ଶ୍ରୀ ଲକ୍ଷ୍ମୀକାନ୍ତଜୀ କହୁଥିଲେ କି ମୁଁ ବିଳମ୍ବିତ ରାତିରେ ଜାପାନରୁ ଆସିଲି ଆଉ ସକାଳେ ଆପଣଙ୍କ ସେବାରେ ହାଜର ହୋଇଗଲି । ଏଠୁ କର୍ଣ୍ଣାଟକ ଯିବି, କର୍ଣ୍ଣାଟକରୁ ମହାରାଷ୍ଟ୍ର ଯିବି ଓ ବିଳମ୍ବିତ ରାତିରେ ଦିଲ୍ଲୀ ଯାଇ ବୈଠକ ମଧ୍ୟ କରିବି । ପ୍ରଧାନମନ୍ତ୍ରୀ ହେବା ପରେ ଭାରତର କୌଣସି ରାଜ୍ୟରେ ଗୋଟିଏ ରାତିରୁ ଯଦି ଅଧିକ ସମୟ ମୁଁ ବିତାଇଛି, ତାହା ହେଉଛି ଗୋଆ । ମୁଁ ଆଜି ବ୍ୟକ୍ତିଗତ ଭାବେ ଗୋଆର ଲକ୍ଷ ଲକ୍ଷ ନାଗରିକଙ୍କୁ ଅଭିନନ୍ଦନ ଜଣାଉଛି, କୃତଜ୍ଞତା ବ୍ୟକ୍ତ କରିବାକୁ ଚାହୁଁଛି । ଗୋଆ ସରକାରଙ୍କୁ ଅଭିନନ୍ଦନ କରୁଛି । ମନୋହରଜୀ, ଲକ୍ଷ୍ମୀକାନ୍ତଜୀ, ତାଙ୍କ ପୁରା ଟିମ୍ କୁ କୃତଜ୍ଞତା ଜଣାଉଛି ।
କିଛି ବର୍ଷ ପରେ ଗୋଟିଏ ବହୁତ ବଡ଼ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ବ୍ରିକ୍ସ ସମ୍ମିଳନୀ ଗୋଆରେ ଆୟୋଜିତ ହୋଇଥିଲା । ଆଉ ଏତେ ସୁନ୍ଦର ଓ ବଢିଆ ଢଙ୍ଗରେ ଏହାର ଆୟୋଜନ ହୋଇଥିଲା ଯେ ଏବେ ସମଗ୍ର ବିଶ୍ୱରେ ଯେତେ ବଡ଼ ନେତା ଅଛନ୍ତି ସେମାନଙ୍କର ମୁହଁରେ ଖାଲି ଗୋଆ, ଗୋଆ, ଗୋଆ । ଏଇଥିପାଇଁ ମୁଁ ସମସ୍ତ ଗୋଆବାସୀଙ୍କୁ, ଗୋଆ ସରକାରଙ୍କୁ, ମୁଖ୍ୟମନ୍ତ୍ରୀଙ୍କୁ, ମନୋହର ଜୀଙ୍କୁ, ତାଙ୍କର ସବୁ ସହଯୋଗୀଙ୍କୁ ପ୍ରଶଂସା କରୁଛି, ଅଭିନନ୍ଦନ ଜଣାଉଛି । କାରଣ ଏଥିରେ କେବଳ ଗୋଆ ସରକାରଙ୍କର ନୁହେଁ, ପୁରା ହିନ୍ଦୁସ୍ତାନର ସମ୍ମାନ ବଢ଼ିଛି । ସମଗ୍ର ହିନ୍ଦୁସ୍ତାନର ଗୌରବ ଆପଣମାନଙ୍କ ଯୋଗୁ ବଢ଼ିଥିବାରୁ ଆପଣମାନେ ହିଁ ସ୍ୱାଭାବିକ ଅଭିନନ୍ଦନର ଅଧିକାରୀ ।
ଭାଇ ଓ ଭଉଣୀମାନେ,
ମୋ’ ପାଇଁ ଖୁସିର କଥା । ଆପଣମାନେ ଦେଖିଥିବେ ଗୋଆରେ ରାଜନୀତିକ ଅସ୍ଥିରତାର ବେମାରୀ ଗୋଆକୁ ନଷ୍ଟ କରିଦେଇଥିଲା । ଜାଣିନି, କ’ଣ କ’ଣ ହେଉଥିଲା । ଆପଣମାନେ ଜାଣନ୍ତି କେବେ ଏପଟେ ତ କେବେ ସେପଟେ । କେବେ ସେପଟେ ତ କେବେ ଏପଟେ । ଏହି ରାଜନୀତିକ ଅସ୍ଥିରତା ଗୋଆର ଯେଉଁ ସାମର୍ଥ୍ୟ ଅଛି, ଗୋଆ ଲୋକଙ୍କ ଯେଉଁ ଶକ୍ତି ଅଛି ତାକୁ କଦାପି ପ୍ରସ୍ଫୁଟିତ ହେବାର ସୁଯୋଗ ଦେଇନଥିଲା । ମୁଁ ବିଶେଷକରି ମନୋହର ଜୀଙ୍କୁ ଅଭିନନ୍ଦନ ଜଣାଉଛି ଯେ ସେ ଏକ ନୂତନ ରାଜନୈତିକ ସଂସ୍କୃତି ଆଣିଛନ୍ତି । ଏଥିପାଇଁ ତାଙ୍କୁ ସହ୍ୟ କରିବାକୁ ମଧ୍ୟ ପଡ଼ିଛି, ଭଲ ଭଲ ବନ୍ଧୁଙ୍କୁ ହରାଇବାକୁ ପଡ଼ିଛି । କିନ୍ତୁ ଏକମାତ୍ର ଉଦ୍ଦେଶ୍ୟ ଗୋଆକୁ ନୂଆ ଶିଖରକୁ ନେବା । ଏଇଥିପାଇଁ ଗୋଆରେ ସ୍ଥିରତା, ୫ବର୍ଷ ପର୍ଯ୍ୟନ୍ତ ଗୋଟିଏ ସରକାର ଚାଲିଛି । ନୀତି ଆଧାରରେ ଚାଲିଛି । ଗୋଆର ବିକାଶ ପାଇଁ ଚାଲିଛି । ଲୋକ କଲ୍ୟାଣରେ ଚାଲିଛି । ତାହା ସେ କରି ଦେଖାଇଛନ୍ତି । ଆଉ ୨୦୧୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସ୍ଥିରତାର ଲାଭ ଭରପୂର ପରିମାଣରେ ଗୋଆକୁ ମିଳିଛି । ଏଇଥିପାଇଁ ମୁଁ ଏଠି ଦୁଇ ଦଳ ମିଶି ସରକାର ଚଳାଉଛନ୍ତି ଓ ସବୁଠାରୁ ବଡ଼ କଥା ରାଜନୀତିକ ସ୍ଥିରତା ଦେଇଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଯେହେତୁ ସ୍ଥିର ସରକାର ଚୟନ କରିବା ଲୋକଙ୍କ ହାତରେ ହୋଇଥାଏ ଓ ଗୋଆର ଲୋକମାନେ ସ୍ଥିର ସରକାରର ସାମର୍ଥ୍ୟକୁ ବୁଝିଛନ୍ତି, ତେଣୁ ସେମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ବନ୍ଦନା କରୁଛି ।
ମୋତେ ଆଜି ଖୁସି ଲାଗୁଛି । ମୁଁ ପ୍ରଧାନମନ୍ତ୍ରୀ ହୋଇଛି କିନ୍ତୁ ସମସ୍ତଙ୍କୁ ଜଣା ମୁଁ କେଉଁ ଦଳର । ଲକ୍ଷ୍ମୀକାନ୍ତଜୀ ମୁଖ୍ୟମନ୍ତ୍ରୀ ଅଛନ୍ତି, ସମସ୍ତେ ଜାଣନ୍ତି ସିଏ କେଉଁ ଦଳର । ମନୋହରଜୀ ମୋର ସହଯୋଗୀ ସମସ୍ତେ ଜାଣନ୍ତି ସିଏ କେଉଁ ଦଳର । ଆମେ ପରସ୍ପରର ପ୍ରଶଂସା କଲେ ଲୋକଙ୍କୁ ଲାଗିବ ଆମେ ହିଁ ପରସ୍ପରକୁ ପ୍ରଶଂସା କରୁଛୁ । କିନ୍ତୁ ମୋତେ ଖୁସି ଯେ ଗୋଟିଏ ସପ୍ତାହ ପୂର୍ବରୁ ଏକ ସ୍ୱାଧୀନ ସଂସ୍ଥା, ଏକ ବହୁତ ବଡ଼ ମିଡିଆ ହାଉସ୍ ଭାରତର ଛୋଟ ରାଜ୍ୟଗୁଡ଼ିକର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲା । ଭିନ୍ନ ଭିନ୍ନ ମାନଦଣ୍ଡରେ ସର୍ଭେ କରିଥିଲା ଓ ଆଜି ମୋତେ ଖୁସି ଲାଗୁଛି କି ମୋର ଏହି ସହଯୋଗୀମାନେ ଛୋଟ ରାଜ୍ୟଗୁଡ଼ିକ ମଧ୍ୟରେ ଗୋଆକୁ ଏକ ଉଜ୍ୱଳ ତାରକା ଭାବେ ଉପସ୍ଥାପିତ କରିଛନ୍ତି । ଦେଶର ସମସ୍ତ ଛୋଟ ଛୋଟ ରାଜ୍ୟରେ ସାମାଜିକ ସୁରକ୍ଷାର ପ୍ରସଙ୍ଗ ହେଉ, ସ୍ୱାସ୍ଥ୍ୟ ପ୍ରସଙ୍ଗ ହେଉ, ଭିତ୍ତିଭୂମି କ୍ଷେତ୍ର, ଗୋଆକୁ ଦ୍ରୁତ ଗତିରେ ନୂଆ ଶିଖରକୁ ନେଇଛି । ଗୋଆ ନମ୍ବର-୧ ପାଲଟିଛି । ଏଥିରେ ଗୋଆବାସୀଙ୍କ ଯୋଗଦାନ ରହିଛି ଓ ସେମାନଙ୍କ ବିନା ଏହା ସମ୍ଭବପର ନଥିଲା । ତେଣୁ ଆଜି ଏ ଅବସରରେ ଯେତେ ଅଭିନନ୍ଦନ ଜଣାଇବି, ଯେତେ ଧନ୍ୟବାଦ ଦେବି ତାହା କମ୍ ହେବ ।
ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ମନୋହର ଜୀ ଏଠି ମୁଖ୍ୟମନ୍ତ୍ରୀ ଥିଲେ । ମୁଁ ଆପଣମାନଙ୍କୁ ଗୋଟିଏ ଗୋପନୀୟ କଥା କହୁଛି । ଯେଉଁ କଥାକୁ ୧୦ଟି ବାକ୍ୟରେ କହିବା କଥା, ମନୋହରଜୀ ତାକୁ ଗୋଟିଏ ବାକ୍ୟରେ କହି ଦେଉଥିଲେ । ମୋତେ ବେଳେବେଳେ ବୁଝିବାରେ ସମସ୍ୟା ହେଉଥିଲା । ସେ ଭାବୁଥିଲେ କି ମୁଁ ବୁଝିଗଲି । ସିଏ ତ ଆଇଆଇଟିର, ଆଉ ମୁଁ ସାଧାରଣ ମଣିଷ । କିନ୍ତୁ ମୁଁ ଯେତେବେଳେ ଗୁଜରାଟରେ ଥିଲି, ତାଙ୍କର ଯୋଜନାକୁ ଅଧ୍ୟୟନ କରିଥିଲୁ । ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଆଡ଼କୁ ଦେଖୁଥିଲି କି ଗରିବ ଲୋକଙ୍କ ସମସ୍ୟାକୁ ସେ କିଭଳି ବୁଝୁଛନ୍ତି ଓ ତା’ର ମାର୍ଗ କ’ଣ ବାହାର କରୁଛନ୍ତି । ପ୍ରତ୍ୟେକ ଯୋଜନାକୁ । ପରେ ଲକ୍ଷ୍ମୀକାନ୍ତଜୀ ଏହାକୁ ଆଗେଇ ନେଇଛନ୍ତି । ଯେତେବେଳେ ମୁଁ ଦେଖୁଥିଲି କି ଗୃହ ଆଧାର ଯୋଜନା, ବାର୍ଷିକ ୩ଲକ୍ଷରୁ କମ୍ ଆୟ ବିଶିଷ୍ଟ ମହିଳାଙ୍କୁ ମାସିକ ୧୫୦୦ଟଙ୍କା ସହାୟତା । ଦେଶରେ ଅନେକ ରାଜ୍ୟ ଜାଣନ୍ତି ନାହିଁ ଯେ ଗୋଆରେ ଏଭଳି ଯୋଜନା ଚାଲିଛି । ବରିଷ୍ଠ ନାଗରିକଙ୍କ ପାଇଁ ଦୟାନନ୍ଦ ସରସ୍ୱତୀ ସୁରକ୍ଷା ଯୋଜନା – ପ୍ରାୟ ଦେଢ଼ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଏହାର ଫାଇଦା ମିଳୁଛି । ପ୍ରତିମାସରେ ୨୦୦୦ଟଙ୍କା । ଏସମସ୍ତ କଥା ହିନ୍ଦୁସ୍ତାନର ଅନ୍ୟ କେଉଁଠି ନାହିଁ । କେବଳ ଗୋଆରେ ଅଛି । ଭାଇ-ଭଉଣୀମାନେ ଲାଡ୍ଲୀ ଲକ୍ଷ୍ମୀ ଯୋଜନା, ଗୋଆ ଓ ମଧ୍ୟପ୍ରଦେଶ ଏହାର ଆରମ୍ଭ କରିଥିଲେ ଓ ୧୮ବର୍ଷର ଝିଅମାନଙ୍କୁ ୧ଲକ୍ଷ ଟଙ୍କା । ଆଜି ଗୋଆରେ ଆମର ୪୫ହଜାର ଝିଅ ଏହାର ହକଦାର ପାଲଟିଛନ୍ତି ।
