ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଡିସେମ୍ବର ୧୩-୧୪ ତାରିଖ ଦିନ ବାରାଣାସୀ ଗସ୍ତରେ ଯିବେ । ଡିସେମ୍ବର ୧୩ ତାରିଖ ଦିନ ଅପରାହ୍ନ ୧ଟା ସମୟରେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବେ ଏବଂ ସେଠାରେ ପୂଜାର୍ଚ୍ଚନା କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ଶ୍ରୀ କାଶୀ ବିଶ୍ୱନାଥ ଧାମର ପ୍ରଥମ ପର୍ଯ୍ୟାୟକୁ ଉଦ୍ଘାଟନ କରିବେ । ୩୩୯ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି ।
ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ମନରେ ଦୀର୍ଘ ଦିନରୁ ଏକ ପରିକଳ୍ପନା ଥିଲା ଯେ କିଭଳି ଭାବେ ବାବା ବିଶ୍ୱନାଥଙ୍କ ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁମାନେ ସହଜରେ ଦେବ ଦର୍ଶନ ପରେ ସେଠାରୁ ଗଙ୍ଗାନଦୀ ଘାଟ ପର୍ଯ୍ୟନ୍ତ ଯାଇପାରିବେ ଏବଂ ସେଥିପାଇଁ ସେମାନଙ୍କୁ ମାର୍ଗରେ କୌଣସି ପ୍ରକାର ଜନଗହଳି କିମ୍ବା ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବନାହିଁ । ଏହାକୁ ଦୃଷ୍ଟିରେ ରଖି ପାଶ୍ୱର୍ବର୍ତ୍ତୀ ସ୍ଥାନରେ ଥିବା ଦୁର୍ବଳ ବ୍ୟବସ୍ଥାର ପରିବର୍ତ୍ତନ କରାଯାଇଛି । ଫଳରେ ଏବେ ଶ୍ରଦ୍ଧାଳୁମାନେ ସହଜରେ ପବିତ୍ର ଗଙ୍ଗାନଦୀ ଘାଟକୁ ଯାଇ ଯୁଗ ଯୁଗ ଧରି ଚାଲିଆସୁଥିବା ପରମ୍ପରା ଅନୁସାରେ ଗଙ୍ଗାସ୍ନାନ କରିପାରିବ ଏବଂ ଗଙ୍ଗାଜଳ ସଂଗ୍ରହ କରି ମନ୍ଦିରରେ ତାହା ସମର୍ପଣ କରିପାରିବେ । ଏହି ଇଚ୍ଛାକୁ ସାକାର କରିବା ନିମନ୍ତେ ଶ୍ରୀ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା ଏବଂ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଠାରୁ ଗଙ୍ଗା ନଦୀ କୂଳ ପର୍ଯ୍ୟନ୍ତ ଏକ ସହଜରେ ଯାତାୟାତ ପଥ ନିର୍ମାଣ କରାଯାଇଛି । ଏହି ପବିତ୍ର କାର୍ଯ୍ୟକୁ ସାକାର କରିବା ନିମନ୍ତେ ୨୦୧୯ ମସିହା ମାର୍ଚ୍ଚ ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।
ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପ ନିମନ୍ତେ ଅତି ମାତ୍ରାରେ ଆଗ୍ରହ ପ୍ରଦର୍ଶନ କରିବା ସହ ପ୍ରକଳ୍ପର ପ୍ରତ୍ୟେକ ପର୍ଯ୍ୟାୟ ସହ ସକ୍ରିୟ ଭାବେ ସାମିଲ ହୋଇଥିଲେ । ନିୟମିତ ଭାବେ ପ୍ରକଳ୍ପର କାର୍ଯ୍ୟ ପ୍ରଗତି ସଂପର୍କରେ ତାଙ୍କୁ ସୂଚୀତ କରାଯାଉଥିଲା ଏବଂ ସେ ଏହାର ସମୀକ୍ଷା ମଧ୍ୟ କରିଥିଲେ । ଏହା ବ୍ୟତୀତ ନିର୍ମାଣ କାର୍ଯ୍ୟର ମଧ୍ୟ ନିଜେ ମନିଟରିଂ କରିଆସୁଥିଲେ । ଏଥି ସହିତ ଏହି ପ୍ରକଳ୍ପର ଉନ୍ନତି ନିମନ୍ତେ ପ୍ରଧାନମନ୍ତ୍ରୀ ନିଜର ସୁଚିନ୍ତିତ ମତ ମଧ୍ୟ ପ୍ରଦାନ କରିଆସୁଥିଲେ ଯାହା ଫଳରେ ତୀର୍ଥଯାତ୍ରୀମାନଙ୍କ ପାଇଁ ଏହି ଯାତାୟାତ ପଥ ଅତି ମାତ୍ରାରେ ସୁଗମ ହୋଇପାରିବ । ଏପରିକି ଦିବ୍ୟାଙ୍ଗ ଜନମାନେ ଯେଭଳି ସହଜରେ ନଦୀକୂଳରୁ ମନ୍ଦିର ପର୍ଯ୍ୟନ୍ତ ଯାଇପାରିବେ ତାହା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି ପ୍ରକଳ୍ପ ଏଭଳି ଭାବେ ଡିଜାଇନ କରାଯାଇଥିଲା ଯାହା ଫଳରେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ବୟୋବୃଦ୍ଧ ଜନମାନଙ୍କ ନିମନ୍େତ ରାମ୍ପ, ଏସ୍କାଲେଟର ଏବଂ ଅନ୍ୟାନ୍ୟ ଆଧୁନିକ ସୁବିଧା ସୁଯୋଗ ମଧ୍ୟ ବ୍ୟବସ୍ଥା କରାଯାଇପାରିବ ।
ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ମୋଟ ୨୩ଟି କୋଠା ନିର୍ମାଣ କରାଯାଇଛି ଯାହା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଦ୍ଘାଟନ କରିବେ । ସେହିସବୁ କୋଠାଗୁଡ଼ିକରେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ ପାଇଁ ବାହାରୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ରହିଛି । ସେଥି ମଧ୍ୟରେ ଯାତ୍ରୀ ସୁବିଧା କେନ୍ଦ୍ର, ପର୍ଯ୍ୟଟକ ଫାସିଲିଟେସନ କେନ୍ଦ୍ର, ବୈଦିକ କେନ୍ଦ୍ର, ମୁମୁକ୍ଷୁ ଭବନ, ଭୋଗଶାଳା, ସିଟି ମ୍ୟୁଜିୟମ, ଦର୍ଶକ ଗ୍ୟାଲେରୀ, ଫୁଡ୍ କୋର୍ଟ ଆଦି ଅନ୍ୟତମ । ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଚତୁଃପାଶ୍ୱର୍ରେ ଥିବା ପ୍ରାୟ ୩୦୦ରୁ ଅଧିକ ପ୍ଲଟ୍ ଓ କୋଠାକୁ ସରକାର ଅଧିଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ପରିକଳ୍ପନାକୁ ସାକାର କରିବା ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିଙ୍କର ଯୋଗଦାନ ରହିଛି । ଏହାର ପରିଣାମ ସ୍ୱରୂପ ପାରସ୍ପରିକ କଥାବାର୍ତ୍ତା ଓ ସହମତ ଆଧାରରେ ସେହିସବୁ କୋଠା ଓ ସମ୍ପତ୍ତିକୁ ଅଧିଗ୍ରହଣ କରାଯାଇଥିଲା । ଏହି ପ୍ରୟାସରେ ପ୍ରାୟ ୧୪୦୦ ଦୋକାନୀ, ଭଡ଼ାଟିଆ ଓ ଘରମାଲିକଙ୍କୁ ପାରସ୍ପରିକ ସହମତ ଆଧାରରେ ପୁନଃଥଇଥାନ କରାଯାଇଛି । ଏହି ପ୍ରକଳ୍ପର ସଫଳତାର ନିଦର୍ଶନ ଏଥିରୁ ସୂଚୀତ ହୁଏଯେ ଏଥିପାଇଁ ଦେଶର କୌଣସି ଅଦାଲତରେ ଗୋଟିଏ ହେଲେ ମାମଲା ବାକିଆ ପଡ଼ିନାହିଁ ଯାହାକି ପ୍ରକଳ୍ପ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ଅଥବା ପୁନଃଥଇଥାନ ସମ୍ପର୍କୀତ ହୋଇଥିବ ।
