ମହାମହୀମ ପ୍ରଧାନମନ୍ତ୍ରୀ ଜେନେରାଲ ପ୍ରୟୂତ୍ ଚାନ୍-ଓ-ଚା,
ଭାଇ ଓ ଭଉଣୀମାନେ,
ଆନନ୍ଦର ସହିତ ଆପଣଙ୍କୁ ଭାରତକୁ ସ୍ୱାଗତ କରୁଛୁ । ଆମର ଉଚ୍ଚ ସ୍ତରୀୟ ରାଜନୈତିକ ବିନିମୟରେ ଆପଣଙ୍କ ଭାରତ ଗସ୍ତ ଅତି ଗୁରୁତ୍ୱପୂର୍ଣ୍ଣ । ଆପଣ ଏଭଳି ଦେଶରୁ ଆସିଛନ୍ତି ଯାହା ଆମ ପାଇଁ ପରିଚିତ । ରାମଙ୍କ କିମ୍ବଦନ୍ତୀ ଠାରୁ ଆରମ୍ଭ କରି ବୁଦ୍ଧଙ୍କ ଜ୍ଞାନ ପର୍ଯ୍ୟନ୍ତ ଆମ ବନ୍ଧନ ସମାନ ସାଂସ୍କୃତିକ ପରମ୍ପରା ଉପରେ ପର୍ଯ୍ୟବସିତ । ଲୋକ ଲୋକଙ୍କ ମଧ୍ୟରେ ଆମର ଐତିହାସିକ ସମ୍ପର୍କ ଆମର ଦୃଢ ସହଭାଗିତାର ଆଧାର । ଥାଇଲାଣ୍ଡ ଆମର ବିଶ୍ୱସ୍ତ ଏବଂ ମୂଲ୍ୟବାନ ବନ୍ଧୁ, ଏହା ସହିତ ଦକ୍ଷିଣ-ପୂର୍ବ ଏସିଆରେ ଆମର ଜଣେ ଘନିଷ୍ଠ ସହଯୋଗୀ ।
ବନ୍ଧୁଗଣ,
ଆଜି ପ୍ରଧାନମନ୍ତ୍ରୀ ଏବଂ ମୁଁ ଆମର ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ବଚନବଦ୍ଧତାର ସମୀକ୍ଷା କଲୁ । ସଂସ୍କୃତି ଠାରୁ ଆରମ୍ଭ କରି ବାଣିଜ୍ୟ ଯାଏ; ଆମ ଲୋକମାନଙ୍କ ମଧ୍ୟରେ ଘନିଷ୍ଠ ସହଯୋଗ ଠାରୁ ଆରମ୍ଭ କରି ନିବିଡ ସମ୍ପର୍କ ଯାଏ; ଏବଂ ଆତଙ୍କବାଦର ବିରୋଧ ଠାରୁ ଆରମ୍ଭ କରି ପ୍ରତିରକ୍ଷା ଏବଂ ସୁରକ୍ଷା ଯାଏ । ଆମେ ଜାଣୁ ଯେ ଆତଙ୍କବାଦର ଦୃତ ପ୍ରସାର ଏବଂ ମୌଳବାଦ ଆମ ଉଭୟ ସମାଜ ପାଇଁ ଆହ୍ୱାନ ସୃଷ୍ଟି କରୁଛି ଏବଂ ଆମ ଦୃଢ ସୁରକ୍ଷା ସହଭାଗିତା ଆମକୁ ଏହି ଭୟରୁ ଆମ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବାରେ ସହାୟକ ହେଉଛି ବୋଲି ଆମେ ସ୍ୱୀକାର କରୁଛୁ । ଏହି ସବୁ ଆହ୍ୱାନର ମିଳିତ ମୁକାବିଲା କରିବା ଉଦ୍ଦେଶ୍ୟ ରେ ଥାଇଲାଣ୍ଡର ସାହାଯ୍ୟ ଏବଂ ସହଯୋଗ ପାଇଁ ଆମେ ବିଶେଷଭାବେ କୃତଜ୍ଞ । ଆତଙ୍କବାଦରୁ ଆଗେଇ ଯାଇ ଆମେ ସାଇବର ସୁରକ୍ଷା, ନାର୍କୋଟିକ୍ସ, ଅନ୍ତର୍ଦେଶୀୟ ଅର୍ଥନୈତିକ ଅପରାଧ ଏବଂ ବେଆଇନ ମାନବ ଚାଲାଣ କ୍ଷେତ୍ରରେ ଆମ ସୁରକ୍ଷାର ବଚନବଦ୍ଧତା ପାଇଁ ରାଜି ହୋଇଛୁ ।
