ଦେଶର ଜନସାଧାରଣ ଏବଂ ଗରିବଙ୍କ କଲ୍ୟାଣ ପାଇଁ ପ୍ରୟାସ ସ୍ୱରୂପ, ନିମ୍ନଲିଖିତ ପରିବର୍ତ୍ତନ ସହିତ ଜାତୀୟ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଅଭିଯାନ – ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ)କୁ ଆଗକୁ ଜାରି ରଖିବା ଲାଗି 5.9.2018ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।
14.8.2018ର ପରବର୍ତ୍ତି ଅବଧି ଲାଗି ଜାତୀୟ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଅଭିଯାନ-ପିଏମଜେଡିୱାଇ ଜାରି ରହିବ ।
ବର୍ତ୍ତମାନର ଓଭରଡ୍ରାଫ୍ଟ (ଓଡି) ସୀମା 5 ହଜାରରୁ 10 ହଜାର ଟଙ୍କାକୁ ବଢ଼ାଇ ଦିଆଯାଇଛି ।
2 ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ପାଇଁ କୌଣସି ସର୍ତ୍ତ ରଖାଯାଇନାହିଁ ।
ଓଭରଡ୍ରାଫ୍ଟ ସୁବିଧା ପାଇବାର ବୟସ ସୀମା ଏବେ 18ରୁ 60 ବର୍ଷ ଥିବା ବେଳେ ତାକୁ 18ରୁ 65 ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।
ସମ୍ପ୍ରସାରିତ ଯୋଜନା ଅଧୀନରେ “ପ୍ରତ୍ୟେକ ପରିବାରରୁ ପ୍ରତ୍ୟେକ ପ୍ରାପ୍ତବୟସ୍କ‘ଙ୍କ ପାଇଁ ନୂଆ ରୂପେ କାର୍ଡଧାରୀଙ୍କ ସକାଶେ ଦୁର୍ଘଟଣା ବୀମା ପରିମାଣ 1 ଲକ୍ଷ ଟଙ୍କାରୁ 2 ଲକ୍ଷ ଟଙ୍କା କରି ଦିଆଯାଇଛି । 28.8.18 ପରେ ପିଏମଜେଡିୱାଇ ଏକାଉଣ୍ଟ ଖୋଲିଥିବା ଜମାକାରୀ ଏହି ସୁବିଧା ପାଇପାରିବେ ।
ପ୍ରଭାବ : ଏହି ଅଭିଯାନ ଜାରି ରହିବା ଫଳରେ ଦେଶର ପ୍ରତ୍ୟେକ ପରିବାର/ପ୍ରାପ୍ତବୟସ୍କଙ୍କ ନିକଟରେ ଗୋଟିଏ ସର୍ବନିମ୍ନ ବ୍ୟାଙ୍କ ଏକାଉଣ୍ଟ ରହିବ । ଫଳରେ ସେମାନେ ଅନ୍ୟ ଆର୍ଥିକ ସେବା, ସାମାଜିକ ନିରାପତ୍ତା ଯୋଜନା ଏବଂ 10,000 ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ପାଇପାରିବେ । ଏହା ଫଳରେ ସେମାନେ ମୁଖ୍ୟଧାରାର ଆର୍ଥିକ ସେବା ଅଧୀନକୁ ଆସିପାରିବେ ଏବଂ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ମିଳୁଥିବା ସବସିଡି ଅଧିକ ପ୍ରଭାବୀ ଢଙ୍ଗରେ ମିଳିପାରିବ ।
ପିଏମଜେଡିୱାଇ ଅଧୀନରେ ଉପଲବ୍ଧୀ:
ପାଖାପାଖି 32.41 କୋଟି ଜନ ଧନ ଏକାଉଣ୍ଟ ଖୋଲାଯାଇସାରିଛି ଏବଂ ଏଥିରେ 81,200 କୋଟି ଜମା ରହିଛି ।
ଏମାନଙ୍କ ମଧ୍ୟରେ 53% ମହିଳା ଜନଧନ ଏକାଉଣ୍ଟଧାରୀ ରହିଛନ୍ତି ଏବଂ 59% ଜନଧନ ଏକାଉଣ୍ଟ ଗ୍ରାମାଂଚଳ ଏବଂ ଉପସହରାଂଚଳରେ ରହିଛି । କାର୍ଯ୍ୟକ୍ଷମ ଥିବା 83% ଜନଧନ ଏକାଉଣ୍ଟ (ଆସାମ, ମେଘାଳୟ, ଜାମ୍ମୁ-କାଶ୍ମୀରକୁ ବାଦ ଦେଇ) ଆଧାର ସଂଯୁକ୍ତ ହୋଇଛି, ଏସବୁ ଏକାଉଣ୍ଟଧାରୀମାନଙ୍କୁ ପାଖାପାଖି 24.4 କୋଟି ରୁପେକାର୍ଡ ଜାରି କରାଯାଇଛି ।
