Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କ୍ଷେତ୍ରୀୟ ଓ ବିଶ୍ୱସ୍ତରରେ ଭାରତର ଭୂମିକା ନେଇ ବ୍ୟାଂକକ ଆସିଆନ ସମ୍ପର୍କିତ ଶିଖର ସମ୍ମିଳନୀରେ ଯୋଗ ଦେବା ଅବସରରେ ‘ବ୍ୟାଂକକ ପୋଷ୍ଟ’ରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର


 

35ତମ ଆସିଆନ ଶିଖର ସମ୍ମିଳନୀ ଓ 16ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଓ ସୋମବାର ହେବାକୁ ଥିବା ତୃତୀୟ ଆରସିଇପି ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର ନେଇଥିଲା ବ୍ୟାଂକକ ପୋଷ୍ଟ। ଏହି ଅବସରରେ ସେ କ୍ଷେତ୍ରୀୟ ଓ ବିଶ୍ୱ ସ୍ତରରେ ଭାରତର ଭୂମିକା ସମ୍ପର୍କରେ ମତାମତ ଦେଇଛନ୍ତି ।

ସାକ୍ଷାତକାରର ବିବରଣୀ ନିମ୍ନରେ ଦିଆଗଲା

ଆପଣ ଭାବୁଛନ୍ତି କି ଭାରତ ଆପଣଙ୍କ ନେତୃତ୍ୱରେ ବିଶ୍ୱ ଶକ୍ତି ପାଲଟିଛି?

ଏହା ସର୍ବଜନବିଦିତ ଯେ ଭାରତ ଏକ ସମୃଦ୍ଧିଶାଳୀ ଓ ବୈଚିତ୍ର୍ୟଭରା ପ୍ରାଚୀନ ସଭ୍ୟତା । କିଛି ଶହ ବର୍ଷ ପୂର୍ବରୁ ବିଶ୍ୱ ଅଭିବୃଦ୍ଧିରେ ଭାରତର ଯୋଗଦାନ ଅଧିକ ଥିଲା । ବିଜ୍ଞାନ, ସାହିତ୍ୟ, ଦର୍ଶନ, କଳା ଓ ସ୍ଥାପତ୍ୟର ବିକାଶ ଦିଗରେ ଭାରତର ଅବଦାନ ଅତୁଳନୀୟ । ଏସବୁ ସତ୍ତ୍ୱେ ଭାରତ କେବେ ଅନ୍ୟ ଆଗରେ ଶ୍ରେଷ୍ଠତ୍ୱ ଜାହିର କରିନାହିଁ । ବରଂ ସବୁ ଦେଶ ସହ ବନ୍ଧୁତାର ସମ୍ପର୍କ ରଖିଆସିଛି । ଅର୍ଥନୈତିକ କ୍ଷେତ୍ର ହେଉ ଅବା ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ କିମ୍ବା ମହାକାଶ ଗବେଷଣା ବା ଆତଙ୍କବାଦ ବିରୋଧରେ ଲଢ଼େଇ ହେଉ ଗତ କିଛି ବର୍ଷ ହେଲା ବିଶ୍ୱ ପ୍ରତି ଆମ ଅବଦାନ ବଢ଼ି ଚାଲିଛି ।

ବର୍ତ୍ତମାନ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶ କ୍ଷେତ୍ରରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଭାରତର ଲୋକେ ଦେଖାଇ ଦେଇଛନ୍ତି ସେମାନେ ଅଦ୍ୱିତୀୟ, ଯଦି ସେମାନଙ୍କୁ ସଠିକ ନୀତିଗତ ପରିବେଶ ମିଳେ ସେମାନେ ନିଜ ପ୍ରକୃତ କ୍ଷମତା ଜାଣିପାରିବେ ।

ଭାରତୀୟମାନଙ୍କ ଜୀବନଶୈଳୀକୁ ଆରାମଦାୟକ କରିବା ପାଇଁ ଆମେ ବିଶ୍ୱର ସର୍ବବୃହତ ଅଭିଯାନ ଚଳାଇଛୁ । ଉନ୍ନତ ଭିତ୍ତିଭୂମି, ଉନ୍ନତ ସେବା ଓ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ ସେମାନଙ୍କ ଉତ୍ପାଦକ କ୍ଷମତା ଉନ୍ନତ କରୁଛୁ ।

