ନମସ୍କାର,
ଦେଶର ଆଇନମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ମହାଶୟ, ସୁପ୍ରିମକୋର୍ଟର ଜଷ୍ଟିସ୍ ଏମ. ଆର. ଶାହା ମହାଶୟ, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀମାନ ବିକ୍ରମ ନାଥ ମହାଶୟ, ଗୁଜରାଟ ସରକାରରେ ଥିବା ମନ୍ତ୍ରିଗଣ, ଗୁଜରାଟ ଉଚ୍ଚ ନ୍ୟାୟାଳୟର ସମସ୍ତ ସମ୍ମାନିତ ବିଚାରପତିଗଣ, ଭାରତର ସଲିସିଟର ଜେନେରାଲ ଶ୍ରୀ ତୁଷାର ମେହେଟ୍ଟା ମହାଶୟ, ଗୁଜରାଟର ଆଡଭୋକେଟ ଜେନେରାଲ ଶ୍ରୀ କମଲ ତ୍ରୀବେଦୀ ମହାଶୟ, ‘ବାର୍’ର ସମସ୍ତ ସମ୍ମାନିତ ସଦସ୍ୟଗଣ, ଭଦ୍ରମହିଳା ଏବଂ ଭଦ୍ରବ୍ୟକ୍ତିଗଣ!
ଗୁଜରାଟ ଉଚ୍ଚ ନ୍ୟାୟାଳୟର ହୀରକ ଜୟନ୍ତିର ଏହି ଅବସରରେ ଆପଣ ସମସ୍ତଙ୍କୁ ବହୁତ–ବହୁତ ଶୁଭେଚ୍ଛା। ବିଗତ ୬୦ ବର୍ଷରେ ନିଜର ଆଇନଗତ ଜ୍ଞାନ, ନିଜର ବିଦ୍ୱତା ଏବଂ ବୌଦ୍ଧିକତା ଦ୍ୱାରା ଗୁଜରାଟ ହାଇକୋର୍ଟ ଏବଂ ବାର୍, ଦୁଇଟିଯାକ ହିଁ ଏକ ବିଶିଷ୍ଟ ପରିଚୟ ସୃଷ୍ଟି କରିଛନ୍ତି। ଗୁଜରାଟ ହାଇକୋର୍ଟ ସତ୍ୟ ଏବଂ ନ୍ୟାୟ ପାଇଁ ଯେଉଁ କର୍ତବ୍ୟ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି, ନିଜର ସାମ୍ବିଧାନିକ କର୍ତବ୍ୟଗୁଡ଼ିକ ପାଇଁ ଯେଉଁ ତତ୍ପରତା ଦେଖାଇଛନ୍ତି, ତାହା ଭାରତୀୟ ନ୍ୟାୟ ବ୍ୟବସ୍ଥା ଏବଂ ଭାରତର ଗଣତନ୍ତ୍ର, ଦୁଇଟି ଯାକକୁ ସୁଦୃଢ଼ କରିଛନ୍ତି। ଗୁଜରାଟ ହାଇକୋର୍ଟର ଏହି ଅବିସ୍ମରଣୀୟ ଯାତ୍ରାର ସ୍ମୃତିରେ ଆଜି ଏକ ଡାକଟିକଟ ଜାରି କରାଯାଇଛି। ମୁଁ ଏହି ଅବସରରେ ନ୍ୟାୟ ଜଗତ ସହିତ ଜଡ଼ିତ ଆପଣ ସମସ୍ତ ମହାନୁଭବଙ୍କୁ, ଗୁଜରାଟର ଜନତାଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ ଦେଉଛି। ମାନନୀୟ, ଆମର ସମ୍ବିଧାନରେ ଆଇନ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା, ସେମାନଙ୍କୁ ଦିଆଯାଇଥିବା ଦାୟିତ୍ୱ ହେଉଛି