ଏକ ନମନୀୟ, ଲିକ୍ୟୁଇଡ ଏବଂ ବୈଶ୍ୱିକ ଏଲଏନଜି ବଜାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ-ଜାପାନ ମଧ୍ୟରେ ଏକ ସହଯୋଗ ବୁଝାମଣା ହେବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବୁଝାମଣା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
ବୁଝାମଣା ବଳରେ ଭାରତ-ଜାପାନ ମଧ୍ୟରେ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇବ । ଅଧିକନ୍ତୁ ଭାରତ କୌଣସି ଗୋଟିଏ ରାଷ୍ଟ୍ର ଉପରେ ନିର୍ଭର ନ କରି ଜାପାନ ଭଳି ବିଭିନ୍ନ ସୂତ୍ରରୁ ପ୍ରାକୃତିକ ବାଷ୍ପ ଆମଦାନୀ କରିବ । ଫଳରେ ଭାରତକୁ ପ୍ରାକୃତିକ ବାଷ୍ପ ଯୋଗଣ ସର୍ବଦା ସୁନିଶ୍ଚିତ ହୋଇପାରିବ । ଏହାଛଡା ଆମ ଦେଶରେ ବ୍ୟବହାରକାରୀମାନଙ୍କୁ ପ୍ରାକୃତିକ ବାଷ୍ପ ପ୍ରତିଯୋଗୀତାମୂଳକ ମୂଲ୍ୟରେ ମିଳିବ ଏବଂ ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିବ ।
ପ୍ରସ୍ତାବିତ ବୁଝାମଣା ବଳରେ ଏଲଏନଜି କଂଟ୍ରାକ୍ଟ, ଗନ୍ତବ୍ୟସ୍ଥଳ ପାଇଁ କଟକଣା ଧାରାର ଉଚ୍ଛେଦ ଏବଂ ଏଲଏନଜି ସ୍ପଟ ଦର ସୂଚକାଙ୍କ ସ୍ଥିରିକରଣ ନେଇ ଏକ ସୁପରିକଳ୍ପିତ ଫ୍ରେମୱାର୍କ ପ୍ରତିଷ୍ଠା କରାଯିବ । ଭାରତ ଓ ଜାପାନ ବିଶ୍ୱରେ ଅଧିକ ଶକ୍ତି ଉପଯୋଗ କରୁଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ଅଗ୍ରଣୀ । ଏବେ ଜାପାନ ହେଉଛି ବିଶ୍ୱର ସର୍ବାଧିକ ଏଲଏନଜି ଆମଦାନୀ କରୁଥିବା ରାଷ୍ଟ୍ର ଏବଂ ଭାରତ ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ଜାନୁୟାରୀ 2016ରେ ଜାପାନ-ଭାରତ ଶକ୍ତି ସହଭାଗୀତା ବୁଝାମଣା ଅନୁଯାୟୀ ଦୁଇ ପକ୍ଷ ଏକ ସୁନିର୍ଦ୍ଧାରିତ ଶକ୍ତି ବଜାର ପ୍ରତିଷ୍ଠା କରିବା ଏବଂ ବବିଧ ସୂତ୍ରରୁ ତରଳ ପ୍ରାକୃତିକ ବାଷ୍ପ ଆହରଣ କରି ଏକ ବଡ ଆନ୍ତର୍ଜାତିକ ବଜାର ଗଠନ କରିବା ଉପରେ ସହମତ ହୋଇଛନ୍ତି ।
**********