Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂଆଦିଲ୍ଲୀଠାରେ ନିଜ ବାସଭବନରେ ପ୍ରଧାନମନ୍ତ୍ରୀ ଶିଖ୍ ପ୍ରତିନିଧି ଦଳକୁ କଲେ ସ୍ୱାଗତ

ନୂଆଦିଲ୍ଲୀଠାରେ ନିଜ ବାସଭବନରେ ପ୍ରଧାନମନ୍ତ୍ରୀ ଶିଖ୍ ପ୍ରତିନିଧି ଦଳକୁ କଲେ ସ୍ୱାଗତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନ ୭, ଲୋକ କଲ୍ୟାଣ ମାର୍ଗଠାରେ ଶିଖ ପ୍ରତିନିଧି ଦଳକୁ ଅଭ୍ୟର୍ଥନା ଜଣାଇଛନ୍ତି । ପ୍ରତିନିଧି ଦଳରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ରହିଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ତାଙ୍କର ଶିଖ ସମ୍ପ୍ରଦାୟ ସହ ଥିବା ଦୀର୍ଘଦିନର ସମ୍ପର୍କର ସ୍ମୃତିଚାରଣ କରିଥିଲେ । ଗୁରୁଦ୍ୱାରା ଯିବାସହ ସେବାରେ ସମୟ କାଟିବା, ଲାଙ୍ଗରରେ ଯୋଗ ଦେବା ତଥା ଶିଖ ପରିବାର ସହ ରହିବା ମୋ ଜୀବନର ଏକ ଅଂଶ ବୋଲି ସେ କହିଥିଲେ । ଶିଖ ସନ୍ଥମାନଙ୍କ ପାଦ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଡିଥାଏ । ସେମାନଙ୍କ ମଧ୍ୟରେ ମୁଁ ନିଜକୁ ଭାଗ୍ୟବାନ ମନେକରେ ବୋଲି ସେ କହିଥିଲେ । ତାଙ୍କର ବିଦେଶ ଯାତ୍ରା ବେଳେ ସେ ଶିଖ ଐତିହ୍ୟର ବିଶ୍ୱର ପ୍ରତ୍ୟେକ ସ୍ଥାନ ପରିଦର୍ଶନ କରିଥିବା ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଗୁରୁମାନେ ଆମକୁ ସାହସିକତା ଓ ସେବାର ଶିକ୍ଷା ଦେଇଛନ୍ତି । ଭାରତର ଜନସାଧାରଣ ପୃଥିବୀର ଅନ୍ୟାନ୍ୟ ସ୍ଥାନକୁ ବିନା ସମ୍ବଳରେ ଯାଇ ନିଜର ପରିଶ୍ରମ ବଳରେ ସେଠାରେ ସଫଳତା ହାସଲ କରିଛନ୍ତି । ଏହା ହିଁ ନବ ଭାରତର ଉତ୍ସାହ ବୋଲି ସେ କହିଥିଲେ ।

