ମହାମହିମ ରାଷ୍ଟ୍ରପତି ଜି ଜିନପିଙ୍ଗ, ମୋର ସମ୍ମାନିତ ବ୍ରିକ୍ସ ସହଯୋଗୀ, ବିଶିଷ୍ଟ ନେତାଗଣ,
ଆଜି ମୁଁ ଏଠି ଆପଣମାନଙ୍କ ସହ ସାମିଲ ହୋଇ ଆନନ୍ଦିତ । ଆପଣମାନଙ୍କ ଦେଶଗୁଡ଼ିକ ସହ ଭାରତର ଘନିଷ୍ଠ ଓ ମହତ୍ୱପୂର୍ଣ୍ଣ ଭାଗିଦାରୀ ରହିଛି । ଆଉ ବ୍ୟାପକ ଚିରସ୍ଥାୟୀ ବିକାଶକୁ ହାସଲ କରିବାର ମିଳିତ ପ୍ରାଥମିକତା ଉପରେ ଆପଣମାନଙ୍କ ସହ ଦୃଷ୍ଟିଭଙ୍ଗୀର ଆଦାନ-ପ୍ରଦାନ କରି ଖୁସି ଲାଗୁଛି । ଏହି ଆଲୋଚନା ପାଇଁ ଆମ ସମସ୍ତଙ୍କୁ ଏକାଠି କରିଥିବାରୁ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ଧନ୍ୟବାଦ ଜଣାଉଛି ।
ମହାମହିମ
2ବର୍ଷ ହେଲା ଯେବେଠୁ ଜାତିସଂଘର 2030 ଏଜେଣ୍ଡା ଓ ତା’ର 17ଟି ଚିରସ୍ଥାୟୀ ବିକାଶ ଲକ୍ଷ୍ୟକୁ ସ୍ୱୀକାର କରାଗଲାଣି, ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଜରୁରୀ ସହଭାଗିତା ପଦକ୍ଷେପ ଅଧିକ ସୁଦୃଢ଼ ହୋଇଛି । ନିକଟରେ ଜୁଲାଇ ମାସରେ ଭାରତ ଚିରସ୍ଥାୟୀ ବିକାଶ ଲକ୍ଷ୍ୟ(ଏସଡିଜି)ର ପ୍ରଥମ ସ୍ୱେଚ୍ଛାକୃତ ଜାତୀୟ ସମୀକ୍ଷା କରିଥିଲା । ଆମର ବିକାଶ ଏଜେଣ୍ଡାର ଆଧାର ହେଉଛି ‘ସବକା ସାଥ, ସବକା ବିକାଶ’ର ଚିନ୍ତାଧାରା । ତାହା ହେଉଛି ସାମୁହିକ ପ୍ରୟାସ, ସାମଗ୍ରିକ ବିକାଶ । ଆମେ ଉଭୟ ସଂଘୀୟ ଓ ରାଜ୍ୟସ୍ତରରେ ପ୍ରତ୍ୟେକ ବିକାଶ କାର୍ଯ୍ୟକ୍ରମ ଓ ଯୋଜନାର ଏସଡିଜି ରେଖାଙ୍କିତ କରିଛୁ । ଆମର ସଂସଦ ମଧ୍ୟ ଏସଡିଜି ଉପରେ ସଂସଦୀୟ ବିତର୍କ ଆୟୋଜନ କରିବା ଦିଗରେ ପଦକ୍ଷେପ ନେଇଛି । ଆମର କାର୍ଯ୍ୟକ୍ରମଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ଶୈଳୀରେ ଏହି ପ୍ରାଥମିକ ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରସ୍ତୁତ ଅଛି । କେବଳ ଗୋଟିଏ ଉଦାହରଣ ଦେଇ କହୁଛି କି ଆମର 3ଟି ବହୁମୁଖୀ ଆଭିମୁଖ୍ୟ ଯୋଗୁ ସମସ୍ତଙ୍କୁ ବ୍ୟାଙ୍କ ଏକାଉଣ୍ଟ ଉପଲବ୍ଧ କରିବା, ସମସ୍ତଙ୍କୁ ବାୟୋମେଟ୍ରିକ ପରିଚୟ ପ୍ରଦାନ ଓ ମୋବାଇଲ ପ୍ରଶାସନିକ ସମାଧାନର ଉପଯୋଗ ଯୋଗୁ ପ୍ରଥମଥର ପାଇଁ ପ୍ରାୟ 360 ନିୟୁତ ଲୋକଙ୍କୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର(ଡିବିଟି) ସମ୍ଭବପର ହୋଇପାରିଛି ।
ମହାମହିମ