ଆମ ସମ୍ବିଧାନ ପାଇଁ ପ୍ରାଣବାୟୁ ଭଳି। ଆଜି ପ୍ରତ୍ୟେକ ଦେଶବାସୀ ସଂପୂର୍ଣ୍ଣ ସନ୍ତୋଷର ସହିତ ଏହା କହିପାରିବେ କି ଆମର ନ୍ୟାୟପାଳିକା– ଜୁଡିସିଆରି, ସମ୍ବିଧାନର ପ୍ରାଣବାୟୁର ସୁରକ୍ଷାର ନିଜର ଦାୟିତ୍ୱକୁ ସଂପୂର୍ଣ୍ଣ ଦୃଢ଼ତାର ସହ ପାଳନ କରିଛନ୍ତି। ଆମର ନ୍ୟାୟପାଳିକା ସଦାସର୍ବଦା ସମ୍ବିଧାନର ରଚନାତ୍ମକ ଏବଂ ସକରାତ୍ମକ ବ୍ୟାଖ୍ୟା କରି ନିଜେ ସମ୍ବିଧାନକୁ ମଧ୍ୟ ସୁଦୃଢ଼ କରିଛନ୍ତି। ଦେଶବାସୀଙ୍କ ଅଧିକାରର ରକ୍ଷା ହେଉ, ନିଜସ୍ୱ ସ୍ୱତନ୍ତ୍ରତାର ପ୍ରଶ୍ନ ହେଉ, କିମ୍ବା ଏଭଳି ପରିସ୍ଥିତି ସବୁ ରହିଆସିଛି, ଯେତେବେଳେ ଦେଶହିତକୁ ସର୍ବୋଚ୍ଚ ପ୍ରାଥମିକତା ଦେବାର ଅଛି, ନ୍ୟାୟପାଳିକା ନିଜର ଏହି ଦାୟିତ୍ୱକୁ ବୁଝିଛି ମଧ୍ୟ ଆଉ ମଧ୍ୟ ପାଳନ କରିଛି। ଆପଣମାନେ ସମସ୍ତେ ଏହା ଭଲଭାବେ ଜାଣିଛନ୍ତି ଯେ ଭାରତୀୟ ସମାଜରେ ଆଇନ ବ୍ୟବସ୍ଥା ଶତାବ୍ଦୀ ଶତାବ୍ଦୀ ଧରି ସଭ୍ୟତା ଏବଂ ସାମାଜିକ ଜୀବନ ସହିତ, ଆମର ସଂସ୍କାରର ଆଧାର ହୋଇ ରହି ଆସିଛି। ଆମର ପ୍ରାଚୀନ ଗ୍ରନ୍ଥଗୁଡ଼ିକରେ କୁହାଯାଇଛି– ‘ନ୍ୟାୟମୂଳଂ ସୁରାଜ୍ୟଂ ସ୍ୟାତ୍’ ଅର୍ଥାତ, ସୁରାଜ୍ୟର ମୂଳ ହିଁ ରହିଛି ନ୍ୟାୟ ମଧ୍ୟରେ, ରୁଲ ଅଫ୍ ଲ ରେ, ଆଇନ ବ୍ୟବସ୍ଥାରେ ରହିଛି। ଏହି ବିଚାର ଆଦିମକାଳରୁ ହିଁ ଆମର ସଂସ୍କରଗୁଡ଼ିକର ଏକ ଅଂଶ ହୋଇ ରହିଆସିଛି, ଏହି ମନ୍ତ୍ର ଆମର ସ୍ୱାଧୀନତା ସଂଗ୍ରାମକୁ ମଧ୍ୟ ନୈତିକ ଶକ୍ତି ପ୍ରଦାନ କରିଛି, ଆଉ ଏହି ବିଚାର ବା ଚିନ୍ତାଧାରା ଆମର ସାମ୍ବିଧାନ ନିର୍ମାତାମାନେ ମଧ୍ୟ ସମ୍ବିଧାନ ନିର୍ମାଣ ସମୟରେ ମଧ୍ୟ ସବୁଠାରୁ ଆଗରେ ରଖିଥିଲେ। ଆମର ସମ୍ବିଧାନର ପ୍ରସ୍ତାବନା ରୁଲ ଅଫ୍ ଲ’ ର ଏହି ସଂକଳ୍ପର ହେଉଛି ଅଭିବ୍ୟକ୍ତି।
