Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜାତୀୟ ଖଣିଜ ଅନ୍ୱେଷଣ ନୀତିକୁ କେବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରମଣ୍ଡଳ ବୈଠକରେ ଜାତୀୟ ଖଣିଜ ଅନ୍ୱେଷଣ ନୀତି ଅନୁମୋଦନ ଲାଭ କରିଛି ।

ଘରୋଇ କ୍ଷେତ୍ରର ଅଧିକ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଖଣିଜ ତତ୍ତ୍ୱ ଅନ୍ୱେଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଜାତୀୟ ଖଣିଜ ଅନ୍ୱେଷଣ ନୀତି (NMEP)ର ପ୍ରାଥମିକ ଉଦ୍ଦେଶ୍ୟ । ଦେଶରେ ଇନ୍ଧନ ଏବଂ କୋଇଲା ବ୍ୟତୀରେକେ ଗଚ୍ଛିତ ଥିବା ଖଣିଜ ସମ୍ପଦର ଅନୁସନ୍ଧାନ କରି ଏହାର ସମ୍ପୂର୍ଣ୍ଣ ସଦୁପଯୋଗ କରିବା ତଥା ଏହାଦ୍ୱାରା ଦେଶର ଅର୍ଥବ୍ୟବସ୍ଥାକୁ ସର୍ବାଧିକ କ୍ଷେତ୍ରୀୟ ସହଯୋଗ ପ୍ରଦାନର ଆବଶ୍ୟକତା ରହିଛି ।

ଜନସାଧାରଣଙ୍କୁ ବିଶ୍ୱ ସ୍ତରର ଭୂବିଜ୍ଞାନ ଆଧାରରେଖା ଉପଲବ୍ଧ କରାଇବା, ସରକାର ଓ ଘରୋଇ କ୍ଷେତ୍ରର ଭାଗିଦାରୀରେ ଉଚ୍ଚମାନର ଗବେଷଣା, ଅଧିକ ଗଭୀର ସ୍ତରରେ ଥିବା ଏବଂ ଭୂମିତଳେ ରହିଥିବା ଖଣିଜ ପଦାର୍ଥର ଅନୁସନ୍ଧାନ ପାଇଁ ପଦକ୍ଷେପ, ଦେଶର ତ୍ୱରିତ ବାୟବୀୟ ଭୂପଦାର୍ଥ ସର୍ଭେ କରିବା ଏବଂ ଏକ ସମନ୍ୱିତ ଭୂବିଜ୍ଞାନ ତଥ୍ୟାବଳୀ ବା ଡାଟାବେସ ପ୍ରସ୍ତୁତି ଉପରେ ଏହି ନୀତିରେ ଗୁରୁତ୍ୱ ଦିଆଯାଇଛି ।

ଦେଶରେ ଖଣିଜ ପଦାର୍ଥ ଅନ୍ୱେଷଣ କାର୍ଯ୍ୟକୁ ସୁବିଧାଜନକ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା NMEPର ବୈଶିଷ୍ଟ୍ୟଗୁଡିକ ହେଲା –

1. ଯଦି ଖନନ କାର୍ଯ୍ୟ ଦ୍ୱାରା ନିଲାମ ଯୋଗ୍ୟ ପଦାର୍ଥ ବାହାରେ ତାହେଲେ ରାଜସ୍ୱରେ ଅଂଶୀଦାରୀ ହିସାବରେ ଚିହ୍ନିତ ଅନ୍ୱେଷଣ ବ୍ଲକଗୁଡିକୁ ଖଣି ମନ୍ତ୍ରଣାଳୟ ଘରୋଇ କ୍ଷେତ୍ରକୁ ଖନନ ପାଇଁ ନିଲାମ କରିବ । ଏହି ରାଜସ୍ୱ ନିଲାମ ଯୋଗ୍ୟ ବ୍ଲକର ସଫଳ ନିଲାମଧାରୀଙ୍କ ଦ୍ୱାରା ବହନ କରାଯିବ ।