ଗୋଆ ବହୁତ ବଡ଼ କାମ କରିଛି । ଦେଖନ୍ତୁ ମନୋହରଜୀ ଓ ଲକ୍ଷ୍ମୀକାନ୍ତ ଜୀଙ୍କ ଦୂରଦୃଷ୍ଟି । ଆଜି ଏଠି ଇଲେକ୍ଟ୍ରୋନିକ୍ ନଗରୀର ଶିଳାନ୍ୟାସ ହେଉଛି । କିନ୍ତୁ ଏହା ପୂର୍ବରୁ ଉକ୍ତ କାମକୁ ସଫଳ କରିବା ପାଇଁ ଆମକୁ କିଭଳି ଯୁବ ସମ୍ବଳ ଦରକାର, କିଭଳି ୟଙ୍ଗ ଜେନେରେସନ୍ ଦରକାର ତାକୁ ଦୃଷ୍ଟିରେ ରଖି ଏହି ଦୁଇ ମହାଶୟ ସାଇବର ଛାତ୍ର(Cyber Student) ଯୋଜନା ଦ୍ୱାରା ଆମର ଯୁବବର୍ଗଙ୍କୁ ଡିଜିଟାଲ ଦୁନିଆ ସହ ଯୋଡ଼ିବାର ଏକ ଅଭିଯାନ ଚଳାଇଛନ୍ତି । ଏହି ଦୀର୍ଘ ଦୃଷ୍ଟି ପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଆମେ ଜାଣିଛେ ଏବେ ରୋଗ ହେବା କେତେ ମହଙ୍ଗା ହେଲାଣି । ଗରିବଙ୍କ ପାଇଁ ବେମାର ପଡ଼ିବା କେତେ କଷ୍ଟକର ହୋଇଥାଏ । ଏହା ଆମର ଗୋଆ ସରକାରର ବିଶେଷତ୍ୱ ହେଉଛି ସେମାନେ ଦୀନଦୟାଲ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ବାର୍ଷିକ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରାୟ ସମସ୍ତ ୨.୨୫ଲକ୍ଷ ପରିବାର ଅର୍ଥାତ୍ ଏକପ୍ରକାର କହିବାକୁ ଗଲେ ଗୋଆର ସବୁ ପରିବାରକୁ ଏହି ସୁରକ୍ଷା କବଚ ମିଳିଛି । ଚାଷୀ ହେଉ, ମତ୍ସ୍ୟଜିବୀ ହେଉ ଅର୍ଥାତ୍ ଏକପ୍ରକାର ଦେଖିବାକୁ ଗଲେ ଯୋଜନାର ମେଳା । ଯାହା ସାଧାରଣ ଲୋକର ମଙ୍ଗଳ ପାଇଁ । ଏଭଳି ଗୋଆ ଯିଏ ବିକାଶର ମାର୍ଗରେ ଆଗକୁ ମାଡ଼ି ଚାଲିଛି, ଦେଶର ପ୍ରଧାନମନ୍ତ୍ରୀଙ୍କୁ ବି ନିଜର ମୁଣ୍ଡ ନୁଆଁଇବାରେ ଖୁସି ମିଳୁଛି, ଗର୍ବ ହେଉଛି ।
ଆଜି ଏଠି ୩ଟି ପ୍ରକଳ୍ପ ଆରମ୍ଭ ହେଉଛି । ମୋପା ନୂତନ ଗ୍ରୀନ୍ ଫିଲଡ୍ ଏୟାରପୋର୍ଟ । ବୋଧହୁଏ ଗୋଆରେ ଯେଉଁ ଲୋକଙ୍କ ବୟସ ଏବେ ୫୦ବର୍ଷ ହୋଇଯାଇଛି, ସେମାନେ ହେତୁ ପାଇବା ପରଠାରୁ ଶୁଣୁଥିବେ ଦିନେ ଗୋଆର ନିଜସ୍ୱ ଏୟାରପୋର୍ଟ ହେବ । ଉଡ଼ାଜାହାଜ ଆସିବ, ଲୋକ ଓହ୍ଲାଇବେ, ପର୍ଯ୍ୟଟନ ବଢ଼ିବ, ଶୁଣିଛନ୍ତି କି ନାହିଁ କୁହନ୍ତୁ । ସବୁ ସରକାର କହିଥିବେ, କହିଛନ୍ତି କି ନାହିଁ । ସବୁ ରାଜନୀତିକ ଦଳ କହିଛନ୍ତି କି ନାହିଁ । କିନ୍ତୁ ନିର୍ବାଚନ ଗଲେ ଉଡ଼ାଜାହାଜ ତା’ ଜାଗାରେ, ଗୋଆ ତା’ ଜାଗାରେ । ଏମିତି ହୋଇଛି କି ନାହିଁ । ଭାଇମାନେ ମୋତେ କହୁନ୍ତୁ । ଭାଇମାନେ ଆଜି ମୁଁ ଖୁସି ଯେ ଅଟଳ ବିହାରୀ ବାଜପେୟୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଆଜି ତାକୁ ପୁରା କରିବାର ସୁଯୋଗ ମୋତେ ମିଳିଛି । ଆଉ ଏ କେବଳ ଆକାଶରେ ଜାହାଜ ଉଡ଼ିବ ଆଉ ଆପଣଙ୍କର ଗୋଟିଏ ନୂଆ ବିମାନ ବନ୍ଦର ହେବ, ତାହା ନୁହେଁ । ଗୋଆର ଜନସଂଖ୍ୟା ହେଉଛନ୍ତି ୧୫ଲକ୍ଷ । ଏହି ବ୍ୟବସ୍ଥା ବିକଶିତ ହେବା ଦ୍ୱାରା ୩ଗୁଣ ଲୋକ, ଆପଣମାନେ ୧୫ଲକ୍ଷ ଲୋକ ଅଛନ୍ତି, ପ୍ରାୟ ୫୦ଲକ୍ଷ ଲୋକ ଆସିବା ଆରମ୍ଭ ହେବ । ଆପଣ କଳ୍ପନା କରିପାରିବେ ନାହିଁ ପର୍ଯ୍ୟଟନ କେତେ ବଢ଼ିଯିବ । ଗୋଆର ପର୍ଯ୍ୟଟନ ବଢ଼ିବା ଅର୍ଥ ହିନ୍ଦୁସ୍ତାନର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଶକ୍ତି ଦେଉଥିବା ଏହା ସବୁଠୁ ସାମର୍ଥ୍ୟବାନ ସ୍ଥାନ । ଏକଥା ଆମକୁ ଭଲଭାବେ ଜଣାଅଛି । ଗୋଆର ସୁବିଧା ବଢ଼ିବ ତ ଗୋଆବାସୀଙ୍କର ମଧ୍ୟ ବଢ଼ିବ ଆଉ ମୋର ବିଶ୍ୱାସ ଅଛି ଯେ ଏହାର ନିର୍ମାଣ କାର୍ଯ୍ୟରେ ଏଠାର ହଜାର ହଜାର ଯୁବକ ଯୁବତୀଙ୍କୁ ରୋଜଗାର ସୁବିଧା ମିଳିବ । ନିର୍ମାଣ ହେବା ପରେ ଏଠାର ଅର୍ଥବ୍ୟବସ୍ଥାକୁ, ପର୍ଯ୍ୟଟନକୁ ବହୁତ ବଡ଼ ସୁଯୋଗ ଏହି ଗୋଆକୁ ମିଳିବାର ଅଛି । ମୁଁ ସ୍ପଷ୍ଟ ଭାବେ ଦେଖିପାରୁଛି ।
ଭାଇ ଓ ଭଉଣୀମାନେ ।
ଆଜି ଏଠି ଇଲେକ୍ଟ୍ରୋନିକ ବିନିର୍ମାଣ ନଗରୀର ଶିଳାନ୍ୟାସ ହୋଇଛି । କେହି ଭାବୁନ୍ତୁ ନାହିଁ ଯେ ଏହା କେବଳ ଗୋଟିଏ ଶିଳ୍ପାଂଚଳ ନିର୍ମାଣ ହେଉଛି । ଖୁବ୍ କମ୍ ଲୋକ ଜାଣିଥିବେ ଇଲେକ୍ଟ୍ରୋନିକ ବିନିର୍ମାଣ ନଗରୀ ନିର୍ମାଣର ଅର୍ଥ କ’ଣ । ଗୋଟିଏ ପ୍ରକାରେ ମୋ’ର ଶବ୍ଦକୁ ଲେଖିକି ରଖନ୍ତୁ ଭାଇ ଓ ଭଉଣୀମାନେ । ଏକବିଂଶ ଶତାବ୍ଦୀରେ ମୁଁ ଏଭଳି ଗୋଆକୁ ଦେଖୁଛି ଯେଉଁଠି ଡିଜିଟାଲ କୌଶଳରେ ପ୍ରଶିକ୍ଷିତ, ଯୁବ ବର୍ଗ ଆଧାରିତ ଅତ୍ୟାଧୁନିକ ଗୋଆର ଆଜି ଶିଳାନ୍ୟାସ ହେଉଛି ବନ୍ଧୁଗଣ । ଏଭଳି ଗୋଆର ଶିଳାନ୍ୟାସ ହେଉଛି ଯେଉଁଠି ଆଧୁନିକ ଗୋଆ ହେବ, ଟେକ୍ନୋଲଜିରେ ସାମର୍ଥ୍ୟବାନ ଗୋଆ ହେବ । ଗୋଟିଏ ପଟେ କେବଳ ଗୋଆର ଅର୍ଥବ୍ୟବସ୍ଥା ଗୋଆର ଯୁବବର୍ଗଙ୍କ ରୋଜଗାର ହେବନି ବରଂ ଏହା ସମଗ୍ର ଭାରତର ସ୍ଥିତିକୁ ବଦଳାଇବ । ମୁଁ ଦେଖିପାରୁଛି କି ଗୋଆ ଏକ କ୍ଷମତା କେନ୍ଦ୍ର ପାଲଟିଯିବ । ସମଗ୍ର ଏକବିଂଶ ଶତାବ୍ଦୀ ଉପରେ ଏହି ପ୍ରୟାସର ପ୍ରଭାବ ପଡ଼ିବ ।
ଭାଇ-ଭଉଣୀମାନେ ଆଜି ଆଉ ଏକ ତୃତୀୟ ମହତ୍ୱପୂର୍ଣ୍ଣ କାମକୁ ଆମେ ଆଗେଇ ନେବାକୁ ଯାଉଛୁ । ଆମର ସ୍ପଷ୍ଟ ମତ ହେଉଛି ସୁରକ୍ଷା କ୍ଷେତ୍ରରେ ଭାରତକୁ ନିଜର ଦମ୍ ରେ ଛିଡ଼ା ହେବା ଉଚିତ । ଦେଶ ସ୍ୱାଧୀନର ୭୦ବର୍ଷ ହୋଇଗଲାଣି, ଆମେ କାହାରି ଦୟାର ପାତ୍ର ହେବାକୁ ଚାହୁଁନୁ । ଆମେ ନିଜର ସାମର୍ଥ୍ୟରେ ବଞ୍ଚିବୁ, ଆଉ ନିଜ ଲୋକଙ୍କ ପାଇଁ ହିଁ ମରିବୁ । ନିଜର ସମ୍ମାନ ପାଇଁ ମରିବୁ । ଯେଉଁ ଦେଶ ପାଖରେ କୋଟି କୋଟି ଯୁବ ବର୍ଗ ଅଛନ୍ତି, ୮୦୦ ମିଲିୟନ, ଅର୍ଥାତ ୬୫ ପ୍ରତିଶତ ହେଉଛନ୍ତି ୩୫ବର୍ଷରୁ କମ୍ ବୟସର ଯୁବ ବର୍ଗ, ସେହି ଯୁବବର୍ଗ ତେଜସ୍ୱୀ, ଚତୁର, ବୁଦ୍ଧିମାନ, ପ୍ରତିଭା ଅଛି, ନୂଆ ଚିନ୍ତାଧାରା ଅଛି, ଟୋକ୍ନୋଲଜି ଜ୍ଞାନ ଅଛି, ସବୁକିଛି ଅଛି କିନ୍ତୁ ସୁରକ୍ଷା ପାଇଁ ପ୍ରତ୍ୟେକ ସାମଗ୍ରୀ ବାହାରୁ ଆଣିବାକୁ ପଡ଼ୁଛି । କ’ଣ ଏହାର କାରଣ ? ଆଜି ଗୋଆର ମାଟିରେ ସାମୁଦ୍ରିକ ସୁରକ୍ଷା ଦିଗରୁ, ମେକ୍ ଇନ୍ ଇଣ୍ଡିଆ ଦିଗରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।
ଭାଇ ଓ ଭଉଣୀମାନେ, ଆଜି ଗୋଆକୁ ବିଶେଷ କୃତଜ୍ଞତା ଜଣାଇବାକୁ ଚାହୁଁଛି । ଆକବରଙ୍କ ବିଷୟରେ କୁହାଯାଏ କି ତାଙ୍କର ରାଜସଭାରେ ନବରତ୍ନ ଥିଲେ ଓ ଉକ୍ତ ନବରତ୍ନଙ୍କ ସମ୍ପର୍କରେ ହିଁ ଆକବରଙ୍କ କାର୍ଯ୍ୟକାଳର ଚର୍ଚ୍ଚା ହୋଇଥାଏ । ମୁଁ ଭାଗ୍ୟଶାଳୀ ଯେ ମୋର ଟିମ୍ ରେ ଅନେକ ରତ୍ନ ଅଛନ୍ତି । ଏହି ରତ୍ନଙ୍କ ମଧ୍ୟରେ ଏକ ଉଜ୍ୱଳ ରତ୍ନ ମୋତେ ଗୋଆବାସୀ ଦେଇଛନ୍ତି । ସେହି ରତ୍ନର ନାଁ ହେଉଛି ମନୋହର ପାରିକର । ଅନେକ ବର୍ଷ ପରେ ଦେଶକୁ ଏଭଳି ଜଣେ ରକ୍ଷା ମନ୍ତ୍ରୀ ମିଳିଛନ୍ତି ଯିଏ ୪୦ବର୍ଷ ପୁରୁଣା ଆମର ସେନାର ସମସ୍ୟାକୁ ସମାଧାନ କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି । ଯଦି ମନୋହର ପାରିକରଜୀଙ୍କ ପାରିବାପଣିଆ ନଥାନ୍ତା, ତା’ହେଲେ ୪୦ବର୍ଷ ଧରି ପଡ଼ି ରହିଥିବା ‘ୱାନ୍ ରେଙ୍କ୍ ୱାନ୍ ପେନ୍ସନ୍’ ମୋ’ ଦେଶ ପାଇଁ ଜୀବନ ଦେଉଥିବା ଯବାନଙ୍କ କାମ ଅଧୁରା ରହିଯାଇଥାନ୍ତା । ମୁଁ ମନୋହରଜୀଙ୍କୁ ଧନ୍ୟବାଦ ଜଣାଉଛି ଓ କୃତଜ୍ଞତା ବ୍ୟକ୍ତ କରୁଛି କି ଆପଣମାନେ ମୋତେ ମନୋହରଜୀଙ୍କୁ ଦେଇଛନ୍ତି । ଏଭଳି ସାମର୍ଥ୍ୟବାନ, ଦେଶର କୌଣସି ରକ୍ଷାମନ୍ତ୍ରୀ ଗତ କିଛି ବର୍ଷ ଧରି ଆସିନାହାନ୍ତି ଯାହାଙ୍କ ଉପରେ ଆଙ୍ଗୁଳି ଉଠିନି । ଏବେ ଆମେ ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛୁ । ବିଶ୍ୱ ସହ ବୁଝାମଣା କରୁଛୁ, ଦେଶର ସୁରକ୍ଷା ବୃଦ୍ଧି ପାଇଁ ନିଷ୍ପତ୍ତି ନେଉଛୁ । ୨୮ମାସ ହୋଇଗଲାଣି । ପ୍ରତିରକ୍ଷା ମନ୍ତ୍ରଣାଳୟ ଉପରେ କେଉଁଠି ବି ଆଙ୍ଗୁଳି ଉଠିନି । ମୁଁ ମନୋହରଜୀଙ୍କୁ ଅଭିନନ୍ଦନ ଜଣାଉଛି ମୋର ସହଯୋଗୀ ଭାବେ, ମୋତେ ଉତ୍ତମ ସାଥୀ ମିଳିଛି । କିନ୍ତୁ ଗୋଆବାସୀଙ୍କୁ ଅଭିନନ୍ଦନ ଦେଉଛି କି ଆପଣମାନେ ଯେଉଁ ମନୋହାରଜୀଙ୍କୁ ସୃଷ୍ଟି କରିଛନ୍ତି ଓ ଦେଶ ପାଇଁ ତାଙ୍କୁ ଦେଇଛନ୍ତି । ମୁଁ ଆପଣମାନଙ୍କୁ ଅଭିନନ୍ଦନ କରୁଛି ।
ଭାଇ-ଭଉଣୀମାନେ ଏ ଯେଉଁ ମାଇନ କାଉଂଟର ମେଜର ଭେସେଲ୍ସ ପ୍ରୋଗ୍ରାମ, ତାହା ଭାରତର ସାମୁଦ୍ରିକ ସୁରକ୍ଷାରେ ଏକ ବହୁତ ବଡ଼ ଭୂମିକା ଗ୍ରହଣ କରିବାର କାର୍ଯ୍ୟ କରିବ । ଏଥିରେ ଲୋକଙ୍କୁ ରୋଜଗାର ମିଳିବ ଓ ଏହି କ୍ଷେତ୍ରର ବିକାଶ ପାଇଁ ମଧ୍ୟ କାମ ହେବ ।
ମୋ’ର ପ୍ରିୟ ଗୋଆର ଭାଇଭଉଣୀମାନେ, ମୁଁ ଆଜି ଆଉ କିଛି କଥା ଗୋଆବାସୀଙ୍କ ସହ ବାଣ୍ଟିବାକୁ ଚାହୁଁଛି ।
୮ତାରିଖ, ରାତି ୮ଟା, ଦେଶର କୋଟି କୋଟି ଲୋକ ସୁଖଶାନ୍ତିରେ ନିଦରେ ଶୋଇଲେ ଆଉ ଦେଶର ଲକ୍ଷ ଲକ୍ଷ ଲୋକ ନିଦ ବଟିକା କିଣିବାକୁ ଗଲେ, ବଟିକା ମିଳିଲାନି ।
ମୋର ପ୍ରିୟ ଦେଶବାସୀ ମୁଁ ୮ତାରିଖ ରାତି ୮ଟାରେ ଦେଶ ଆଗରେ କଳାଟଙ୍କା ବିରୋଧରେ, ଭ୍ରଷ୍ଟାଚାର ବିରୋଧରେ ଯେଉଁ ଲଢ଼େଇ ଲଢ଼ିଲି, ଦେଶର ଯେଉଁ ଲଢ଼େଇ ଲଢ଼ୁଛି, ହିନ୍ଦୁସ୍ତାନର ସଚ୍ଚୋଟ ଲୋକ ଯିଏ ଏହି ଲଢ଼େଇ ଲଢ଼ୁଛି ଉକ୍ତ ଦିଗରେ ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଲି । କିନ୍ତୁ କିଛି ଲୋକ ଯେଉଁମାନେ ନିଜ ଦୁନିଁଆରେ ମସଗୁଲ ରହିଥାନ୍ତି ସେମାନେ ନିଜର ସାଇଜ୍ ନେଇ ଅନ୍ୟକୁ ମାପିବାକୁ ଯାଉଛନ୍ତି । ସେଥିରେ ଫିଟ୍ ନହେଲାରୁ କହୁଛନ୍ତି କିଛି ଗଡ଼ବଡ଼ ଅଛି ।
ଯଦି ଏହି ଦେଶର ଅର୍ଥନୀତିଜ୍ଞମାନେ, ଏହି ଦେଶର ନୀତିକୁ ବୁଝି ବିଶ୍ଲେଷଣ କରୁଥିବା ଲୋକମାନେ, ଏ ପୁରୁଣା ସରକାର, ପୁରୁଣା ନେତା, ସେମାନଙ୍କୁ ମାପୁଥିବା ତରାଜୁକୁ ମୋର ଆସିବା ପରେ ଯଦି ବଦଳାଇଥାନ୍ତେ ତା’ହେଲେ ଏ ସମସ୍ୟା ହେଉନଥାନ୍ତା । ସେମାନେ ଜାଣି ରଖିବା ଉଚିତ୍ କି ଏଭଳି ସରକାରକୁ ଦେଶ ନିର୍ବାଚିତ କରିଛି ଯାହା ପାଖରୁ ଦେଶ ଆଶା କରୁଛି । ଆପଣମାନେ କୁହନ୍ତୁ ମୋତେ ଏ କାମ କରିବା ପାଇଁ କହିଥିଲେ କି ନାହିଁ । କଳାଟଙ୍କା ବିରୋଧରେ କାମ କରିବା ପାଇଁ ଆପଣମାନେ ମୋତେ କହିଥିଲେ କି ନାହିଁ । ଆପଣମାନେ କୁହନ୍ତୁ ମୋତେ ଏହା କରିବା ଉଚିତ୍ ଥିଲା କି ନାହିଁ । ଆପଣମାନେ କୁହନ୍ତୁ ଯେତେବେଳେ ମୋତେ ଏକଥା କହିଥିଲେ ସେତେବେଳେ ଜାଣିଥିଲେ ନା ନାହିଁ କି ସାମାନ୍ୟ ସମସ୍ୟା ହେବ ବୋଲି । ଏମିତି ତ ନୁହେଁ କି ଆପଣମାନେ ଖାଲି ମୁହଁରେ କହିଦେଇଥିଲେ । ସମସ୍ତେ ଜାଣିଥିଲେ । ଏ ସରକାର ଗଠନ ହେବାର ଠିକ୍ ପରେ ଆମେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ତଦନ୍ତ ଟିମ୍(ଏସ୍ଆଇଟି)ଗଠନ କରିଥିଲୁ । ବିଶ୍ୱରେ କେଉଁ ସବୁ ସ୍ଥାନରେ ଏହି କାରବାର ଚାଲିଛି । ଏହା ଉପରେ ଉକ୍ତ ଟିମ୍ କାମ କରୁଛି, ଆଉ ପ୍ରତ୍ୟେକ ୬ମାସରେ ଏହି ଟିମ୍ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଉଛନ୍ତି । ଏହି କାମ ପୂର୍ବର ସରକାରମାନେ ଏଡ଼ାଇ ଯାଉଥିଲେ, କିନ୍ତୁ ଆମେ କଲୁ । ଆମର ଗୋଟିଏ ଲୋକକଥା ଅଛି । ପୁତ୍ରର ଲକ୍ଷଣ ଜଣାପଡ଼େ ପାଳିବାରେ । ଯେତେବେଳେ ମୋର ପ୍ରଥମ କ୍ୟାବିନେଟର ପ୍ରଥମଦିନରେ ଏଭଳି ବଡ଼ ନିର୍ଣ୍ଣୟ ନେଲି, ସେତେବେଳେ କ’ଣ ଜାଣିପାରିଲେନି ଭବିଷ୍ୟତରେ କ’ଣ କରିବାକୁ ଯାଉଛି । ମୁଁ କ’ଣ ଲୁଚାଇଛି, କିଛି ବି ଲୁଚାଇନି । ପ୍ରତ୍ୟେକ ଥର ଏକଥା ମୁଁ କହିଛି ଓ ଆଜି ଆପଣଙ୍କୁ ଏହାର ବିବରଣୀ ଦେଉଛି । ଦେଶ ମୋତେ ଶୁଣୁଛି । ମୁଁ ଦେଶକୁ କେବେ ବି ଅନ୍ଧାରରେ ରଖିନି । ମୁଁ ଦେଶକୁ କେତେବେଳେ ବି ଭ୍ରମରେ ରଖିନି । ଖୋଲାଖୋଲି କହିଛି, ସଚ୍ଚୋଟ ଭାବେ କହିଛି ।
