ଭାରତ ଓ ମରିସସ ମଧ୍ୟରେ ଗ୍ରାମୀଣ ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ଦିଗରେ ସହଯୋଗ ନିମନ୍ତେ ବୁଝାମଣାପତ୍ର ସ୍ଵାକ୍ଷରକୁ କେନ୍ଦ୍ର କେବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର (05.07.2016) ଅନୁଷ୍ଠିତ ବୈଠକରେ ଏହି ପ୍ରସ୍ତାବକୁ ସ୍ୱୀକୃତି ମିଳିଛି । ଏହି ବୁଝାମଣା ପତ୍ର ମରିସସ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜାତୀୟ ବିକାଶ ୟୁନିଟ୍ ଏବଂ ଭାରତ ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ ସ୍ଥାପନର ଢାଞ୍ଚା ପ୍ରସ୍ତୁତ କରିବାରେ ସହାୟକ ହେବ । ଉଭୟ ରାଷ୍ଟ୍ରର ପାରସ୍ପରିକ ସ୍ୱାର୍ଥ ଜଡିତ ଥିବା ଏବଂ ସମାନ ଭିତ୍ତିରେ ଦୁଇ ଦେଶ ମଧ୍ୟରେ ଗ୍ରାମାଞ୍ଚଳ ବିକାଶ ଦିଗରେ ସହଯୋଗ କାର୍ଯ୍ୟକ୍ରମ ମାନ ସମ୍ପାଦିତ ହେବ । ଏଥିପାଇଁ ଗ୍ରାମାଞ୍ଚଳ ବିକାଶ ନିମନ୍ତେ ଏକ ମିଳିତ ସହଯୋଗ କମିଟି ଗଠନ କରାଯିବ ଏବଂ ଏହି କମିଟି ଉଭୟ ରାଷ୍ଟ୍ରଙ୍କ ସହମତି ଅନୁସାରେ ନିର୍ଦ୍ଧାରିତ ତାରିଖରେ ବୈଠକରେ ମିଳିତ ହେବେ । ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଦିନଠାରୁ ଏହା କାର୍ଯ୍ୟକାରୀ ହେବ । ଏହାଦ୍ୱାରା ଉଭୟ ରାଷ୍ଟ୍ର ପରସ୍ପରକୁ ଗ୍ରାମାଞ୍ଚଳ ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ କ୍ଷେତ୍ରରେ ବୈଷୟିକ ସହଯୋଗ, ବିଭିନ୍ନ ପ୍ରକାର ସୂଚନା ଓ ନଥି, ବୈଜ୍ଞାନିକ ଓ ବୈଷୟିକ ସୂଚନା, ନୀତି ନିୟମାବଳୀ ମାନ ଯୋଗାଇଦେବେ । ଏତଦବ୍ୟତୀତ ଗୋଟିଏ ରାଷ୍ଟ୍ରର ପ୍ରତିନିଧି ଦଳ ଅନ୍ୟ ରାଷ୍ଟ୍ର ଗସ୍ତ କରି ସେଠାରେ ପ୍ରବର୍ତ୍ତିତ ହେଉଥିବା କାର୍ଯ୍ୟକ୍ରମ ରୂପାୟନ ଦେଖି ପ୍ରତ୍ୟକ୍ଷ ଅନୁଭୂତି ଅର୍ଜନର ସୁଯୋଗ ପାଇବେ । ଏହି ଅବସରରେ ସେମାନେ ପ୍ରତିପକ୍ଷ ରାଷ୍ଟ୍ରର ତାଲିମ ପ୍ରତିଷ୍ଠାନମାନଙ୍କରୁ ତାଲିମ ଗ୍ରହଣ କରିବାର ସୁଯୋଗ ମଧ୍ୟ ଲାଭ କରିପାରିବେ ।