ଏହା ସମ୍ଭବ ହୋଇଛି, କାରଣ ଆମେ ପ୍ରତି ଗାଁକୁ ବିଦ୍ୟୁତ ଯୋଗାଇ ଦେଇଛୁ, 350 ମିଲିୟନରୁ ଅଧିକ ନାଗରିକଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଆଣିପାରିଛୁ ଓ ସାମାଜିକ ଯୋଜନାଗୁଡ଼ିକରେ ଅର୍ଥ ଅପବ୍ୟୟ କମାଇଛୁ । ଏହାସହିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ 150 ମିଲିୟନ ଶୌଚାଳୟ ନିର୍ମାଣ କରିଛୁ, ଡିଜିଟାଇଜେସନ୍ ସେବା ମାଧ୍ୟମରେ ଶାସନ ଉନ୍ନତ କରିଛୁ, ଦ୍ରୁତଗତିରେ ବଢି ଚାଲିଥିବା ଫିନଟେକ ଉତ୍ପାଦ ବଜାରରେ ସାମିଲ ହେବାକୁ ଦ୍ରୁତ ପ୍ରଗତି କରିଛୁ ଓ ଭାରତୀୟ ଅର୍ଥବ୍ୟବସ୍ଥାକୁ ଦ୍ରୁତବର୍ଦ୍ଧିଷ୍ଣୁ ଧାରାରେ ପହଞ୍ଚାଇଛୁ । ବିଶ୍ୱ ବ୍ୟାଙ୍କର ଇଜ ଅଫ ଡୁଇଂ ବିଜିନେସ ସୂଚୀରେ ଆମେ ପ୍ରାୟ 80ଟି ସ୍ଥାନ ଆଗକୁ ଯାଇଛୁ ଏବଂ ଆମେ ଏହାକୁ ଗଣତାନ୍ତ୍ରିକ ପରିଧି ଭିତରେ ଥାଇ କରିବା ସାଙ୍ଗକୁ ନିଜ ଐତିହ୍ୟକୁ ସଂରକ୍ଷିତ ରଖିଛୁ ।

ଭାରତରେ ଉଚ୍ଚାକାଂକ୍ଷୀ ମଧ୍ୟମବର୍ଗଙ୍କ ସଂଖ୍ୟା ବଢ଼ିଛି, ସେମାନେ ସମସ୍ତ ମୌଳିକ ଆବଶ୍ୟକତା ପାଇପାରୁଥିବା ବେଳେ ଏବେ ଜୀବନରେ ଆଗକୁ ଯିବା ପାଇଁ ଆଗ୍ରହୀ ।

ଆମ ମନ୍ତ୍ର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଯାହାର ଅର୍ଥ ସମସ୍ତଙ୍କ ସହଯୋଗ ତଥା ବିଶ୍ୱାସ ଜିତି ସମସ୍ତଙ୍କ ବିକାଶ । ଏଠାରେ ସମସ୍ତଙ୍କର ମାନେ କେବଳ ଆମ ନାଗରିକ ନୁହେଁ ସମସ୍ତ ମାନବଜାତିକୁ ବୁଝାଏ ।

