Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂଆ ସଂସଦ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆ ସଂସଦ ଭବନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ସଂସଦ ଭବନ (ପାର୍ଲାମେଣ୍ଟ ବିଲ୍‌ଡିଂ)ର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ନୂଆ ସଂସଦ ଭବନ ଆମ ଆତ୍ମନିର୍ଭର ଭାରତ ଲକ୍ଷ୍ୟର ଏକ ସ୍ୱାଭାବିକ ଅଂଶ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଲୋକଙ୍କ ପାର୍ଲାମେଣ୍ଟ ନିର୍ମାଣର ଏକ ଐତିହାସିକ ସୁଯୋଗ ସୃଷ୍ଟି ହୋଇଛି । ଏହା 2022ରେ ପାଳିତ ହେବାକୁ ଥିବା ଭାରତର ସ୍ୱାଧୀନତାର 75ତମ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ଆବଶ୍ୟକତା ଓ ଆକାଂକ୍ଷାକୁ ଯଥାର୍ଥଭାବେ ପୂରଣ କରିପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଏହି ଦିବସଟି ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ଏଥିରେ ଭାରତୀୟତାର ବିଚାର ପୂରି ରହିଛି । ସେ କହିଛନ୍ତି ଯେ ଭାରତର ନୂଆ ପାର୍ଲାମେଣ୍ଟ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ଆମ ଗଣତାନ୍ତ୍ରିକ ପରମ୍ପରାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ଏହି ନୂଆ ପାର୍ଲାମେଣ୍ଟ ଭବନକୁ ମିଳିତଭାବେ ନିର୍ମାଣ କରିବା ପାଇଁ ସେ ଦେଶର ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି । ଭାରତ ଯେତେବେଳେ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି, ସେତେବେଳେ ଏକ ନୂଆ ପାର୍ଲାମେଣ୍ଟ ଭବନ ନିର୍ମାଣ କରାଯିବା ଭଳି ସୁନ୍ଦର ଓ ପବିତ୍ର ଘଟଣା ଆଉ କିଛି ନାହିଁ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ 2014ରେ ପ୍ରଥମଥର ସେ ସଂସଦକୁ ପ୍ରବେଶ କରିବା ଘଟଣାର ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ ସେ ଯେତେବେଳେ ପ୍ରଥମଥର ପାଇଁ ସଂସଦ ଭବନରେ ପ୍ରବେଶ କଲେ, ସେତେବେଳେ ସେ ପ୍ରଥମେ ମଥାପାତି ଗଣତନ୍ତ୍ରର ଏହି ପବିତ୍ର ମନ୍ଦିରକୁ ପ୍ରଣିପାତ ଜଣାଇଥିଲେ । ସେ କହିଥିଲେ ଯେ ନୂଆ ସଂସଦ ଭବନରେ ଅନେକ ନୂଆ କଥା କରାଯାଉଛି । ଏହା ଫଳରେ ସାଂସଦମାନଙ୍କର ଦକ୍ଷତା ବଢିବ ଓ ସେମାନଙ୍କ କାର୍ଯ୍ୟ ସଂସ୍କୃତି ଆଧୁନିକ ରୂପ ନେବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୁରୁଣା ସଂସଦ ଭବନ ସ୍ୱାଧୀନତା ପରବର୍ତ୍ତୀ ଭାରତକୁ ଦିଗ୍‌ଦର୍ଶନ ଦେଇଥିଲା । ନୂଆ ସଂସଦ ଭବନ ଆତ୍ମନିର୍ଭର ଭାରତ ନିର୍ମାଣକୁ ଦେଖିବ ଓ ଏହାର ସାକ୍ଷୀ ରହିବ । ପୁରୁଣା ସଂସଦ ଭବନରେ ଦେଶର ଆବଶ୍ୟକତା ପୂରଣ ପାଇଁ କାର୍ଯ୍ୟ କରାଯାଉଥିଲା ; ଏବେ ଏକବିଂଶ ଶତାବ୍ଦୀର ଆଶା ଆକାଂକ୍ଷା ପୂରଣ ପାଇଁ ନୂଆ ଭବନ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅନ୍ୟତ୍ର ଗଣତନ୍ତ୍ରର ଅର୍ଥ ନିର୍ବାଚନ ପଦ୍ଧତିର ପରିପାଳନ, ସରକାର ଗଠନ, ଶାସନ ଏବଂ ପ୍ରଶାସନ ମଧ୍ୟରେ ସୀମିତ; କିନ୍ତୁ ଭାରତରେ ଗଣତନ୍ତ୍ର ଅର୍ଥ ଭିନ୍ନ । ଏହା ଜୀବନର ଏକ ମୂଲ୍ୟବୋଧ । ଏହା ଏକ ଜୀବନର ମାର୍ଗ ଏବଂ ରାଷ୍ଟ୍ରର ଆତ୍ମା । ସେ ଆହୁରି କହିଛନ୍ତି ଯେ ଭାରତର ଗଣତନ୍ତ୍ର ଶତାବ୍ଦୀ ଶତାବ୍ଦୀର ଅଭିଜ୍ଞତାକୁ ନେଇ ବିକଶିତ ହୋଇଥିବା ଏକ ବ୍ୟବସ୍ଥା । ଆହୁରି ମଧ୍ୟ ଏଥିରେ ଏକ ଜୀବନମନ୍ତ୍ର, ଜୀବନର କିଛି ଅଂଶ ଓ ଶୃଙ୍ଖଳିତ ବ୍ୟବସ୍ଥା ରହିଛି; ଯାହା ଭାରତୀୟ ଗଣତନ୍ତ୍ରର ବିଶେଷତ୍ୱ । ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଗଣତାନ୍ତ୍ରିକ ଶକ୍ତି ଦେଶର ବିକାଶ ପ୍ରକ୍ରିୟାକୁ ବଳ ଯୋଗାଉଛି ଏବଂ ଦେଶବାସୀଙ୍କୁ ନୂଆ ବିଶ୍ୱାସ ଦେଉଛି । ଭାରତରେ ଗଣତନ୍ତ୍ର ନିରନ୍ତରଭାବେ ପ୍ରତିବର୍ଷ ନବୀକୃତ ହେଉଛି । ପ୍ରତି ନିର୍ବାଚନରେ ଅଧିକରୁ ଅଧିକ ଭୋଟଦାତା ନିଜର ମତାଧିକାର ସାବ୍ୟସ୍ତ କରୁଥିବା ଦେଖିବାକୁ ମିଳୁଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଭାରତରେ ଗଣତନ୍ତ୍ର ସର୍ବଦା ମତଭେଦ ଦୂର କରିବା ସହ ସୁଶାସନ ପାଇଁ ଏକ ମାଧ୍ୟମ ହୋଇଆସିଛି । ବିବିଧ ଦୃଷ୍ଟିକୋଣ, ବିଚାର ଓ ପ୍ରସ୍ଥାବନା ଆଦି ଭାରତର ଏହି ଉତ୍ସଳ ଗଣତନ୍ତ୍ରକୁ ସଶକ୍ତ କରିଛି । ସେ କହିଛନ୍ତି ଆମ ଗଣତନ୍ତ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସର୍ବଦା ଅଗ୍ରଗତି କରୁଛି । ଏଥିରେ କୌଣସି ମତଭେଦ ଘଟିଲେ ସଂପୃକ୍ତ ପକ୍ଷ ଯେ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାରୁ ବିଚ୍ୟୁତ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଏହାର ସମାଧାନ ପାଇଁ ସୁଯୋଗ ରହିଛି । ସେ କହିଛନ୍ତି ଯେ ନୀତି ଏବଂ ରାଜନୀତି ଅଲଗା ଜିନିଷ ହୋଇପାରେ, ଆମେ କିନ୍ତୁ ଜନସାଧାରଣଙ୍କ ସେବା ପାଇଁ ରହିଛୁ । ଅତଏବ ଏହି ଅନ୍ତିମ ଲକ୍ଷ୍ୟ ନେଇ କୌଣସି ମତଭେଦ ରହିବା ଉଚିତ ନୁହେଁ । ପାର୍ଲାମେଣ୍ଟ ଭିତରେ କିମ୍ବା ବାହାରେ, ବିତର୍କ ଯେଉଁଠାରେ ବି ହେଉ ପଛକେ ଜାତିର ସେବା ଏବଂ ରାଷ୍ଟ୍ରୀୟ ସ୍ୱାର୍ଥ ପାଇଁ ଉତ୍ସର୍ଗୀକୃତ ହେବାର ଆମ ସଂକଳ୍ପ ସବୁଠି