ଭାଇ ଓ ଭଉଣୀମାନେ
ଅନ୍ୟ ଜରୁରୀ କାମ ଥିଲା କି ବିଶ୍ୱର ଅନେକ ରାଷ୍ଟ୍ର ସହ ଗତ ୫୦-୬୦ବର୍ଷ ମଧ୍ୟରେ ଏଭଳି ଚୁକ୍ତିନାମା କରିଥିଲୁ, ଯେଉଁଥିପାଇଁ ଆମକୁ କିଛି ସୂଚନା ମିଳିପାରୁନଥିଲା । ଆମ ପାଇଁ ଅତ୍ୟନ୍ତ ଜରୁରୀ ଥିଲା କି ଉକ୍ତ ରାଷ୍ଟ୍ରଗୁଡ଼ିକ ସହ ପୁରୁଣା ଚୁକ୍ତିନାମାକୁ ସଂଶୋଧନ କରିବା । କିଛି ଦେଶ ସହ ଚୁକ୍ତିନାମା ମଧ୍ୟ କରିବା । ଆମେରିକା ଭଳି ଦେଶକୁ ବୁଝାଇବାରେ ମୁଁ ସଫଳ ହେଲି କି ଆପଣ ଆମ ସହ ଚୁକ୍ତି କରନ୍ତୁ ଓ ଆପଣଙ୍କ ବ୍ୟାଙ୍କକୁ କେଉଁ ଭାରତୀୟଙ୍କ ଅର୍ଥ ଆସୁଛି, ତାହା ଆମକୁ ତୁରନ୍ତ ଜଣାପଡ଼ିବା ଉଚିତ୍ । ଏହି କାମ ମୁଁ ବିଶ୍ୱର ଅନେକ ରାଷ୍ଟ୍ର ସହ କରିଛି । କିଛି ରାଷ୍ଟ୍ର ସହ ଏବେ ବି ଚାଲିଛି । କିନ୍ତୁ ବିଶ୍ୱରେ ଭାରତରୁ ଚୋରିଲୁଟ୍ ହୋଇଥିବା ପଇସା କେଉଁଠିକି ବି ଯାଇଥିବ ତା’ର ତୁରନ୍ତ ସୂଚନା କିଭଳି ଆମକୁ ମିଳିବ ତା’ର ବ୍ୟବସ୍ଥା ଆମେ କରିଛୁ ।
ଆମେ ଜାଣିଛୁ, ଆପଣମାନେ ଜାଣିଥିବେ ନିଶ୍ଚୟ ଯେ ଦିଲ୍ଲୀର କୌଣସି ବାବୁଙ୍କର ଗୋଆରେ ଫ୍ଲାଟ୍ ଅଛି କି ନାହିଁ । ଗୋଆର ବିଲ୍ଡରମାନଙ୍କ ପ୍ରତି ମୋର ଅଭିଯୋଗ ନାହିଁ । ସେମାନଙ୍କର ତ କାମ ଘର ବିକ୍ରି କରିବା, କିନ୍ତୁ ଯାହାର ସାତ ପୀଢ଼ି ଧରି କେହିବି ଗୋଆରେ ରହୁନଥିବେ, ସେ ଜନ୍ମ ଅନ୍ୟ କେଉଁଠି ହୋଇଥିବେ, ଦିଲ୍ଲୀରେ କାମ କାମ କରୁଥିବେ, ବଡ଼ ବାବୁ ହୋଇଥିବେ, ଫ୍ଲାଟ୍ ଗୋଆରେ କିଣିଛନ୍ତି । କାହା ନାଁରେ । ନିଜ ନାଁରେ ତ କିଣିବେନି ଅନ୍ୟ ନାଁରେ କିଣିଥିବେ । ଅନ୍ୟର ନାଁରେ ଏମାନେ କିଣୁଛନ୍ତି କି ନାହିଁ । ଆମେ ଆଇନ ତିଆରି କରିଛୁ କି ବେନାମି ସମ୍ପତ୍ତି, ଅନ୍ୟର ନାଁରେ ସମ୍ପତ୍ତିଗୁଡ଼ିକ ଉପରେ ଆମେ ଆଇନଗତ ପ୍ରହାର କରିବୁ । ଏ ସମ୍ପତ୍ତି ଦେଶର, ଏ ସମ୍ପତ୍ତି ଦେଶର ଗରିବଙ୍କର । ଆଉ ମୋର ସରକାର କେବଳ ହିଁ କେବଳ ଦେଶର ଗରିବଙ୍କ ସହାୟତା କରିବାକୁ ନିଜର କର୍ତ୍ତବ୍ୟ ମାନୁଛି ଆଉ ମୁଁ ଏହା ଯେମିତି ହେଲେ କରିବି ।
ମୁଁ ଦେଖିଛି କି ଘରେ ବିବାହ, କି ଅନ୍ୟ କିଛି କାମ ଥିଲେ ଜୁଏଲାରୀ କିଣାଯାଏ । ପତ୍ନୀର ଜନ୍ମଦିନ ଥିଲେ, ଅଳଙ୍କାର କିଣାଯାଏ । କେବେ ସୁନା କିଣନ୍ତି ତ କେବେ ଅଳଙ୍କାର । କିଛି ବି ଆପତ୍ତି ନାହିଁ ସାହେବ୍, ଥଳି ଭରି ନେଇ ଆସନ୍ତୁ ଆଉ ନେଇଯାଆନ୍ତୁ । ନା ବିଲ୍ ଦେବାର ଅଛି, ନା ନେବାର, ନା କିଛି ହିସାବ ରଖିବାର ନାହିଁ । ଏସବୁ କ’ଣ ନଗଦରେ ଚାଲିଥିଲା କି ନାହିଁ । ଏସବୁ କ’ଣ ଗରିବ ଲୋକମାନେ କରୁଥିଲେ । ଏହା ବନ୍ଦ ହେବା ଉଚିତ୍ ଥିଲା କି ନାହିଁ । ଆମେ ନିୟମ କଲୁ କି ଦୁଇ ଲକ୍ଷ ଟଙ୍କାରୁ ଅଧିକ ଯଦି ଆପଣ ଗହଣା କିଣିବେ, ଆପଣଙ୍କୁ ପ୍ୟାନ୍ କାର୍ଡ ନମ୍ବର ଦେବାକୁ ପଡ଼ିବ । ଏହାକୁ ବିରୋଧ ହେଲା । ଆପଣ ଆଶ୍ଚର୍ଯ୍ୟ ହେବେ କି ଅଧାରୁ ଉର୍ଦ୍ଧ୍ଵ ସାଂସଦ ମୋତେ କହିଥିଲେ କି ମୋଦୀଜୀ ଏହି ନିୟମ ଲାଗୁ କରନ୍ତୁ ନାହିଁ । ଆଉ କିଛି ମୋତେ ଚିଠି ଲେଖିବାର ସାହାସ କଲେ । ଯେଉଁଦିନ ମୁଁ ଏସବୁ ସାର୍ବଜନୀନ କରିବି ବୋଧହୁଏ ସେମାନେ ନିଜ ଏରିଆକୁ ଯାଇପାରିବେ କି ନାହିଁ । ଆମେ ତ କେବଳ ଏତିକି କହୁଛୁ, ଯଦି ଆପଣଙ୍କ ପାଖରେ ପଇସା ଅଛି, ସୁନା ଅଳଙ୍କାର କିଣୁଛନ୍ତି, ତା’ହେଲେ ନିଜର ପ୍ୟାନ୍ ନମ୍ବର ଲେଖାଇ ଦିଅନ୍ତୁ । ଜାଣିବା ଦରକାର କିଏ ନେଉଛି, ଟଙ୍କା କେଉଁଠୁ ଆସୁଛି ଓ କୁଆଡ଼େ ଯାଉଛି । ଭାଇ ଓ ଭଉଣୀମାନେ ଏ ୭୦ବର୍ଷର ରୋଗ ଆଉ ମୋତେ ୧୭ମାସରେ ମୂଳପୋଛ କରିବାର ଅଛି ।
ଭାଇ ଓ ଭଉଣୀମାନେ ଆମେ ଆଉ ଏକ କାମ କରିଛୁ । ପୂର୍ବରୁ ସରକାର ବି କରିଥିଲେ । ଏ ଯେଉଁ ଜୁଏଲର୍ସ ଅଳଙ୍କାର ବେପାରୀ ଅଛନ୍ତି, ଯେଉଁମାନେ କି ଅଧିକାଂଶ ଆମର ଏଠି ସୁନାରୂପାର ନାନାଦି କଥା କୁହନ୍ତି, ସେମାନଙ୍କ ଉପରେ କୌଣସି ଉତ୍ପାଦ ଶୁଳ୍କ ଲାଗୁ ନଥିଲା । ପୂର୍ବରୁ ସରକାର ଏହାକୁ ଲଗାଇବାକୁ ପ୍ରୟାସ କରିଥିଲେ, ଖୁବ୍ କମ୍ ଲଗାଇଥିଲେ । କିନ୍ତୁ ଏସବୁ ସାରା ଜୁଏଲାରୀ ସଂଖ୍ୟା କମ୍ । ଗାଁରେ ତ ଗୋଟିଏ କି ଅଧା ଥିବ । ବଡ଼ ବଡ଼ ସହରରେ ୫୦ରୁ ୧୦୦ଟି ଦୋକାନ ରହିଥାଏ । କିନ୍ତୁ ସେମାନଙ୍କର ଶକ୍ତି ଆଜ୍ଞା ଆଶ୍ଚର୍ଯ୍ୟ ଧରଣର । ବଡ଼ବଡ଼ ସାଂସଦ ସେମାନଙ୍କର ପକେଟରେ ଥାନ୍ତି । ଅଳଙ୍କାର ଦୋକାନ ଓ ବେପାରୀଙ୍କ ଉପରେ ଯେତେବେଳେ ଉତ୍ପାଦ ଶୁଳ୍କ ଲାଗୁ ହେଲା, ମୋ’ ଉପରେ ଏତେ ଚାପ ଆସିଲା, ସାଂସଦମାନଙ୍କ ଚାପ, ପ୍ରତିନିଧି ଦଳ, ଆମର ପରିଚିତ ଏମିତି ଅନେକଙ୍କ ଚାପ ପଡ଼ିଥିଲା । ଏମିତିତ ସବୁ ଆୟକରବାଲା ଲୁଟିନେବେ, ଧ୍ୱଂସ କରିଦେବେ, ଏଭଳି କଥା କହିଲେ କି ମୁଁ ବି ଭୟ କରିଗଲି । ଭାବିଲି ଏୟାକୁ କଲେ କାଳେ କିଛି ହୋଇଯିବ । ତା’ପରେ ମୁଁ କହିଲି ଭାଇ ଦୁଇଟି କମିଟି ଗଠନ କରିବା, ସେମାନେ ଆଲୋଚନା କରିବେ ଓ ଚର୍ଚ୍ଚା କରିବେ । ସରକାରଙ୍କ ପକ୍ଷରୁ ସେମାନଙ୍କର ଯାହା ଉପରେ ଭରସା ଥିଲା ସେଭଳି ବିଶେଷଜ୍ଞ କମିଟି ଗଠନ କଲି । ପୂର୍ବ ସରକାରଙ୍କୁ ଏଭଳି ପ୍ରୟାସ ଫେରସ୍ତ ନେବାକୁ ପଡ଼ିଥିଲା । ସାହେବ ମୁଁ ସଚ୍ଚୋଟ ଭାବେ ଦେଶ ଚଳାଇବାକୁ ଚାହୁଁଛି । ମୁଁ ଏହି ଉତ୍ପାଦ ଶୁଳ୍କ ବସାଇବା ନିଷ୍ପତ୍ତି ବାତିଲ କଲି ନାହିଁ । ମୁଁ ଜୁଏଲର୍ସଙ୍କୁ ଆଶ୍ୱସ୍ତ କଲି କି ଅନ୍ୟାୟ କରିବି ନାହିଁ । ଆୟକର ପକ୍ଷରୁ ହଇରାଣ କରାଯିବ ନାହିଁ । ଯଦି କେହି କରିବେ, ମୋବାଇଲ ଫୋନରେ ତା’ର ରେକର୍ଡ କରିନିଅନ୍ତୁ ମୁଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି । ଆମେ ଏହି ପଦକ୍ଷେପ ନେଲୁ । ଯେଉଁମାନେ ଏସବୁ ଜାଣିଥିଲେ, ସେମାନେ ଭାବି ପାରୁନଥିଲେ କି ମୋଦୀ ଭବିଷ୍ୟତରେ କରିବ କ’ଣ? ଆପଣମାନେ ବି ନିଜ ଦୁନିଆଁରେ ମସଗୁଲ୍ ଥିଲେ କି ଅନ୍ୟ ରାଜନୀତିକ ଦଳ ଭଳି ମୋଦୀ ବି ପଳାଇବ । ଭାଇ ଓଭଉଣୀମାନେ ମୁଁ ରାଜ ସିଂହାସନ ପାଇଁ ଜନ୍ମ ହୋଇନି । ମୋର ପ୍ରିୟ ଦେଶବାସୀ, ମୁଁ ଘର, ପରିବାର,ସବୁକିଛି ଦେଶ ପାଇଁ ଛାଡ଼ିଛି ।