ଆଜି ପ୍ରତ୍ୟେକ ଦେଶବାସୀଙ୍କ ନିମନ୍ତେ ଏହା ହେଉଛି ଏକ ଗର୍ବର ବିଷୟ ଯେ ଆମର ସମ୍ବିଧାନର ଏହି ଭାବନାକୁ ଆମର ନ୍ୟାୟପାଳିକା ନିରନ୍ତର ଭାବେ ଶକ୍ତି ପ୍ରଦାନ କରିଛି, ଉର୍ଜ୍ଜା ଦେଇଛି, ପଥ ନିର୍ଦ୍ଧାରଣ କରିଛି। ନ୍ୟାୟପାଳିକା ପ୍ରତି ଏହି ବିଶ୍ୱାସ ଆମର ସାଧାରଣରୁ ଅତି ସାଧାରଣ ମନୁଷ୍ୟର ମନରେ ଏକ ଆତ୍ମବିଶ୍ୱାସ ଜାଗ୍ରତ କରିଛନ୍ତି, ସତ୍ୟ ପାଇଁ ଠିଆ ହେବାର ଶକ୍ତି ତା’ମଧ୍ୟରେ ଦେଇଛନ୍ତି। ଆଉ ଆମେ ଯେତେବେଳେ ସ୍ୱାଧୀନତା ପରଠାରୁ ଏ ପର୍ଯ୍ୟନ୍ତ ଦେଶର ଏହି ଯାତ୍ରାପଥରେ ନ୍ୟାୟପାଳିକାର ଯୋଗଦାନ ସମ୍ପର୍କରେ ଚର୍ଚ୍ଚା କରୁଛେ, ତେବେ ଏଥିରେ ‘ବାର୍’ର ଯୋଗଦାନର ଚର୍ଚ୍ଚା ମଧ୍ୟ ଆବଶ୍ୟକ ହୋଇଥାଏ। ଆମର ନ୍ୟାୟବ୍ୟବସ୍ଥାର ଏହି ଗୌରବଶାଳୀ ପ୍ରାସାଦଟି ‘ବାର୍’ ର ହିଁ ସ୍ତମ୍ଭ ଉପରେ ଠିଆ ହୋଇ ରହିଛି। ଦଶକ–ଦଶକ ଧରି ଆମ ଦେଶରେ ବାର୍ ଏବଂ ନ୍ୟାୟପାଳିକା ମିଶିକରି ହିଁ ନ୍ୟାୟର ମୌଳିକ ଉଦ୍ଦେଶ୍ୟଗୁଡ଼ିକୁ ପୂରଣ କରୁଛନ୍ତି। ଆମର ସମ୍ବିଧାନ ନ୍ୟାୟର ଯେଉଁ ଧାରଣା ସାମ୍ନାରେ ରଖିଛନ୍ତି, ନ୍ୟାୟର ଯେଉଁ ଆଦର୍ଶ ଭାରତୀୟ ସଂସ୍କାର ସବୁର ଅଂଶ ହୋଇ ରହିଛି, ସେହି ନ୍ୟାୟ ହେଉଛି ପ୍ରତ୍ୟେକ ଭାରତୀୟଙ୍କର ଅଧିକାର। ଏଥିପାଇଁ ଏହି ନ୍ୟାୟପାଳିକା ଏବଂ ସରକାର ଦୁହିଁଙ୍କର ହିଁ ଏହା ହେଉଛି ଦାୟିତ୍ୱ ଯେ ଦୁନିଆର ସର୍ବ ବୃହତ ଗଣତନ୍ତ୍ରରେ ସେମାନେ ମିଳିମିଶି ବିଶ୍ୱସ୍ତରୀୟ ନ୍ୟାୟ ବ୍ୟବସ୍ଥା ପ୍ରତିଷ୍ଠା କରି ପାରିବେ। ଆମର ନ୍ୟାୟପାଳିକାର ବ୍ୟବସ୍ଥା ଏଭଳି ହେବା ଆବଶ୍ୟକ ଯାହା ସମାଜର ଶେଷ ପାହାଚରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ସୁଲଭ ହୋଇପାରୁ, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ନ୍ୟାୟ ବ୍ୟବସ୍ଥା ସୁନିଶ୍ଚିତ ହେଉ। ଆଜି ନ୍ୟାୟପାଳିକା ଭଳି ସରକାର ମଧ୍ୟ ଏହି ଦିଗରେ ନିଜର କର୍ତବ୍ୟକୁ ପୂରଣ କରିବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି। ଭାରତର ଗଣତନ୍ତ୍ର, ଆମର ନ୍ୟାୟପାଳିକା କଠିନରୁ କଠିନ ସମୟରେ ମଧ୍ୟ ଭାରତୀୟ ନାଗରିକଙ୍କ ନ୍ୟାୟର ଅଧିକାରକୁ ସୁରକ୍ଷିତ ରଖିଛି।