7.5 କୋଟିରୁ ଅଧିକ ଜନ ଧନ ଏକାଉଣ୍ଟ ଡିବିଟି ଯୋଜନାରେ ପ୍ରତ୍ୟକ୍ଷ ସବସିଡି ହସ୍ତାନ୍ତର ସୁବିଧା ହାସଲ କରୁଛନ୍ତି ।
1.26 ଲକ୍ଷ ଉପସେବା କ୍ଷେତ୍ର (ଗ୍ରାମାଂଚଳ)ରେ ବ୍ୟାଙ୍କ ପ୍ରତିନିଧିମାନଙ୍କୁ ନିୟୋଜିତ କରାଯାଇଛି ଏବଂ ପ୍ରତ୍ୟେକ ବ୍ୟାଙ୍କ ପ୍ରତିନିଧି 1000ରୁ 1500 ପରିବାରକୁ ସେବା ଯୋଗାଇ ଦେଉଛନ୍ତି । ଜୁଲାଇ, 2018 ମାସରେ ବ୍ୟାଙ୍କ ପ୍ରତିନିଧିମାନଙ୍କ ଦ୍ୱାରା ପାଖାପାଖି 13.16 କୋଟି ଆଧାର ସକ୍ଷମ ପେମେଂଟ (ଏଇପିଏସ) କାରବାର ହୋଇଛି ।
ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ 13.98 କୋଟି ଉପଭୋକ୍ତା 19,436ଟି ଦାବି କରିଛନ୍ତି, 388.72 କୋଟି ଟଙ୍କାର ଦାବି ସମାଧାନ କରାଯାଇଛି ।
ସେହିପରି 5.47 କୋଟି ଉପଭୋକ୍ତା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ 1.10 ଲକ୍ଷ ଦାବି କରି ପାଖାପାଖି 2206.28 କୋଟି ଟଙ୍କା ହାସଲ କରିଛନ୍ତି ।
ଅଟଳ ପେନସନ ଯୋଜନା ଅଧୀନରେ 1.11 କୋଟି ଲୋକ ପଞ୍ଜିକୃତ ହୋଇଛନ୍ତି ।
ଜନଧନ ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ଏକ ଶୃଙ୍ଖଳା ନିର୍ମାଣ କରାଯାଇଛି ଯାହା ଅଧୀନରେ ଜନଧନ ଏକାଉଣ୍ଟ ଏବଂ ମୋବାଇଲ ବ୍ୟାଙ୍କ ଆଧାରକୁ (ଜାମ) ସଂଯୁକ୍ତ କରାଯାଇଛି । ଏହି ଶୃଙ୍ଖଳା କେବଳ ଜମା, ଋଣ ଯୋଗାଣ ଏବଂ ସାମାଜିକ ନିରାପତ୍ତା ଆଦି ଯୋଗାଇ ଦେଉନାହିଁ ବରଂ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବେ ବିଭିନ୍ନ ସରକାରୀ ଯୋଜନାର ଲାଭ ଡିବିଟି ଜରିଆରେ ସିଧାସଳଖ ଗରିବ ଲୋକମାନଙ୍କୁ ହସ୍ତାନ୍ତର କରିପାରୁଛି ।
“ପ୍ରତ୍ୟେକ ପରିବାରଠାରୁ ପ୍ରତ୍ୟେକ ପ୍ରାପ୍ତ ବୟସ୍କ‘ଙ୍କ ପାଇଁ ଏକାଉଣ୍ଟ ଖୋଲିବାର ଲକ୍ଷ୍ୟ ନେଇ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଫ୍ଲାଗସିପ ଯୋଜନା ଜାରି ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି । ଜନଧନ-ଆଧାର-ମୋବାଇଲ (ଜାମ) ଶୃଙ୍ଖଳା ଏସବୁ କାର୍ଯ୍ୟକଳାପକୁ ଜାରି ରଖିବା ଲାଗି ମେରୁଦଣ୍ଡ ସଦୃଶ କାର୍ଯ୍ୟ କରିବ । ଏହା ଡିଜିଟାଲକରଣ, ଆର୍ଥିକ ଦୃଷ୍ଟିରୁ ସମାବେଶୀ ଏବଂ ସୁରକ୍ଷିତ ସମାଜ ନିର୍ମାଣକୁ ତ୍ୱରାନ୍ୱିତ କରିବ ।
**********