ବନ୍ଧୁଗଣ,
ଆମ ଭୂମିର ସୀମାନ୍ତର ଦୂରତା ଅଧିକ ନୁହେଁ । ସାମୁଦ୍ରିକ ସୀମା ହିସାବରେ ମଧ୍ୟ ଆମେ ପଡୋଶୀ । ସେଥିପାଇଁ ପ୍ରଧାନମନ୍ତ୍ରୀ ଏବଂ ମୁଁ ପ୍ରତିରକ୍ଷା ଏବଂ ସାମୁଦ୍ରିକ କ୍ଷେତ୍ରରେ ମଧ୍ୟ ସହଭାଗିତାର ଘନିଷ୍ଠତା ପାଇଁ ପ୍ରୟାସ କରୁଛୁ । ଆମର ଦ୍ୱିପାକ୍ଷିକ ଆଗ୍ରହର ପୂର୍ତ୍ତି କରିବା ପାଇଁ ସହଭାଗିତା, ଆମର ସାଧାରଣ ଆଞ୍ଚଳିକ ଲକ୍ଷ୍ୟକୁ ହାସଲ କରିବା, ଏବଂ ଏପରି ସହଭାଗିତା ଯାହା ଦକ୍ଷତା ଏବଂ ଅନୁଭୁତିର ବିନିମୟ ଦ୍ୱାରା, ଅଧିକ କର୍ମଚାରୀ ବିନିମୟ ଏବଂ ଅଧିକ କାର୍ଯ୍ୟକଳାପ ଦ୍ୱାରା, ସମୁଦ୍ରରେ ଜଳଦସ୍ୟୁମାନଙ୍କ ମୁକାବିଲା ରେ ସହଯୋଗ ଦ୍ୱାରା, ଅଧିକ ନୌସେନା ମୁତୟନ ଦ୍ୱାରା ଏବଂ ପ୍ରତିରକ୍ଷା ଗବେଷଣା ଓ ଉତ୍ପାଦନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଦ୍ୱାରା ଆକାର ଲାଭ କରିବ ।
ବନ୍ଧୁଗଣ,
ଆଜିକାଲିର ପରସ୍ପର ନିର୍ଭରଶୀଳ ବିଶ୍ୱରେ ବାଣିଜ୍ୟ ବ୍ୟବସାୟ ଗୁରୁତ୍ୱପୂର୍ଣ୍ଣ । ମହାମହୀମ ଏବଂ ମୁଁ ସ୍ୱୀକାର କରୁଛୁ ଯେ, ଆମ ମଧ୍ୟରେ ଅଧିକ ବିବିଧତାପୂର୍ଣ୍ଣ ବାଣିଜ୍ୟିକ ବଚନବଦ୍ଧତା ଉଭୟ ଅର୍ଥ ବ୍ୟବସ୍ଥା ପାଇଁ ଲାଭପ୍ରଦ ହେବ । ଏହା ଏହି ଅଞ୍ଚଳକୁ ମଧ୍ୟ ଆର୍ଥିକ ରୂପେ ସମୃଦ୍ଧ କରିବ । ଏହି ପରିପ୍ରେକ୍ଷିରେ ମୁଁ ଆଜି ହେବାକୁ ଥିବା ଭାରତ-ଥାଇଲାଣ୍ଡ ଯୁଗ୍ମ ବାଣିଜ୍ୟ ମଞ୍ଚର ପ୍ରଥମ ବୈଠକକୁ ସ୍ୱାଗତ ଜଣାଉଛି । ଆମେ ସେମାନଙ୍କ ସହ ଅନ୍ୟ ବ୍ୟବସାୟରେ ଲିପ୍ତ ଅଂଶୀଦାରମାନଙ୍କୁ ଉଭୟ ଦେଶରେ ସୃଷ୍ଟି ହେଉଥିବା ବ୍ୟବସାୟିକ ସୁଯୋଗର ସଦୁପଯୋଗରେ ନେତୃତ୍ୱ ନେବା ପାଇଁ ପ୍ରୋତ୍ସାହିତ କରୁଛୁ । ବ୍ୟବସାୟ ବ୍ୟତୀତ ନିର୍ମାଣ ଏବଂ ବିନିଯୋଗ କ୍ଷେତ୍ରରେ ଆହୁରି ଅନେକ ସୁଯୋଗ ରହିଛି । ଆମେ ଭିତ୍ତିଭୂମି କ୍ଷେତ୍ରରେ ଥାଇଲାଣ୍ଡର ଶକ୍ତି, ବିଶେଷକରି ପର୍ଯ୍ୟଟନ ଭିତ୍ତିଭୂମି କ୍ଷେତ୍ରରେ ଏବଂ ଭାରତର ଏହି ଦିଗରେ ଅଗ୍ରାଧିକାର ଦୃଷ୍ଟିରୁ ଏକ ସାମଞ୍ଜସ୍ୟ ଲକ୍ଷ୍ୟ କରୁଛୁ । ସୂଚନା ପ୍ରଯୁକ୍ତି ବିଦ୍ୟା, ଭେଷଜ ବିଜ୍ଞାନ, ମୋଟରଗାଡି-ଯନ୍ତ୍ରାଂଶ ଏବଂ ଯାନ୍ତ୍ରିକ ସରଞ୍ଜାମ କ୍ଷେତ୍ରରେ ସହଯୋଗର ଅଧିକ ଲକ୍ଷଣ ଦେଖାଯାଉଛି । ଗୋଟିଏ ସନ୍ତୁଳିତ ଅବଧାର୍ଯ୍ୟର ଅର୍ଥନୈତିକ ଏବଂ ସହଭାଗିତା ଚୁକ୍ତିରେ ଆମର ଅଗ୍ରାଧିକାରର ଆସନ୍ନ ସମାପ୍ତି ଆମେ ଦେଖିପାରୁଛୁ ।
ବନ୍ଧୁଗଣ,
ପ୍ରଧାନମନ୍ତ୍ରୀ ଏବଂ ମୁଁ ଏକଥା ସହ ଅବଗତ ଯେ, ମାଲ୍, ସେବା, ପୁଞ୍ଜି ଏବଂ ମାନବ-ସମ୍ବଳର ଅବାଧ ପ୍ରବାହ ପାଇଁ ଆମ ଅର୍ଥ ବ୍ୟବସ୍ଥାକୁ ଆବଶ୍ୟକ ହେଉଛି – ଜଳ, ସ୍ଥଳ ଏବଂ ଆକାଶ ମାର୍ଗରେ ସଂଯୋଗର ସୁଦୃଢ ନେଟୱାର୍କ । ସେଥିପାଇଁ ଭାରତ-ମିଆଁମାର-ଥାଇଲାଣ୍ଡ ତ୍ରିପାକ୍ଷିକ ରାଜମାର୍ଗର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଏବଂ ଆମ ତିନି ଦେଶ ମଧ୍ୟରେ ମୋଟରଯାନ ଚୁକ୍ତି ସ୍ୱାକ୍ଷରକୁ ଅଗ୍ରାଧିକାର ଦେଉଛୁ । ଭାରତର ବିକାଶ ପାଇଁ ମଧ୍ୟ ସଂଯୋଗ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଉଛି । ଆମ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରୁ ଦକ୍ଷିଣ-ପୂର୍ବ ଏସିଆକୁ ସଡକ ସଂଯୋଗ ଉଭୟ ପକ୍ଷର ଲୋକଙ୍କ ହିତସାଧନ କରିବ ।
ବନ୍ଧୁଗଣ,
ସୁଦୃଢ ସଂଯୋଗ କେବଳ ଦ୍ୱିପାକ୍ଷିକ ବାଣିଜ୍ୟ ସହବନ୍ଧନର ବିସ୍ତାର ପାଇଁ ଜରୁରୀ ନୁହେଁ, ବରଂ ଏହା ଆମ ଲୋକମାନଙ୍କୁ ନିକଟତର କରିବା ସହ ବିଜ୍ଞାନ, ଶିକ୍ଷା, ସଂସ୍କୃତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗକୁ ସୁଲଭ କରିବ । ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ସତୁରି ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ବର୍ଷ ଆମେ ଥାଇଲାଣ୍ଡରେ ଭାରତ ମହୋତ୍ସବ ଏବଂ ଭାରତରେ ଥାଇଲାଣ୍ଡ ମହୋତ୍ସବ ପାଳନ କରିବାକୁ ଯାଉଛୁ । ଚଳିତ ବର୍ଷ ଭାରତ ଏହାର ସମ୍ବିଧାନ ନିର୍ମାତା ଡଃ.ବି.ଆର.ଆମ୍ବେଦକରଙ୍କ ଶହେ ପଚିଶତମ ଜନ୍ମବାର୍ଷିକୀ ମଧ୍ୟ ପାଳନ କରୁଛୁ । ଭାରତୀୟ ସମ୍ବିଧାନ ଖୁବ୍ ଶୀଘ୍ର ଥାଇ ଭାଷାରେ ଅନୁବାଦିତ ହେବାକୁ ଯାଉଥିବାରୁ ମୁଁ ଆନନ୍ଦିତ । ଆହୁରି ମଧ୍ୟ ମୁଁ ଉଲ୍ଲାସର ସହିତ ଘୋଷଣା କରିବାକୁ ଚାହୁଁଛି ଯେ, ଥାଇଲାଣ୍ଡରୁ ଭାରତକୁ ଅଧିକ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ଏବଂ ଭାରତର ବିଭିନ୍ନ ବୌଦ୍ଧ ସ୍ଥଳଗୁଡିକୁ ସେମାନଙ୍କ ଯାତ୍ରାକୁ ସହଜ କରିବା ପାଇଁ ଆମେ ଖୁବ୍ ଶୀଘ୍ର ଥାଇ ନାଗରିକମାନଙ୍କ ପାଇଁ ଦ୍ଵୈତ ପ୍ରବେଶଯୋଗ୍ୟ (ଡବଲ-ଏଣ୍ଟ୍ରି) ଇ-ଟୁରିଷ୍ଟ ଭିସା ପ୍ରଚଳନ କରିବାକୁ ଯାଉଛୁ ।
ମହାନୁଭାବ,
ଥାଇଲାଣ୍ଡର ରାଜପରିବାରର ଭାରତ ପ୍ରତି ରହିଥିବା ସ୍ନେହକୁ ଆମେ ସବୁବେଳେ ପ୍ରଶଂସା କରିଆସିଛୁ । ମହାମହୀମ ରାଜକୁମାରୀ ମହାଚକ୍ରୀ ସିରିନ୍ଧୋର୍ଣ୍ଣଙ୍କୁ ଆମେ ଭାରତକୁ ଅନେକ ଥର ସ୍ୱାଗତ କରିଛୁ । ଚଳିତ ବର୍ଷ ପୁଣି ଥରେ ତାଙ୍କୁ ସ୍ୱାଗତ କରିବାକୁ ଆମେ ଉତ୍ସୁକ । ମହାମହୀମ ରାଜକୁମାର ବଜିରାଲଂକର୍ଣ୍ଣଙ୍କୁ ମଧ୍ୟ ତାଙ୍କ ଭାରତ ଆଗମନରେ ସ୍ୱାଗତ ଜଣାଇବାକୁ ଆମେ ଉତ୍କଣ୍ଠିତ ।
ଶେଷରେ ମୁଁ ଏତିକି କହିବି ଯେ, ଥାଇଲାଣ୍ଡର ପାଶ୍ଚାତ୍ୟମୁଖୀ ନୀତି (Look West) ଏବଂ ଭାରତର ପ୍ରାଚ୍ୟମୁଖୀ (Look East) ନୀତି ଆମର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପଥ ପରିଷ୍କାର କରିଛି । ମହାମହୀମ, ମୁଁ ପୁଣିଥରେ ଆପଣ ଏବଂ ଆପଣଙ୍କ ପ୍ରତିନିଧିମଣ୍ଡଳକୁ ସ୍ୱାଗତ ଜଣାଉଛି ।
ଧନ୍ୟବାଦ ।