ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଚିକିତ୍ସା ପଦ୍ଧତିରେ ଗର୍ଭପାତ ଆଇନ 1971ରେ ସଂଶୋଧନ ଆଣିବା ଉଦେ୍ଦଶ୍ୟରେ ଚିକିତ୍ସା ପଦ୍ଧତିରେ ଗର୍ଭପାତ (ସଂଶୋଧନ) ବିଲ 2020 ଆଗତ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏହି ବିଲ ସଂସଦର ଆଗାମୀ ଅଧିବେଶନରେ ଉପସ୍ଥାପନ କରାଯିବ ।
ପ୍ରସ୍ତାବିତ ସଂଶୋଧନର ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ
• ଗର୍ଭାବସ୍ଥାର 20 ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରାଇବା ଲାଗି ଜଣେ ଚିକିତ୍ସକଙ୍କ ପରାମର୍ଶ ନେବାର ଆବଶ୍ୟକତା ଏବଂ ଗର୍ଭାବସ୍ଥାର 20ରୁ24 ସପ୍ତାହ ମଧ୍ୟରେ ଗର୍ଭପାତ କରାଇବା ଲାଗି ୨ଜଣ ଚିକିସôକଙ୍କ ପରାମର୍ଶ ନେବା ଜରୁରୀ ହେବ ।
• ସ୍ୱତନ୍ତ୍ର ଧରଣର ମହିଳାଙ୍କ ପାଇଁ ଗର୍ଭପାତ ଲାଗି ଗର୍ଭାବସ୍ଥାର ସୀମା 20 ରୁ ବୃଦ୍ଧି କରି 24 ସପ୍ତାହ କରିବା ଲାଗି ବିଲରେ ପ୍ରସ୍ତାବ ରହିଛି । ତେବେ ନିୟମରେ ସଂଶୋଧନ ଅଣାଯାଇ ଏପରି ମହିଳାମାନଙ୍କୁ ସ୍ୱତନ୍ତ୍ର ତାଲିକାରେ ସାମିଲ କରାଯିବ । ଏମାନଙ୍କ ମଧ୍ୟରେ ଦୁଷ୍କର୍ମ ପୀଡିତା, ସମ୍ପର୍କୀୟମାନଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ଏବଂ ଦିବ୍ୟାଙ୍ଗ ଓ ନାବାଳିକାଙ୍କ ଭଳି ଅସୁରକ୍ଷିତ ମହିଳାମାନଙ୍କୁ ଏଥିରେ ସାମିଲ କରାଯିବ ।
• ମେଡିକାଲ ବୋର୍ଡଦ୍ୱାରା ଯାଂଚ ପରେ ଶାରୀରିକ ଭ୍ରୂଣ ସମ୍ବନ୍ଧୀୟ ବିଷମତା କ୍ଷେତ୍ରରେ ଗର୍ଭାବସ୍ଥାର ଉପରିସ୍ଥ ସୀମା ଲାଗୁ ହେବ ନାହିଁ । ମେଡିକାଲ ବୋର୍ଡର ସଂଗଠକ, କାର୍ଯ୍ୟ ଓ ଅନ୍ୟାନ୍ୟ ବିବରଣୀ ଆଇନର ନିୟମ ଅନ୍ତର୍ଗତ ନିର୍ଦ୍ଧାରଣ କରାଯିବ ।
• ଯେଉଁ ମହିଳାଙ୍କ ଗର୍ଭପାତ ହେବ ତାଙ୍କର ନାମ ଓ ଅନ୍ୟାନ୍ୟ ସୂଚନା ଆଇନ ଅନୁଯାଇ ନିର୍ଦ୍ଧାରିତ ବିଶେଷ ବ୍ୟକ୍ତିଙ୍କ ବ୍ୟତିତ ଅନ୍ୟ କାହା ସମ୍ମୁଖରେ ପ୍ରକାଶ କରାଯିବ ନାହିଁ ।