ନବଭାରତ ମତିଗତି ଉପରେ ସନ୍ତୋଷ ପ୍ରକଟ କରି ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାରତ ଗତିଶୀଳ ହୋଇ ଆଗେଇବା ସହ ସମଗ୍ର ପୃଥିବୀରେ ଏହାର ଛାପ ଛାଡୁଛି । କରୋନା ବୈଶ୍ୱିକ ମହାମାରୀ ଏହାର ବୃହତ୍ତମ ଦୃଷ୍ଟାନ୍ତ । ମହାମାରୀର ପ୍ରଥମ ଅବସ୍ଥାରେ ପୁରୁଣାକାଳିଆ ଢ଼ଙ୍ଗରେ ଲୋକମାନେ ଭାରତର ଅବସ୍ଥା ନେଇ ସନ୍ଦେହ ପ୍ରକଟ କରୁଥିଲେ । ମାତ୍ର ଏବେ ସେମାନେ ବୈଶ୍ୱିକ ମହାମାରୀ ପରିଚାଳନା ଢ଼ଙ୍ଗ ଦେଇ ଭାରତର ଦୃଷ୍ଟାନ୍ତ ଦେଉଛନ୍ତି । ଆଗରୁ ଭାରତର ବିଶାଳ ଜନସଂଖ୍ୟା ତଥା ସମୂହ ଟିକାକରଣ ନେଇ ସମସ୍ତେ ସନ୍ଦେହ ପ୍ରକଟ କରୁଥିଲେ । ମାତ୍ର ଆଜି ଭାରତ ସର୍ବବୃହତ ଟିକା ପ୍ରସ୍ତୁତକାରୀ ଭାବେ ଉଭା ହୋଇଛି । ଆପଣମାନେ ଗର୍ବ କରିବା ଉଚିତ ଯେ ଶତକଡା ୯୯ ଭାଗ ଟିକାକରଣ ଆମର ସ୍ୱଦେଶ ପ୍ରସ୍ତୁତ ଟିକା ଯୋଗେ ହିଁ ହୋଇଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ଭାରତ ବିଶ୍ୱର ସର୍ବବୃହତ ଷ୍ଟାର୍ଟଅପ ଅନୁକୂଳ ପରିବେଶ ସୃଷ୍ଟି କରିପାରିଛି । ଆମର ୟୁନିକର୍ଣ୍ଣ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି । ଏହି ଅଭିବୃଦ୍ଧି ଧାରା ଓ ଭାରତର ବିଶ୍ୱସନୀୟତା ସର୍ବାଧିକ ସନ୍ତୋଷ ଓ ଗର୍ବ ଆମ ପ୍ରବାସୀ ଭାରତୀୟଙ୍କୁ ଦେଇଛି । ମୁଁ ସବୁବେଳେ ଆମର ପ୍ରବାସୀମାନଙ୍କୁ ଭାରତର ରାଷ୍ଟ୍ରଦୂତ ଭାବେ ବିବେଚନା କରେ । ଆପଣମାନେ ସମସ୍ତେ ବିଦେଶରେ ମାଆ ଭାରତୀଙ୍କ ପରିଚୟ ଓ ଦୃପ୍ତ କଣ୍ଠସ୍ୱର ବୋଲି ସେ କହିଥିଲେ । ଏପରିକି ପ୍ରବାସୀମାନେ ମଧ୍ୟ ଭାରତର ଅଭିବୃଦ୍ଧି ନେଇ ନିଜକୁ ଗର୍ବିତ ମନେ କରୁଛନ୍ତି । ଆମେ ବିଶ୍ୱରେ ଯେଉଁଆଡେ ଥାଉନା କାହିଁକି ‘ଇଣ୍ଡିଆ ଫାଷ୍ଟ’ ଆମର ପ୍ରଥମ ବିଶ୍ୱାସ ହେବା ବିଧେୟ ବୋଲି ସେ କହିଥିଲେ ।