କରୋନା ବୈଶ୍ୱିକ ମହାମାରୀ ସମୟରେ ଆମକୁ ଏହି ଉତମ ଉଦାହରଣ ପୁଣି ଥରେ ଦେଖିବାକୁ ମିଳିଛି। ଏହି ବିପର୍ଯ୍ୟୟ ସମୟରେ ଯେତେବେଳେ ଗୋଟିଏ ପଟେ ଦେଶ ନିଜର ସାମର୍ଥ୍ୟ ଦେଖାଉଥିଲା, ତେବେ ଅନ୍ୟ ପକ୍ଷରେ ଆମର ନ୍ୟାୟପାଳିକା ମଧ୍ୟ ନିଜ ସମର୍ପଣ ଏବଂ କର୍ତବ୍ୟନିଷ୍ଠାର ଉଦାହରଣ ପ୍ରସ୍ତୁତ କରିଛି। ଗୁଜରାଟ ହାଇକୋର୍ଟ ଯେଉଁଭଳି ଭାବେ ତାଲାବନ୍ଦର ପ୍ରାରମ୍ଭିକ ଦିନମାନଙ୍କରେ ହିଁ ଭିଡିଓ କନଫରେନସିଂ ମାଧ୍ୟମରେ ଶୁଣାଣୀ କରିବା ଆରମ୍ଭ କରିଦେଲା, ଯେଉଁଭଳି ଭାବେ ଏସଏମଏସ କଲ୍ ଆଉଟ୍, ମୋକଦ୍ଦମାର ଇ–ଫାଇଲିଂ ଏବଂ ‘ଇ–ମେଲ ମାଇଁ କେସ୍ ଷ୍ଟାଟସ୍’ର ସେବା ଆରମ୍ଭ କରାଗଲା, କୋର୍ଟ ଡିସ୍ପ୍ଲେ ବୋର୍ଡର ୟୁ–ଟ୍ୟୁବରେ ଷ୍ଟ୍ରିମିଂ ଆରମ୍ଭ କରିଦେଲା, ପ୍ରତିଦିନର ରାୟ ଏବଂ ଆଦେଶ ୱେବସାଇଟ୍ରେ ଅପ୍ଲୋଡ୍ କରାଗଲା, ଏହି ସବୁ ଦ୍ୱାରା ଏହା ସିଦ୍ଧ କରିଛି ଯେ ଆମ ନ୍ୟାୟ ବ୍ୟବସ୍ଥା ହେଉଛି କେତେ ଗ୍ରହଣଯୋଗ୍ୟ, ଆଉ ନ୍ୟାୟ ପାଇଁ ତାଙ୍କର ପ୍ରୟାସର ବିସ୍ତାର ହେଉଛି କେତେ ଅଧିକ। ମୋତେ ଅବଗତ କରାଯାଇଛି ଯେ ଗୁଜରାଟ ହାଇକୋର୍ଟ ଏହି ସମୟ ମଧ୍ୟରେ କୋର୍ଟ କାର୍ଯ୍ୟର ଲାଇଭ୍ ଷ୍ଟ୍ରିମିଂ କରିଥିବା ପ୍ରଥମ ଅଦାଲତ ହୋଇପାରିଛି, ଆଉ ମୁକ୍ତ ଅଦାଲତର ଯେଉଁ ଅବଧାରଣା ଉପରେ ଦୀର୍ଘ ସମୟ ଧରି ଚର୍ଚ୍ଚା ହୋଇ ଆସୁଛି, ତାହାକୁ ମଧ୍ୟ ଗୁଜରାଟ ହାଇକୋର୍ଟ ସାକାର କରି ଦେଖାଇଛି। ଆମ ପାଇଁ ଏହା ସନ୍ତୋଷର ବିଷୟ ହେଉଛି ଯେ, ଆଇନ ମନ୍ତ୍ରଣାଳୟ ଇ–କୋର୍ଟସ୍ ସମନ୍ୱୟ ମିଶନ ମୋଡ୍ ପ୍ରକଳ୍ପ ଅଧୀନରେ ଯେଉଁ ଡିଜିଟାଲ ଭିତିଭୂମି ପ୍ରସ୍ତୁତ କରିଥିଲା, ତାହା ଏତେ କମ୍ ସମୟରେ ଆମର କୋର୍ଟଗୁଡ଼ିକୁ ଭର୍ଚୁଆଲ କୋର୍ଟ ଭାବେ କାର୍ଯ୍ୟ କରିବାରେ ସହାୟତା କଲା। ଡିଜିଟାଲ ଇଣ୍ଡିଆ ମିଶନ ଆଜି ବହୁତ ଦ୍ରୁତ ଗତିରେ ଆମର ନ୍ୟାୟିକ ବ୍ୟବସ୍ଥାକୁ ଆଧୁନିକ କରି ଗଢ଼ି ତୋଳିଛି।
