ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ/ଉତ୍ସର୍ଜନ ହ୍ରାସ ନିମନ୍ତେ ଗଠିତ କ୍ୟୋଟୋ ପ୍ରୋଟୋକଲର ଦ୍ୱିତୀୟ ପ୍ରତିବଦ୍ଧ ସମୟର ଅନୁମୋଦନ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । କ୍ୟୋଟୋ ପ୍ରୋଟୋକଲର ଦ୍ୱିତୀୟ ପ୍ରତିଶ୍ରୁତିବଦ୍ଧତା ସମୟର ଅବଧି 2012 ରେ ଆରମ୍ଭ ହୋଇଥିଲା । ବର୍ତମାନ ସୁଦ୍ଧା 65 ଟି ରାଷ୍ଟ୍ର ଦ୍ୱିତୀୟ ପ୍ରତିଶ୍ରୁତିବଦ୍ଧତା ଅବଧିକୁ ଅନୁମୋଦନ ଦେଇସାରିଛନ୍ତି । ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ଏ ଦିଗରେ ଅନ୍ତର୍ଜାତୀୟ ସହମତି ସୃଷ୍ଟି କରିବାରେ ସଫଳ ହୋଇଛି । ଭାରତ ଜଳବାୟୁ ନ୍ୟାୟ ଏବଂ ପରିବେଶ ସୁରକ୍ଷା ଭଳି ବିଶ୍ୱ କଲ୍ୟାଣ ପ୍ରସଙ୍ଗ ପ୍ରତି ପ୍ରତିଶ୍ରୁତିବଦ୍ଧ ରାଷ୍ଟ୍ରସମୂହଙ୍କ ନେତୃତ୍ୱ ନେଇଆସିଛି । ଭାରତ ଦ୍ୱାରା କ୍ୟୋଟୋ ପ୍ରୋଟୋକଲକୁ ଅନୁମୋଦନ ମିଳିବା ଦ୍ୱାରା ଅନ୍ୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଏ ଦିଗରେ ପଦକ୍ଷେପ ନେବା ଲାଗି ଅନୁପ୍ରାଣିତ କରିବ । ଏହି ପ୍ରତିଶ୍ରୁତିବଦ୍ଧତା ଅବଧି ମଧ୍ୟରେ ସାମଗ୍ରୀକ ବିକାଶ ସହ ସ୍ୱଚ୍ଛ ବିକାଶ କାର୍ଯ୍ୟବିଧି (ସିଡିଏମ୍) କାର୍ଯ୍ୟକାରୀ କରାଯିବ, ଯଦ୍ୱାରା ଭାରତରେ ନିବେଶ ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ । ପରିବେଶରେ ଗ୍ରୀନ୍ ହାଉସ୍ ଗ୍ୟାସର ପ୍ରଭାବ ହ୍ରାସ କରିବା ଏବଂ ଜଳବାୟୁ ବ୍ୟବସ୍ଥା ଉପରେ ଏହାର ପ୍ରଭାବକୁ କମାଇବା ଲାଗି ୟୁନାଇଟେଡ୍ ନେସନ୍ସ ଫ୍ରେମୱାର୍କ କନଭେନସନ୍ ଅନ୍ କ୍ଲାଇମେଟ୍ ଚେଞ୍ଜ (ୟୁଏନ୍ଏଫ୍ସିସି) କାର୍ଯ୍ୟ କରୁଛି । ବିକଶିତ ରାଷ୍ଟ୍ରଗୁଡ଼ିକ ଉଚ୍ଚସ୍ତରର ଗ୍ରୀନ୍ ହାଉସ୍ ଗ୍ୟାସ ଉତ୍ସର୍ଜନ ପାଇଁ ଦାୟୀ ବୋଲି ହୃଦବୋଧ କରି କ୍ୟୋଟୋ ପ୍ରୋଟୋକଲ୍ ଗଠନ କରାଯାଇଥିଲା । ଏହା ଗ୍ରୀନ୍ ହାଉସ୍ ଗ୍ୟାସର ଉତ୍ସର୍ଜନ ହ୍ରାସ କରିବା ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଏଥିପାଇଁ ଆର୍ଥିକ ଏବଂ ବୈଷୟିକ ସହଯୋଗ ଯୋଗାଇ ଦେବା ଲାଗି ବିକଶିତ ରାଷ୍ଟ୍ରଗୁଡ଼ିକୁ ପ୍ରତିଶ୍ରୁତିବଦ୍ଧ କରିଥିଲା । ଭାରତ ଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ କ୍ୟୋଟୋ ପ୍ରୋଟୋକଲରେ କୌଣସି ନିର୍ଗମନ/ଉତ୍ସର୍ଜନ ହ୍ରାସ ଉତ୍ତରଦାୟିତ୍ୱ କିମ୍ବା ଲକ୍ଷ୍ୟ ପୂରଣ ପାଇଁ କୁହାଯାଇନାହିଁ ।