ଭାଗିଦାରୀ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଆମେ ସକ୍ରିୟ ଭାବେ ସମସ୍ତ ବନ୍ଧୁଭାବାପନ୍ନ ପଡ଼ୋଶୀଙ୍କ ସହ ଉଦ୍ୟମ କରୁଛୁ । ସେହିପରି ବିଶ୍ୱ ଓ ସୀମାପାର ସମସ୍ୟାର ମୁକାବିଲା ପାଇଁ ଆମେ ଅନ୍ତର୍ଜାତୀୟ ଭାଗିଦାରୀ ଗଢ଼ି ତୋଳିବାକୁ ଚେଷ୍ଟା କରୁଛୁ । ଏଥିରେ ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ ଓ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପାଇଁ ଗଠବନ୍ଧନ ସାମିଲ ରହିଛି । ସମକାଳୀନ ବାସ୍ତବିକତା ମଧ୍ୟରେ ବହୁପକ୍ଷବାଦକୁ ମଜବୁତ କରିବା ତଥା ପୁନରୁଦ୍ଧାର କରିବାକୁ ଭାରତ ସମର୍ଥନ କରେ । ସାରା ବିଶ୍ୱରେ ଅନିଶ୍ଚିତତା ଲାଗି ରହିଥିବା ସମୟରେ ଦ୍ରୁତ ବୃଦ୍ଧି ପାଉଥିବା ଗଣତାନ୍ତ୍ରିକ ଓ ସଶକ୍ତ ଭାରତ ସ୍ଥିରତା, ସମୃଦ୍ଧି ଓ ଶାନ୍ତିର ଆଲୋକବର୍ତ୍ତିକା ସାଜିଛି ।

କୁହାଯାଏ ଏକବିଂଶ ଶତାବ୍ଦୀ ଏସିଆର ଶତାବ୍ଦୀ । ଏସିଆ ଓ ବିଶ୍ୱରେ ହେଉଥିବା ଏହି ପରିବର୍ତ୍ତନ ପାଇଁ ଭାରତ ଯୋଗଦାନ କରିବା ପାଇଁ ପ୍ରସ୍ତୁତ ଅଛି ।

ଭାରତର ଆକ୍ଟ ଇଷ୍ଟ ନୀତିରେ ଆସିଆନର କି ଗୁରୁତ୍ୱ ରହିଛି?

ଆକ୍ଟ ଇଷ୍ଟ ନୀତିର ମୂଳରେ ରହିଛି ଆସିଆନ । ଏହା ଏକମାତ୍ର ସହଯୋଗୀ ବ୍ୟବସ୍ଥା ଯାହା ମାଧ୍ୟମରେ 16 ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶିଖରସ୍ତରୀୟ ଆଲୋଚନା ହୋଇପାରୁଛି ।

କାରଣ ଭାରତୀୟ ମହାସାଗର କ୍ଷେତ୍ରରେ ପ୍ରବେଶ କରିବା ପାଇଁ ଆସିଆନ ଅଞ୍ଚଳ କେବଳ ଏକ ମହତ୍ୱପୂର୍ଣ୍ଣ ପ୍ରବେଶଦ୍ୱାର ବୋଲି ନୁହେଁ କିମ୍ବା ସଭ୍ୟତାଗତ ଭାବେ ଆମ ସହ ନିକଟତର ବୋଲି ନୁହେଁ ବରଂ ବିଶ୍ୱରେ ଆସିଆନ ଅଞ୍ଚଳ ବେଶ ଅର୍ଥନୈତିକ ଓ ରାଜନୈତିକ ଗତିଶୀଳ ହୋଇଥିବାରୁ ଏହା ସମ୍ଭବ ହେଉଛି । ଦୃଢ଼, ଏକୀକୃତ ଓ ସମୃଦ୍ଧ ଆସିଆନ ପରିବର୍ତ୍ତନଶୀଳ ଭରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରୁ ବୋଲି ଭାରତ ଚାହେଁ । ଏହା ଭାରତର ସମୃଦ୍ଧି ଓ ସୁରକ୍ଷାର ସର୍ବୋତ୍ତମ ହିତ ସାଧନ କରିବ ।

ଆସିଆନ ସହିତ ଜଡିତ ରହିବା ଭାରତର ଆକ୍ଟ ଇଷ୍ଟ ନୀତି ଓ ରଣନୀତିର ମହତ୍ୱପୂର୍ଣ୍ଣ ଅଂଶ । ଆମର ଘନିଷ୍ଠ ସଭ୍ୟତାଗତ ସମ୍ପର୍କ ଏହାକୁ ଦୃଢ ଭିତ୍ତି ପ୍ରଦାନ କରୁଛି ଯାହାକୁ ଭିତି କରି ଆମେ ମଜବୁତ, ଆଧୁନିକ ଓ ବହୁମୁଖୀ କୂଟନୈତିକ ଭାଗିଦାରୀ ଗଢିବୁ । ଆସିଆନକୁ ମଜବୁତ କରିବା, ଯୋଗାଯୋଗର ବିସ୍ତାର ଓ ଭାରତ ଓ ଆସିଆନ ଅର୍ଥନୈତିକ ଏକୀକରଣକୁ ମଜବୁତ କରିବାକୁ ଆମେ ଆକ୍ଟ ଇଷ୍ଟ ନୀତିର ପ୍ରମୁଖତା ଦେଉଛୁ ।