ଗୁରୁମାନଙ୍କ ମହାନ ଅବଦାନ ଓ ତ୍ୟାଗ ପ୍ରତି ନତମସ୍ତକ ହୋଇ ପ୍ରଧାନମନ୍ତ୍ରୀ, ଗୁରୁନାନକ ଦେବ କିପରି ସମଗ୍ର ଦେଶର ଚେତନାଜାଗ୍ରତ କରାଇବା ସହ ଦେଶକୁ ଅନ୍ଧାରରୁ ଆଲୋକ ପଥରେ ବାଟ କଢ଼ାଇ ନେଇଥିଲେ ତାହା ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଗୁରୁମାନେ ଦେଶସାରା ଭ୍ରମଣକରୀ ସେମାନଙ୍କ ଉତ୍ସାହର ପଦଚିହ୍ନ ସେ ସବୁ ସ୍ଥାନରେ ଛାଡି ଦେଇ ଯାଇଛନ୍ତି । ସେମାନେ ପୂଜା ପାଉଥିବା ବେଳେ ସେମାନଙ୍କ ପ୍ରତି ବିଶ୍ୱାସ ସବୁଆଡେ ରହିଛି । ଗୁରୁମାନଙ୍କ ପାଦଚିହ୍ନ ଦ୍ୱାରା ଏହି ମହାନ ଦେଶ ପବିତ୍ର ହେବା ସହ ତାହା ଜନସାଧାରଣଙ୍କୁ ଉତ୍ସାହିତ କରିଛି । ଶିଖ ପରମ୍ପରା ହେଉଛି ଏକ ଭାରତ, ଶ୍ରେଷ୍ଠ ଭାରତର ପରମ୍ପରା ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଭାରତର ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନ ଭାରତରେ ଶିଖମାନଙ୍କ ଅବଦାନ ପ୍ରତି ଦେଶର କୃତଜ୍ଞତା ଜ୍ଞାପନ କରିଥିଲେ । ଶିଖ ସମ୍ପ୍ରଦାୟ ସାହସ, ପରାକ୍ରମ ଓ ଦେଶ ପାଇଁ କଠିନ ପରିଶ୍ରମ ସହ ସମାନ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ପୁଣି ଥରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଦୃଷ୍ଟିକୋଣର ଅବତାରଣା କରିଥିଲେ । ସେ କହିଥିଲେ ଯେ ଏହି ସଂଗ୍ରାମ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ସୀମିତ ନୁହେଁ, ଏହା ହଜାର ହଜାର ବର୍ଷର ଚେତନା, ଆଦର୍ଶ, ଆଧ୍ୟାତ୍ମିକ ମୂଲ୍ୟବୋଧ ଓ ତପସ୍ୟାର ଫଳ ବୋଲି ସେ କହିଥିଲେ ।

ଗୁରୁ ତେଗବାହାଦୁରଙ୍କ ୪୦୦ତମ ପ୍ରକାଶ ପର୍ବ, ଗୁରୁ ନାନକ ଦେବଜୀଙ୍କ ୫୫୦ତମ ପ୍ରକାଶ ପର୍ବ ଓ ଗୁରୁ ଗୋବିନ୍ଦ ସିଂଜୀଙ୍କ ୩୫୦ତମ ପ୍ରକାଶ ପର୍ବରେ ନିଜକୁ ସାମିଲ କରିଥିବାରୁ ଶ୍ରୀ ମୋଦୀ ନିଜକୁ ଭାଗ୍ୟବାନ ମଣି ସନ୍ତୋଷ ପ୍ରକଟ କରିଥିଲେ । ସେ ମଧ୍ୟ କର୍ତ୍ତାରପୁର ଚଲାପଥର ନିର୍ମାଣ, ଲାଙ୍ଗର ଟିକସ ମୁକ୍ତ କରିବା, ହାରମନ୍ଦିର ସାହିବ ନିମନ୍ତେ ଏଫସିଆରଏ ଅନୁମତି ଓ ଗୁରୁଦ୍ୱାର ଗୁଡିକର ଭିତ୍ତିଭୂମି ବିକାଶ ଓ ଗୁରୁଦ୍ୱାର ଆଖପାଖ ଅଞ୍ଚଳର ସଫେଇ କାର୍ଯ୍ୟ ତାଙ୍କ ସରକାରଙ୍କ ଅମଳରେ କରାଯାଇଥିବା ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁମାନଙ୍କ ସେବା ଉପରେ ଗୁରୁତ୍ୱକୁ ଅମ୍ରିତ କାଳର ମନ୍ତ୍ର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ସହ ଯୋଗକରି ଏହା ସେହି ଉତ୍ସାହର ପ୍ରତୀକ ବୋଲି କହିଥିଲେ । ଏହି ସେବା ମନୋଭାବ କେବଳ ବର୍ତ୍ତମାନ ନୁହେଁ ଆମର ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ପରିବେଶ, ପୌଷ୍ଟିକତା ଓ ସାଂସ୍କୃତିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଶିଖମାନଙ୍କ ସଦାସର୍ବଦା ସଚେତନତା ଯୋଗୁଁ ତାହାର ପ୍ରଶଂସା କରିଥିଲେ । ନିକଟରେ ଆରମ୍ଭ କରାଯାଇଥିବା ଅମୃତ ସରୋବର ଯୋଜନାକୁ ସାକାର କରିବାକୁ ଶ୍ରୀ ମୋଦୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

SM/DD