ମୁଁ ଅନ୍ୟ ପଟେ ବି ଜୋର୍ ଦେଲି । କିଛି ଲୋକ ଅଛନ୍ତି ବାଧ୍ୟବାଧକତାରେ ଭୁଲ୍ କରିଥାନ୍ତି । ସମସ୍ତେ ବେଇମାନ ନୁହଁନ୍ତି । ସମସ୍ତେ ଚୋର ନୁହଁନ୍ତି । ବାଧ୍ୟବାଧକତାରେ କରିଥାନ୍ତି । ସୁଯୋଗ ମିଳିଲେ ଭଲ ମାର୍ଗରେ ବି ଚାଲିବାକୁ ପଛାନ୍ତି ନାହିଁ । ଏଭଳି ସଂଖ୍ୟାର ଲୋକ ବହୁତ ଅଛନ୍ତି । ଆମେ ଲୋକଙ୍କ ଆଗରେ ସ୍କିମ୍ ରଖିଲୁ କି ଯଦି ଆପଣଙ୍କ ପାଖରେ ଅସାଧୁ ଅର୍ଥ ଅଛି ତା’ହେଲେ ଆପଣ ଇସିଏସ୍ ଆଇନ ଆଧାରରେ ଜମା କରି ଦିଅନ୍ତୁ । ଏତିକି ଜୋରିମାନା ଆକାରରେ ଦେଇ ଦିଅନ୍ତୁ । ସେଥିରେ ମୁଁ କିଛି ବି କୋହଳତା କଲିନି । କିନ୍ତୁ ବ୍ୟବସାୟୀମାନେ କୌଣସି କଥାକୁ ବୁଝିବାରେ ବେଶ୍ ହୋସିଆରି ଦେଖାନ୍ତି । ସେମାନେ ବୁଝିପାରିଲେ ଯେ ଇଏ ମୋଦୀ, କିଛି ନା କିଛି ଗଡ଼ବଡ଼ କରିବ । ଆପଣମାନେ ଜାଣି ଖୁସି ହେବେ କି ସ୍ୱାଧୀନତାର ୭୦ବର୍ଷରେ ଏଭଳି ଯୋଜନା ଅନେକଥର ଆସିଛି କିନ୍ତୁ ପ୍ରଥମର ପାଇଁ ୬୭ ହଜାର କୋଟି ଟଙ୍କା ଜୋରିମାନା ସମେତ ଲୋକମାନେ ଜମା କରିଛନ୍ତି । ଦୁଇବର୍ଷରେ ମୋଟ ସର୍ଭେ ଦ୍ୱାରା, ଚଢାଉ ଦ୍ୱାରା, ଘୋଷଣା ଦ୍ୱାରା ୧.୨୫ ଲକ୍ଷ କୋଟି ଟଙ୍କା ଆସିଛି, ସରକାରୀ ରାଜକୋଷରେ ଜମା ହୋଇଛି, ଯାହାକି ହିସାବରେ ବି ନଥିଲା । ଭାଇ ଓ ଭଉଣୀମାନେ, ଏହି ଦୁଇବର୍ଷରେ କରିଥିବା କାମର ହିସାବ ଆଜି ଗୋଆ ମାଟିରୁ ସାରା ଦେଶକୁ ଜଣାଇବାକୁ ଚାହୁଁଛି ।
ମୁଁ ଜାଣିଥିଲି, କ’ଣ କରିବାକୁ ହେବ । ଆମେ ଜନଧନ ଏକାଉଣ୍ଟ ଖୋଲିଲୁ । ଯେତେବେଳେ ଏହି ସ୍କିମ୍ ଆଣି ଆସିଲୁ, ସଂସଦରେ ମୋତେ ଥଟ୍ଟା ପରିହାସ କରାଗଲା । ଭାଷଣ କେମିତି ହୋଇଥିଲା,ଆପଣମାନଙ୍କ ମନେଥିବ । ସେମାନେ ଭାବୁଥିଲେ ମୋତେ ଜଣାନଥିଲା କ’ଣ ସବୁ କେଉଁଠିକି ଯାଉଥିଲା । ଆଉ ଭାବିଥିଲେ ମୋଦୀକୁ ଷଣ୍ଢୁଆସି ଆକ୍ରମଣ କଲେ ମୋଦୀ ଡରିଯିବ । ଆରେ ଭାଇ, ମୋଦୀକୁ ଯଦି ଜୀଅନ୍ତା ଜାଳିଦେବ, ତା’ହେଲେ ବି ମୋଦୀ ଭୟ କରିବ ନାହିଁ । ଆମେ ପ୍ରଥମରୁ ଆସି ଗୋଟିଏ କାମ କଲୁ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଦ୍ୱାରା ଗରିବରୁ ଅତି ଗରିବ ଲୋକଙ୍କ ବ୍ୟାଙ୍କ ଏକାଉଂଟ ଖୋଲିଲୁ । ସେତେବେଳେ ଲୋକେ ବୁଝିପାରୁନଥିଲେ କି ମୋଦୀ ବ୍ୟାଙ୍କ ଏକାଉଣ୍ଟ କାହଁକି ଖୋଲୁଛି । ଏବେ ଲୋକେ ବୁଝିପାରୁଥିବେ ଏହି ବ୍ୟାଙ୍କ ଏକାଉଣ୍ଟ କେତେ ଲାଭଦାୟକ । ପ୍ରାୟ ୨୦କୋଟିରୁ ଉର୍ଦ୍ଧ୍ଵ ଲୋକ ବ୍ୟାଙ୍କ ଏକାଉଣ୍ଟ ଖୋଲିଲେ । ହିନ୍ଦୁସ୍ତାନରେ ଧନୀ ଲୋକଙ୍କ ପକେଟରେ ଭଳିକି ଭଳି ବ୍ୟାଙ୍କ କ୍ରେଡିଟ୍ ଓ ଡେବିଟ୍ କାର୍ଡ ଥାଏ । ବିଚରା ଗରିବ ଲୋକ ଭାବିନଥିଲା କି ଏଭଳି କିଛି କାର୍ଡ ତାକୁ ମିଳିବ । ଭାଇ ଓ ଭଉଣୀମାନେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ପାଇଁ ହିଁ କେବଳ ବ୍ୟାଙ୍କ ଏକାଉଣ୍ଟ ଖୋଲାଯାଇଛି, ତାହା ନୁହେଁ ।
ଦେଶର ୨୦କୋଟି ଲୋକଙ୍କୁ ଆମେ ରୂପେ(RuPay) କାର୍ଡ ଦେଇଛୁ, ଡେବିଟ୍ କାର୍ଡ ଦେଇଛୁ । ଆଉ ଏସବୁ ଆଜକୁ ବର୍ଷେ ପୂର୍ବରୁ କରାଯାଇଥିଲା । ଯଦି ତାଙ୍କ ଖାତାରେ ଟଙ୍କା ଥିବ, ତା’ହେଲେ ଏହି ଡେବିଟ କାର୍ଡରେ ସେ ବଜାରରୁ ଯେକୌଣସି ସାମଗ୍ରୀ କିଣିପାରିବେ । ଏହାର ବ୍ୟବସ୍ଥା ସେଥିରେ ଉପଲବ୍ଧ ଅଛି ଭାଇ ଓ ଭଉଣୀମାନେ । କିନ୍ତୁ ଲୋକଙ୍କୁ ଲାଗିଲା କି ନା-ନା ଯେମିତି ସବୁ ରାଜନୀତିକ କାମ ହୋଇଥାଏ, ଠିକ ସେମିତିକା ହୋଇଥିବ । ଏହା ରାଜନୀତିକ କାମ ନଥିଲା, ମୁଁ ଧୀରେ-ଧୀରେ ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଭିନ୍ନ ଭିନ୍ନ ଔଷଧ ଦେଉଥିଲି । ଧିରେ ଧିରେ ଡୋଜ୍ ବଢ଼ୁଥିଲା ।
ଭାଇ ଓ ଭଉଣୀମାନେ, ମୋ’ ଦେଶର ଗରିବଙ୍କ ଧନାଢ଼୍ୟପଣ ଦେଖନ୍ତୁ । ମୁଁ ତ ସେମାନଙ୍କୁ କହିଥିଲି କି ସମ୍ପୂର୍ଣ୍ଣ ମାଗଣା ବିନା ଟଙ୍କାରେ ଆପଣ ଖାତା ଖୋଲି ପାରିବେ । ଥରେ କେବଳ ଆପଣଙ୍କ ପାଦ ବ୍ୟାଙ୍କରେ ପଡ଼ିବା ଉଚିତ୍ । ଏହି ଆର୍ଥିକ ବ୍ୟବସ୍ଥାରେ କେଉଁଠି ନା କେଉଁଠି ଆପଣ ବି ରହିବା ଉଚିତ୍ । କିନ୍ତୁ ମୋ’ ଦେଶର ଗରିବଙ୍କ ଧନାଢ଼୍ୟ ମନଭାବନା ଦେଖନ୍ତୁ ବନ୍ଧୁମାନେ । ଏ ଯେଉଁ ଧନୀ ଲୋକ ରାତିରେ ଶୋଇପାରୁନାହାନ୍ତି, ସେମାନେ ଗରିବଙ୍କ ଧନାଢ଼୍ୟପଣ ଦେଖନ୍ତୁ । ମୁଁ କହିଥିଲି ଜିରୋ ବାଲାନ୍ସରେ ଆପଣ ବ୍ୟାଙ୍କ ଏକାଉଣ୍ଟ ଖୋଲିପାରିବେ । କିନ୍ତୁ ମୋର ଦେଶର ଗରିବମାନେ ବ୍ୟାଙ୍କରେ ଜନଧନ ଏକାଉଣ୍ଟରେ ୪୫ହଜାର କୋଟି ଟଙ୍କା ଜମା କରିଛନ୍ତି ବନ୍ଧୁଗଣ । ଏ ଦେଶର ସାଧାରଣ ମାନବିକ ଶକ୍ତିକୁ ମୁଁ ଚିହ୍ନିଛି । ୨୦ କୋଟି ପରିବାରକୁ ରୂପେ କାର୍ଡ ଦିଆଯାଇଛି । ତଥାପି ବି କିଛି ଲୋକ ମାନିବାକୁ ନାରାଜ । ସେମାନେ ଭାବୁଛନ୍ତି କି ଯଦି କୌଣସି ରାଜନୀତିକ ଗୋଟି ଚଳାଇଦେବେ ତା’ହେଲେ ମାମଲା ହୋଇଯିବ । ଆମେ ଗୋଟିଏ ବହୁତ ବଡ଼ ଗୁପ୍ତ ଅପରେସନ କରିଥିଲୁ । ମନୋହରଜୀଙ୍କ ଭଳି ତ କରିପାରିବି ନାହିଁ । ୧୦ମାସ ଧରି କାମରେ ଲାଗିଥିଲୁ । ଗୋଟିଏ ଛୋଟିଆ ବିଶ୍ୱସ୍ତ ଟିମ୍ ଗଠନ କରିଥିଲି । କାରଣ ଏତେ ନୂଆ ନୋଟ୍ ଛାପିବା, ପହଚାଂଇବା, ଏହାକୁ ଲୁଚାଇବା ଓ ଗୋପନୀୟ ରଖିବା ବି ବଡ଼ କଠିନ କାମ । ନହେଲେ ଏ ଲୋକମାନେ ଏମିତି ଯେ ଜାଣିବା ମାତ୍ରେ ନିଜ ବ୍ୟବସ୍ଥା କରିନେବେ ।