ଥାଇଲାଣ୍ଡର ବଳିଷ୍ଠ ନେତୃତ୍ୱରେ ଭାରତ ସହ ଆସିଆନର ଘନିଷ୍ଠ ସମ୍ପର୍କ ସ୍ଥାପନ ହୋଇ ପାରିଥିବାରୁ ଆମେ ଥାଇଲାଣ୍ଡକୁ ଧନ୍ୟବାଦ ଜଣାଉଛୁ ।

କ୍ଷେତ୍ରୀୟ ସୁରକ୍ଷା ସଂରଚନାରେ ଭାରତର କି ପ୍ରକାର ଭୂମିକା ରହିବ?

ଭାରତ-ପ୍ରଶାନ୍ତ ମହାସାଗର ପାଇଁ ଭାରତ ନିଜ ଦୃଷ୍ଟିକୋଣ ସ୍ପଷ୍ଟ କରିସାରିଛି, ଯାହା ଅଞ୍ଚଳରେ ଥିବା ଦେଶଗୁଡ଼ିକୁ ଜଣାଇ ଦିଆଯାଇଛି । ଏହା ମହାସାଗରୀୟ କ୍ଷେତ୍ରରେ ପରସ୍ପର ସଂଯୋଗ ଓ ପ୍ରାଥମିକତାକୁ ସ୍ୱୀକୃତି ଦିଏ । ଗତବର୍ଷ ସିଙ୍ଗାପୁରରେ ହୋଇଥିବା ସାଙ୍ଗରି-ଲା ସମ୍ମିଳନୀରେ ଏ ସମ୍ପର୍କରେ ଆମ ଦୃଷ୍ଟିକୋଣ ସ୍ପଷ୍ଟ ଭାବେ ମୁଁ ଉପସ୍ଥାପିତ କରିଥିଲି । ଆମେ ବିଶ୍ୱାସ କରୁ ଭାରତ-ପ୍ରଶାନ୍ତ ମହାସାଗର ପାଇଁ ଆଞ୍ଚଳିକ ସୁରକ୍ଷା ଭିତ୍ତିଭୂମି ଖୋଲା, ସ୍ୱଚ୍ଛ, ସମାବେଶୀ, ନିୟମ ଆଧାରିତ, ଅନ୍ତର୍ଜାତୀୟ ନିୟମକୁ ଭିତ୍ତି କରି ହେବା ଉଚିତ । ଅନ୍ତର୍ଜାତୀୟ ନିୟମ ତଥା ସଂଯୁକ୍ତ ରାଷ୍ଟ୍ର ସାମୁଦ୍ରିକ ଆଇନ ଅନୁଯାୟୀ ଅଞ୍ଚଳରେ ସ୍ଥିର ସାମୁଦ୍ରିକ ସୁରକ୍ଷା ବାତାବରଣ ସହ ନାଭିଗେସନର ସ୍ୱତନ୍ତ୍ରତା ଓ ବିମାନ ଉଡ଼ାଣ ଓ ବାଧାମୁକ୍ତ ବାଣିଜ୍ୟ ଯେକୌଣସି ଆଞ୍ଚଳିକ ସୁରକ୍ଷା ଭିତ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ।

