ଜାତୀୟ ଗ୍ରାମୀଣ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ଜାରି ରଖିବା ଏବଂ ପୁନର୍ଗଠନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ଯଦ୍ଦ୍ୱାରା ଏହା ଆହୁରି ଫଳପ୍ରଦ, ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବା ସହିତ ଯୋଜନାର କାର୍ଯ୍ୟକାରୀତା ଭଲ ଭାବେ ଅନୁଧ୍ୟାନ କରାଯାଇପାରିବ ଏବଂ ଗ୍ରାମାଂଚଳର ଲୋକମାନଙ୍କ ପାଇଁ ଉନ୍ନତମାନର ସେବା ସୁନିଶ୍ଚିତ କରାଯାଇପାରିବ ।
ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଅବଧି 2017-18 ରୁ 2019-20 ମଧ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ 23,050 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଦେଶର ସମସ୍ତ ଗ୍ରାମାଂଚଳର ଲୋକମାନେ ଏହି କାର୍ଯ୍ୟକ୍ରମ ଅଧୀନରେ ଅର୍ନ୍ତଭୁକ୍ତ ହେବେ । ପୁନର୍ଗଠନ ଦ୍ୱାରା ଏହି କାର୍ଯ୍ୟକ୍ରମ ଅଧିକ ନମନୀୟ, ଫଳପ୍ରଦ, ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବା ସହିତ ବ୍ୟାପକ ଅଂଚଳକୁ ନିରନ୍ତର ଜଳଯୋଗାଣ ପାଇଁ ମନ୍ତ୍ରଣାଳୟର ଲକ୍ଷ୍ୟ ସାଧିତ ହୋଇପାରିବ ।
ଏହି କାର୍ଯ୍ୟକ୍ରମ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ସେଗୁଡ଼ିକ ହେଲା:
1. 2020 ମାର୍ଚ୍ଚରେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଅବଧି ସରିବା ପର୍ଯ୍ୟନ୍ତ ଜାତୀୟ ଗ୍ରାମୀଣ ପାନୀୟ ଜଳ (ଏନଆରଡିଡବ୍ଲ୍ୟୁପି) କାର୍ଯ୍ୟକ୍ରମ ଜାରି ରହିବ ।
2.ଏନଆରଡିଡବ୍ଲ୍ୟୁପିର ପୁନର୍ଗଠନ ହେବା ଦ୍ୱାରା ଜାପାନୀ ଏନସେଫାଲାଇଟ୍ସ (ଜେଇ)/ଗୁରୁତର ଏନସେଫାଲାଇଟ୍ସ ସିଣ୍ଡ୍ରୋମ (ଏଇଏସ) ପ୍ରଭାବିତ ଅଂଚଳଗୁଡ଼ିକ ପାଇଁ 2% ଅତିରିକ୍ତ ପାଣ୍ଠି ନିର୍ଦ୍ଧାରଣ ସମ୍ଭବ ହୋଇପାରିବ ।
3. ପାନୀୟ ଜଳ ଏବଂ ପରିମଳ ମନ୍ତ୍ରଣାଳୟ ଦ୍ୱାରା ଏନଆରଡିଡବ୍ଲ୍ୟୁପି ଅଧୀନରେ ଏକ ନୂଆ ଉପ-କାର୍ଯ୍ୟକ୍ରମ ଫେବୃଆରୀ 2017ରେ ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ପ୍ରାୟ 28 ହଜାର ଆର୍ସେନିକ ଏବଂ ଫ୍ଲୋରାଇଡ ପ୍ରଭାବିତ ଅଂଚଳ(ପୂର୍ବରୁ ଚିହ୍ନଟ)ରେ ଜରୁରୀ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ କରାଯାଇପାରିବ । ମାର୍ଚ୍ଚ 2021 ପର୍ଯ୍ୟନ୍ତ 4 ବର୍ଷରେ କେନ୍ଦ୍ର ସରକାରଙ୍କ ଭାଗ 12,500 ଟଙ୍କା ଏଥିପାଇଁ ଆବଶ୍ୟକ ହେବ ବୋଲି ଆକଳନ କରାଯାଇଛି ।
