Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତେକାନପୁର ବିଏସଏଫ ଏକାଡେମୀଠାରେ ପୁଲିସ ମହାନିର୍ଦ୍ଦେଶକମାନଙ୍କ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ


ରାଜ୍ୟଗୁଡିକର ପୁଲିସ ମହାନିର୍ଦ୍ଦେଶକ ଏବଂ ମହାନିରୀକ୍ଷକମାନଙ୍କ ସମ୍ମିଳନୀ ଜାନୁୟାରୀ 7 ଓ 8 ତାରିଖ ଦୁଇଦିନ ଧରି ମଧ୍ୟପ୍ରଦେଶର ତେକାନପୁରର ବିଏସଏଫ ଏକାଡେମୀଠାରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ଏକ ବାର୍ଷିକ ସମ୍ମିଳନୀ, ଯେଉଁଥିରେ କି ଦେଶର ସମସ୍ତ ତୁଙ୍ଗ ପୁଲିସ ଅଧିକାରୀମାନେ ଯୋଗଦେଇ ସୁରକ୍ଷା ସମ୍ପର୍କିତ ବିଷୟବସ୍ତୁ ଉପରେ ଆଲୋଚନା, ମତ ବିନିମୟ ଓ ବିଚାର ବିମର୍ଶ କରିଥାନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2014ରେ ଆସାମର ଗୌହାଟୀ, 2015ରେ ଗୁଜାରାଟର କଚ୍ଛ ଅଂଚଳର ଧୋରଡୋ ଏବଂ 2016ରେ ହାଇଦ୍ରାବାଦର ରାଷ୍ଟ୍ରିୟ ପୁଲିସ ଏକାଡେମୀଠାରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।

ବିଗତ ବର୍ଷର ବୈଠକରେ ସୀମାପାର ଆତଙ୍କବାଦ ଏବଂ ମୌଳବାଦ ଭଳି ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ସେହି ବୈଠକରେ ପୁଲିସ ନେତୃତ୍ୱ, ଡିଜିଟାଲ ଦକ୍ଷତା ଏବଂ ମିଳିତ ପ୍ରଶିକ୍ଷଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ପୁଲିସ ବାହିନୀକୁ ଅଧିକ ଲୋକାଭିମୁଖି କରି ଜନସମ୍ପର୍କ ବଢ଼ାଇବା ଏବଂ ପୁଲିସ ପ୍ରଶାସନରେ ପ୍ରଯୁକ୍ତି କୌଶଳର ପ୍ରୟୋଗ ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ ।

2014 ପୂର୍ବରୁ ଦିଲ୍ଲୀରେ ସବୁବେଳେ ବାର୍ଷିକ ସମ୍ମିଳନୀ ହୋଇ ଆସୁଥିଲା । କିନ୍ତୁ ଏହାକୁ ଦିଲ୍ଲୀ ବାହାରେ ଆୟୋଜନ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ଗୁରୁତ୍ୱ ଦେଇ ବିଭିନ୍ନ ରାଜ୍ୟରେ ଏବେ ବାର୍ଷିକ ପୁଲିସ ମହାନିର୍ଦ୍ଦେଶକମାନଙ୍କ ସମ୍ମିଳନୀ କରାଯାଉଛି ।

**********