ସାଗର 2015ରେ ମୁଁ ଏହି ଅବଧାରଣାକୁ ସ୍ୱୀକାର କରିଥିଲି । ଏହା ସମଗ୍ର ଅଞ୍ଚଳ ପାଇଁ ସୁରକ୍ଷା ଓ ବିକାଶର ପ୍ରତୀକ । ହିନ୍ଦୀରେ ସାଗରର ଅର୍ଥ ସମୁଦ୍ର । ଆମେ ପାରସ୍ପରିକ ବିଶ୍ୱାସ ଓ ସୁରକ୍ଷା ସହଯୋଗ ବୃଦ୍ଧି ମାଧ୍ୟମରେ ଆମେ ଏହି ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛୁ । ଆଞ୍ଚଳିକ ସୁରକ୍ଷା ଭିତ୍ତିଭୂମି କ୍ଷେତ୍ରରେ ସାମଗ୍ରିକ ଦୃଷ୍ଟିକୋଣ ବିକଶିତ କରିବା ପାଇଁ ଭାରତ ଉଦ୍ୟମ କରିବା ସହ ଅନ୍ତର୍ନିହିତ ସିଦ୍ଧାନ୍ତ ଆଧାରରେ ସାଧାରଣ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ବର୍ତ୍ତମାନର ଢାଞ୍ଚା ଓ ତନ୍ତ୍ରକୁ ଆଧାର କରି ଏକ ବ୍ୟବହାର୍ଯ୍ୟ ସଂସ୍ଥାଗତ ଢାଞ୍ଚାର ବିକାଶ ପାଇଁ ଉଦ୍ୟମ କରୁଛି ।

ଆସିଆନର ଭାରତ-ପ୍ରଶାନ୍ତ ମହାସାଗର ଦୃଷ୍ଟିଭଙ୍ଗୀ ସହ ଭାରତର ଭାରତ-ପ୍ରଶାନ୍ତ ମହାସାଗର ପ୍ରକ୍ରିୟା କିପରି ସମ୍ମିଳିତ ହେବ?

ଭାରତ-ପ୍ରଶାନ୍ତ ମହାସାଗର ସମ୍ପର୍କରେ ନିଜସ୍ୱ ଦୃଷ୍ଟିଭଙ୍ଗୀ ପାଇଁ ଆମେ ଆସିଆନକୁ ଧନ୍ୟବାଦ ଜଣାଉଛୁ, ଆମର ଭାରତ-ପ୍ରଶାନ୍ତ ମହାସାଗର ଦୃଷ୍ଟିଭଙ୍ଗୀ ସହ ଏହାର ମହତ୍ତ୍ୱପୂର୍ଣ୍ଣ ସମାନତା ରହିଛି, ବିଶେଷ କରି ସିଦ୍ଧାନ୍ତ ଦୃଷ୍ଟିକୋଣ ଓ ପଦ୍ଧତି ଦୃଷ୍ଟିରୁ । ଆସିଆନର ଏକତା ଓ କେନ୍ଦ୍ରୀୟତା ଭାରତ-ପ୍ରଶାନ୍ତ ମହାସାଗର ପରିକଳ୍ପନା ବିକଶିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆମେ ବିଶ୍ୱାସ କରୁ । ଏହା କେବଳ ଏହି ଅଞ୍ଚଳରେ ଆସିଆନର ଭୌଗୋଳିକ କେନ୍ଦ୍ରୀୟତାକୁ ସ୍ୱୀକୃତି ନୁହେଁ ବରଂ ଆସିଆନ ନେତୃତ୍ୱାଧୀନ କ୍ଷେତ୍ରୀୟ ତନ୍ତ୍ର- ବିଶେଷତଃ କେବଳ ନେତୃତ୍ୱ ପରିଚାଳିତ ମଞ୍ଚ ଇଷ୍ଟ ଏସିଆ ସମ୍ମିଳନୀ, ଯାହା ଆଞ୍ଚଳିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ଏକ ମହତ୍ୱପୂର୍ଣ୍ଣ ମଞ୍ଚ ପାଲଟିଛି ।

