ଖୋଲିବ ୬୫୦ ପେମେଣ୍ଟ ବ୍ୟାଙ୍କ ଶାଖା
ଦେଶରେ ପ୍ରଥମ କରି ଭାରତୀୟ ଡାକ ବିଭାଗ – ଇଣ୍ଡିଆ ପୋଷ୍ଟ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ତାର ପେମେଣ୍ଟ ବ୍ୟାଙ୍କ ଖୋଲିବ । ଏ ସଂକ୍ରାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଭାରତୀୟ ଡାକ ବିଭାଗ ଅଧିନରେ ପ୍ରସ୍ତାବିତ ପେମେଣ୍ଟ ବ୍ୟାଙ୍କ ପରିଚାଳିତ ହେବ ଏବଂ ଏଥିରେ କେନ୍ଦ୍ର ସରକାରଙ୍କର ଶତ ପ୍ରତିଶତ ଇକ୍ୟୁଟି ଅଂଶଧନ ରହିବ ।
ଏହି ପ୍ରକଳ୍ପରେ ମୋଟ ବ୍ୟୟ ଅଟକଳ ୮୦୦ କୋଟି ଟଙ୍କା ରଖାଯାଇଛି । ଦେଶର ଅନେକ ନାଗରିକ ବିଶେଷକରି ଗ୍ରାମାଂଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ – ଯେଉଁମାନେ କି ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ – ସେମାନେ ଡାକଘର ପେମେଣ୍ଟ ବ୍ୟାଙ୍କ ଦ୍ୱାରା ବହୁବିଧ ସୁବିଧା ହାସଲ କରିପାରିବେ । ପର୍ଯ୍ୟାୟ କ୍ରମେ ଦେଶର ବିଭିନ୍ନ ଭାଗରେ ଏହି ଡାକ ପେମେଣ୍ଟ ବ୍ୟାଙ୍କ ଖୋଲିବ ।
ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ପ୍ରସ୍ତାବିତ ଡାକଘର ପେମେଣ୍ଟ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କରୁ ବ୍ୟାଙ୍କିଙ୍ଗ ସେବା ପାଇଁ ଆବଶ୍ୟକ ଲାଇସେନ୍ସ ପ୍ରାପ୍ତ କରିବେ । ସେପ୍ଟେମ୍ବର ୨୦୧୭ ବେଳକୁ ଦେଶରେ ଆନୁଷ୍ଠାନିକ ଭାବେ ଡାକଘର ପେମେଣ୍ଟ ବ୍ୟାଙ୍କ ଖୋଲିବ । ପ୍ରଥମ ପର୍ଯ୍ୟାୟରେ ୬୫୦ ଟି ପେମେଣ୍ଟ ବ୍ୟାଙ୍କ ଶାଖା ଖୋଲାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ପେମେଣ୍ଟ ବ୍ୟାଙ୍କ ନିକଟସ୍ଥ ଡାକଘର ସହିତ ସଂଲଗ୍ନ ହେବ ଏବଂ ଏଥିରେ ଏଟିଏମ, ମୋବାଇଲ ବ୍ୟାଙ୍କିଙ୍ଗ ସହିତ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ ହେବ । ଏଥିଲାଗି ପ୍ରସ୍ତାବିତ ପେମେଣ୍ଟ ବ୍ୟାଙ୍କ ପରିଚାଳନା ପାଇଁ ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯିବ ।
ଏଭଳି ସୁବିଧା ଉପଲବ୍ଧ ହେଲେ ଗ୍ରାମାଂଚଳ ଏବଂ ସହରାଂଚଳରେ ବ୍ୟାଙ୍କିଙ୍ଗ ସୁବିଧା ପାଉନଥିବା ପରିବାରମାନେ ବ୍ୟାଙ୍କ ସୁବିଧା ପାଇବେ ଏବଂ ଦେଶରେ ଆର୍ଥିକ ସମାବେଶନ ହାର ଯଥେଷ୍ଟ ବୃଦ୍ଧି ପାଇବ । ଏହି ଡାକଘର ପେମେଣ୍ଟ ବ୍ୟାଙ୍କ ଜରିଆରେ ବୀମା, ମ୍ୟୁଚୁଆଲ ଫଣ୍ଡ, ପେନସନ ପ୍ରଦାନ, ଋଣ ପ୍ରଦାନ ଭଳି ଅନେକ ସୁବିଧା ଉପଲବ୍ଧ ହେବ । କେବଳ ସେତିକି ନୁହଁ ପେମେଣ୍ଟ ପ୍ରତିଷ୍ଠା ଦ୍ୱାରା ସାମର୍ଥ୍ୟବାନ ଓ ଦକ୍ଷ ବ୍ୟାଙ୍କିଙ୍ଗ ପ୍ରୋଫେସନାଲମାନଙ୍କ ପାଇଁ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି ହେବ । ଏହା ବ୍ୟତିତ ଦେଶରେ ଆର୍ଥିକ ସ୍ୱାକ୍ଷରତା ହାର ବୃଦ୍ଧି ପାଇବ ଏବଂ ସ୍ୱଳ୍ପ-ନଗଦ କାରବାର ବ୍ୟବସ୍ଥାକୁ ଅଧିକ ସମ୍ପ୍ରସାରିତ କରିବ ।