । ଏହା ୧୪୦କୋଟି ଭାରତୀୟଙ୍କ ସଂକଳ୍ପ ଯାହା ନୂଆ ପାର୍ଲାମେଣ୍ଟ ଭବନକୁ ଅଭିଷିକ୍ତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭାର ଉପବାଚସ୍ପତି ଶ୍ରୀ ହରିବଂଶ ନାରାୟଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

 

*****

TKM/SLP