2. ଯଦି ଖନନକାରୀ ଏଜେନ୍ସୀକୁ କୌଣସି ନିଲାମଯୋଗ୍ୟ ପଦାର୍ଥ ନ ମିଳେ ତେବେ ଖନନ ପାଇଁ ହୋଇଥିବା ଖର୍ଚ୍ଚ ନିୟମାନୁଯାୟୀ ତାଙ୍କୁ ଭରଣା କରାଯିବ ।

3. ଜନସାଧାରଣଙ୍କୁ ମୂଳ ଭୂବିଜ୍ଞାନ ତଥ୍ୟାବଳୀ ବିନା ଖର୍ଚ୍ଚରେ ଉପଲବ୍ଧ କରାଯିବ ।

4. ଲୁକ୍କାୟିତ ଅବସ୍ଥାରେ ଥିବା ଖଣିଜ ପଦାର୍ଥକୁ ଲକ୍ଷ୍ୟ ରଖି ଅତ୍ୟାଧୁନିକ ମୂଳ ତଥ୍ୟାବଳୀ ପ୍ରସ୍ତୁତି ପାଇଁ ସରକାର ଏକ ଜାତୀୟ ବାୟବୀୟ ଭୂପଦାର୍ଥ କାର୍ଯ୍ୟକ୍ରମ ହାତକୁ ନେବେ ।

5. କେନ୍ଦ୍ର ଏବଂ ରାଜ୍ୟର ବିଭିନ୍ନ ଏଜେନ୍ସୀମାନଙ୍କ ଦ୍ୱାରା ଉତ୍ପନ୍ନ ସମସ୍ତ ମୂଳାଧାର ଏବଂ ଖଣିଜ ଅନ୍ୱେଷଣ ସୂଚନା ତଥା ଖଣିଜ ରିହାତିଧାରୀଙ୍କ ସମ୍ପର୍କରେ ସୂଚନା ସମ୍ବଳିତ ଏକ ଜାତୀୟ ଭୂ-ବିଜ୍ଞାନ ତଥ୍ୟାବଳୀ ଭଣ୍ଡାର ପ୍ରସ୍ତୁତିର ପ୍ରସ୍ତାବ ରହିଛି ।

6. ଦେଶରେ ଖଣିଜ ପଦାର୍ଥ ଉତ୍ତୋଳନ କ୍ଷେତ୍ରରେ ଥିବା ଆହ୍ୱାନର ମୁକାବିଲା ପାଇଁ ସରକାର ବିଜ୍ଞାନ ଓ ଗବେଷଣା ସଂସ୍ଥା, ବିଶ୍ୱବିଦ୍ୟାଳୟ ଏବଂ ଉଦ୍ୟୋଗ କ୍ଷେତ୍ର ସହାୟତାରେ ଲାଭର ଉଦ୍ଦେଶ୍ୟ ନ ରଖି ନେସନାଲ ସେଣ୍ଟର ଫର ମିନେରାଲ ଟାର୍ଗେଟିଙ୍ଗ (NCMT) ନାମରେ ଏକ ସ୍ୱୟଂଶାସିତ ସଂସ୍ଥା ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛନ୍ତି ।

7. ଆକର୍ଷଣୀୟ ଲାଭାଂଶ ମାଧ୍ୟମରେ ଖଣିଜ ଅନ୍ୱେଷଣ ପାଇଁ ଘରୋଇ କ୍ଷେତ୍ରରୁ ପୁଞ୍ଜି ବିନିଯୋଗକୁ ଆକୃଷ୍ଟ କରିବା ପାଇଁ ବ୍ୟବସ୍ଥା ।

