Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଏମ କରୁଣାନିଧିଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ କ୍ୟାବିନେଟ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଏମ କରୁଣାନିଧିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରାଯାଇଥିଲା । ଚେନ୍ନାଇର କାବେରୀ ହସପିଟାଲରେ 7 ଅଗଷ୍ଟ 2018ରେ ତାଙ୍କର ପରଲୋକ ଘଟିଥିଲା ।
ତାଙ୍କ ସ୍ମୃତିରେ କ୍ୟାବିନେଟରେ ଦୁଇ ମିନିଟର ନିରବତା ରକ୍ଷା କରାଯାଇଥିଲା ଏବଂ ଶୋକ ପ୍ରସ୍ତାବ ପାସ କରାଯାଇଥିଲା । ପ୍ରସ୍ତାବର ମୂଳ ପାଠ ନିମ୍ନପ୍ରକାରର ଅଟେ :

“କ୍ୟାବିନେଟ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଏମ କରୁଣାନିଧିଙ୍କ ଦୁଃଖଦ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରୁଛନ୍ତି । ତାଙ୍କର ପରଲୋକ 7 ଅଗଷ୍ଟ, 2018ରେ ଚେନ୍ନାଇର କାବେରୀ ହସପିଟାଲରେ ହୋଇଥିଲା । ତାଙ୍କ ବିୟୋଗରେ ଦେଶ ଜଣେ ମହାନ ଏବଂ ପ୍ରତିଷ୍ଠିତ ରାଜନେତାଙ୍କୁ ହରାଇଲା, ଯାହାଙ୍କୁ ସ୍ନେହରେ ‘କଲାଇନାର’ ଭାବେ ସମ୍ବୋଧିତ କରାଯାଉଥିଲା ।

ତାଙ୍କର ଜନ୍ମ 3 ଜୁନ, 1924ରେ ନାଗପଟ୍ଟିନମ ଜିଲ୍ଲାର ତିରୁକ୍କୁୱଲଇ ଗ୍ରାମରେ ହୋଇଥିଲା । ସେ ତାମିଲନାଡ଼ୁର ରାଜନୀତିରେ ନିଜର ଦୀର୍ଘ କାର୍ଯ୍ୟକାଳ ସମୟରେ ଅନେକ ସାଧାରଣ ଏବଂ ରାଜନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି କାର୍ଯ୍ୟ କରିଥିଲେ । ସେ 33 ବର୍ଷ ବୟସରେ 1957 ସାଧାରଣ ନିର୍ବାଚନରେ କୁଲିଥଲଇ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ତାମିଲନାଡ଼ୁ ବିଧାନସଭାରେ ପ୍ରବେଶ କରିଥିଲେ । ସେ 1967ରେ ତାମିଲନାଡ଼ୁ ସରକାରରେ ମନ୍ତ୍ରୀ ହୋଇଥିଲେ ଏବଂ ପ୍ରଥମ ଥର ଲାଗି 1969ରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ପାଞ୍ଚ ଥର ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ରହିଥିଲେ ।

ରାଜନୈତିକ ଜୀବନ ବ୍ୟତୀତ ସେ ତାମିଲ ଚଳଚ୍ଚିତ୍ର ଜଗତରେ ଜଣେ ଅତ୍ୟନ୍ତ ଲୋକପ୍ରିୟ ଚିତ୍ରନାଟ୍ୟ ଲେଖକ ମଧ୍ୟ ଥିଲେ । ସେ ଦ୍ରାବିଡ଼ ଆନ୍ଦୋଳନର ଆଦର୍ଶର ପ୍ରଚାର ଲାଗି ଚଳଚ୍ଚିତ୍ରକୁ ମାଧ୍ୟମ କରିଥିଲେ । ଡ. ଏମ କରୁଣାନିଧି ନିଜ ଲେଖା ଏବଂ ବକ୍ତୃତା କୌଶଳ ଲାଗି ମଧ୍ୟ ପ୍ରସିଦ୍ଧ ଥିଲେ । ତାମିଲ ସାହିତ୍ୟରେ ତାଙ୍କର ଯୋଗଦାନ ଅତ୍ୟନ୍ତ ଗଭୀର ଏବଂ ଅଭୂତପୂର୍ବ ଥିଲା । ସେ କବିତା, ଚିତ୍ରନାଟ୍ୟ, ଉପନ୍ୟାସ, ଜୀବନୀ, ନାଟକ, ସମ୍ବାଦ ଏବଂ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ ।

 

ତାଙ୍କ ବିୟୋଗରେ ତାମିଲନାଡ଼ୁର ଲୋକମାନେ ନିଜର ଲୋକପ୍ରିୟ ନେତାଙ୍କୁ ହରାଇଲେ ।

 

ଭାରତ ସରକାର ଏବଂ ସାରା ଦେଶ ପକ୍ଷରୁ କ୍ୟାବିନେଟ ତାଙ୍କର ଶୋକସନ୍ତପ୍ତ ପରିବାର ଏବଂ ତାମିଲନାଡ଼ୁର ଜନତାଙ୍କ ପ୍ରତି ସମବେଦନା ଜଣାଉଛି ।”

**********