ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପ ଫେଜ୍-୧ର କରିଡ଼ର-୧ର ସଂପ୍ରସାରଣ ପ୍ରସ୍ତାବ ଆଜି (୦୧.୦୬.୨୦୧୬) କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ଲାଭ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ପରେ ଏହାକୁ ସ୍ୱୀକୃତି ମିଳିଛି । ଏହି ମେଟ୍ରୋ ରେଳ ସଂପ୍ରସାରଣ କାର୍ଯ୍ୟକ୍ରମ ଅନୁସାରେ ଏହାକୁ ୱାସିରମାନପେଟ ଠାରୁ ୱିମକୋନଗର ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ । ମୋଟ ୩୭୭୦ କୋଟି ଟଙ୍କା ବ୍ୟୟରେ ୯.୦୫୧ କିଲୋମିଟର ମେଟ୍ରୋ ରେଳପଥ ନିର୍ମାଣ କରାଯିବ ।
ଭାରତ ସରକାର ଏବଂ ତାମିଲନାଡ଼ୁ ସରକାରଙ୍କ ମଧ୍ୟରେ ଏବେ ଥିବା ଏସପିଭି ଅନୁସାରେ ୫୦:୫୦ ଇକ୍ୱିଟି ଚେନ୍ନାଇ ମେଟ୍ରୋ ରେଳ ଲିମିଟେଡ଼ ଦ୍ୱାରା ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ୨୦୧୮ ମସିହା ମାର୍ଚ୍ଚ ମାସ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଏହି ସଂପ୍ରସାରଣ ଦ୍ୱାରା ବିଶେଷକରି ଶିଳ୍ପ ଶ୍ରମିକମାନେ ଅଧିକ ସଂଖ୍ୟାରେ ଓ ଅତି ସହଜରେ ନଗରୀର କେନ୍ଦ୍ରୀୟ ବ୍ୟବସାୟିକ ସ୍ଥଳୀକୁ କାର୍ଯ୍ୟ ନିମନ୍ତେ ଯାତାୟାତ କରିପାରିବେ । ମୋଟ ପ୍ରକଳ୍ପ ମଧ୍ୟରୁ ଭାରତ ସରକାର ଏଥିପାଇଁ ମୋଟ ୭୧୩ କୋଟି ଟଙ୍କାର ବ୍ୟୟଭାର ବହନ କରିବେ । ୯୧୬ କୋଟି ଟଙ୍କାର ବ୍ୟୟଭାର ତାମିଲନାଡ଼ୁ ସରକାର ମୁଣ୍ଡାଇବେ । ରାଜ୍ୟ ସରକାରଙ୍କ ଭାଗରେ ଥିବା ବ୍ୟୟ ମଧ୍ୟରେ ଭୂମି ଏବଂ ପୁନର୍ବାସ ଓ ଥଇଥାନ ବାବଦକୁ ୨୦୩ କୋଟି ଟଙ୍କା ରହିଛି । ଅବଶିଷ୍ଟ ୨୦୪୧ କୋଟି ଟଙ୍କାକୁ ବହୁମୂଖୀ/ଦ୍ୱିପାକ୍ଷିକ/ଘରୋଇ ଅର୍ଥଲଗାଣକାରୀ ସଂସ୍ଥାଙ୍କ ଠାରୁ ଋଣ ଆକାରରେ ଅଣାଯିବ ।
ଏହି ମେଟ୍ରୋ ସଂପ୍ରସାରଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବାପରେ ପ୍ରଥମ ବର୍ଷ ପ୍ରତି ଦିନ ୧.୬ ଲକ୍ଷ ଯାତ୍ରୀ ଯାତାୟାତର ସୁବିଧା ପାଇପାରିବେ ।