8. ଅଷ୍ଟ୍ରେଲିଆର UNCOVER ପରିଯୋଜନା ଆଧାରରେ ସରକାର ଜାତୀୟ ଭୂବିଜ୍ଞାନ ଗବେଷଣା ସଂସ୍ଥା ଏବଂ ପ୍ରସ୍ତାବିତ NCMT ତଥା ଜିଓସାଇନ୍ସ ଅଷ୍ଟ୍ରେଲିଆ ସହାୟତାରେ ଦେଶରେ ଗହିର ଭୂମିରେ ଥିବା କିମ୍ବା ଲୁକ୍କାୟିତ ଅବସ୍ଥାରେ ଥିବା ଖଣିଜ ପଦାର୍ଥ ଅନ୍ୱେଷଣ ପାଇଁ ଏକ ବିଶେଷ ପଦକ୍ଷେପ ଗ୍ରହଣ କରିବାକୁ ଚାହୁଁଛନ୍ତି ।

9. NMEPର ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଯୋଜନା ବ୍ୟୟ ଅଟଳଳ ବ୍ୟତୀତ ପ୍ରାଥମିକ ଭାବେ ପାଞ୍ଚ ବର୍ଷ ମଧ୍ୟରେ 2,116 କୋଟି ଟଙ୍କା ଆବଶ୍ୟକ । NMEP ଦେଶରେ ସମ୍ପୂର୍ଣ୍ଣ ଖଣି କ୍ଷେତ୍ରର ହିତସାଧନ କରିବ ।

NMEP ନିମ୍ନଲିଖିତ ପ୍ରଭାବ ପକାଇବ-

1. Pre-competitive baseline geoscientific data ଜନସାଧାରଣଙ୍କ ସମ୍ପତ୍ତି ହେବ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ସେମାନଙ୍କୁ ନିଃଶୁଳ୍କ ଉପଲବ୍ଧ ହେବ । ଏହା ସରକାରୀ ଏବଂ ବେସରକାରୀ ଖନନକାରୀ ଏଜେନ୍ସୀମାନଙ୍କ ପାଇଁ ସହାୟକ ହେବ ବୋଲି ଆଶା କରାଯାଏ ।

2. ସରକାରୀ-ଘରୋଇ ଭାଗିଦାରୀ ବିଜ୍ଞାନ ଏବଂ ଗବେଷଣା ସଂସ୍ଥା, ବିଶ୍ୱବିଦ୍ୟାଳୟ ଓ ଉଦ୍ୟୋଗଗୁଡିକ ସହାୟତାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଜନିତ ପ୍ରଗତିକୁ ହାସଲ କରିବା ଆବଶ୍ୟକ ।

3. ସରକାର ଦେଶରେ ଗଭୀର ଭୂତଳରେ ଥିବା କିମ୍ବା ଲୁକ୍କାୟିତ ଅବସ୍ଥାରେ ଥିବା ଖଣିଜ ପଦାର୍ଥ ଅନ୍ୱେଷଣ ପାଇଁ ଏକ ବିଶେଷ ପଦକ୍ଷେପ ଗ୍ରହଣ କରିବେ । ଏହି ପଦେକ୍ଷପ ଅନ୍ତର୍ଗତ ଭାରତର ଲିଥୋସ୍ଫିଅରିକ ଗଠନ, ଭୂମିରୂପର 4ଡି ଜିଓଡାଇନାମିକ ଏବଂ ମେଟାଲର୍ଜିକାଲ ମୂଲ୍ୟାଙ୍କନ ଏବଂ ଗଚ୍ଛିତ ପଦାର୍ଥର ଡିଜିଟାଲ ପଦପାତର ସନ୍ଧାନ ଆଦି ପ୍ରମୁଖ ହେବ ।

4. କମ ଉଚ୍ଚତାରୁ ଏବଂ କମ୍ ଦୂରତ୍ୱର ଆକାଶ ଉଡାଣ ଦ୍ୱାରା ସମଗ୍ର ଦେଶର ଭୂମି ତଳେ ଗଭୀରତାରେ ଏବଂ ଲୁକ୍କାୟିତ ଖଣିଜ ପଦାର୍ଥ ଭଣ୍ଡାରର ଅନୁସନ୍ଧାନ ପାଇଁ ଏକ ଜାତୀୟ ଏରୋଜିଓଫିଜିକାଲ୍ ମେପିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ।

