ଦେଶର ଛଅକୋଟି ଗ୍ରାମୀଣ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡ଼ିଜିଟାଲ ସାକ୍ଷରତା ଅଭିଯାନରେ ସାମିଲ କରିବା ପ୍ରସ୍ତାବକୁ କ୍ୟାବିନେଟ ମଂଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡ଼ିଜିଟାଲ ସାକ୍ଷରତା ଅଭିଯାନ(PMGDISHA) କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ଛଅ କୋଟି ଗ୍ରାମୀଣ ପରିବାରଙ୍କୁ ଡ଼ିଜିଟାଲ ଦୃଷ୍ଟିରୁ ସାକ୍ଷର, ସଚେତନ ଓ ସକ୍ଷମ କରାଯିବ । 2019 ମସିହା ମାର୍ଚ୍ଚ ମାସ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ମୋଟ 2,351.38 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । 2016-2017 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କରିଥିବା ଘୋଷଣା ଅନୁସାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
(PMGDISHA) କାର୍ଯ୍ୟକ୍ରମ ସାରା ବିଶ୍ୱରେ ସର୍ବବୃହତ ଡ଼ିଜିଟାଲ ସାକ୍ଷରତା ଅଭିଯାନ । ଏହି ଯୋଜନା ମାଧ୍ୟମରେ 25 ଲକ୍ଷ ପ୍ରାର୍ଥୀଙ୍କୁ 2016-2017 ଆର୍ଥିକ ବର୍ଷରେ ତାଲିମ ପ୍ରଦାନ କରାଯିବ; 2017-18 ଆର୍ଥିକ ବର୍ଷରେ 275 ଲକ୍ଷ ପ୍ରାର୍ଥୀ ତାଲିମ ପାଇବେ ଏବଂ 2018-2019 ଆର୍ଥିକ ବର୍ଷରେ ଏହି ଯୋଜନାରେ ତାଲିମ ପ୍ରଦାନ କରାଯିବାକୁ ଥିବା ପ୍ରାର୍ଥୀଙ୍କ ସଂଖ୍ୟା 300 ଲକ୍ଷ । ଭୌଗୋଳିକ ଦୃଷ୍ଟିରୁ ପ୍ରତ୍ୟେକ କ୍ଷେତ୍ରର ପ୍ରାର୍ଥୀମାନେ ଯେଭଳି ସମାନ ମାତ୍ରାରେ ତାଲିମ ପାଇପାରିବେ ସେହି ଦୃଷ୍ଟିରୁ ଦେଶର 2,50,000 ପଞ୍ଚାୟତରୁ ପ୍ରତ୍ୟେକରୁ 200 ରୁ 300 ପ୍ରାର୍ଥୀଙ୍କୁ ଏହି ତାଲିମ ପ୍ରଦାନ କରାଯିବ । ଡ଼ିଜିଟାଲ ସାକ୍ଷରତା ତାଲିମ ପାଇଥିବା ପ୍ରାର୍ଥୀମାନେ କମ୍ପ୍ୟୁଟର ବ୍ୟବହାର ଏବଂ ସମସ୍ତ ପ୍ରକାର ଡ଼ିଜିଟାଲ ଉପକରଣ ଯଥା – ଟାବଲେଟ, ସ୍ମାର୍ଟ ଫୋନ ଆଦିର ବ୍ୟବହାର ଓ ଉପଯୋଗ କରିପାରିବେ, ଇ-ମେଲ ପଠାଇପାରିବେ କିମ୍ବା ତାହା ଗ୍ରହଣ କରିପାରିବେ, ଇଣ୍ଟରନେଟ ଚଳାଇପାରିବେ, ସରକାରୀ ସେବା ବ୍ୟବହାର କରିପାରିବେ, ଆବଶ୍ୟକ ସୂଚନା ଖୋଜିପାରିବେ ଓ ନଗଦହୀନ କାରବାର ମଧ୍ୟ କରିପାରିବେ । ତେଣୁ ଏକ ବିଶାଳ ଆଇଟି ବ୍ୟବହାରକାରୀ ରାଷ୍ଟ୍ର ନିର୍ମାଣ ଦିଗରେ ସହାୟକ ହୋଇପାରିବେ । ଇଲୋକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଏବଂ ଆଇଟିର ସାମଗ୍ରିକ ତତ୍ୱାବଧାନରେ ଏହି ଯୋଜନା ପ୍ରବର୍ତ୍ତନ କରାଯିବ ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସକ୍ରିୟ ଭାବେ ସହଯୋଗ କରିବେ । ସେମାନଙ୍କ ଅଧିସ୍ୱୀକୃତ ପ୍ରବର୍ତ୍ତନ ଏଜେନ୍ସୀ, ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ସୋସାଇଟି ଆଦି ସଂସ୍ଥାଙ୍କୁ ଏହି ଯୋଜନା କାର୍ଯ୍ୟାନ୍ୱୟନରେ ବହୁଳ ଭାବେ ଉପଯୋଗ କରାଯିବ ।