Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଡ୍ରଗ୍ସ ଏବଂ କସମେଟିକ୍ସ ସଂଶୋଧନ ବିଧେୟକ ପ୍ରତ୍ୟାହୃତ


ରାଜ୍ୟସଭାରେ ଆଗତ ହୋଇଥିବା ଡ୍ରଗ୍ସ ଏଣ୍ଡ କସମେଟିକ୍ସ (ସଂଶୋଧନ) ବିଧେୟକ – 2013କୁ ପ୍ରତ୍ୟାହାର କରାଯିବ । ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ନିଷ୍ପତ୍ତି ନେଇଛନ୍ତି । ଏହି ବିଧେୟକଟି ଗତ 2013 ଅଗଷ୍ଟ 29 ତାରିଖରେ ରାଜ୍ୟସଭାରେ ଆଗତ ହୋଇଥିଲା ବେଳେ ତାହାକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ଅନୁଧ୍ୟାନ କରୁଥିଲେ । ଷ୍ଟାଣ୍ଡିଂ କମିଟି ଉକ୍ତ ବିଧେୟକଟିର ବହୁ ଧାରାରେ ପରିବର୍ତ୍ତନ ପାଇଁ ସୁପାରିଶ କରିଛନ୍ତି ।

ବିଶ୍ୱରେ ଭାରତ ହେଉଛି ସବୁଠାରୁ ଅଧିକ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତକାରୀ ରାଷ୍ଟ୍ର । ବର୍ଷକୁ 2 ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଦେଶରେ ଉତ୍ପାଦନ ହେଉଛି । ଏହାର 55 ପ୍ରତିଶତରୁ ଅଧିକ ସାମଗ୍ରୀ ବିଶ୍ୱର 200 ଦେଶ ଓ ଆର୍ଥିକ ସଂସ୍ଥାକୁ ରପ୍ତାନି ହେଉଛି । ଏଗୁଡିକ ମଧ୍ୟରେ ଉନ୍ନତ ଦେଶ ମଧ୍ୟ ଅନ୍ତର୍ଭୂକ୍ତ । ଏହି ପରିପ୍ରେକ୍ଷୀରେ ଭାରତୀୟ ଚିକିତ୍ସା ସାମଗ୍ରୀ ବିଭିନ୍ନ ଦେଶରେ ଅପେକ୍ଷାକୃତ କମ ଦର ଥାଇ ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପରିଚାଳନା କରୁଛି ।

ଡ୍ରଗ୍ସ ଏଣ୍ଡ କସମେଟିକ୍ସ ଆକ୍ଟ – 1940 ଅନୁସାରେ ଚିକିତ୍ସା ସାମଗ୍ରୀଗୁଡିକର ଗୁଣବତ୍ତା, ନିରାପତ୍ତା ଏବଂ ପ୍ରଭାବ ଦକ୍ଷତା ପାଇଁ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି । ସେହି ସାମଗ୍ରୀଗୁଡିକ ମଧ୍ୟରେ ଔଷଧ, ଡାକ୍ତରୀ ଯନ୍ତ୍ରପାତି, ଇନ-ଭିଟ୍ରୋ ଡାକ୍ତରୀ ଯନ୍ତ୍ରପାତି, ପ୍ରତିରୋଧକୋଷ, ପୁନଃ ଉତ୍ପାଦନକ୍ଷମ ଔଷଧ ଏବଂ ଡାକ୍ତରୀ ଚିକିତ୍ସା ଓ ଅନୁସନ୍ଧାନ ଇତ୍ୟାଦି ଅନ୍ତର୍ଭୂକ୍ତ ।

ସାଧାରଣ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ଏହାର ଭୂମିକାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆଇନରେ ସଂଶୋଧନ ଆଣିବା ପ୍ରକୃଷ୍ଟ ସମୟ ନୁହେଁ ବୋଲି କେନ୍ଦ୍ର କେବିନେଟ ଏପରି ନିଷ୍ପତ୍ତି ନେଇଛନ୍ତି । ବିଶେଷକରି ଜୀବ ବିଜ୍ଞାନ, ପ୍ରତିରୋଧ କୋଷ, ପୁନଃ ଉତ୍ପାଦନକାରୀ ଔଷଧ, ଚିକିତ୍ସା ସାମଗ୍ରୀ ଏବଂ ଡାକ୍ତରୀ ପ୍ରଚେଷ୍ଟା / ଅନୁସନ୍ଧାନ ଭଳି କାର୍ଯ୍ୟକୁ ପ୍ରଭାବଶାଳୀ ଢ଼ଙ୍ଗରେ ଏହି ଆଇନ ଅନୁସାରେ ନିୟନ୍ତ୍ରଣ କରାଯାଇପାରିବ ନାହିଁ ।

ମେକ-ଇନ-ଇଣ୍ଡିଆ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପ୍ରଚଳିତ ଆଇନକୁ ବିସ୍ତୃତ ଭାବରେ ଦୁଇ ପର୍ଯ୍ୟାୟରେ ତର୍ଜମା କରିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମତଃ ବ୍ୟବସାୟ ପ୍ରକ୍ରିୟାକୁ ସୁଗମ କରିବା ଏବଂ ଦ୍ୱିତୀୟରେ ଆମ ଉତ୍ପାଦିତ ସାମଗ୍ରୀକୁ ଗୁଣାତ୍ମକ ଏବଂ ପ୍ରଭାବୀ କରିବା । ଏହି କାରଣରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦୁଇଟି ସ୍ତରରେ ଏହା ହାତକୁ ନେଇଛନ୍ତି । ପ୍ରଥମରେ ଚିକିତ୍ସା ସାମଗ୍ରୀଗୁଡିକୁ ନିୟନ୍ତ୍ରଣ ପାଇଁ ପ୍ରଚଳିତ ଆଇନରେ ସ୍ୱତନ୍ତ୍ର ଅଧିନିୟମ ପ୍ରଣୟନ ଏବଂ ଦ୍ୱିତୀୟରେ ଚିକିତ୍ସା ସାମଗ୍ରୀ, ଡ୍ରଗ୍ସ ଏବଂ କସମେଟିକ୍ସ ପାଇଁ ସ୍ୱତନ୍ତ୍ର ବିଧେୟକ ଉପସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ଅଂଶୀଦାର ବା ସହଯୋଗୀମାନଙ୍କ ସହିତ ବିସ୍ତୃତ ଆଲୋଚନା ପରେ ଚିକିତ୍ସା ସାମଗ୍ରୀ ସଂକ୍ରାନ୍ତ ଚିଠା ବିଲ ପ୍ରସ୍ତୁତ ହୋଇଛି । ଖୁବ ଶୀଘ୍ର ଏହା ବିଜ୍ଞପିତ ହେବ । ନୂତନ ବିଧେୟକ ସଂକ୍ରାନ୍ତରେ ମଧ୍ୟ କାର୍ଯ୍ୟାରମ୍ଭ ହୋଇଛି ।