Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନାବିକ ସାଗର ପରିକ୍ରମା ଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ


ଆଇଏନଏସଭି ତାରିଣୀ ଜଳ ଜାହାଜ ମାଧ୍ୟମରେ ବିଶ୍ୱ ପରିକ୍ରମା କରିବାକୁ ଥିବା ଭାରତୀୟ ନୌସେନାର 6 ଜଣ ମହିଳା ପଦାଧିକାରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ସମୁଦ୍ର ପଥରେ କେବଳ ମହିଳା ସହଯାତ୍ରୀଙ୍କୁ ନେଇ ବିଶ୍ୱ ପରିକ୍ରମା କରିବାରେ ଏହା ହେଉଛି ପ୍ରଥମ ଭାରତୀୟ ଦଳ । ସେମାନେ ଚଳିତ ମାସ ଶେଷ ବେଳକୁ ଗୋଆଠାରୁ ଜଳଯାତ୍ରା ଆରମ୍ଭ କରିବେ ଏବଂ ପରିକ୍ରମା ଶେଷ ହେବା ପରେ 2018 ମାର୍ଚ୍ଚରେ ଗୋଆକୁ ଫେରିବାର ଆଶା କରାଯାଉଛି । ଏହି ଦୁଃସାହାସିକ ସାମୁଦ୍ରିକ ଯାତ୍ରାର ନାମ ରଖାଯାଇଛି ନାବିକ ସାଗର ପରିକ୍ରମା । ଏହି ପରିକ୍ରମା 5ଟି ପର୍ଯ୍ୟାୟରେ ଶେଷ କରାଯିବା ସହ 4ଟି ବନ୍ଦରରେ ଅଟକିବ । ଏଗୁଡ଼ିକ ହେଲା ଫ୍ରିମେଣ୍ଟାଲ (ଅଷ୍ଟ୍ରେଲିଆ), ଲିଟଲଟନ (ନ୍ୟୁଜିଲାଣ୍ଡ), ପୋର୍ଟ ଷ୍ଟାନଲେ (ଫକଲେଣ୍ଡସ) ଏବଂ କେପ ଟାଉନ (ଦକ୍ଷିଣ ଆଫ୍ରିକା) ।

ଆଇଏନଏସଭି ହେଉଛି 55 ଫୁଟ ବିଶିଷ୍ଟ ଏକ ଜଳ ଜାହାଜ ଯାହାକୁ କି ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ଏବଂ ଚଳିତ ବର୍ଷ ପ୍ରାରମ୍ଭରେ ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି ।

ନାବିକ ଦଳ ପ୍ରଧାନମନ୍ତ୍ରୀଙ୍କ ସହ ଭାବ ବିନିମୟ କରି ସେମାନଙ୍କ ଆଗାମୀ ଜଳଯାତ୍ରା ସମ୍ବନ୍ଧରେ ତାଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ପ୍ରଧାନମନ୍ତ୍ରୀ ମହିଳା ନାବିକମାନଙ୍କୁ ଶୁଭକାମନା ଜଣାଇଥିଲେ ଏବଂ କହିଥିଲେ ଯେ ସେ ବିଶ୍ୱବ୍ୟାପୀ ସେମାନଙ୍କ ସାମୁଦ୍ରିକ ପରିକ୍ରମା ଉପରେ ଦୃଷ୍ଟି ରଖିବେ । ବିଶ୍ୱବ୍ୟାପୀ ଭାରତର ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶିତ କରିବା ନେଇ ସେ ସେମାନଙ୍କୁ ପ୍ରବର୍ତ୍ତାଇ ଥିଲେ । ସାମୁଦ୍ରିକ ଯାତ୍ରା ସଫଳତାର ସହ ଶେଷ କରିବା ପରେ ନିଜ ନିଜର ଅନୁଭୂତିକୁ ଲେଖିବା ଓ ବାଣ୍ଟିବା ଲାଗି ସେ ସେମାନଙ୍କୁ ଉତ୍ସାହିତ କରିଥିଲେ ।

କପ୍ତାନ ଲେଫ୍ଟନାଣ୍ଟ କମାଣ୍ଡର ବର୍ତ୍ତିକା ଯୋଶୀଙ୍କ ନେତୃତ୍ୱରେ ଏହି ସାମୁଦ୍ରିକ ଯାତ୍ରା ପରିଚାଳିତ ହେବ । ଜାହାଜର ଅନ୍ୟ ନାବିକମାନଙ୍କ ମଧ୍ୟରେ ରହିଛନ୍ତି ଲେଫ୍ଟନାଣ୍ଟ କମାଣ୍ଡର ପ୍ରତିଭା ଜାମୱାଲ, ପି ସ୍ୱାଥି ଏବଂ ଲେଫ୍ଟନାଣ୍ଟ ଏସ ବିଜୟା ଦେବୀ, ବି ଐଶ୍ଵର୍ଯା ଏବଂ ପାୟଲ ଗୁପ୍ତା ।

**********