ଆଉ ୮ତାରିଖ ରାତି ୮ଟାବେଳେ ଦେଶର ତାରକା ଚମକାଇବାକୁ ଏକ ନୂଆ ପଦକ୍ଷେପ ନେଲି ବନ୍ଧୁଗଣ । ମୁଁ ଉକ୍ତ ରାତିରେ ବି କହିଥିଲି କି ଏହି ନିଷ୍ପତ୍ତିରେ ସମସ୍ୟା ହେବ, ଅସୁବିଧା ହେବ, ସମସ୍ୟା ଆସିବ । ମୁଁ ପ୍ରଥମ ଦିନରୁ ହିଁ କହିଥିଲି । କିନ୍ତୁ ଭାଇ ଓ ଭଉଣୀମାନେ, ମୁଁ ଆଜି ଦେଶର ମୋର କୋଟି କୋଟି ଲୋକଙ୍କ ଆଗରେ ମୁଣ୍ଡ ନୁଆଉଁଛି । ସିନେମା ଥିଏଟରରେ ଲାଇନ୍ ଲଗାଇଲା ବେଳେ ସେଠାରେ ବି ଝଗଡ଼ା ହୋଇଯାଏ । ମୁଁ ଦେଖୁଛି ଗତ ୪ଦିନ ଧରି ଚାରିଆଡ଼େ ଟଙ୍କା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେବା ପାଇଁ ଜାଗା ମିଳୁନି । କିନ୍ତୁ ସମସ୍ତଙ୍କ ମୁହଁରେ ଗୋଟିଏ ସ୍ୱର କି ଠିକ୍ ଅଛି ସମସ୍ୟା ହେଉଛି,ଗୋଡ଼ ବିନ୍ଧୁଛି । କିନ୍ତୁ ଦେଶର ତ ଭଲ ହେଉଛି ।
ମୁଁ ଆଜି ସାର୍ବଜନୀନ ଭାବେ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଉଛି । ଗତ ବର୍ଷକ ଭିତରେ ବ୍ୟାଙ୍କର କର୍ମଚାରୀମାନଙ୍କୁ ଯେତିକି କାମ କରିବାକୁ ପଡ଼ିନଥିବ, ତା’ଠୁ ଅଧିକ କାମ ଗତ ଏକ ସପ୍ତାହ ଧରି କରିବାକୁ ପଡ଼ୁଛି । ମୋତେ ଖୁସି ଲାଗୁଛି । ମୁଁ ସୋସିଆଲ ମିଡିଆରେ ଦେଖିଛି କି ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀମାନେ, କାହାରି ବୟସ ୭0ବର୍ଷ, କାହାରି ୭୫ବର୍ଷ, ସେମାନେ ବ୍ୟାଙ୍କକୁ ଆସୁଛନ୍ତି । ଆଉ କହୁଛନ୍ତି ସାହେବ ଅବସର ନେଇସାରିଛୁ । କିନ୍ତୁ ଏହି ପବିତ୍ର କାମରେ ସହଯୋଗ କରିବୁ । ଆମକୁ କାମ ଆସେ, ଯଦି ଆପଣ ଆମକୁ କାମରେ ଲଗାଇବାକୁ ଚାହିଁବେ, ତା’ହେଲେ ଆମେ ସେବା ଦେବାକୁ ପ୍ରସ୍ତୁତ ଅଛୁ । ମୁଁ ଏହି ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟ ଆଜି ଅଭିନନ୍ଦନ ଜଣାଉଛି କି ସେମାନେ ସେବା ଦେବା ପାଇଁ ନିଜର ପୁରୁଣା ଶାଖାକୁ ଯାଇ ସହାୟତା ଦେବାର ଅନୁରୋଧ କରୁଛନ୍ତି । ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।
ମୁଁ ଏହି ଯୁବବର୍ଗଙ୍କ ଅଭିନନ୍ଦନ କରୁଛି, ଯେଉଁମାନେ ଖରାରେ ବାହାରେ ଛିଡ଼ା ହୋଇଥିବା ଲୋକଙ୍କୁ ନିଜ ଖର୍ଚ୍ଚରେ ପାଣି ପିଆଉଛନ୍ତି । ବରିଷ୍ଠ ନାଗରିକଙ୍କ ବସିବା ପାଇଁ ଚେୟାର ଯୋଗାଉଛନ୍ତି । ଚାରିଆଡ଼େ ଦେଶର ଯୁବ ପୀଢ଼ି ବିଶେଷକରି ଏବେ ଏହି କାମକୁ ସଫଳ କରିବାରେ ଲାଗିଚି । ଏହି କାମର ସଫଳତାର କାରଣ ୮ତାରିଖ ୮ଟାବେଳେ ମୋଦୀର ନିଷ୍ପତ୍ତି ନୁହେଁ । ଏହି କାମର ସଫଳତାର କାରଣ ହେଉଛି ୧୨୫ କୋଟି ଦେଶବାସୀ । ଏଥିରୁ କିଛି ଲକ୍ଷଙ୍କୁ ଛାଡ଼ି ଦିଅନ୍ତୁ । ବାକି ଲୋକ ହୃଦୟର ସହ ଲାଗିଛନ୍ତି । ତେଣୁ ଏହି ଯୋଜନା ସଫଳ ହେବା ସୁନିଶ୍ଚିତ ।
ଭାଇ ଓ ଭଉଣୀମାନେ, ମୁଁ ଆଉ ଏକ କଥା କହିବାକୁ ଚାହୁଁଛି । ମୋତେ କୁହନ୍ତୁ ତ ଆମ ଦେଶରେ ଭୋଟର ତାଲିକା, ସମସ୍ତ ରାଜନୀତିକ ଦଳର ମତଦାତା ତାଲିକା ପ୍ରସ୍ତୁତ କରିବା କାମ କରନ୍ତି କି ନାହିଁ । ସରକାରର ସମସ୍ତ ଲୋକ କାମ କରନ୍ତି କି ନାହିଁ । ସମସ୍ତ ଶିକ୍ଷକ କରନ୍ତି କି ନାହିଁ । ଏହା ସତ୍ତ୍ୱେ ବି ଯେଉଁଦିନ ଭୋଟ୍ ହୁଏ ସେଦିନ ଅଭିଯୋଗ ଆସେକି ନାହିଁ ଯେ ମୋ’ ନାଁ ଛାଡ଼ିଗଲା । ଆମ ସୋସାଇଟି ନାଁ ନାହିଁ । ମୋତେ ଭୋଟ୍ ଦେବାକୁ ଦେଉନାହାନ୍ତି । ସମସ୍ୟା ହୁଏ କି ନାହିଁ । ଏତେ ସାରା ପ୍ରସ୍ତୁତି ଓ ବ୍ୟବସ୍ଥା ସତ୍ତ୍ୱେ ସମସ୍ୟା ହୋଇଥାଏ କି ନାହିଁ ।
ଭାଇ ଓ ଭଉଣୀମାନେ ଆମ ଦେଶରେ ନିର୍ବାଚନ ହୁଏ, ନିର୍ବାଚନରେ କ’ଣ କରିବାକୁ ପଡ଼େ । ଯାଇ ବଟନ ଚିପି ଫେରିବା । ଏତିକି କରିବାର ଥାଏ ନା । ତଥାପି ଦେଶରେ ପ୍ରାୟ ୩ମାସ ପୂର୍ବରୁ, ୯୦ ଦିନ ପର୍ଯ୍ୟନ୍ତ ନିର୍ବାଚନ କାମ ଚାଲିଥାଏ । ଏଥିରେ ସାରା ପୁଲିସ୍ ମହକୁମା, ସିଆରପିଏଫ୍, ଏସ୍ଆରପି, ବିଏସ୍ଏଫ୍, ସରକାରଙ୍କ ସମସ୍ତ କର୍ମଚାରୀ, ରାଜନୀତିକ ଦଳର କୋଟି କୋଟି କର୍ମକର୍ତ୍ତା ସମସ୍ତେ ୯୦ଦିନ ପର୍ଯ୍ୟନ୍ତ ଦିନରାତି ପରିଶ୍ରମ କରିଥାନ୍ତି । ତା’ପରେ ଯାଇ ଆମର ଏତେ ବଡ଼ ଦେଶରେ ନିର୍ବାଚନ ସଫଳ ହୋଇଥାଏ । ୯୦ଦିନ ଲାଗି ଯାଇଥାଏ । ଭାଇ-ଭଉଣୀମାନେ ମୁଁ କେବଳ ଦେଶକୁ ୫୦ଦିନ ମାଗୁଛି । ଡିସେମ୍ବର ୩୦ତାରିଖ ପର୍ଯ୍ୟନ୍ତ ସୁଯୋଗ ଦିଅନ୍ତୁ । ଯଦି ଡିସେମ୍ବର ୩୦ ତାରିଖ ପରେ ମୋର କୌଣସି ତ୍ରୁଟି ରହିଯିବ, ମୋର କିଛି ଭୁଲ ବାହାରିବ, ମୋ’ର କୌଣସି ଭୁଲ ଉଦ୍ଦେଶ୍ୟ ଜଣାପଡ଼ିବ, ତା’ହେଲେ ଆପଣ ଯେଉଁ ଛକରେ ମୋତେ ଛିଡ଼ା କରିବେ, ମୁଁ ସେଠି ଛିଡ଼ା ହୋଇ ଦେଶ ଯେଉଁ ଦଣ୍ଡ ଦେବ ତାକୁ ଭୋଗିବାକୁ ପ୍ରସ୍ତୁତ ଅଛି ।
ମୋର ପ୍ରିୟ ଦେଶବାସୀ, ବିଶ୍ୱ ଆଗକୁ ବଢ଼ି ଚାଲିଛି । ଭାରତର ଏହି ରୋଗ ଦେଶକୁ ଧ୍ୱଂସ କରିବାରେ ଲାଗିଛି । ୮୦୦ ମିଲିୟନ, ଅର୍ଥାତ ୬୫ ପ୍ରତିଶତ ୩୫ବର୍ଷରୁ କମ୍ ବୟସର ଯୁବ ବର୍ଗ ନିଜର ଭବିଷ୍ୟତକୁ ବାଜି ଲଗାଇଛନ୍ତି । ତେଣୁ ମୋର ଭାଇ ଓ ଭଉଣୀମାନେ ଯେଉଁମାନଙ୍କୁ ରାଜନୀତି କରିବାର ଅଛି ସେମାନେ କରନ୍ତୁ, ଯାହାଙ୍କର ଲୁଟ୍ ହୋଇଗଲାଣି ସେମାନେ କାନ୍ଦୁଛନ୍ତି । ଖରାପ ଅଭିଯୋଗ ଆଣୁଛନ୍ତି । କିନ୍ତୁ ମୋର ସଚ୍ଚୋଟ ଦେଶବାସୀ ଆସନ୍ତୁ ମୋ’ ସହ । ମାତ୍ର ୫୦ଦିନ ଏକାଠି ଚାଲିବା । ଡିସେମ୍ବର ୩0 ତାରିଖ ପରେ ଆପଣମାନେ ଯେମିତି ହିନ୍ଦୁସ୍ତାନ ଚାହିଁବେ, ସେମିତିକା ଦେବାକୁ ପ୍ରତିଶ୍ରୁତି ଦେଉଛି ।
କାହାରିକୁ ସମସ୍ୟା ହେଲେ, କଷ୍ଟ ମୋତେ ବି ହୁଏ । ଏହା ମୋ’ର ଅହଙ୍କାର ନୁହେଁ । ଭାଇ ଓ ଭଉଣୀମାନେ ମୁଁ ମନ୍ଦ କାର୍ଯ୍ୟକୁ ନିକଟରୁ ଦେଖିଛି । ଦେଶବାସୀଙ୍କ ସମସ୍ୟାକୁ ବୁଝିଛି, ସେମାନଙ୍କ ସମସ୍ୟାକୁ ବୁଝିଛି । କିନ୍ତୁ ଏହି କଷ୍ଟ କେବଳ ୫୦ଦିନ ପାଇଁ । ୫୦ଦିନ ପରେ ଆମେ ସଫେଇ କରିବାରେ ସଫଳ ହୋଇଯିବା । ଥରେ ସଫେଇ ହୋଇଗଲେ ଛୋଟମୋଟ ମଶା ବି ଆସନ୍ତି ନାହିଁ । ମୋର ବିଶ୍ୱାସ ଅଛି ଯେ ମୁଁ ଏ ଲଢ଼େଇ ସଚ୍ଚୋଟ ଲୋକଙ୍କ ଭରସାରେ ଆରମ୍ଭ କରିଛି । ଆଉ ସଚ୍ଚୋଟ ଲୋକଙ୍କ ଶକ୍ତି ଉପରେ ମୋର ପୁରା ବିଶ୍ୱାସ ଅଛି, ପୁରା ବିଶ୍ୱାସ ଓ ଭରସା ଅଛି । ଆପଣ କଳ୍ପନା କରିପାରିବେ ନାହିଁ କେମିତି-କେମିତି ଲୋକଙ୍କ ଟଙ୍କା ବୁଡ଼ିବାରେ ଲାଗିଛି । ମା’ ଗଙ୍ଗା ବି ଆଶ୍ଚର୍ଯ୍ୟ ହେଉଥିବ କି ଗତକାଲି ପର୍ଯ୍ୟନ୍ତ ଚାରେଣି କି ଆଠିଣି ପକାଉନଥିବା ଲୋକ ଏବେ ନୋଟ୍ ଫିଙ୍ଗି ଦେଉଛନ୍ତି । ଗରିବ ବିଧବା ମା’ ମୋଦୀଙ୍କୁ ଆଶୀର୍ବାଦ ଦେଉଛି କି ଯାହାକୁ ଗତକାଲି ପର୍ଯ୍ୟନ୍ତ ତା’ର ପୁଅ-ବୋହୂ ଖୋଜୁନଥିଲେ କିନ୍ତୁ ଆଜି ଆସିଥିଲେ ଅଢ଼େଇ ଲକ୍ଷ ଟଙ୍କା ଜମା କରିବାକୁ । ଏହି ଗରିବ ବିଧବା ମା’ମାନଙ୍କ ଆଶୀର୍ବାଦ ଦେଶର ସଫଳତାର ଯଜ୍ଞକୁ ଆଗେଇ ନେବ । ଆପଣ ଦେଖିଛନ୍ତି କେମିତିକା ଲୋକ ୨ଜି ସ୍କାମ, କୋଇଲା ଦୁର୍ନୀତି, କେତେଯେ ଭ୍ରଷ୍ଟାଚାରରେ ସାମିଲ ଅଛନ୍ତି । ଜଣାଅଛି ନା ସବୁ । ଆଜି ମାତ୍ର ୪ହଜାର ଟଙ୍କାକୁ ବଦଳାଇବା ପାଇଁ ଲାଇନ୍ ରେ ଛିଡ଼ା ହେବାକୁ ପଡ଼ୁଛି ସେମାନଙ୍କୁ ।
