Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦିଲ୍ଲୀ ମେଟ୍ରୋ ଚତୁର୍ଥ ଫେଜ୍‌ର ରିଠଲା-କୁଣ୍ଡଳୀ କରିଡରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଦିଲ୍ଲୀ ମେଟ୍ରୋ ଚତୁର୍ଥ ଫେଜ୍ ର ରିଠଲା-ନରେଲା-ନାଥୁପୁର (କୁଣ୍ଡଳୀ) କରିଡରକୁ ଅନୁମୋଦନ ମିଳିଛି। ୨୬.୪୬୩ କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପ ଦେଶର ରାଜଧାନୀ ନୂଆଦିଲ୍ଲୀ ଓ ହରିୟାଣା ମଧ୍ୟରେ ଯୋଗାଯୋଗକୁ ଆହୁରି ସୁଦୃଢ କରିବ। ୪ ବର୍ଷ ମଧ୍ୟରେ ଏହି କରିଡର ନିର୍ମାଣ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି।

 

ଏହି ପ୍ରକଳ୍ପ ପାଇଁ ୬୨୩୦ କୋଟି ଟଙ୍କାର ବଜେଟ କରାଯାଇଛି । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍ (ଡିଏମଆରସି) ଦ୍ୱାରା ୪ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ୫୦:୫୦ ଅନୁପାତରେ ଭାରତ ସରକାରଙ୍କ ସ୍ପେସିଆଲ୍ ପରପୋଜ୍ ଭେଇକିଲ୍ (ଏସପିଭି) ଓ ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳ ସରକାରଙ୍କ ମଧ୍ୟରେ କାର୍ଯ୍ୟକାରୀ କରାଯିବ।

 

ବର୍ତ୍ତମାନ ଚାଲିଥିବା ସହିଦ ସ୍ଥଳ ( ନୂଆ ବସ୍ ଆଡ୍ଡା)-ରିଠଲା (ରେଡ୍ ଲାଇନ) କରିଡରର ଏହା ଏକ ସଂପ୍ରସାରଣ ହେବ ଏବଂ ନୂଆଦିଲ୍ଲୀର ଉତ୍ତର-ପଶ୍ଚିମ ଅଞ୍ଚଳ ଯଥା-ନରେଲା, ବାଓ୍ୱାନା, ରୋହିଣୀର କିଛି ଅଞ୍ଚଳରେ ଏହା ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବ। ପୁରା କରିଡରରେ ରହିବ ୨୧ଟି ଷ୍ଟେସନ। ସମସ୍ତ ଷ୍ଟେସନ ଭୂମିଠାରୁ ଉପରେ ରହିବ।

ରିଠଲା-ନରେଲା-ନାଥୁପୁର କରିଡର ନିର୍ମାଣ ସଂପୂର୍ଣ୍ଣ ହେବା ପରେ ଏହା ଉତ୍ତର ପ୍ରଦେଶ ଗାଜିଆବାଦର ସହିଦସ୍ଥଳ ନୂଆ ବସ୍ ଆଡ୍ଡାକୁ ଭାୟା ଦିଲ୍ଲୀ ହରିୟାଣାର ନାଥୁପୁର ସହିତ ମଧ୍ୟ ସଂଯୋଗ କରିବ ଯାହାକି ପୁରା ଏନସିଆର୍ ରେ ଯୋଗାଯୋଗକୁ ସୁଦୃଢ଼ କରିବ।

 

ଚତୁର୍ଥ ଫେଜ୍ ର ଏହି ନୂଆ କରିଡର ଏନସିଆର ରେ ଦିଲ୍ଲୀ ମେଟ୍ରୋ ନେଟଓ୍ୱର୍କକୁ ଆହୁରି ବୃଦ୍ଧି କରିବ। ଫଳରେ ଆର୍ଥିକ ପ୍ରଗତି ମଧ୍ୟ ହେବ। ରେଡ୍ ଲାଇନର ଏହି ସଂପ୍ରସାରଣ ସଡ଼କ ପଥରେ ଭିଡ଼କୁ ହ୍ରାସ କରିବ । ଫଳରେ ମୋଟର ଯାନ ଦ୍ୱାରା ହେଉଥିବା ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ।