5. ନିଲାମ ଦ୍ୱାରା ରାଜ୍ୟ ସରକାରଙ୍କୁ ମିଳୁଥିବା ରାଜସ୍ୱର କିଛି ଲାଭାଂଶର ଅଧିକାର ସହ ଚିହ୍ନିତ ଅନ୍ୱେଷଣ ବ୍ଲକରେ ଖନନ କାର୍ଯ୍ୟ ପାଇଁ ସରକାର ଘରୋଇ ସଂସ୍ଥାକୁ ନିଯୁକ୍ତ କରିପାରନ୍ତି ।
6. କ୍ଷେତ୍ରୀୟ ଏବଂ ବିସ୍ତୃତ ଅନ୍ୱେଷଣ କାର୍ଯ୍ୟ ପାଇଁ ହେବାକୁ ଥିବା ଖର୍ଚ୍ଚକୁ ଅଗ୍ରାଧିକାର ଦିଆଯିବା ସହ ଏହା ସେମାନଙ୍କ ବିଶେଷ ସ୍ଵାର୍ଥର ମୂଲ୍ୟାଙ୍କନ ଆଧାରିତ ନିୟମିତକାଳୀନ ସମୀକ୍ଷାର ବିଷୟ ହେବ ।

ପୃଷ୍ଟଭୁମି :

ନିକଟ ଅତୀତରେ ଖଣି ମନ୍ତ୍ରଣାଳୟ ଖଣି କ୍ଷେତ୍ରର ଅଭିବୃଦ୍ଧି ପାଇଁ ଶତ ପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ସହ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଅବଶ୍ୟ, ଏହି ପଦକ୍ଷେପ ସେତେ ସଫଳ ହୋଇପାରିନାହିଁ । ଆଉ ପୁଣି ଇତି ମଧ୍ୟରେ ଖଣି କ୍ଷେତ୍ରରେ ନୂଆ ଚାହିଦାକୁ ନେଇ ଅନେକ ପରିବର୍ତ୍ତନ ଆସିଛି । ଦେଶରେ ଖନନ କ୍ରିୟାକୁ ଏକ ନୂତନ ଗତି ଦିଆଯିବାର ଖୁବ୍ ଆବଶ୍ୟକତା ରହିଛି । ଏହା ସରକାରଙ୍କୁ ଏହାର ଖଣି ନୀତିର ସମୀକ୍ଷା ପାଇଁ ପ୍ରେରିତ କରିଛି । MMDR Act 2015 ରେ କରାଯାଇଥିବା ସଂଶୋଧନ ଏ ଦିଗରେ ଗୋଟିଏ ପଦକ୍ଷେପ । ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ମାଇନିଂ ଲିଜ୍ (ML) ଏବଂ ପ୍ରସପେକଟିଙ୍ଗ ଲାଇସେନ୍ସ ଓ ମାଇନିଂ ଲିଜ୍ (PL-cum-ML) କେବଳ ନିଲାମ ପ୍ରକ୍ରିୟା ମାଧ୍ୟମରେ ହିଁ ପ୍ରଦାନ କରାଯିବ । ଏହାଦ୍ୱାରା କାର୍ଯ୍ୟ ସ୍ୱଚ୍ଛ, ତ୍ଵରାନ୍ୱିତ ଏବଂ ରିହାତି କ୍ଷେତ୍ରରେ ସରଳ ପ୍ରକ୍ରିୟାରେ ହୋଇପାରିବ । ଏହି ପୃଷ୍ଠଭୂମି ସହ ଧାର୍ଯ୍ୟ ଲକ୍ଷ୍ୟ, ଅନ୍ୱେଷଣର ଉଦ୍ଦେଶ୍ୟ ଏବଂ ଗତିକୁ ନେଇ ଆଇନର ପରିସୀମା ମଧ୍ୟରେ ଜାତୀୟ ଖଣିଜ ଅନ୍ଵେଷଣ ନୀତିକୁ (NMEP) ପ୍ରସ୍ତୁତ କରାଯାଇଛି ।

**********