୧୨୫ କୋଟି ଦେଶବାସୀଙ୍କ ପ୍ରେମ ନଥିଲେ, ବିଶ୍ୱାସ ନଥିଲେ, ସରକାର ତ ଆସୁଛି ଆଉ ଚାଲି ଯାଉଛି । କିନ୍ତୁ ଏ ଦେଶ ଅମର । ଏହି ଦେଶର ଭବିଷ୍ୟତ ଉଜ୍ୱଳ । ଏହି ଉଜ୍ୱଳ ଭବିଷ୍ୟ ପାଇଁ କଷ୍ଟ ସହିବାକୁ ପଡ଼ିବ । ମୁଁ ବେଳେବେଳେ ଆଶ୍ଚର୍ଯ୍ୟ ହେଉଛି । ଗତକାଲି ମୋ’ର ଜଣେ ସାମ୍ବାଦିକ ବନ୍ଧୁଙ୍କ ସହ କଥା ହେଲା । ମୁଁ କହିଲି ଆପଣମାନେ ଦିନରାତି ମୋତେ କହୁଛନ୍ତି ମୋଦୀଜୀ ଯୁଦ୍ଧ ହେଇ ଯାଉ । ମୁଁ କହିଲି ସମସ୍ୟା ହେଲେ କ’ଣ କରିବ । ବିଦ୍ୟୁତ୍ ବନ୍ଦ ହୋଇଯିବ, ସାମଗ୍ରୀ ମିଳିବା ବନ୍ଦ ହୋଇଯିବ । ଟ୍ରେନ ରଦ୍ଦ ହୋଇଯିବ । ରେଳରେ ସେନାର ଲୋକମାନେ ଯିବେ । ଆପଣ ଯାଇପାରିବେ ନାହିଁ । ତା’ହେଲେ କ’ଣ କରିବେ । ସେ କହିଲେ-ଏମିତି ହୁଏ କି? ତେଣୁ ଭାଇ ଓ ଭଉଣୀମାନେ, କହିବା ସହଜ । ଉପଦେଶ ଦେବା ସରଳ ହୋଇଥାଏ । ଯେତେବେଳେ ନିଷ୍ପତ୍ତି ନିଆଯାଏ, ସେତେବେଳେ ସେମାନଙ୍କ ସହ ଚାଲିବା ସାଧାରଣ ମଣିଷକୁ ସମସ୍ୟା ହୋଇଥାଏ ।
ମୁଁ ଦେଶବାସୀଙ୍କୁ ଆଉ ଗୋଟିଏ କଥା କହିବାକୁ ଚାହୁଁଛି । ଏବେ ବହୁତ ଲୋକଙ୍କୁ ଏହି ଭ୍ରଷ୍ଟାଚାର ଓ କଳା ଟଙ୍କା ପ୍ରସଙ୍ଗରେ କହିବାର ସାହସ ହେଉନି । କାରଣ ଯିଏବି କହିଲା, ଧରା ପଡ଼ିଯାଉଛନ୍ତି । ଆଜ୍ଞା ନିଶ୍ଚୟ ଭାବେ ଏଥିରେ କିଛି ଗଫଲତି ଅଛି । ଏଠି ସମସ୍ତେ ହସିହସି କହୁଛନ୍ତି ନାନା ମୋଦୀଜୀ ଯାହା କରିଛନ୍ତି ତାହା ଭଲ ବ୍ୟବସ୍ଥା । ତା’ପରେ କୌଣସି ବନ୍ଧୁକୁ ଫୋନ୍ କରି କ’ଣ କିଛି ରାସ୍ତା ଅଛି ବୋଲି ପଚାରୁଛନ୍ତି । ତା’ପରେ କହୁଛି ୟାର୍, ମୋଦୀଜୀ ସବୁ ରାସ୍ତା ବନ୍ଦ କରିଦେଇଛନ୍ତି । ତେଣୁ ଅପପ୍ରଚାର ଚଳାଇବାରେ ଲାଗିଛନ୍ତି । ଗୋଟିଏ ଦିନ ଗୁଜବ ହେଲା କି ଲୁଣ ମହଙ୍ଗା ହୋଇଯାଇଛି । ଏବେ ଭାଇ କୁହନ୍ତୁ ୫୦୦ ନୋଟ୍ ଓ ୧୦୦୦ ନୋଟ୍, କେହି ଅଛନ୍ତି ଯିଏ ୧୦୦୦ ନୋଟ୍ ଦେଇ ଲୁଣ ନେଉଥିଲେ । ଏହା ଏଭଳି କରାଯିବାର ମୁଖ୍ୟ କାରଣ ହେଉଛି ସେମାନେ ଜାଣିଛନ୍ତି କି ସେମାନେ ଲୁଟ୍ ହେଉଛନ୍ତି । ୭୦ବର୍ଷ ଧରି ଜମା କରିଛନ୍ତି । ଆଉ ମହଙ୍ଗାରୁ ମହଙ୍ଗା ତାଲା ଲଗାଇଛନ୍ତି । ଭିକାରୀ ବି ମନାକଲାଣି କି ସାହେବ ୧୦୦୦ଟଙ୍କିଆ ନୋଟ୍ ଚାଲିବ ନାହିଁ ।
ଭାଇ ଓ ଭଉଣୀମାନେ, ସଚ୍ଚୋଟ ଲୋକଙ୍କୁ ତ କିଛି ସମସ୍ୟା ନାହିଁ । କିଛି ଲୋକ ନିଜର ନୋଟ୍ କହୁଛନ୍ତି । ମୋତେ ସତ କ’ଣ ଜଣାନାହିଁ । କିନ୍ତୁ ଚର୍ଚ୍ଚା ହେଉଛି କି କେହି ସାଢ଼େ ୪ଶହ ଟଙ୍କାରେ ବିକ୍ରି କରୁଛି । କେହି ୫୦୦ର ନୋଟକୁ ୩୦୦ରେ ଦେଉଛି । ମୁଁ ଦେଶବାସୀଙ୍କୁ କହିବାକୁ ଚାହୁଁଛି ଯେ ଆପଣଙ୍କ ୫୦୦ ଟଙ୍କାରୁ ଗୋଟିଏ ବି ନୂଆ ପଇସା କମ୍ କରିବାର ଶକ୍ତି କାହାରି ନାହିଁ । ଆପଣଙ୍କ ୫୦୦ ଟଙ୍କା ମାନେ ପୁରା ୪୯୯ ଟଙ୍କା ୯୯ ପଇସା । ଏଭଳି କୌଣସି କାରବାରରେ ଆପଣ ଲିପ୍ତ ହୁଅନ୍ତୁ ନାହିଁ । କିଛି ବେଇମାନ ଲୋକ ନିଜର ଲୋକଙ୍କୁ କହି ଦେଉଛନ୍ତି କି ଯାଅ ଲାଇନ୍ ରେ ଛିଡ଼ା ହୋଇଯାଅ । ଦୁଇ-ଦୁଇ ହଜାର ବଦଳାଇ ଦିଅ, କିଛି ବଂଚିଯିବ ।
ଆଉ ଭାଇ ଓ ଭଉଣୀମାନେ, ମୋର ସମସ୍ତଙ୍କୁ ଅନୁରୋଧ । ହୋଇପାରେ ଆପଣ ଜାଣିନଥିବେ କି ବୋଧହୁଏ ଆପଣଙ୍କ କକା, ମାମୁଁ, ଭାଇ, ବାପା ଯାହାଙ୍କ ସ୍ୱର୍ଗବାସ ହୋଇଯାଇଛି, କିଛି କରିକି ଯାଇଛନ୍ତି । ଆପଣଙ୍କର କିଛି କ୍ଷତି ହେବ ନାହିଁ । ଆପଣ କେବଳ ବ୍ୟାଙ୍କରେ ଜମା କରି ଦିଅନ୍ତୁ, ଯାହା ବି ଦଣ୍ଡ ଦେବାର ଅଛି ଦିଅନ୍ତୁ, ଆପଣ ମୁଖ୍ୟ ଧାରା ସହ ଯୋଡ଼ି ହୋଇଯାଆନ୍ତୁ । ସମସ୍ତଙ୍କର ଭଲ ହେବ । ଆଉ ଗୋଟିଏ କଥା କହୁଛି । କିଛି ଲୋକ ଯଦି ଭାବୁଥିବେ କି ଆଗକୁ ଯାହା ହେବ ଦେଖିବା । ତା’ହେଲେ ସେମାନେ ମୋତେ କମ୍ ଜାଣିଛନ୍ତି । ଦେଶ ସ୍ୱାଧୀନ ହେବା ପରଠାରୁ ଏପର୍ଯ୍ୟନ୍ତ ଆପଣମାନଙ୍କ ପୁରା ବିବରଣୀ ଖୋଲି ଦେବି । ଯେଉଁମାନଙ୍କ ପାଖରେ ଅସାଧୁ ଅର୍ଥ ଅଛି ସେମାନେ ଏହାକୁ କାଗଜ ଖଣ୍ଡ ବୋଲି ଭାବିନିଅନ୍ତୁ । ଅଧିକ ପ୍ରୟାସ କରନ୍ତୁ ନାହିଁ । ନଚେତ୍ ସରକାରରେ ଏଥିପାଇଁ ଯଦି ଏକ ଲକ୍ଷ ନୂଆ ଯୁବକଯୁବତୀଙ୍କୁ ଚାକିରି ଦେବାକୁ ପଡ଼ିବ, ଦେବି ଓ ସେମାନଙ୍କୁ କେବଳ ଏହି କାମରେ ଲଗାଇବି । ଦେଶରେ ଏସବୁ ଯେଉଁ କାରବାର ଚାଲିଛି, ତାକୁ ବନ୍ଦ କରିବାକୁ ହେବ । ଏବେ ଲୋକମାନେ ମୋତେ ବୁଝିସାରିବେଣି । ଏତେ ଦିନ ସେମାନଙ୍କୁ ବୁଦ୍ଧି ଆସୁନଥିଲା କିନ୍ତୁ ଟିକେ ଡୋଜ୍ ଅଧିକ ହେବାରୁ ବୁଝିଲେଣି । କିନ୍ତୁ ଏହା ପୂର୍ଣ୍ଣ ବିରତି ନୁହେଁ । ମୁଁ ଖୋଲାଖୋଲି କହୁଛି କି ଏହା ପୂର୍ଣ୍ଣବିରତି ନୁହେଁ । ଦେଶରେ ଭ୍ରଷ୍ଟାଚାର, ଅସାଧୁ କାର୍ଯ୍ୟ ବନ୍ଦ କରିବା ପାଇଁ ମୋ’ ମୁଣ୍ଡରେ ଆହୁରି କେତେକ ପ୍ରୋଜେକ୍ଟ ଚାଲିଛି । ଏସବୁ ଆସିବ । ଏହା ସଚ୍ଚୋଟ ଲୋକଙ୍କ ପାଇଁ କରୁଛି, ଦେଶର ଗରିବ ଲୋକଙ୍କ ପାଇଁ କରୁଛି । ଯେଉଁମାନେ ପରିଶ୍ରମ କରି ଜୀବନ ବିତାଉଛନ୍ତି, ସେମାନଙ୍କୁ ନିଜର ଘର ମିଳୁ, ସେମାନଙ୍କ ପିଲାଙ୍କୁ ଭଲ ଶିକ୍ଷା ମିଳୁ, ସେମାନଙ୍କ ଘରର ବରିଷ୍ଠଙ୍କୁ ଭଲ ଔଷଧ ମିଳୁ । ଏଥିପାଇଁ କାମ କରୁଛି ।