ଆଜି ଦେଶରେ ୧୮ ହଜାରରୁ ଅଧିକ କୋର୍ଟ କଂପ୍ୟୁଟରାଇଜ୍ ହୋଇ ସାରିଛି। ସୁପ୍ରିମକୋର୍ଟରୁ ଭିଡିଓ କନଫରେନ୍ସିଂ ଏବଂ ଟେଲି କନଫରେନ୍ସିଂକୁ ଆଇନଗତ ମାନ୍ୟତା ମିଳିବା ପରେ ସମସ୍ତ ଅଦାଲତରେ ଇ–ପ୍ରୋସିଡିଂରେ ଗତି ଆସିଛି। ଏହା ଶୁଣି ଆମ ସମସ୍ତଙ୍କର ଗୌରବ ବୃଦ୍ଧି ପାଉଛି ଯେ ଆମର ସୁପ୍ରିମକୋର୍ଟ ନିଜେ ମଧ୍ୟ ଆଜି ବିଶ୍ୱରେ ଭିଡିଓ କନଫରେନ୍ସିଂ ଦ୍ୱାରା ସବୁଠାରୁ ଅଧିକ ଣୁଣାଣୀ କରିବା ଭଳି ସୁପ୍ରିମକୋର୍ଟ ପାଲଟି ଯାଇଛି। ଆମର ହାଇକୋର୍ଟଗୁଡ଼ିକ ଏବଂ ଜିଲ୍ଲା କୋର୍ଟଗୁଡ଼ିକ ମଧ୍ୟ କୋଭିଡ଼୍ ସମୟରେ ଅଧିକ ଭିଡିଓ କନଫରେନ୍ସିଂ ଣୁଣାଣୀ କରି ସାରିଛନ୍ତି। ମାମଲାଗୁଡ଼ିକର ଇ–ଫାଇଲିଂର ସୁବିଧା ମଧ୍ୟ ‘ନ୍ୟାୟିକ ସୁଗମତା’କୁ ଏକ ନୂତନ ମାନ୍ୟତା ଦେଇଛନ୍ତି। ଏହିଭଳି ଆଜି ଆମର ଅଦାଲତଗୁଡ଼ିକରେ ପ୍ରତ୍ୟେକ ମାମଲା ପାଇଁ ଏକ ଅନନ୍ୟ ପରିଚୟ କୋଡ୍ ଏବଂ କ୍ୟୁଆର କୋଡ୍ ପ୍ରଦାନ କରାଯାଉଛି। ଏହାଦ୍ୱାରା ନା କେବଳ ମାମଲା ସହିତ ଜଡ଼ିତ ପ୍ରତ୍ୟେକ ତଥ୍ୟ ହାସଲ କରିବା ସହଜ ହୋଇଛି, ବରଂ ଏହା ଜାତୀୟ ଆଇନଗତ ଡାଟା ଗ୍ରୀଡ଼ର ମଧ୍ୟ ଗୋଟିଏ ପ୍ରକାରରେ ସୁଦୃଢ଼ ମୂଳଦୁଆ ରଖିଛି। ଜାତୀୟ ଆଇନଗତ ଡାଟା ଗ୍ରୀଡ଼ ମାଧ୍ୟମରେ ଆଇନଜୀବୀ ଏବଂ ମହକିଲମାନେ କେବଳ ଗୋଟିଏ ମାତ୍ର କ୍ଲିକ୍ରେ ସମସ୍ତ ମାମଲା ଏବଂ ଆଦେଶକୁ ଦେଖିପାରିବେ। ଏହି ଆଇନଗତ ସୁଗମତା ନା କେବଳ ଆମର ନାଗରିକମାନଙ୍କର ସହାବସ୍ଥାନ ସୁଗମତାକୁ ବୃଦ୍ଧି କରୁଛି, ବରଂ ଏହାଦ୍ୱାରା ଦେଶରେ ‘ବ୍ୟବସାୟ ସୁଗମତା’କୁ ମଧ୍ୟ ବୃଦ୍ଧି କରୁଛି। ଏହାଦ୍ୱାରା ବିଦେଶୀ ନିବେଶକମାନଙ୍କ ମଧ୍ୟରେ ଏହି ଭରସା ଜାଗ୍ରତ ହୋଇଛି ଯେ ଭାରରେ ସେମାନଙ୍କର ନ୍ୟାୟିକ ଅଧିକାର ସୁରକ୍ଷିତ ରଖିବ। ୨୦୧୮ରେ ନିଜର ବ୍ୟବସାୟ କରୁଥିବାର ରିପୋର୍ଟରେ ବିଶ୍ୱବ୍ୟାଙ୍କ ମଧ୍ୟ ଜାତୀୟ ଆଇନଗତ ଡାଟା ଗ୍ରୀଡ଼ର ପ୍ରଶଂସା କରିଛି।
