ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୁଆଦିଲ୍ଲୀଠାରେ 40ଜଣ ବରିଷ୍ଠ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାର ବିଷୟବସ୍ତୁ ଥିଲା “ଆର୍ଥିକ ନୀତି ଏବଂ ଭବିଷ୍ୟତ ପନ୍ଥା” । ନୀତି ଆୟୋଗଙ୍କ ପକ୍ଷରୁ ଏହି ମତ ବିନିମୟ ଓ ବିଚାର ବିମର୍ଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଆଲୋଚନା କାଳରେ ଅର୍ଥଶାସ୍ତ୍ରୀ ଓ ବିଶେଷଜ୍ଞମାନେ ମାକ୍ରୋ ଇକୋନୋମି, କୃଷି, ଗ୍ରାମ୍ୟ ବିକାଶ, କର୍ମ ନିଯୁକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା, ବିନିର୍ମାଣ, ରପ୍ତାନୀ, ସହରାଂଚଳ ବିକାଶ, ଭିତ୍ତିଭୂମି ଏବଂ ସଂଯୋଗୀକରଣ ଉପରେ ନିଜ ନିଜର ବିସ୍ତୃତ ମତ ଓ ଚିନ୍ତାଧାରା ଉପସ୍ଥାପନ କରିଥିଲେ ।
ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ଏହି ଅବସରରେ ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିବା ଅର୍ଥଶାସ୍ତ୍ରୀ ଓ ବିଶେଷଜ୍ଞମାନଙ୍କୁ ସେମାନଙ୍କର ଚିନ୍ତନଶୀଳ ଓ ଅର୍ଥପୂର୍ଣ୍ଣ ପରାମର୍ଶ ପାଇଁ ବିଶେଷ ଧନ୍ୟବାଦ ଦେଇଥିଲେ ।
ଆଲୋଚନାରେ ଭାଗନେଇ ପ୍ରଧାନମନ୍ତ୍ରୀ ଅର୍ଥଶାସ୍ତ୍ରୀମାନଙ୍କ ସୁଚିନ୍ତିତ ପରାମର୍ଶକୁ ବେଶ ପ୍ରଶଂସା କରିଥିଲେ । ସାମ୍ପ୍ରତିକ ଅର୍ଥ ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ସେମାନେ ଆଲୋଚନା କରିଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ବିଶେଷକରି କ୍ଷେତ୍ରୀୟ ବିଶେଷଜ୍ଞମାନେ ବିଭିନ୍ନ ପ୍ରସଂଗରେ କରିଥିବା ଉପସ୍ଥାପନା ବେଶ ଲାଭପ୍ରଦ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଏହି ଆଲୋଚନା ଓ ମତ ବିନିମୟ କାର୍ଯ୍ୟକ୍ରମରେ ଆର୍ଥିକ ଦିଗ ସହ ସମ୍ପୃକ୍ତ ଥିବା ମନ୍ତ୍ରଣାଳୟର ଅନେକ କେନ୍ଦ୍ର ମନ୍ତ୍ରୀ, ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର ଏବଂ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।
**********
Had an extensive interaction with economists and experts on ‘Economic Policy- the Road Ahead.’ The participants shared insightful views on various aspects relating to the economy and policy making. https://t.co/UfMSKDGhTn
— Narendra Modi (@narendramodi) January 10, 2018