Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଧର୍ମଶାଳାରେ ରାଇଜିଂ ହିମାଚଳ : ବୈଶ୍ୱିକ ନିବେଶକ ସମ୍ମିଳନୀ 2019 ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶର ଧର୍ମଶାଳା ଠାରେ ରାଇଜିଂ ହିମାଚଳ : ବୈଶ୍ୱିକ ନିବେଶକ ସମ୍ମିଳନୀର ଉଦଘାଟନ କରିଛନ୍ତି ।

ଏହି କାର୍ଯ୍ୟକ୍ରମର ଆୟୋଜନ ଲାଗି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।

ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତ ପୁଞ୍ଜି ସୃଷ୍ଟିକାରୀମାନଙ୍କୁ ସ୍ୱାଗତ କରି ସେ ଖୁସି ଅନୁଭବ କରୁଛନ୍ତି ।

ସେ କହିଥିଲେ ପୂର୍ବରୁ ବିଭିନ୍ନ ରାଜ୍ୟ ନିବେଶ ଆକୃଷ୍ଟ କରିବା ଲାଗି ଅନେକ ରିହାତି ଘୋଷଣା କରୁଥିଲେ । କେଉଁ ରାଜ୍ୟ ଅଧିକ ରିହାତି ଓ ଛାଡ଼ ପ୍ରସ୍ତାବ ଦେଉଛି ନିବେଶକମାନେ ତାକୁ ଅପେକ୍ଷା କରି ରହୁଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଗତ କିଛିବର୍ଷ ଧରି ରାଜ୍ୟଗୁଡ଼ିକ ଅନୁଭବ କରିପାରିଛନ୍ତି ଯେ ଶିଳ୍ପପତିମାନଙ୍କୁ ଏହି ଛାଡ଼ ଓ ରିହାତି ପ୍ରଦାନ କରାଯିବା ଦ୍ୱାରା କାହାର ଲାଭ ହେଉନାହିଁ- ନା ରାଜ୍ୟର ନା ଶିଳ୍ପପତିମାନଙ୍କର ।

ସେ କହିଥିଲେ ରାଜ୍ୟରେ ନିବେଶ ପାଇଁ ନିବେଶକ ଅନୁକୂଳ ପରିବେଶ ସୃଷ୍ଟି କରିବା ଜରୁରି, ଯାହା ଇନ୍ସପେକ୍ଟର ରାଜ ଏବଂ ପ୍ରତ୍ୟେକ ସ୍ତରରେ ଅନୁମତି ଆବଶ୍ୟକତା ଠାରୁ ମୁକ୍ତ ହୋଇଥିବା ଆବଶ୍ୟକ ।

ର୍ତ୍ତମାନ ରାଜ୍ୟଗୁଡ଼ିକ ନିବେଶକମାନଙ୍କୁ ଏପରି ଏକ ଅନୁକୂଳ ପରିବେଶ ଯୋଗାଇ ଦେବା ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ସେ ଆହୁରି କହିଥିଲେ, ଗତ କିଛିବର୍ଷ ଧରି ବ୍ୟବସାୟିକ ସୁଗମତା, ନିଷ୍କ୍ରିୟ ଆଇନ ଉଚ୍ଛେଦ ଭଳି ସଂସ୍କାରମୂଳକ ପଦକ୍ଷେପ ଏ ଦିଗରେ ନିଆଯାଇଛି । ସେ କହିଥିଲେ ରାଜ୍ୟଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ଆମ ଉଦ୍ୟୋଗଗୁଡ଼ିକର ପ୍ରତିଦ୍ୱନ୍ଦ୍ୱିତାକୁ ବିଶ୍ୱସ୍ତରରେ ବୃଦ୍ଧି କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ, ଏହା ରାଜ୍ୟ, ସ୍ଥାନୀୟ ଜନସଂଖ୍ୟା ଏବଂ ଦେଶକୁ ବ୍ୟାପକ ଭାବେ ଲାଭାନ୍ୱିତ କରିବ ଏବଂ ଭାରତ ଦ୍ରୁତ ବିକାଶ ଦିଗରେ ଅଗ୍ରସର ହୋଇପାରିବ ।