ଏହି ପୁରା କରିଡରରେ ୨୧ଟି ଷ୍ଟେସନ ରହିବ। ସମସ୍ତ ଷ୍ଟେସନ ଭୂମିଠାରୁ ଉଚ୍ଚରେ ନିର୍ମାଣ କରାଯିବ। ଏହି କଡିରରରେ ହେବାକୁ ଥିବା ଷ୍ଟେସନଗୁଡ଼ିକ ହେଲା:ରିଠଲା, ରୋହିଣୀ ସେକ୍ଟର ୨୫, ରୋହିଣୀ ସେକ୍ଟର ୨୬, ରୋହିଣୀ ସେକ୍ଟର ୩୧, ରୋହିଣୀ ସେକ୍ଟର ୩୨, ରୋହିଣୀ ସେକ୍ଟର ୩୬, ବରଓ୍ୱାଲା, ରୋହିଣୀ ସେକ୍ଟର ୩୫, ରୋହିଣୀ ସେକ୍ଟର ୩୪, ବାଓ୍ୱାନା ଶିଳ୍ପାଞ୍ଚଳ-୧ ସେକ୍ଟର ୩, ୪, ବାଓ୍ୱାନା ଶିଳ୍ପାଞ୍ଚଳ -୧ ସେକ୍ଟର ୧,୨, ବାଓ୍ୱାନା ଜେଜେ କଲୋନୀ, ସନୋଥ, ନ୍ୟୁ ସନୋଥ, ଡିପୋ ଷ୍ଟେସନ, ଭୋରଗଡ଼, ଅନାଜ ମଣ୍ଡି ନରେଲା, ନରେଲା ଡିଡିଏ ସ୍ପୋର୍ଟସ କଂପ୍ଲେକ୍ସ, ନରେଲା, ନରେଲା ସେକ୍ଟର ୫, କୁଣ୍ଡଳୀ ଓ ନାଥପୁର

ଏହି କରିଡର ହେଉଛି ଦିଲ୍ଲୀ ମେଟ୍ରୋର ହରିୟାଣାକୁ ଚତୁର୍ଥ ସଂପ୍ରସାରଣ। ବର୍ତ୍ତମାନ ଦିଲ୍ଲୀ ମେଟ୍ରୋ ହରିୟାଣାର ଗୁରୁଗ୍ରାମ, ବଲ୍ଲଭଗଡ଼ ଓ ବାହାଦୁରଗଡ଼ ଯାଏ ଚାଲିଛି।

୬୫.୨୦୨ କିଲୋମିଟର ଓ ୪୫ ଷ୍ଟେସନ ବିଶିଷ୍ଟ ଚତୁର୍ଥ ଫେଜ୍ ର (୩ ପ୍ରାଥମିକ କରିଡର ) ନିର୍ମାଣ ବର୍ତ୍ତମାନ ଜାରି ରହିଛି ଏବଂ ଆଜି ସୁଦ୍ଧା ୫୬ ପ୍ରତିଶତରୁ ଅଧିକ ନିର୍ମାଣ କାମ ଶେଷ ହେଲାଣି। ଚତୁର୍ଥ ଫେଜ୍ ( ୩ ପ୍ରାଥମିକ) କରିଡରର ନିର୍ମାଣ ୨୦୨୬ ମାର୍ଚ୍ଚ ସୁଦ୍ଧା ଶେଷ ହେବାର ସମ୍ଭାବନା ଅଛି। ଏହା ସହିତ ୨୦.୭୨ କିଲୋମିଟର ବିଶିଷ୍ଟ ଆଉ ଦୁଇଟି କରିଡରକୁ ମଧ୍ୟ ଅନୁମୋଦନ ମିଳିଛି ଏବଂ ତାହା ପ୍ରାକ-ଟେଣ୍ଡର ପର୍ଯ୍ୟାୟରେ ଅଛି । …

ଏବେ ଦିନକୁ ପ୍ରାୟ ୬୪ ଲକ୍ଷ ଲୋକ ଦିଲ୍ଲୀ ମେଟ୍ରୋରେ ଯିବା ଆସିବା କରୁଛନ୍ତି। ୨୦୨୪ ନଭେମ୍ୱର ୧୮ତାରିଖରେ ସର୍ବାଧିକ ୭୮.୬୭ ଲକ୍ଷ ଯାତ୍ରୀ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିଲେ। ଏମଆରଟିଏସର ପ୍ରମୁଖ ମାନକ ସମୟାନୁବର୍ତ୍ତିତା, ଭରସାଯୋଗ୍ୟ ଓ ସୁରକ୍ଷାରେ ଅତ୍ୟନ୍ତ ଉତ୍ତମ ପ୍ରଦର୍ଶନ କରି ଦିଲ୍ଲୀ ମେଟ୍ରୋ ଦେଶର ରାଜଧାନୀର ଲାଇଫ ଲାଇନରେ ପରିଣତ ହୋଇଛି ।

ଦିଲ୍ଲୀ ଓ ଏନସିଆରରେ ୩୯୨ କିମିର ମୋଟ ୧୨ ମେଟ୍ରୋ ରେଳ ଲାଇନ ସହିତ ୨୮୮ ଷ୍ଟେସନ ପରିଚାଳନା କରୁଛି ଡିଏମଆରସି । ଆଜି ଦିଲ୍ଲୀ ମେଟ୍ରୋ ଦେଶର ସର୍ବବୃହତ ମେଟ୍ରୋ ନେଟଓ୍ୱର୍କ ହେବା ସହିତ ବିଶ୍ୱର ଅନ୍ୟତମ ବଡ଼ ମେଟ୍ରୋ ମଧ୍ୟ ଅଟେ ।

 

BSP