ସାମୁଦ୍ରିକ ସୁରକ୍ଷା, କନେକ୍ଟିଭିଟି, ଅର୍ଥନୈତିକ ବିକାଶ ଓ ନିରନ୍ତର ବିକାଶ ମାଧ୍ୟମରେ ଶାନ୍ତିପୂର୍ଣ୍ଣ ତଥା ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ଗଢ଼ିବା ପାଇଁ ଆମେ ଓ ଆସିଆନ ଦେଶ ସମୂହ ଗୁରୁତ୍ୱ ଦେଉଛୁ । ଆମେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆସିଆନ ସହଯୋଗୀମାନଙ୍କ ସହ ପ୍ରଗତିର ଭାଗିଦାରୀ ଗଢ଼ିବାକୁ ଆଗ୍ରହୀ ।

ଆଞ୍ଚଳିକ ଶକ୍ତିମାନେ ପ୍ରତିଦ୍ୱନ୍ଦ୍ୱିତାରେ ଲିପ୍ତ ଥିବା ମେକଙ୍ଗ ଉପମଣ୍ଡଳର ଘଟଣାବଳୀ ସମ୍ପର୍କରେ ଆପଣ ଚିନ୍ତିତ ଅଛନ୍ତି କି?

ଏହି ଅଞ୍ଚଳର ଦେଶଗୁଡ଼ିକ ସହିତ ଭାରତର ସାମୁଦ୍ରିକ, ବାଣିଜ୍ୟିକ ଓ ସଭ୍ୟତାଗତ ସମ୍ପର୍କର ଇତିହାସ ବେଶ ପୁରୁଣା । ବର୍ତ୍ତମାନର ବିଶ୍ୱରେ ଆମେ ଏହି ସମ୍ପର୍କକୁ ନବୀକୃତ କରିଛୁ ଓ ନୂଆ ଆଞ୍ଚଳିକ ଭାଗିଦାରୀ ଗଢ଼ିଛୁ । 19 ବର୍ଷ ତଳେ ସ୍ଥାପିତ ମେକଙ୍ଗ-ଗଙ୍ଗା ସହଯୋଗ ଉପକ୍ରମ ଏଭଳି ଏକ ପଦକ୍ଷେପ । ଭାରତ ନିକଟରେ ଥାଇଲାଣ୍ଡ ନେତୃତ୍ୱାଧୀନ ଆୟେୟାୱାଦି-ଚାଓ ଫ୍ରାୟା-ମେକଙ୍ଗ ଅର୍ଥନୈତିକ ସହଯୋଗ ରଣନୀତିରେ ଯୋଗ ଦେଇଛି । ଏଠାରେ ଆମେ ମେକଙ୍ଗ ଦେଶସମୂହର ସମସ୍ତ ପ୍ରମୁଖ ବାହ୍ୟ ଭାଗିଦାରଙ୍କୁ ଏକାଠି କରି ତାଳମେଳ ବଜାୟ ରଖିବା ସହ ସହଯୋଗ ପ୍ରୟାସର ଦୋହରୀକରଣ ଏଡ଼ାଇବୁ ।

ଏହା ସାଙ୍ଗକୁ ପରିଚୟ ବିବିଧତାକୁ ଆମେ ନଜରରେ ରଖି କ୍ଷେତ୍ରୀୟ ଢାଞ୍ଚାକୁ ଗୁରୁତ୍ୱ ଦେଉଛୁ । ଭାରତୀୟ ପରିପ୍ରେକ୍ଷୀରେ ଉଦାହରଣ ସ୍ୱରୂପ, ଆମେ ମେକଙ୍ଗ ଦେଶ ସମୂହ ସହିତ ଆସିଆନ-ଇଣ୍ଡିଆନ ବାର୍ତ୍ତା ସମ୍ପର୍କ, ମେକଙ୍ଗ ଗଙ୍ଗା ସହଯୋଗ (ଏମଜିସି) ଓ ବିମ୍ସଟେକ ସଂରଚନା ମଧ୍ୟରେ କାମ କରୁଛୁ । ଏସବୁ ଢାଞ୍ଚାଗୁଡିକରେ ବିଷୟଗତ ବିବିଧତା, ପ୍ରକ୍ରିୟା, ସହଯୋଗର ତୀବ୍ରତା ଭିନ୍ନ ରହିଛି ।

ମେକଙ୍ଗ ଉପମଣ୍ଡଳରେ ବହୁପକ୍ଷୀୟ କ୍ଷେତ୍ର ସମୂହ ଓ ବାହ୍ୟ ଅଂଶୀଦାରଙ୍କ ପାଇଁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ଆଞ୍ଚଳିକ ପ୍ରଗତି ତଥା ସମୃଦ୍ଧି ହାସଲ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ।

ଆକ୍ଟ ଇଷ୍ଟ ନୀତିର ସୀମା ଭିତରେ ବିମ୍ସଟେକ କିପରି ସାମିଲ ହେଉଛି?