ସେ କହିଥିଲେ ଶିଳ୍ପ ପାଇଁ ଏକ ସ୍ୱଚ୍ଛ ଏବଂ ପାରଦର୍ଶୀ ବ୍ୟବସ୍ଥା ଓ ସରକାର ଥିବା ଆବଶ୍ୟକ ।

ଅନାବଶ୍ୟକ ଆଇନ ଏବଂ ସରକାରୀ ହସ୍ତକ୍ଷେପ ଶିଳ୍ପ ପ୍ରଗତିରେ ବାଧକ ସାଜିଥାଏ ବୋଲି ସେ କହିଥିଲେ ।

ସେ କହିଥିଲେ, ଏପରି ପରିବର୍ତ୍ତନ କାରଣରୁ, ଭାରତ ଆଜି ବ୍ୟବସାୟ ଅନୁକୂଳ ଲକ୍ଷ୍ୟସ୍ଥଳ ଭାବେ ଉଭା ହୋଇଛି ।

ସେ କହିଥିଲେ, “ସମାଜ, ନୂତନ ଭାରତକୁ ପ୍ରୋତ୍ସାହନ ଦେଉଥିବା ସରକାର, ସାହସୀ ଶିଳ୍ପଜଗତ, ଅନ୍ୟମାନଙ୍କୁ ବାଂଟିବା ଉଦ୍ଦେଶ୍ୟ ନେଇ ଥିବା ଜ୍ଞାନ” –ଏହି ଚାରିଟି ଚକରେ ଭାରତର ବିକାଶ ଯାନ ଏବେ ନୂଆ ଆଭିମୁଖ୍ୟ ଏବଂ ଚିନ୍ତାଧାରା ନେଇ ଆଗେଇ ଚାଲିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 2014ରୁ 2019 ମଧ୍ୟରେ ଭାରତ ବ୍ୟବସାୟିକ ସୁଗମତା ମାନ୍ୟତାରେ 79ଟି ସ୍ଥାନକୁ ଉପରକୁ ଉଠିଛି । ସେ କହିଥିଲେ, “ପ୍ରତି ବର୍ଷ ଆମେ ପ୍ରତ୍ୟେକ ପରିମାପରେ ସୁଧୁରିବାରେ ଲାଗିଛୁ । ଏସବୁ ମାନ୍ୟତାରେ ସୁଧାରର ଅର୍ଥ ହେଉଛି ଆମ ସରକାର ଶିଳ୍ପଜଗତ ପାଇଁ ତୃଣମୂଳସ୍ତରର ଆବଶ୍ୟକତାକୁ ଭଲ ଭାବେ ବୁଝିପାରୁଛି ।

ଏହା କେବଳ ଏକ ମାନ୍ୟତାରେ ଉନ୍ନତି ନୁହେଁ ବରଂ ଭାରତରେ ବ୍ୟବସାୟ କରିବା ଦିଗରେ ଏକ ବୃହତ ଆନ୍ଦୋଳନ । ଆଜିର ବୈଶ୍ୱିକ ପରିଦୃଶ୍ୟରେ, ଭାରତ ଦୃଢ଼ ଭାବେ ଛିଡ଼ା ହୋଇଛି । ଆମେ ଆମର ଆର୍ଥିକ ଭିତ୍ତିଭୂମିକୁ ଦୁର୍ବଳ ହେବାକୁ ଦେଇନାହୁଁବୋଲି ସେ କହିଥିଲେ ।

ଦୃଢ଼ ଦେବାଳିଆ ଏବଂ ଦେବାଳିଆପଣ ସଂହିତା ଜରିଆରେ ଶିଳ୍ପଜଗତକୁ ଏବେ ଉପଯୁକ୍ତ ପ୍ରସ୍ଥାନ ମାର୍ଗ ଯୋଗାଇ ଦିଆଯାଇଛି ।