ମାନନୀୟ,
ଆଗାମୀ ଦିନରେ ଭାରତରେ ନ୍ୟାୟିକ ସୁଗମତା ଆହୁରି ମଧ୍ୟ ଦ୍ରୁତ ଗତିରେ ବଢ଼ୁ, ଏହି ଦିଗରେ ସୁପ୍ରିମ କୋର୍ଟର ଇ–କମିଟି, ଏନଆଇସି ସହିତ ମିଶି କାର୍ଯ୍ୟ କରୁଛି। ସୁଦୃଢ଼ ସୁରକ୍ଷା ସହିତ କ୍ଲାଉଡ୍ ଆଧାରିତ ଭିତିଭୂମି ଭଳି ସୁବିଧାଗୁଡ଼ିକୁ ସାମିଲ କରିବା ଉପରେ କାର୍ଯ୍ୟ କରାଯାଉଛି। ଆମର ନ୍ୟାୟିକ ବ୍ୟବସ୍ଥାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରି ରଖିବା ନିମନ୍ତେ ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତାର ବ୍ୟବହାରର ସମ୍ଭାବନାକୁ ମଧ୍ୟ, ଏଆଇର ସମ୍ଭାବନାକୁ ମଧ୍ୟ ଖୋଜା ଯାଉଛି। କୃତ୍ରିମ ବୁଦ୍ଧିମତାରେ ନ୍ୟାୟପାଳିକାର ଦକ୍ଷତା ମଧ୍ୟ ବଢ଼ିବ ଏବଂ ଗତି ମଧ୍ୟ ବଢ଼ିବ। ଏହି ପ୍ରୟାସରେ ଦେଶର ଆତ୍ମନିର୍ଭର ଭାରତ ଅଭିଯାନ ବଡ଼ ଭୂମିକା ତୁଲାଇବାକୁ ଯାଉଛି। ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଭାରତର ନିଜର ଭିଡିଓ କନଫରେନ୍ସିଂ ମଞ୍ଚକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି। ଦେଶରେ ଡିଜିଟାଲ ବିଭକ୍ତୀକରଣକୁ କମ୍ କରିବା ପାଇଁ ସାଧାରଣ ଲୋକଙ୍କ ସହାୟତା ପାଇଁ ହାଇକୋର୍ଟ ଏବଂ ଜିଲ୍ଲା କୋର୍ଟଗୁଡ଼ିକରେ ଇ–ସେବା କେନ୍ଦ୍ର ମଧ୍ୟ ଖୋଲାଯାଉଛି। ଆମେ ସମସ୍ତେ ମଧ୍ୟ ଦେଖିଛେ ଯେ ମହାମାରୀର ଏହି କଠିନ ସମୟରେ ମଧ୍ୟ ଅନ୍ ଲାଇନ୍ ଇ–ଲୋକଅଦାଲତ ମଧ୍ୟ ଏକ ନୂତନ ବ୍ୟବସ୍ଥା ପାଲଟି ଯାଇଛି। ସଂଯୋଗବଶତଃ, ଏହି ଗୁଜରାଟ ହିଁ ଥିଲା, ଯେଉଁଠାରେ ୩୫–୪୦ ବର୍ଷ ପୂର୍ବେ ଜୁନାଗଡ଼ରେ ହିଁ ପ୍ରଥମ ଲୋକ ଅଦାଲତ ଆରମ୍ଭ ହୋଇଥିଲା। ଆଜି ଇ–ଲୋକ ଅଦାଲତ ସମୟବଦ୍ଧ ଏବଂ ସୁବିଧାପୂର୍ଣ୍ଣ ନ୍ୟାୟର ଏକ ବଡ଼ ମାଧ୍ୟମ ପାଲଟିବାକୁ ଯାଉଛି। ଦେଶର ୨୪ଟି ରାଜ୍ୟରେ ଏ ପର୍ଯ୍ୟନ୍ତ ଲକ୍ଷ–ଲକ୍ଷ ମାମଲା ଇ–ଲୋକ ଅଦାଲତକୁ ଆସି ସାରିଛି, ଏବଂ ତାହାର ସମାଧାନ ମଧ୍ୟ ହେଉଛି। ଏହି ଗତି, ଏହି ସୁବିଧା, ଏବଂ ଏହି ବିଶ୍ୱାସ ହେଉଛି ଆଜି ଆମର ନ୍ୟାୟିକ ବ୍ୟବସ୍ଥାର ଆବଶ୍ୟକତା। ଗୁଜରାଟ ଆଉ ଏକ କଥା ନିମନ୍ତେ ମଧ୍ୟ ନିଜର ଯୋଗଦାନ ପାଇଁ ଗର୍ବ କରୁଛି, ଗୁଜରାଟ ପ୍ରଥମ ରାଜ୍ୟ ଥିଲା, ଯିଏକି ସାନ୍ଧ୍ୟ କୋର୍ଟର ପରମ୍ପରା ଆରମ୍ଭ କରିଥିଲା ଏବଂ ଗରିବଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଇଥିଲା। କୌଣସି ମଧ୍ୟ ସମାଜରେ ନିୟମ ଏବଂ ନୀତିଗୁଡ଼ିକର ସାର୍ଥକତା ନ୍ୟାୟଦ୍ୱାରା ହିଁ ହୋଇଥାଏ। ନ୍ୟାୟଦ୍ୱାରା ହିଁ ନାଗରିକମାନଙ୍କ ମନରେ ସୁନିଶ୍ଚିତତା ଆସିଥାଏ, ଆଉ ଏକ ନିଶ୍ଚିତ ସମାଜ ହିଁ ପ୍ରଗତି ବିଷୟରେ ଚିନ୍ତା କରିଥାଏ, ସଂକଳ୍ପ ନେଇଥାଏ ଏବଂ ପୁରୁଷାର୍ଥ କରି ପ୍ରଗତି ଦିଗରେ ଅଗ୍ରସର ହୋଇଥାଏ। ମୋର ବିଶ୍ୱାସ ଯେ ଆମର ନ୍ୟାୟପାଳିକା, ନ୍ୟାୟପାଳିକା ସହିତ ଜଡ଼ିତ ଆପଣ ସମସ୍ତ ବାରିଷ୍ଠ ସଦସ୍ୟ, ଆମର ସମ୍ବିଧାନର ନ୍ୟାୟଶକ୍ତିକୁ ନିରନ୍ତର ସଶକ୍ତ କରି ଚାଲିଥିବେ, ନ୍ୟାୟର ଏହି ଶକ୍ତି ଦ୍ୱାରା ଆମ ଦେଶ ଆଗକୁ ବଢ଼ିବ, ଏବଂ ଆତ୍ମନିର୍ଭର ଭାରତର ସ୍ୱପ୍ନ ଆମେ ସମସ୍ତେ ନିଜର ପ୍ରଚେଷ୍ଟା ଦ୍ୱାରା, ନିଜ ପୁରୁଷାର୍ଥ ଦ୍ୱାରା, ଆମର ସାମୁହିକ ଶକ୍ତି ଦ୍ୱାରା, ଆମର ସଂକଳ୍ପ ଶକ୍ତି ଦ୍ୱାରା, ଆମର ଅବିରତ ସାଧନା ଦ୍ୱାରା, ଆମେ ସିଦ୍ଧ କରି ରହିବା। ଏହି ଶୁଭକାମନାଗୁଡ଼ିକ ସହିତ, ଆପଣ ସମସ୍ତଙ୍କୁ ପୁଣିଥରେ ହୀରକ ଜୟନ୍ତିର ବହୁତ–ବହୁତ ଶୁଭେଚ୍ଛା। ଅନେକ–ଅନେକ ଶୁଭକାମନା।
ଧନ୍ୟବାଦ!
*****
AH
Addressing programme to mark Diamond Jubilee of the Gujarat HC. https://t.co/9z193nuYTT
— Narendra Modi (@narendramodi) February 6, 2021