ମୋତେ ଗୋଆବାସୀଙ୍କ ଆଶୀର୍ବାଦ ଦରକାର । ଆପଣମାନେ ଛିଡ଼ା ହୋଇ ତାଳି ବଜାଇ ମୋତେ ଆଶୀର୍ବାଦ ଦିଅନ୍ତୁ । ଦେଶ ଦେଖିବ, ଏ ଦେଶରେ ସଚ୍ଚୋଟ ଲୋକଙ୍କ ଅଭାବ ନାହିଁ । ଆସନ୍ତୁ ସଚ୍ଚୋଟତାର ଏହି କାମରେ ମୋତେ ସହଯୋଗ କରନ୍ତୁ । ସାବାସ୍ ମୋ’ର ଗୋଆର ଭାଇ ଓ ଭଉଣୀମାନେ, ମୁଁ ଆପଣମାନଙ୍କୁ ମୁଣ୍ଡ ନୁଆଁଇ ପ୍ରଣାମ କରୁଛି । ଏହା କେବଳ ଗୋଆ ନୁହେଁ ହିନ୍ଦୁସ୍ତାନର ପ୍ରତ୍ୟେକ ସଚ୍ଚୋଟ ଲୋକଙ୍କ ସ୍ୱର ।
ଭାଇ ଓ ଭଉଣୀମାନେ, ମୁଁ ଜାଣିଛି କିଭଳି ଶକ୍ତିମାନଙ୍କ ସହ ଲଢ଼େଇକୁ ଆମନ୍ତ୍ରଣ କରିଛି । ମୁଁ ଜାଣିଛି କିଭଳିକା ଲୋକମାନେ ମୋର ବିରୋଧୀ ପାଲଟିଯିବେ । ମୁଁ ଜାଣିଛି । ସେମାନଙ୍କର ୭୦ବର୍ଷକୁ ମୁଁ ଲୁଟ୍ କରୁଛି, ମୋତେ ଜୀବନ୍ତ ଛାଡ଼ିବେ ନାହିଁ । ମୋତେ ବରବାଦ୍ କରିକି ହିଁ ରହିବେ । ସେମାନେ ଯାହା କରିବା କଥା କରନ୍ତୁ । ଭାଇ ଓ ଭଉଣୀମାନେ ୫୦ଦିନ ମୋର ସହାୟତା କରନ୍ତୁ । ଦେଶ ୫୦ଦିନ ମୋତେ ସହଯୋଗ କରୁ । ଜୋରରେ ତାଳି ବଜାଇ ଆପଣମାନେ ମୋ’ ସହ ଏକଥାକୁ ସ୍ୱୀକାର କରନ୍ତୁ ।
ବହୁତ ବହୁତ ଧନ୍ୟବାଦ
I want to congratulate the team here. India successfully hosted the BRICS Summit in Goa a few weeks back: PM @narendramodi
— PMO India (@PMOIndia) November 13, 2016
Political instability had affected Goa's growth. And due to this instability, the state never realised its true potential: PM @narendramodi
— PMO India (@PMOIndia) November 13, 2016
I laud @manoharparrikar for ushering in a political culture in Goa- that of taking Goa to new heights of progress: PM @narendramodi
— PMO India (@PMOIndia) November 13, 2016
Due to @manoharparrikar, Goa saw political stability and formation of a Government that works for the welfare of the state: PM @narendramodi
— PMO India (@PMOIndia) November 13, 2016
If the CM, RM & me appreciate Goa, one may argue it is also about our political affiliations but a magazine recently lauded Goa's growth: PM
— PMO India (@PMOIndia) November 13, 2016
We read a week ago how Goa has emerged as Number 1 among the smaller states. This is due to the people of Goa: PM @narendramodi
— PMO India (@PMOIndia) November 13, 2016
As far as the airport is concerned, I am happy that we are fulfilling the promise made by Atal Bihari Vajpayee. This will benefit Goa: PM
— PMO India (@PMOIndia) November 13, 2016
With the new airport the impetus to tourism will be immense: PM @narendramodi
— PMO India (@PMOIndia) November 13, 2016
A digitally trained, modern and youth driven Goa is being shaped today. This has the power to transform India: PM @narendramodi
— PMO India (@PMOIndia) November 13, 2016
I also want to talk about something else in Goa...on 8th November many people of India slept peacefully & a few are sleepless even now: PM
— PMO India (@PMOIndia) November 13, 2016
We took a key step to help the honest citizen of India defeat the menace of black money: PM @narendramodi
— PMO India (@PMOIndia) November 13, 2016
The people have chosen a government and they expect so much from it. In 2014 so many people voted to free the nation from corruption: PM
— PMO India (@PMOIndia) November 13, 2016
If any money that was looted in India and has left Indian shores, it is our duty to find out about it: PM @narendramodi
— PMO India (@PMOIndia) November 13, 2016
I was not born to sit on a chair of high office. Whatever I had, my family, my home...I left it for the nation: PM @narendramodi
— PMO India (@PMOIndia) November 13, 2016
Why do we have to put the future of our youth at stake? Those who want to do politics are free to do so: PM @narendramodi
— PMO India (@PMOIndia) November 13, 2016
Yes I also feel the pain. These steps taken were not a display of arrogance. I have seen poverty & understand people's problems: PM
— PMO India (@PMOIndia) November 13, 2016
I know the forces up against me, they may not let me live,they may ruin me because their loot of 70 years is in trouble, but am prepared: PM
— PMO India (@PMOIndia) November 13, 2016
Here is the video of my speech in Goa a short while ago. https://t.co/VsyIkCAyO3 pic.twitter.com/RPy0zo2TGt
— Narendra Modi (@narendramodi) November 13, 2016