ଆମେ ଏଭଳି ଘରୋଇ ପ୍ରୟାସ ମାଧ୍ୟମରେ ଠୋସ୍ ଆନ୍ତର୍ଜାତିକ ଭାଗିଦାରୀ ଦେଖିବାକୁ ଚାହୁଁ । ଆଉ ସେଇଥିପାଇଁ ଆମେ ଆମ ତରଫରୁ ଯାହା କିଛି କାର୍ଯ୍ୟ ସମ୍ପାଦନ ନିମନ୍ତେ ପ୍ରସ୍ତୁତ ଅଛୁ । ବିକାଶ ପାଇଁ ନିଜର ଆକାଂକ୍ଷାକୁ ପୂରଣ ନିମନ୍ତେ ସହଯୋଗୀ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ସହ ଭାଗିଦାରୀର ଏକ ଲମ୍ବା ପରମ୍ପରା ଭାରତର ରହିଛି । ପ୍ରତ୍ୟେକ କ୍ଷେତ୍ରରେ ଆମେ ନିଜର ଅଭିଜ୍ଞତା ଓ ସମ୍ବଳକୁ ଅନ୍ୟ ସହ ଭାଗ କରାଉଛୁ । ଗଣତାନ୍ତ୍ରିକ ସଂସ୍ଥାନକୁ ସୁଦୃଢ଼ କରିବାଠୁ ଆରମ୍ଭ କରି ଜନ ସେବା ପାଇଁ ହାଇଟେକ୍ ସମାଧାନ ପର୍ଯ୍ୟନ୍ତ । ଚଳିତବର୍ଷ ଆରମ୍ଭରେ ଆମେ ଦକ୍ଷିଣ-ଏସିଆ ସାଟେଲାଇଟ୍ ପ୍ରକ୍ଷେପଣ କରିଛୁ ଯାହା ଶିକ୍ଷା, ସ୍ୱାସ୍ଥ୍ୟସେବା, ଯୋଗାଯୋଗ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଜର ବିକାଶ ଲକ୍ଷ୍ୟକୁ ହାସଲ କରିବାକୁ ଆଗ୍ରହୀ ଆଞ୍ଚଳିକ ସହଯୋଗୀଙ୍କୁ ଉପକୃତ କରାଇବ । ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ଭାରତର ଅଗ୍ରଗାମୀ ପଦକ୍ଷେପ – ଭାରତୀୟ ଜ୍ଞାନକୌଶଳ ଓ ଆର୍ଥିକ ସହଯୋଗ(ଆଇଟିଇସି) ମାଧ୍ୟମରେ ଏସିଆ, ଆଫ୍ରିକା, ପୂର୍ବ-ୟୁରୋପ, ଲାଟିନ୍ ଆମେରିକା, କାରବିୟାନ୍ ଓ ପ୍ରଶାନ୍ତ ମହାଦ୍ୱୀପ ରାଷ୍ଟ୍ରର 161 ସହଯୋଗୀ ରାଷ୍ଟ୍ରଙ୍କୁ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶର ପ୍ରସ୍ତାବ ଦେଇଛି । ଏକାକୀ ଆଫ୍ରିକାରେ ଗତ ଦଶନ୍ଧିରେ 25 ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆଇଟିଇସି ଛାତ୍ରବୃତ୍ତିରେ ଭାରତରେ ପ୍ରଶିକ୍ଷିତ ହୋଇଛନ୍ତି । 2015 ମସିହାରେ ତୃତୀୟ ଭାରତ-ଆଫ୍ରିକା ଶିଖର ସମ୍ମିଳନୀରେ ସମସ୍ତ 54ଟି ଆଫ୍ରିକୀୟ ରାଷ୍ଟ୍ର ସାମିଲ ହୋଇଥିଲେ । ସେହିଠାରେ ଆମେ 5ବର୍ଷ ମଧ୍ୟରେ ଆଇଟିଇସି ଛାତ୍ରବୃତ୍ତିର ସଂଖ୍ୟା 50ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛୁ । ଆଫ୍ରିକାର ‘ସୋଲାର ମମ’ ବା ସୌର ମା’ଆମାନେ ଭାରତରେ ପ୍ରଶିକ୍ଷିତ ହୋଇ ଆଫ୍ରିକା ମହାଦ୍ୱୀପରେ ହଜାର ହଜାର ଘରକୁ ଆଲୋକିତ କରୁଛନ୍ତି । ଆଫ୍ରିକା ସହ ଆମର ବୃଦ୍ଧି ପାଉଥିବା ଭାଗିଦାରୀ ଯୋଗୁ ଆଫ୍ରିକୀୟ ବିକାଶ ବ୍ୟାଙ୍କ ତା’ର ବାର୍ଷିକ ବୈଠକ ପ୍ରଥମଥର ପାଇଁ ଆଫ୍ରିକା ବାହାରେ ଓ ଭାରତରେ ଚଳିତବର୍ଷ ଆରମ୍ଭରେ କରିଥିଲା । ଆମର ବିକାଶ ଭାଗିଦାରୀ ପରିଯୋଜନା ବିଶ୍ୱର ଅନେକ ରାଷ୍ଟ୍ରର ଲୋକଙ୍କୁ ପାଣି, ବିଜୁଳି, ସଡ଼କ, ସ୍ୱାସ୍ଥ୍ୟସେବା, ଟେଲି-ମେଡିସିନ୍ ଓ ମୌଳିକ ଭିତ୍ତିଭୂମି ପ୍ରଦାନ କରୁଛି । ଆଉ ଏସବୁ ଆମର ସହଯୋଗର ‘କୌଣସି ତାର ଜଡ଼ିତ ହୋଇଥିବା’ ମଡେଲ ନୁହେଁ । ଆମର ସହଯୋଗୀ ରାଷ୍ଟ୍ରଙ୍କ ଆବଶ୍ୟକତା ଓ ପ୍ରାଥମିକତା ଦ୍ୱାରା ଏହା ସମ୍ପୂର୍ଣ୍ଣ ଭାବେ ପ୍ରେରିତ ଅଟେ ।
ମହାମହିମ
ଏଠି ଉପସ୍ଥିତ ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ ମାନବତାର ପ୍ରାୟ ଅଧା ଭାଗ ପ୍ରତିନିଧିତ୍ୱ କରୁଛନ୍ତି । ଯାହାବି ଆମେ କରିବ ତାହାର ପ୍ରଭାବ ବିଶ୍ୱକୁ ଅଧିକ ପରିମାଣରେ ପ୍ରଭାବିତ କରିବ । ତେଣୁ ବ୍ରିକରୁ ବ୍ରିକ ଦ୍ୱାରା ବା ବ୍ରିକ୍ସ ମାଧ୍ୟମରେ ଉତ୍ତମ ବିଶ୍ୱ ଗଠନ ହେଉଛି ଆମର କର୍ତ୍ତବ୍ୟ । ଗତକାଲି ମୁଁ ବ୍ରିକ୍ସକୁ ଆସନ୍ତା 10ବର୍ଷ ମଧ୍ୟରେ ଆର୍ନ୍ତଜାତିକ ପରିବର୍ତ୍ତନ ସମ୍ପର୍କରେ କହିଥିଲି । କାରଣ ଏହା ସୁବର୍ଣ୍ଣ ଦଶନ୍ଧି ହେବାକୁ ଯାଉଛି । ମୋର ପ୍ରସ୍ତାବ ଥିଲା କି ଏହି ନିମ୍ନଲିଖିତ 10ଟି ମହତ ପ୍ରତିବଦ୍ଧତାକୁ ଆମର ସକ୍ରିୟ ଦୃଷ୍ଟିଭଙ୍ଗୀ, ନୀତି ଓ କାର୍ଯ୍ୟରେ ପରିଣତ କରାଯାଇପାରିବ ।
1- ଏକ ସୁରକ୍ଷିତ ବିଶ୍ୱ ଗଠନ : ଅତିକମରେ 3ଟି ପ୍ରସଙ୍ଗରେ ସଂଗଠିତ ଓ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଦ୍ୱାରା : ଯଥା ଆତଙ୍କବାଦର ମୁକାବିଲା, ସାଇବର ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନା
2- ସବୁଜ ବିଶ୍ୱ ଗଠନ : ଆନ୍ତର୍ଜାତିକ ସୌର ମେଣ୍ଟ ପଦକ୍ଷେପ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନର ସମ୍ମୁଖୀନ ଦିଗରେ ଠୋସ୍ କାର୍ଯ୍ୟାନୁଷ୍ଠାନ କରିବା
3- ଏକ ସକ୍ଷମ ବିଶ୍ୱ ନିର୍ମାଣ : ଦକ୍ଷତା, ଅର୍ଥବ୍ୟବସ୍ଥା ଓ ପ୍ରଭାବଶୀଳତା ବୃଦ୍ଧି ପାଇଁ ଉପଯୁକ୍ତ ଜ୍ଞାନକୌଶଳର ଆଦାନପ୍ରଦାନ ଓ ଉପଯୋଗିତା
4- ସାମଗ୍ରିକ ବିଶ୍ୱ ଗଠନ : ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ବ୍ୟବସ୍ଥାରେ ଆମର ଲୋକଙ୍କୁ ଆର୍ଥିକ ମୁଖ୍ୟସ୍ରୋତରେ ସାମିଲ କରିବା
5- ଡିଜିଟାଲ ବିଶ୍ୱ ଗଠନ : ଆମର ଅର୍ଥବ୍ୟବସ୍ଥା ଭିତରେ ଓ ବାହାରେ ଡିଜିଟାଲ ପ୍ରତିବନ୍ଧକକୁ ଭାଙ୍ଗିବା ।
