Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂଆ ଯୋଜନା ‘‘ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ପ୍ରୟାସ (ପିଏମ-ଡିଭାଇନ)’’କୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଏକ ନୂଆ ଯୋଜନା- ‘‘ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ପ୍ରୟାସ (ପିଏମ-ଡିଭାଇନ)କୁ ଅନୁମୋଦନ କରିଛନ୍ତି । ଏହି ଯୋଜନା ୨୦୨୨-୨୩ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଶେଷ ଚାରି ବର୍ଷ ଅବଧିରେ କାର୍ଯ୍ୟକାରୀ ହେବ । ୧୦୦ ପ୍ରତିଶତ କେନ୍ଦ୍ରୀୟ ପାଣ୍ଠି ଯୋଗାଣ ସହିତ ପିଏମ-ଡିଭାଇନ ନାମକ ନୂଆ ଯୋଜନା ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଅଟେ ଏବଂ ଏହାକୁ ଉତ୍ତରପୂର୍ବାଞ୍ଚଳ ବିକାଶ (ଡୋନର) ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯିବ ।

ପିଏମ-ଡିଭାଇନ ଯୋଜନାରେ ୨୦୨୨-୨୩ ଠାରୁ ୨୦୨୫-୨୬ (ପଞ୍ଚଦଶ ଅର୍ଥ ଆୟୋଗଙ୍କ ଶେଷ ଚାରି ବର୍ଷ) ପର୍ଯ୍ୟନ୍ତ ଚାରି ବର୍ଷର ଅବଧିରେ ମୋଟ ୬ ହଜାର ୬ଶହକୋଟି ଟଙ୍କା ବ୍ୟୟ କରାଯିବ ।

ପିଏମ-ଡିଭାଇନ ପ୍ରକଳ୍ପକୁ ୨୦୨୫-୨୬ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲାଗି ପ୍ରୟାସ କରାଯିବ ଯାହାଫଳରେ ଏହି ବର୍ଷ ପରେ କୌଣସି ପ୍ରତିବଦ୍ଧ ଦେୟତା ରହିବ ନାହିଁ । ଏହାର ଅର୍ଥ ହେଉଛି ଯୋଜନା ଅଧୀନରେ ମୁଖ୍ୟତଃ ୨୦୨୨-୨୩ ଏବଂ ୨୦୨୩-୨୪ ବର୍ଷରେ ରହିଥିବା କଟକଣାର ଫ୍ରଣ୍ଟ ଲୋଡିଂ ପାଇଁ ପ୍ରୟାସ କରାଯିବ । ଅନ୍ୟପକ୍ଷରେ ୨୦୨୪-୨୫ ଏବଂ ୨୦୨୫-୨୬ ବର୍ଷ ସମୟରେ ଖର୍ଚ୍ଚକୁ ଜାରି ରଖାଯିବ ଏବଂ ପିଏମ-ଡିଭାଇନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଲାଗି ମୁଖ୍ୟତଃ ଧ୍ୟାନ ଦିଆଯିବ ।

ପିଏମ-ଡିଭାଇନ ଯୋଜନା ମୌଳିକ ଭିତ୍ତିଭୂମି ନିର୍ମାଣ, ଉଦ୍ୟୋଗ, ସାମାଜିକ ବିକାଶ ପ୍ରକଳ୍ପକୁ ସହଯୋଗ କରିବ ଏବଂ ଯୁବକ ତଥା ମହିଳାମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ଯାହାଫଳରେ ନୂଆ ରୋଜଗାର ସୁଯୋଗ ସୃଷ୍ଟି ହେବ ।

