ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଦେଶରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହର ସ୍ଥିତି ଏବଂ ମୌସୁମୀର ଆଗମନକୁ ନେଇ ପ୍ରସ୍ତୁତିର ସମୀକ୍ଷା କରିବା ନିମନ୍ତେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ ।
ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ରାଜସ୍ଥାନ, ଗୁଜରାଟ ଏବଂ ମଧ୍ୟପ୍ରଦେଶର କିଛି ଅଂଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା । ଚଳିତ ବର୍ଷ ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ସ୍ୱାଭାବିକ ଓ ସ୍ୱାଭାବିକ ଠାରୁ ଅଧିକ ରହିବ ଏବଂ କିଛି ଅଂଶରେ ସ୍ୱାଭାବିକ ଠାରୁ କମ୍ ରହିବ ।
ଅଗ୍ନିକାଣ୍ଡ ଘଟଣାକୁ ରୋକିବା ଏବଂ ପରିଚାଳନା କରିବା ପାଇଁ ନିୟମିତ ଭାବେ ଉପଯୁକ୍ତ ଅଭ୍ୟାସ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଖ।ନା ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନର ଫାୟାର ଅଡିଟ୍ ଓ ବିଦ୍ୟୁତ ସୁରକ୍ଷା ଅଡିଟ୍ ନିୟମିତ ଭାବେ କରାଯିବା ଦରକାର । ଜଙ୍ଗଲରେ ଫାୟାର ଲାଇନର ରକ୍ଷଣାବେକ୍ଷଣ ଏବଂ ବାୟୋମାସର ଉତ୍ପାଦନଶୀଳ ଉପଯୋଗ ପାଇଁ ନିୟମିତ ଅଭ୍ୟାସର ଯୋଜନା କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଜଙ୍ଗଲ ନିଆଁକୁ ଠିକ୍ ସମୟରେ ଚିହ୍ନଟ କରିବା ଏବଂ ଏହାର ପରିଚାଳନାରେ “ବନ ଅଗ୍ନି” ପୋର୍ଟାଲର ଉପଯୋଗିତା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।
ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ୍ ସଚିବ, ଗୃହ ସଚିବ, ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ, ଏନଡିଆରଏଫ ଡିଜି ଏବଂ ଏନଡିଏମଏର ସଦସ୍ୟ ସଚିବଙ୍କ ସମେତ ପିଏମଓ ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
***
SSP