ପ୍ରତିଫଳିତ ହେବାର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଂସଦ ଭବନର ସ୍ଥିତିର ମୂଳ ଭିତ୍ତି ହେଲା ଗଣତନ୍ତ୍ର । ତେଣୁ ଗଣତନ୍ତ୍ରକୁ ତାହାର ଚରମ ସଫଳତାରେ ପହଞ୍ଚାଇବା ଦିଗରେ ଜନସାଧାରଣ ନିଜର ଦାୟିତ୍ୱକୁ ମନେ ପକାଇ ନିଷ୍ଠାପରଭାବେ କାର୍ଯ୍ୟ କରିବାର ସମୟ ଆସିଛି । ପାର୍ଲାମେଣ୍ଟକୁ ପ୍ରବେଶ କରୁଥିବା ପ୍ରତ୍ୟେକ ସଦସ୍ୟ ସମ୍ବିଧାନ ଓ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଗଣତନ୍ତ୍ରର ଏହି ମନ୍ଦିରକୁ ପବିତ୍ର କରିବା ପାଇଁ ସେଭଳି କିଛି ବିଧିବିଧାନ ନାହିଁ । ଏହା ଲୋକଙ୍କ ପ୍ରତିନିଧି ଯେଉଁମାନେ ଏହି ମନ୍ଦିରକୁ ଆସୁଛନ୍ତି ସେମାନେ ହିଁ ଏହାକୁ ପବିତ୍ର କରିବେ । ସେମାନଙ୍କର ଉତ୍ସର୍ଗ, ସେବା, ଆଚରଣ, ବିଚାର ଓ ବ୍ୟବହାର ଏହି ମନ୍ଦିରର ଜୀବନ ନାଟିକା ହେବ ।  ଭାରତର ଏକତା ଓ ସଂହତି ରକ୍ଷା ଦିଗରେ ସେମାନଙ୍କର ଉଦ୍ୟମ ହିଁ ଏହି ମନ୍ଦିର ପାଇଁ ପ୍ରାଣଶକ୍ତି ପାଲଟିବ । ସେ ଆହୁରି କହିଥିଲେ ଯେତେବେଳେ ପ୍ରତ୍ୟେକ ଲୋକପ୍ରତିନିଧି ନିଜର ଜ୍ଞାନ, ବୁଦ୍ଧି, ମେଧା, ଶିକ୍ଷା ଓ ଅଭିଜ୍ଞତା ଏଠାରେ ବିନିଯୋଗ କରିବେ ସେତେବେଳେ ଯାଇ ଏହି ନୂଆ ସଂସଦ ଭବନ ପବିତ୍ର ହେବ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ସବୁ କ୍ଷେତ୍ରରେ ଭାରତକୁ ପ୍ରଥମରେ ରଖିବାର ଶପଥ ନେବାକୁ ଆହ୍ୱାନ ଜଣାଇଥିଲେ । ସମସ୍ତେ ଭାରତର ପ୍ରଗତି ଓ ବିକାଶର ଅର୍ଚ୍ଚନା କରିବା ପାଇଁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ପ୍ରତ୍ୟେକ ନିଷ୍ପତ୍ତି ଦେଶର ଶକ୍ତିବୃଦ୍ଧିରେ ସହାୟକା ହେବା ଆବଶ୍ୟକ ଏବଂ ସବୁ କ୍ଷେତ୍ରରେ ଦେଶର ସ୍ୱାର୍ଥ ସର୍ବାଗ୍ରେ ରହିବା ଉଚିତ । ରାଷ୍ଟ୍ର ସ୍ୱାର୍ଥଠାରୁ ଆଉ କୌଣସି ବଡ଼ ସ୍ୱାର୍ଥ ନାହିଁ । ଏହି ଭାବନା ମନରେ ରଖି ସେ ଦିଗରେ ଶପଥ ନେବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି । ଏହି ବିଚାର ଲୋକଙ୍କ ମନରେ ରହିଲେ ସେମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ରାଷ୍ଟ୍ର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେବେ । ସେମାନଙ୍କ ପାଇଁ ଦେଶର ଏକତା ଓ ଅଖଣ୍ଡତା ଛଡା ଅନ୍ୟ କୌଣସି କାର୍ଯ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବନାହିଁ । ସେମାନଙ୍କ ଜୀବନର ସବୁଠୁ ବଡ ଲକ୍ଷ୍ୟ ହେବ ଦେଶର ସମ୍ବିଧାନର ମର୍ଯ୍ୟାଦା ରକ୍ଷା ଓ ଏହାର ପରିପାଳନ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********