ଏନଆରଡିଡବ୍ଲ୍ୟୁପି ଅଧୀନରେ ଆବଂଟିତ ପାଣ୍ଠିକୁ ଏ ବାବାଦରେ ଅନୁଦାନ ଯୋଗାଇ ଦିଆଯିବ ।
4.ସହମତି ହୋଇଥିବା ଯୋଜନା ପାଇଁ ଆଗୁଆ ଅର୍ଥ ଲଗାଣ, ଦ୍ୱିତୀୟ କିସ୍ତି ପରିମାଣର ପାଖାପାଖି ଅଧା ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟୟ କରାଯିବ, ଯାହାକି ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ଅନୁଦାନ ଦ୍ୱାରା ଭରଣା କରାଯିବ । ଯଦି ନିର୍ଦ୍ଦିଷ୍ଟ ଆର୍ଥିକ ବର୍ଷର 30 ନଭେମ୍ବର ସୁଦ୍ଧା ରାଜ୍ୟ ସରକାର ଏହି ପାଣ୍ଠି ପାଇଁ ଦାବି ଉପସ୍ଥାପନ ନକରିପାରନ୍ତି ତା’ହେଲେ ଏହି ଅର୍ଥ ଏକ ସାଧାରଣ ପୁଲ ମଧ୍ୟକୁ ଚାଲିଯିବ । ଯାହା ଭଲ ପ୍ରଦର୍ଶନ କରୁଥିବା ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯିବ । ପ୍ରଥମେ ଭାରତ ସରକାରଙ୍କ ଭାଗର ଅର୍ଥ ଲଗାଣ କରିସାରିଥିବା ରାଜ୍ୟକୁ ଏହି ପୁଲରୁ ପାଣ୍ଠି ଯୋଗାଇ ଦିଆଯିବ ।
5.ଦ୍ୱିତୀୟ କିସ୍ତିର ଅନ୍ୟ ଅଧା ଭାଗ ଅନୁଦାନ କାର୍ଯ୍ୟକାରୀତା ସ୍ଥିତି ଆଧାରରେ ପାଇପ ଜଳ ଯୋଗାଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିଥିବା ରାଜ୍ୟଗୁଡ଼ିକୁ ତୃତୀୟ ପକ୍ଷ ଆକଳନ ଅନୁଯାୟୀ ଯୋଗାଇ ଦିଆଯିବ ।
6.ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଅବଧି 2017-18 ରୁ 2019-20 ମଧ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ 23,050 କୋଟି ଟଙ୍କା କ୍ୟାବିନେଟ ଅନୁମୋଦନ କରିଛନ୍ତି ।
ଏହି କାର୍ଯ୍ୟକ୍ରମର ଉପାଦାନଗୁଡ଼ିକୁ ହ୍ରାସ କରାଯାଇ ଏନଆରଡିଡବ୍ଲ୍ୟୁପି ପାଣ୍ଠି ବିନଯୋଗ ପାଇଁ ରାଜ୍ୟଗୁଡ଼ିକୁ ଅଧିକ ନମନୀୟତା ପ୍ରଦାନ କରାଯାଇଛି ।
ପାନୀୟ ଜଳ ଏବଂ ପରିମଳ ମନ୍ତ୍ରଣାଳୟର ସମନ୍ୱିତ ପରିଚାଳନା ସୂଚନା ବ୍ୟବସ୍ଥା (ଆଇଏଆଇଏସ)ର ତଥ୍ୟ ଅନୁଯାୟୀ, ଭାରତରେ ଗ୍ରାମୀଣ ଜନସଂଖ୍ୟାର 77% ଲୋକଙ୍କୁ ପୂର୍ଣ୍ଣ ଜଳଯୋଗାଣ (ଦୈନିକ ମୁଣ୍ଡପିଛା 40 ଲିଟର) ଏବଂ 56% ଗ୍ରାମାଂଚଳର ଲୋକମାନଙ୍କୁ ସାଧାରଣ ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ନଳ ଯୋଗେ ଜଳଯୋଗାଣ କରାଯାଇଛି । ଏମାନଙ୍କ ମଧ୍ୟରୁ 16.7% ଲୋକ ଘରୋଇ ସଂଯୋଗ ପାଇଛନ୍ତି । ସୂଚନାଯୋଗ୍ୟ ଯେ ଗ୍ରାମାଂଚଳରେ ସୁଲଭ ଜଳ ଯୋଗାଣ ଉଦ୍ଦେଶ୍ୟରେ ଏନଆରଡିଡବ୍ଲ୍ୟୁପି ଯୋଜନା 2009ରେ ଆରମ୍ଭ କରାଯାଇଥିଲା ।
***