ଜେବୁ ପ୍ରଜାତିର ଗୋଧନ ପରିପାଳନ ଏବଂ ସହାୟକ ପ୍ରଜନନକ୍ଷମ ଟେକ୍ନୋଲଜିର ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ବ୍ରାଜିଲ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଏହି ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି ।
ବୁଝାମଣା ଅନୁଯାୟୀ ଦୁଇ ରାଷ୍ଟ୍ର ପାରସ୍ପରିକ ଆବଶ୍ୟକତା ଓ ସହମତି ଭିତ୍ତିରେ ଜେବୁ ପ୍ରଜାତି ଗୋଧନର ଅନୁବଂଶ ବୃଦ୍ଧି ଏବଂ ସହାୟକ ପ୍ରଜନନକ୍ଷମ ଟେକ୍ନୋଲଜିର ବିକାଶ ଲାଗି କାର୍ଯ୍ୟ କରିବେ । ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବାରେ ସହାୟକ ହେବ ।
ପ୍ରସ୍ତାବିତ କ୍ଷେତ୍ରରେ କାର୍ଯ୍ୟ ପରିଚାଳନା ପାଇଁ ଏକ ଆନ୍ତଃରାଷ୍ଟ୍ର ରୂପାୟନ କମିଟି ଗଠନ କରାଯିବ । ଏଥିରେ ଭାରତ ଓ ବ୍ରାଜିଲର ସମ ସଂଖ୍ୟକ ପ୍ରତିନିଧି ରହିବେ ଏବଂ ନିୟମିତ ଭାବେ ସେମାନେ ବିଭିନ୍ନ ଗବେଷଣା, ବିକାଶ ଓ ପ୍ରୟୋଗାତ୍ମକ କାର୍ଯ୍ୟଧାରାର ତଦାରଖ, ସମୀକ୍ଷା ଓ ମୂଲ୍ୟାୟନ କରିବେ ।
ମଇଁଷି ଏବଂ ନୂତନ ପ୍ରଜାତିର ଗୋଧନର ଉତ୍ପାଦିକା ଶକ୍ତି ବୃଦ୍ଧି ଲାଗି ମିଳିତ ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯିବ । ଏହି କାର୍ଯ୍ୟ ପ୍ରକ୍ରିୟା ଦୀର୍ଘସ୍ଥାୟୀ ଦୁଗ୍ଧ ଉତ୍ପାଦନ ବ୍ୟବସ୍ଥା ଏବଂ ଆନୁସଙ୍ଗିକ ଅନୁଷ୍ଠାନଗତ ଗବେଷଣା ଜ୍ଞାନର ବୃଦ୍ଧି ଦିଗରେ ସହାୟକ ହେବ ।
ଏହି ବୁଝାମଣାପତ୍ର ଜେବୁ ଗୋଧନର ଅନୁବଂଶ ଚିହ୍ନଟ କାର୍ଯ୍ୟକ୍ରମ ପରିଚାଳନା ଏବଂ ଏ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଗବେଷଣାତ୍ମକ ସହଯୋଗକୁ ବୃଦ୍ଧି କରିବ । ସେହିଭଳି ମଇଁଷି, ଜେବୁ ଗୋଧନ ତଥା ସେମାନଙ୍କର ହାଇବ୍ରିଡ କ୍ରସ ସୃଷ୍ଟି କ୍ଷେତ୍ରରେ ଅନୁବଂଶିକ ପ୍ରଯୁକ୍ତି କୌଶଳର ପ୍ରୟୋଗ, ବିଭିନ୍ନ ଗୋସମ୍ପଦ କ୍ଷେତ୍ରରେ ସହାୟକ ପ୍ରଜନନକ୍ଷମ ଟେକ୍ନୋଲଜିର ପ୍ରୟୋଗ, ଅନୁବଂଶ ଓ ସହାୟକ ପ୍ରଜନନକ୍ଷମ ଟେକ୍ନୋଲଜି କ୍ଷେତ୍ରରେ ସାମର୍ଥ୍ୟ ବୃଦ୍ଧି, ଅନୁବଂଶ ଏବଂ ସହାୟକ ପ୍ରଜନନକ୍ଷମ ଟେକ୍ନୋଲଜି ସଂକ୍ରାନ୍ତ ଉଚ୍ଚତର ଗବେଷଣା ଓ ବିକାଶ ଦିଗରେ ଏହି ବୁଝାମଣାପତ୍ର ବେଶ ସହାୟକ ହେବ ।
**********