Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତ୍ରିପୁରା ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ଏବଂ ଏକତା ରକ୍ଷା ଓ ସମ୍ମିଳିତ ଉଦ୍ୟମ ପାଇଁ ପ୍ରଦେଶବାସୀଙ୍କୁ ପ୍ରଶଂସା

ତ୍ରିପୁରା ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ଏବଂ ଏକତା ରକ୍ଷା ଓ ସମ୍ମିଳିତ ଉଦ୍ୟମ ପାଇଁ ପ୍ରଦେଶବାସୀଙ୍କୁ ପ୍ରଶଂସା


 ତ୍ରିପୁରା ରାଜ୍ୟର ପ୍ରତିଷ୍ଠା ଓ ବିକାଶରେ ଯେଉଁମାନଙ୍କର ଅବଦାନ ରହିଛି ସେମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମାଣିକ୍ୟ ରାଜବଂଶର ଶାସନ କାଳରୁ ଏହି ରାଜ୍ୟର ମର୍ଯ୍ୟାଦା ଓ ଅବଦାନକୁ ସେ ସ୍ୱୀକାର କରିବା ସହିତ ପ୍ରଦେଶର ଏକତା ରକ୍ଷା ଓ ସାମୁହିକ ଉଦ୍ୟମକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ଆଜି ତ୍ରିପୁରା ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣା ପ୍ରସଙ୍ଗରେ ରାଜ୍ୟ ଗତ ତିନିବର୍ଷର ଅର୍ଥପୂର୍ଣ୍ଣ ବିକାଶ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ସେ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାରର ନିରନ୍ତର ଉଦ୍ୟମ ଫଳରେ ତ୍ରିପୁରା ଆଜି ଏକ ସୁଯୋଗର ଭୂମିରେ ପରିଣତ ହୋଇଛି । ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଚମତ୍କାର ପ୍ରଦର୍ଶନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଂଯୋଗ ଭିତ୍ତିଭୂମି ନିର୍ମାଣ ଫଳରେ ତ୍ରିପୁରା ଦ୍ରୁତଗତିରେ ବାଣିଜ୍ୟ କରିଡର ହବ୍‌ରେ ପରିଣତ ହେବାକୁ ଯାଉଛି । ଆଜି ତ୍ରିପୁରା ସଡକ, ରେଳ ଓ ଆକାଶ ପଥରେ ଅବଶିଷ୍ଟ ବିଶ୍ୱ ସହିତ ଯୋଡି ହୋଇପାରିଛି । ତ୍ରିପୁରାର ବହୁଦିନର ଦାବିଗୁଡିକୁ ଡବଲ ଇଞ୍ଜିନ ସରକାର ପୂରଣ କରିବାରେ ସଫଳ ହୋଇଛି । ବାଂଲାଦେଶର ଚଟ୍ଟୋଗ୍ରାମ ବନ୍ଦର ସହିତ ସଂଯୋଗ ସୁବିଧା ତ୍ରିପୁରାକୁ ମିଳିଛି । ୨୦୨୦ରେ ତ୍ରିପୁରାକୁ ଚଟ୍ଟୋଗ୍ରାମ ବନ୍ଦରରୁ ପ୍ରଥମ ପଣ୍ୟଦ୍ରବ୍ୟ ଅତୌରା ଇଣ୍ଟ୍ରିଗ୍ରେଟେଡ୍ ଚେକ୍ ପୋଷ୍ଟ ମାଧ୍ୟମରେ ଆସି ପହଂଚିଥିଲା । ନିକଟରେ ରାଜ୍ୟର ମହାରାଜ ବୀର ବିକ୍ରମ ବିମାନ ବନ୍ଦରର ସମ୍ପ୍ରସାରଣ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ  ତାଙ୍କ ଭାଷଣରେ ଉଲ୍ଲେଖ କରିଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା କେତେକ ଭଲ କାମ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି  । ଏଥିରେ ସେ ଗରିବଙ୍କୁ ପକ୍କାଘର ଯୋଗାଣ, ଗୃହ ନିର୍ମାଣରେ ନୂତନ ଟେକ୍‌ନୋଲୋଜିର ପ୍ରୟୋଗ କଥା ମଧ୍ୟ  କହିଛନ୍ତି ।ଏସବୁ ଭଲ କାମ ଲାଇଟ୍ ହାଇସ୍ ପ୍ରୋଜେକ୍ଟ (ଏଲଏଚ୍‌ପି) ଅଧୀନରେ ତ୍ରିପୁରା ସମେତ ସାତଟି ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ସେ କହିଛନ୍ତି ଯେ ବିଗତ ତିନିବର୍ଷ ମଧ୍ୟରେ ତ୍ରିପୁରାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଯେପରି ଭାବେ କାର୍ଯ୍ୟକାରୀ ହେଉଛି ତାହା ରାଜ୍ୟର ପ୍ରକୃତ ଦକ୍ଷତାକୁ ପ୍ରତିପ୍ରାଦନ କରୁଛି ।ଶାସନ ଓ କାର୍ଯ୍ୟରେ ସ୍ୱଚ୍ଛତା ରକ୍ଷାଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ ପର୍ଯ୍ୟନ୍ତ ଯାହାସବୁ ଚାଲିଛି ତାହା ତ୍ରିପୁରାର ନବନିର୍ମାଣର ଭିତ୍ତି ପକାଇଛି । ଏହା ଭବିଷ୍ୟତର ଆବଶ୍ୟକତା ପୂରଣ ପାଇଁ ରାଜ୍ୟକୁ ପ୍ରସ୍ତୁତ କରିଛି । ଲୋକଙ୍କୁ ସରକାରୀ ସୁବିଧା ଯୋଗାଣ ଓ ମୌଳିକ ସେବା ଯୋଗାଣରେ  ଭିତ୍ତିଭୂମି ବିକାଶ ଫଳରେ ତ୍ରିପୁରାବାସୀଙ୍କ ଜୀବନ କ୍ରମଶଃ ସହଜ ହେଉଛି । ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆସୁଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାହାର ଭାରତ ସ୍ୱାଧୀନତାର ଏକଶତ ବର୍ଷ ପୂର୍ତ୍ତି ପାଳନ କରିବା ବେଳକୁ ତ୍ରିପୁରା ତାହାର ରାଜ୍ୟ ପ୍ରତିଷ୍ଠାର ୭୫ବର୍ଷ ପାଳନ କରିବ । ଏହି ସମୟ ନୂଆ ସଂକଳ୍ପ ଓ ନୂତନ ସୁଯୋଗର ଏକ ମହାନ୍ କାଳଖଣ୍ଡ ହେବ ବୋଲି ସେ କହିଛନ୍ତି  ।

*****

TM/ SLP