ପିଏମ-ଡିଭାଇନକୁ ଉତ୍ତରପୂର୍ବାଞ୍ଚଳ ପରିଷଦ କିମ୍ବା କେନ୍ଦ୍ର ମନ୍ତ୍ରଣାଳୟ/ଏଜେନ୍ସି ମାଧ୍ୟମରେ ଡୋନର ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯିବ । ପିଏମ-ଡିଭାଇନ ଅଧୀନରେ ମଞ୍ଜୁରିପ୍ରାପ୍ତ ପ୍ରକଳ୍ପଗୁଡ଼ିକର ଉପଯୁକ୍ତ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ଲାଗି ଉପାୟ କରାଯିବ ଯାହାଫଳରେ ଏଗୁଡ଼ିକ ଦୀର୍ଘସ୍ଥାୟୀ ହୋଇପାରିବ । ସରକାରୀ ପ୍ରକଳ୍ପର ସମୟ ଏବଂ ଖର୍ଚ୍ଚରେ ବୃଦ୍ଧି ଜନିତ ନିର୍ମାଣ ବିପତ୍ତିକୁ ସୀମିତ କରିବା ଲାଗି, ଯଥାସମ୍ଭବ, ଏଗୁଡ଼ିକୁ ଇଞ୍ଜିନିୟରିଂ – କ୍ରୟ – ନିର୍ମାଣ (ଇପିସି) ଆଧାରରେ ଲାଗୁ କରାଯିବ।

 

ପିଏମ-ଡିଭାଇନର ଉଦ୍ଦେଶ୍ୟ ହେଉଛି:

(କ) ପିଏମ ଗତିଶକ୍ତି ଭାବନା ସହ ସମନ୍ବିତ ଢଙ୍ଗରେ ମୌଳିକ ଭିତ୍ତିଭୂମିକୁ ପାଣ୍ଠି ଯୋଗାଣ;

(ଖ) ଏନଇଆର ଦ୍ବାରା ଅନୁଭବ କରାଯାଇଥିବା ଆବଶ୍ୟକତା ଆଧାରରେ ସାମାଜିକ ବିକାଶ ପ୍ରକଳ୍ପଗୁଡ଼ିକୁ ସମର୍ଥନ;

(ଗ) ଯୁବକ ଏବଂ ମହିଳାମାନଙ୍କ ପାଇଁ ଜୀବିକା ସମ୍ବନ୍ଧୀୟ କାମ ନିମନ୍ତେ ସୁଯୋଗ ସୃଷ୍ଟି କରିବା

(ଘ) ବିଭିନ୍ନ କ୍ଷେତ୍ରରେ ବିକାଶଜନିତ ଶୂନ୍ୟସ୍ଥାନକୁ ପୂରଣ କରିବା

 

ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ଡୋନର ମନ୍ତ୍ରଣାଳୟର ଅନ୍ୟ ଯୋଜନା ରହିଛି । ଡୋନର ମନ୍ତ୍ରଣାଳୟର ଅନ୍ୟ ଯୋଜନା ଅଧୀନରେ ପ୍ରକଳ୍ପଗୁଡ଼ିକର ହାରାହାରୀ ଆକାର ପାଖାପାଖି ୧୨ କୋଟି ଟଙ୍କା ରହିଥାଏ । ତେବେ ପିଏମ ଡିଭାଇନ ଯୋଜନା ମୌଳିକ ଭିତ୍ତିଭୂମି ଏବଂ ସାମାଜିକ ବିକାଶ ପ୍ରକଳ୍ପକୁ ସହାୟତା ପ୍ରଦାନ କରିବ ଯାହାକି ଆକାରରେ ବଡ଼ ହୋଇପାରିବ ଏବଂ ଭିନ୍ନ ଭିନ୍ନ ପ୍ରକଳ୍ପ ପରିବର୍ତ୍ତେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିକାଶ ସମାଧାନ ଯୋଗାଇ ଦେବ । ଏହା ସୁନିଶ୍ଚିତ କରାଯିବ ଯେ ପିଏମ-ଡିଭାଇନ ଅଧୀନରେ ଡୋନର ମନ୍ତ୍ରଣାଳୟ କିମ୍ବା ଅନ୍ୟ କୌଣସି ମନ୍ତ୍ରଣାଳୟ/ବିଭାଗର ଅନ୍ୟ ଯୋଜନାଗୁଡ଼ିକ ସହିତ ପ୍ରକଳ୍ପ ସହାୟତାର ଦୋହରିକରଣ ହେବ ନାହିଁ ।

ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ଏନଇଆର)ରେ ବିକାଶ ବ୍ୟବଧାନକୁ ଦୂର କରିବା ଲାଗି କେନ୍ଦ୍ର ବଜେଟ ୨୦୨୨-୨୩ରେ ପିଏମ-ଡିଭାଇନର ଘୋଷଣା କରାଯାଇଥିଲା। ପିଏମ-ଡିଭାଇନର ଘୋଷଣା କେନ୍ଦ୍ର ସରକାରଙ୍କ ଦ୍ବାରା ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରକୁ ଦିଆଯାଉଥିବା ଗୁରୁତ୍ବର ଆଉ ଏକ ଉଦାହରଣ।

ପିଏମ-ଡିଭାଇନ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ବିକାଶ ପାଇଁ ଉପଲବ୍ଧ ଆର୍ଥିକ ସମ୍ବଳ ଠାରୁ ଅତିରିକ୍ତ ଅଟେ। ଏହା ବର୍ତ୍ତମାନର କେନ୍ଦ୍ର ଏବଂ ରାଜ୍ୟ ଯୋଜନାର ବିକଳ୍ପ ହେବ ନାହିଁ ।

ତେବେ ପିଏମ-ଡିଭାଇନ ଅଧୀନରେ ୨୦୨୨-୨୩ ଲାଗି ମଞ୍ଜୁର ହେବାକୁ ଥିବା କେତେକ ପ୍ରକଳ୍ପ ବଜେଟ୍‌ ଘୋଷଣାର ଅଂଶବିଶେଷ ଅଟେ, ସାଧାରଣ ଜନତାଙ୍କ ପାଇଁ ଯଥେଷ୍ଟ ସାମାଜିକ-ଆର୍ଥିକ ପ୍ରଭାବ କିମ୍ବା ସ୍ଥାୟୀ ଜୀବିକା ସୁଯୋଗ ରହିଥିବା ପ୍ରକଳ୍ପ (ଯଥା, ସମସ୍ତ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ମୌଳିକ ଭିତ୍ତିଭୂମି, ସରକାରୀ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ ବ୍ୟାପକ ସୁବିଧା ଆଦି) ଉପରେ ଭବିଷ୍ୟତରେ ବିଚାର କରାଯାଇପାରିବ ।

ପିଏମ-ଡିଭାଇନ ଯୋଜନା ଘୋଷଣା କରାଯିବାର ଔଚିତ୍ୟ ହେଉଛି ମୌଳିକ ସର୍ବନିମ୍ନ ସେବା (ବିଏମଏସ) ସଂକ୍ରାନ୍ତରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କର ମାପଦଣ୍ଡ ବା ପାରମିଟର ହାରାହାରୀ ଠାରୁ ବେଶ୍‌ ତଳେ ରହିଛି । ନୀତି ଆୟୋଗ, ୟୁଏନଡିପି ଏବଂ ଡୋନର ମନ୍ତ୍ରଣାଳୟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ବିଇଆର ଜିଲ୍ଲା ଦୀର୍ଘସ୍ଥାୟୀ ବିକାଶ ଉଦ୍ଦେଶ୍ୟ (ଏସଡିଜି) ସୂଚକାଙ୍କ ୨୦୨୧-୨୨ ଅନୁଯାୟୀ ଗୁରୁତ୍ବପୂର୍ଣ୍ଣ ବିକାଶ କ୍ଷେତ୍ରରେ କେତେକ ଅଭାବ ରହିଛି । ଏହି ବିଏମଏସ ଅଭାବ ଏବଂ ବିକାଶ ଶୂନ୍ୟସ୍ଥାନକୁ ଦୂର କରିବା ଲାଗି ନୂଆ ଯୋଜନା ପିଏମ-ଡିଭାଇନ ଘୋଷଣା କରାଯାଇଛି ।

 

*********

P.S.