ପ୍ରଧାନମନ୍ତ୍ରୀଙ୍କ ଏହି ପରିକଳ୍ପନା ଏକଥାକୁ ମଧ୍ୟ ସୁନିଶ୍ଚିତ କରିଛି ଯେ ସମସ୍ତ ପ୍ରକାର ଐତିହ୍ୟ ସୌଧକୁ ଏହି ପ୍ରକଳ୍ପର ବିକାଶ ସମୟରେ ସଂରକ୍ଷଣ କରାଯାଇପାରିଛି । ଏଭଳି ଦୂରଦୃଷ୍ଟି ନଜରକୁ ଆସିଥିଲା ଯେତେବେଳେ ପୁରୁଣା କୋଠାଗୁଡ଼ିକ ଭଙ୍ଗାଯିବା ସମୟରେ ୪୦ରୁ ଅଧିକ ପ୍ରାଚୀନ ମନ୍ଦିର ଆବିଷ୍କୃତ ହୋଇଥିଲା । ସେହିସବୁ ମନ୍ଦିରଗୁଡ଼ିକୁ ପୁନରୁଦ୍ଧାର କରାଯିବା ସହ ସେଗୁଡ଼ିକର ସୌନ୍ଦର୍ଯ୍ୟକରଣ କରାଯାଇଛି ଏବଂ ଏକଥା ପ୍ରତି ମଧ୍ୟ ବିଶେଷ ଦୃଷ୍ଟି ଦିଆଯାଇଛି ଯେ ସେଗୁଡ଼ିକର ମୂଳ ଢ଼ାଂଚାକୁ ଅକ୍ଷୁର୍ଣ୍ଣ ରଖାଯିବ । ପ୍ରକଳ୍ପର ନିର୍ମାଣ ପରିସର ବେଶ୍ ବ୍ୟାପକ ଯାହା ୫ ଲକ୍ଷ ବର୍ଗ ଫୁଟରେ ପରିବ୍ୟାପ୍ତ । କିନ୍ତୁ ପୂର୍ବରୁ ତାହା ମାତ୍ର ୩୦୦ ବର୍ଗଫୁଟ ମଧ୍ୟରେ ସୀମିତ ଥିଲା । କୋଭିଡ଼ ମହାମାରୀ ସତ୍ତ୍ୱେ ପ୍ରକଳ୍ପ କାର୍ଯ୍ୟକୁ ପୂର୍ବରୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ସଂପୂର୍ଣ୍ଣ କରାଯାଇପାରିଛି । ଡିସେମ୍ବର ୧୩ ତାରିଖ ଦିନ ବାରାଣାସୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟାହ୍ନ ୧୨ଟା ବେଳେ କାଳ ଭୈରମ ମନ୍ଦିର ଦର୍ଶନ କରିବେ ଏବଂ ସନ୍ଧ୍ୟା ୬ଟା ସମୟରେ ସେଠାରେ ଗଙ୍ଗା ଆରତୀ ଦେଖିବେ । ଡିସେମ୍ବର ୧୪ ତାରିଖ ଦିନ ୩.୩୦ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ବାରାଣାସୀର ସ୍ୱର୍ଦେବ ମହାମନ୍ଦିରଠାରେ ସଦଗୁରୁ ସଦାଫଳଦେଓ ବିହଙ୍ଗମ୍ ଯୋଗ ସଂସ୍ଥାନ ଠାରେ ଆୟୋଜିତ ୯୮ତମ ବାର୍ଷିକ ଉତ୍ସମରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ସମୟରେ ସେ ଆସାମ, ଅରୁଣାଚଳ ପ୍ରଦେଶ, ଗୋଆ, ଗୁଜରାଟ, ହରିଆନା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ମଣିପୁର, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀମାନଙ୍କର ଏକ ସମାବେଶରେ ମଧ୍ୟ ଅଂଶଗ୍ରହଣ କରିବେ । ଏହି ସମ୍ମିଳନରରେ ବିହାର ଏବଂ ନାଗାଲାଣ୍ଡର ଉପ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗ ଦେଉଛନ୍ତି । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ଶ୍ରେଷ୍ଠ ଶାସନ ଅନୁଭୂତି ପରସ୍ପର ମଧ୍ୟରେ ବିନିମୟ କରିବାର ସୁଯୋଗ ଲାଭ କରିବେ ଏବଂ ଏହା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଟିମ୍ ଇଣ୍ଡିଆ ଭାବନାକୁ ଆଗକୁ ଆଗେଇ ନେବା ଲକ୍ଷ୍ୟକୁ ସାକାର କରିବ ।
SS