ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କେବିନେଟ ନାବାଧିକରଣ (ଅଧିକାରିତା ଏବଂ ସାମୁଦ୍ରିକ ଦାବି ପରିଶୋଧନ) ବିଲ 2016ର କାର୍ଯ୍ୟକାରିତା ଏବଂ ପାଞ୍ଚଟି ପୁରାତନ ନାବାଧିକରଣ ଆଇନର ନିରସନ/ଉଚ୍ଛେଦ ପାଇଁ ପ୍ରାପ୍ତ ନୌପରିବହନ ମନ୍ତ୍ରଣାଳୟର ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।
ଏହି ବିଲରେ ବର୍ତ୍ତମାନ ପ୍ରଚଳିତ ଥିବା ନ୍ୟାୟାଳୟମାନଙ୍କର ନାବାଧିକର ଅଧିକାରିତା, ସାମୁଦ୍ରିକ ଦାବି ଉପରେ ନାବାଧିକରଣ କାର୍ଯ୍ୟବିଧି, ଜଳଯାନର ଗିରଫଦାରୀ ଏବଂ ତତସଙ୍ଗତ ପ୍ରସଙ୍ଗ ଏକୀକରଣର ବ୍ୟବସ୍ଥା ରହିଛି । ଏହା ବ୍ରିଟିଶ ଅମଳରୁ ଚାଲିଆସିଥିବା ବେସାମରିକ ପ୍ରସଙ୍ଗରେ ନାବାଧିକରଣ ଅଧିକାରିତା ସମ୍ପର୍କୀୟ ପାଞ୍ଚଟି ଆଇନକୁ ସମାପ୍ତ କରିଛି । ସେହି ଆଇନଗୁଡିକ ହେଲା – (1) ନାବାଧିକରଣ ନ୍ୟାୟାଳୟ ଆଇନ – 1840, (2) ନାବାଧିକରଣ ନ୍ୟାୟାଳୟ ଆଇନ – 1861, (3) ନାବାଧିକରଣ ଔପନିବେଶିକ ନ୍ୟାୟାଳୟ ଆଇନ – 1890 (4) ନାବାଧିକରଣ ଔପନିବେଶିକ ନ୍ୟାୟାଳୟ (ଭାରତ) ଆଇନ – 1891 ଏବଂ (5) ଅନନ୍ୟାଧିକାର ପତ୍ର ବ୍ୟବସ୍ଥା 1865, ଯାହା ବମ୍ବେ, କଲିକତା ଏବଂ ମାନ୍ଦ୍ରାଜ ଉଚ୍ଚ ନ୍ୟାୟାଳୟ ନାବାଧିକରଣ ଅଧିକାରିତା ପାଇଁ ପ୍ରଯୁଜ୍ୟ ଥିଲା ।
ନାବାଧିକରଣ ବିଲ 2016ର ବୈଶିଷ୍ଟ୍ୟ :
ଏହି ବିଧେୟ ପ୍ରସ୍ତାବ ସାମୁଦ୍ରିକ ଆଇନଗତ ଗୋଷ୍ଠୀର ଦୀର୍ଘଦିନର ଦାବି ପୂରଣ କରିବ । ଏହାର ମୁଖ୍ୟ ବିଶେଷତ୍ଵଗୁଡିକ ହେଲା :
• ଏହି ବିଲ ଭାରତର ଉପକୂଳବର୍ତ୍ତୀ ରାଜ୍ୟମାନଙ୍କରେ ସ୍ଥିତ ଉଚ୍ଚ ନ୍ୟାୟାଳୟମାନଙ୍କୁ ନାବାଧିକରଣ ଅଧିକାରିତା ଅର୍ପଣ କରିବା ସହ ସେମାନଙ୍କ ପରିସରକୁ ପ୍ରାଦେଶିକ ଜଳସୀମା ପର୍ଯ୍ୟନ୍ତ ସମ୍ପ୍ରସାରିତ କରୁଛି ।
• କେନ୍ଦ୍ର ସରକାରଙ୍କ ଅଧିସୂଚନା ବଳରେ ଏହି ଅଧିକାରିତାକୁ ବିଶେଷ ଆର୍ଥିକ କ୍ଷେତ୍ର କିମ୍ବା ଭାରତର ଅନ୍ୟ କୌଣସି ସାମୁଦ୍ରିକ ଅଞ୍ଚଳ କିମ୍ବା ଦ୍ଵୀପକୁ ସମ୍ପ୍ରସାରିତ କରାଯାଇପାରିବ ।
• ଏହା ଜଳଯାନର ମାଲିକଙ୍କ ଅଧିବାସ କିମ୍ବା ବାସସ୍ଥାନ ନିର୍ବିଶେଷରେ ସମସ୍ତ ଜଳଯାନ ପାଇଁ ପ୍ରଯୁଜ୍ୟ ହେବ ।
• ଆନ୍ତର୍ଦେଶୀୟ ଏବଂ ନିର୍ମାଣାଧିନ ଜଳଯାନଗୁଡିକ ଏଥିରୁ ବାଦ ଦିଆଯାଇଛି କିନ୍ତୁ ଆବଶ୍ୟକ ସ୍ଥଳେ କେନ୍ଦ୍ର ସରକାର ଅଧିସୂଚନା ବଳରେ ଏହାକୁ ଉପରୋକ୍ତ ଜଳଯାନ ପାଇଁ ମଧ୍ୟ ପ୍ରଯୁଜ୍ୟ ଘୋଷଣା କରିପାରିବେ ।
• ଏହା ଯୁଦ୍ଧ ଜାହାଜ, ନୌସେନା ସହାୟକ ଜାହାଜ ଏବଂ ଅଣ-ବାଣିଜ୍ୟିକ ଜାହାଜ ପାଇଁ ପ୍ରଯୁଜ୍ୟ ହେବନାହିଁ ।
• ବିଲରେ ତାଲିକାଭୁକ୍ତ କରାଯାଇଥିବା ସାମୁଦ୍ରିକ ଦାବିଗୁଡିକ ଉପରେ ନ୍ୟାୟସଙ୍ଗତ ନିର୍ଣ୍ଣୟ ଦେବା ପାଇଁ ଏହାର ଅଧିକାରିତା ପରିସରରେ ରହିବ ।
• ସାମୁଦ୍ରିକ ଦାବି ପାଇଁ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦିଷ୍ଟ ପରିସ୍ଥିତିରେ କୌଣସି ଜଳଯାନକୁ ବଳି କରାଯାଇପାରେ ।
• ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କୌଣସି ଜଳଯାନ ଉପରେ ଥିବା ସାମୁଦ୍ରିକ ଦାବି Maritime Claims ପଦ୍ଧତିରେ ଏହାର ନୂତନ ମାଲିକଙ୍କ ଉପରକୁ ଯାଇପାରେ ।
• ବିଲରେ ବ୍ୟବସ୍ଥା ନ ଥିବା ଦିଗଗୁଡିକ ପାଇଁ ସିଭିଲ ପ୍ରୋସିଜ୍ୟୁର କୋଡ 1908ର ନିୟମାବଳୀ ପ୍ରଯୁଜ୍ୟ ହେବ ।