Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୀତି ଆୟୋଗଙ୍କ ଚତୁର୍ଥ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ


ନୀତି ଆୟୋଗଙ୍କ ଚତୁର୍ଥ ପରିଚାଳନା ପରିଷଦ ବୈଠକ ଆସନ୍ତା ରବିବାର ଜୁନ 17, 2018ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ ଏବଂ ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ । ଦିନତମାମ ଚାଲିବାକୁ ଥିବା ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀବୃନ୍ଦ, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ଏବଂ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।

ଜାତୀୟ ବିକାଶ ସଂକ୍ରାନ୍ତ ଅଗ୍ରାଧିକାର କ୍ଷେତ୍ରଗୁଡିକର ପ୍ରାଥମିକତା ସ୍ଥିର କରିବା, ଅଗ୍ରଣୀ କ୍ଷେତ୍ର ଓ ଏଥିଲାଗି ରଣକୌଶଳ ନିର୍ଦ୍ଧାରଣ ତଥା ଭବିଷ୍ୟତ ବିକାଶ ପରିଦୃଶ୍ୟର ରୂପରେଖ ପ୍ରସ୍ତୁତ କରିବା ବିଷୟରେ ନୀତି ଆୟୋଗଙ୍କ ପରିଚାଳନା ପରିଷଦ ହେଉଛନ୍ତି ଅଗ୍ରଣୀ ସଂସ୍ଥା । ବିକାଶ ପ୍ରସଙ୍ଗଗୁଡିକର ରୂପରେଖ ପ୍ରସ୍ତୁତ କରିବାରେ ରାଜ୍ୟମାନଙ୍କୁ ସକ୍ରିୟ ଭାବେ ସାମିଲ କରିବା ଦିଗରେ ମଧ୍ୟ ପରିଚାଳନା ପରିଷଦ ଅଗ୍ରଣୀ ଭୂମିକା ତୁଲାଇ ଥାଏ ।

ଏହି ପରିଷଦ ବିଗତ ବର୍ଷରେ କରାଯାଇଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ଭବିଷ୍ୟତ ବିକାଶ ପାଇଁ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ବିଷୟରେ ବ୍ୟାପକ ଚର୍ଚ୍ଚା କରିଥାଏ ।

ଆସନ୍ତା ରବିବାର ଦିନର ବୈଠକରେ ପରିଚାଳନା ପରିଷଦ କେତେକ ଅତୀବ ପ୍ରାସଙ୍ଗିକ ବିଷୟ ଉପରେ ଚର୍ଚ୍ଚା କରିବେ । ସେଗୁଡିକ ମଧ୍ୟରେ ଅନ୍ୟତମ ହେଉଛି – ଚାଷୀଙ୍କ ଆୟ ଦ୍ଵିଗୁଣିତ କରିବା ପାଇଁ ସରକାର ନେଉଥିବା ପଦକ୍ଷେପ; ଆୟୁଷ୍ମାନ ଭାରତ; ଜାତୀୟ ପୁଷ୍ଟିସାଧନ ମିଶନ ଏବଂ ମିଶନ ଇନ୍ଦ୍ରଧନୁଷ; ଅଭିଳାଷୀ ଜିଲ୍ଲାଗୁଡ଼ିକର ସାମଗ୍ରିକ ବିକାଶ ଏବଂ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ବାର୍ଷିକୀ ପାଳନ ସମାରୋହ ।

***