ମହିଳାଙ୍କ ଲାଗି ଚିକିତ୍ସାତ୍ମକ, ସୁପ୍ରଜନନ, ମାନବୀୟ ତଥା ସାମାଜିକ ଆଧାରରେ ସୁରକ୍ଷିତ ଏବଂ ବୈଧ ଗର୍ଭପାତ ସେବାର ସମ୍ପ୍ରସାରଣ କରିବା ଲାଗି ଚିକିତ୍ସା ପଦ୍ଧତି ଗର୍ଭପାତ ସଂଶୋଧନ ବିଲ 2020 ଅଣାଯାଉଛି । ପ୍ରସ୍ତାବିତ ସଂଶୋଧନରେ କେତେକ ଉପଧାରାକୁ ସ୍ଥାନିତ କରିବା, ବର୍ତମାନର ଗର୍ଭପାତ ଆଇନ 1971ରେ ନିର୍ଦ୍ଧାରିତ ସର୍ତ ସହିତ ଗର୍ଭପାତ ଲାଗି ଗର୍ଭାବସ୍ଥାର ଉପରିସ୍ଥ ସୀମା ବୃଦ୍ଧି କରିବା ଉଦେ୍ଦଶ୍ୟରେ ନୂଆ ଅନୁଛେଦ ଯୋଡିବା ଏହାର ଉଦେ୍ଦଶ୍ୟ । ସୁରକ୍ଷିତ ଗର୍ଭପାତ ସେବା ଓ ଗୁଣବତ୍ତା ସହ ସାଲିସ ନ କରି କଠୋର ସର୍ତ୍ତ ସହିତ ସାମଗ୍ରୀକ ଗର୍ଭପାତ ଯତ୍ନକୁ ପୂର୍ବାପେକ୍ଷା ଆହୁରି ଅଧିକ କଠୋର ଭାବେ ଲାଗୁ କରିବା ନିମନ୍ତେ ଏହି ବିଲ ଅଣାଯାଇଛି ।
ମହିଳାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ ବଡ ପଦକ୍ଷେପ ଏବଂ ଏହାଦ୍ୱାରା ବହୁ ସଂଖ୍ୟକ ମହିଳା ଉପକୃତ ହୋଇପାରିବେ । ନିକଟରେ ନ୍ୟାୟାଳୟରେ କେତେଗୁଡିଏ ମାମଲା ଦାୟର କରାଯାଇଥିଲା, ଏଥିରେ ଭ୍ରୂଣ ସମ୍ପନ୍ଧୀୟ ବିଷମତା ଏବଂ ଯୌନ ଶୋଷଣର ଶିକାର ମହିଳାଙ୍କ ଗର୍ଭଧାରଣ ଆଧାରରେ ଗର୍ଭପାତର ମଞ୍ଜୁରିପ୍ରାପ୍ତ ସୀମାକୁ ଅଧିକ କରିବା ଲାଗି ଅନୁମତି ମଗାଯାଇଥିଲା । ଯେଉଁ ମହିଳାମାନଙ୍କର ଗର୍ଭପାତ କରାଇବା ନିହାତି ଆବଶ୍ୟକ, ସେମାନଙ୍କ ପାଇଁ ଗର୍ଭାବସ୍ଥାର ଅବଧିରେ ପ୍ରସ୍ତାବିତ ବୃଦ୍ଧି ଫଳରେ ସେମାନଙ୍କର ଆତ୍ମସମ୍ମାନ, ସ୍ୱାୟତତ୍ତା, ଗୋପନୀୟତା ଏବଂ ନ୍ୟାୟ ସୁନିଶ୍ଚିତ ହେବ ।
ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରଣାଳୟ ପକ୍ଷରୁ ମହିଳାଙ୍କୁ ସୁରକ୍ଷିତ ଗର୍ଭପାତ ସେବା ଯୋଗାଇଦେବା ଓ ଚିକିତ୍ସା କ୍ଷେତ୍ରରେ ପ୍ରଯୁକ୍ତି ବିକାଶକୁ ଧ୍ୟାନରେ ରଖି ବିଭିନ୍ନ ଅଂଶୀଦାର ଓ ମନ୍ତ୍ରଣାଳୟଗୁଡିକ ସହିତ ବ୍ୟାପକ ବିଚାର ବିମର୍ଶ ପରେ ଗର୍ଭପାତ ଆଇନରେ ସଂଶୋଧନ ଲାଗି ପ୍ରସ୍ତାବ ଦିଆଯାଇଛି ।