6- କୁଶଳୀ ବିଶ୍ୱ ଗଠନ : ଆମର ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ସାମର୍ଥ୍ୟ ପ୍ରଦାନ କରି ସେମାନଙ୍କ ଭବିଷ୍ୟତ ଗଢ଼ିବା
7- ସୁସ୍ଥ ବିଶ୍ୱ ଗଠନ : ରୋଗର ଉନ୍ମୁଳନ ପାଇଁ ଗବେଷଣା ଓ ବିକାଶରେ ସହଯୋଗ କରିବା ଓ ସମସ୍ତଙ୍କୁ ସୁଲଭ ସ୍ୱାସ୍ଥ୍ୟସେବା ନିମନ୍ତେ ସକ୍ଷମ କରାଇବା ।
8- ସମାନ ବିଶ୍ୱ ଗଠନ : ବିଶେଷକରି ଲିଙ୍ଗଗତ ସମାନତା ମାଧ୍ୟମରେ ସମସ୍ତଙ୍କୁ ସୁଯୋଗର ସମାନତା ପ୍ରଦାନ କରିବା
9- ସଂଯୋଜିତ ବିଶ୍ୱ ଗଠନ : ସାମଗ୍ରୀ, ବ୍ୟକ୍ତି ଓ ସେବାର ମୁକ୍ତ ପ୍ରବାହ ସକ୍ଷମ କରିବା ତଥା
10- ସୌହାର୍ଦ୍ଦ୍ୟପୂର୍ଣ୍ଣ ବିଶ୍ୱ ଗଠନ : ବିଚାରଧାରା, ପ୍ରଥା ଓ ପରମ୍ପରାକୁ ପ୍ରୋତ୍ସାହିତ କରିବା ଯାହା ଶାନ୍ତିପୂଣ୍ଣଁ ସହବସ୍ଥାନ ଉପରେ କେନ୍ଦ୍ରିତ ହେବ ଓ ପ୍ରକୃତି ସହ ସଦ୍ଭାବରେ ବଞ୍ଚିବା ।
ଏସବୁ ଏଜେଣ୍ଡା ମାଧ୍ୟମରେ ଓ ସେଗୁଡ଼ିକ ଉପରେ କାର୍ଯ୍ୟକରି ଆମେ ପ୍ରତ୍ୟକ୍ଷ ଭାବେ ବିଶ୍ୱ ସମ୍ପ୍ରଦାୟର କଲ୍ୟାଣ କରିପାରିବା । ଏହା ସହିତ ନିଜର ଲୋକଙ୍କ କଲ୍ୟାଣ ମଧ୍ୟ ହୋଇପାରିବ । ଏହି ସାମୁହିକ ପ୍ରୟାସରେ ପ୍ରତ୍ୟେକଙ୍କୁ ସହଯୋଗ ଓ ସମର୍ଥନ ପାଇଁ ଭାରତ ଭାଗିଦାର ହେବାକୁ ଇଚ୍ଛୁକ ଓ ପ୍ରତିଶ୍ରୁତିବଦ୍ଧ । ଏ ଦିଗରେ ଆମେ ମିଳିତ ଭାବେ ପ୍ରୟାସ ପାଇଁ ତତ୍ପର । ଏହି ସୁନ୍ଦର ସହର ଜିୟାମେନରେ ହାର୍ଦ୍ଦିକ ସ୍ୱାଗତ ଓ ଆତିଥ୍ୟ ପାଇଁ ମୁଁ 2017 ମସିହା ପାଇଁ ବ୍ରିକ୍ସ ଅଧ୍ୟକ୍ଷତା କରୁଥିବା ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ପ୍ରଶଂସା କରୁଛି । ମୁଁ ରାଷ୍ଟ୍ରପତି ଜୁମାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି ଓ ଆସନ୍ତାବର୍ଷ ଜୋହାନ୍ସବର୍ଗ ସମ୍ମିଳନୀ ପାଇଁ ଭାରତର ପୂର୍ଣ୍ଣ ସହଯୋଗ ନିମନ୍ତେ ପ୍ରତିଶ୍ରୁତି ଦେଉଛି ।
ଧନ୍ୟବାଦ ।
**********
Addressed the BRICS Emerging Markets and Developing Countries Dialogue. Sharing my speech. https://t.co/0Oed2c4igl
— Narendra Modi (@narendramodi) September 5, 2017
Emphasised on India’s commitment & endeavours towards expanding developmental cooperation with other nations, particularly Africa.
— Narendra Modi (@narendramodi) September 5, 2017