ମଧ୍ୟମ ବର୍ଗର ଲୋକମାନଙ୍କ ଲାଭ ପାଇଁ କେନ୍ଦ୍ର ସରକାର ଏକ ବୃହତ ପଦକ୍ଷେପ ଗ୍ରହଣ କରିଛନ୍ତି ଯେଉଁଥିରେ ବନ୍ଦ ପଡ଼ିଥିବା ଆବାସିକ ପ୍ରକଳ୍ପ ଚାଲୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ ଏସବୁ ପ୍ରକଳ୍ପରେ ନିବେଶ କରିଥିବା 4.59 ଲକ୍ଷ ପରିବାର ସେମାନଙ୍କ ଘର ପାଇପାରିବେ । ନୂଆ ଘରୋଇ କମ୍ପାନୀ ପାଇଁ କର୍ପୋରେଟ ଟିକସ ହ୍ରାସ କରାଯାଇଥିବା ସେ କହିଥିଲେ ।

ନିବେଶ ପାଇଁ ଭାରତକୁ ଅନ୍ୟତମ ଅନୁକୂଳ ଲକ୍ଷ୍ୟସ୍ଥଳୀ ଭାବେ ଦେଖିବା ଲାଗି ସେ ଶିଳ୍ପ ଜଗତ ଏବଂ ବିଶ୍ୱ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ ।

ଭିତ୍ତିଭୂମି ବିକାଶ ପାଇଁ 100 ଲକ୍ଷ କୋଟି ଟଙ୍କା ନିବେଶ କରିବା ଳାଗି ନିଆଯାଇଥିବା ନିଷ୍ପତ୍ତି ଦ୍ୱାରା ହିମାଚଳ ପ୍ରଦେଶ ମଧ୍ୟ ଲାଭବାନ ହେବ ।

ନିବେଶକ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ବିଭିନ୍ନ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିବାରୁ ସେ ହିମାଚଳ ପ୍ରଦେଶ ସରକାରଙ୍କୁ ପ୍ରଶଂସା କରିଥିଲେ ।

ଏହି ପରିପ୍ରେକ୍ଷୀରେ, ସେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ । ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା, କ୍ଷେତ୍ର ଆଧାରିତ ନୀତି, ଜମି ଆବଂଟନ ଆଦିରେ ପାରଦର୍ଶୀ ବ୍ୟବସ୍ଥା ଅଦି ପଦକ୍ଷେପ ଏହାକୁ ନିବେଶ ଲାଗି ଏକ ଆକର୍ଷଣୀୟ ଲକ୍ଷ୍ୟସ୍ଥଳୀରେ ପରିଣତ କରିଛି ।

ସମ୍ମିଳନୀ ପର୍ଯ୍ୟଟନ ପାଇଁ ହିମାଚଳ ପ୍ରଦେଶରେ ଅପାର ସମ୍ଭାବନା ଥିବା ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ।

ହିମାଚଳ ପ୍ରଦେଶରେ ରହିଥିବା ନିବେଶ ସମ୍ଭାବନା ଓ ସୁଯୋଗକୁ ପ୍ରଦର୍ଶିତ କରୁଥିବା ଏକ ପ୍ରଦର୍ଶନୀ ମଧ୍ୟ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏକ କଫି ଟେବୁଲ ପୁସ୍ତକ ଉନ୍ମୋଚନ କରିଥିଲେ ।

ଏହି ଗ୍ଲୋବାଲ ଇନଭେଷ୍ଟର୍ସ ମିଟ ପାଇଁ ୟୁଏଇ ସହଭାଗୀ ରାଷ୍ଟ୍ର ହୋଇଛି । ଏହି କାର୍ଯ୍ୟକ୍ରମରେ 200 ଅନ୍ତର୍ଜାତୀୟ ପ୍ରତିନିଧିଙ୍କ ସମେତ 1700ରୁ ଊର୍ଦ୍ଧ୍ଵ ବ୍ୟବସାୟୀ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି ।

 

**********