ଭାରତ ବହୁ କ୍ଷେତ୍ରୀୟ ବୈଷୟିକ ଓ ଅର୍ଥନୈତିକ ସହଯୋଗ (ବିମ୍ସଟେକ) ପାଇଁ ବଙ୍ଗୋପସାଗର ଉପକ୍ରମକୁ ଗୁରତ୍ୱ ପ୍ରଦାନ କରେ । ଏହା ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆ ସହ ମହତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରେ । ଏଥିରେ ଦକ୍ଷିଣ ଏସିଆର ପାଞ୍ଚ ସଦସ୍ୟ (ବାଂଲାଦେଶ, ଭୁଟାନ, ଭାରତ, ନେପାଳ ଓ ଶ୍ରୀଲଙ୍କା) ଓ ଦକ୍ଷିଣ ପୂର୍ବ ଏସିଆର ଦୁଇ ସଦସ୍ୟ (ମ୍ୟାଁମାର ଓ ଥାଇଲାଣ୍ଡ) ସାମିଲ ଅଛନ୍ତି ।

କାଠମାଣ୍ଡୁରେ ଆୟୋଜିତ ଚତୁର୍ଥ ବିମ୍ସଟେକ ସମ୍ମିଳନୀ ଆଞ୍ଚଳିକ ସହଯୋଗ ବୃଦ୍ଧି ଓ ବିମ୍ସଟେକ ସଂସ୍ଥାଗତ ତନ୍ତ୍ରକୁ ମଜବୁତ ଦିଗ ଯେପରିକି ବିମ୍ସଟେକ ଚାର୍ଟର ଆଲେଖନ ଓ ବିମ୍ସଟେକ ବିକାଶ ପାଣ୍ଠି ପାଇଁ ସମ୍ଭାବନା ସନ୍ଧାନ ଆଦିରେ ବେଶ ମହତ୍ୱପୂର୍ଣ୍ଣ ଥିଲା । ଭାରତ ସକ୍ରିୟ ଭାବେ ସମ୍ମିଳନୀର ପରିଣାମକୁ ସାକାର କରିବାକୁ ଉଦ୍ୟମ କରିଥିଲା । ବିମ୍ସଟେକ ସହଯୋଗ ଓ ସୁରକ୍ଷା ପାଇଁ ବିବିଧ କ୍ଷେତ୍ର ଯେପରିକି ବିପର୍ଯ୍ୟୟ ପରିଚାଳନା, ଅର୍ଥନୀତି ଓ ବାଣିଜ୍ୟ, କୃଷି, ସ୍ୱାସ୍ଥ୍ୟ ଓ ଡିଜିଟାଲ କନେକ୍ଟିଭିଟି ତଥା ସାଂସ୍କୃତିକ ଓ ଯୁବ ସଂପର୍କ ବୃଦ୍ଧି ଉଦ୍ଦେଶ୍ୟରେ ଭାରତ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ଘୋଷଣା କରିଥିଲା । ବିମ୍ସଟେକକୁ ଆକ୍ଟ ଇଷ୍ଟ ନୀତିର ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ଭାରତ ବିଶ୍ୱାସ କରେ । ପାଠକମାନେ ଜାଣିଥିବେ ବିମ୍ସଟେକ ଦେଶ ସମୂହର ନେତୃମଣ୍ଡଳୀ ଚଳିତ ବର୍ଷ ମେ ଶେଷ ଭାଗରେ ହୋଇଥିବା ଆମ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ । ଏହା ଆମ ପାଇଁ ବେଶ ସମ୍ମାନର କଥା ଥିଲା । ଆମ ଦେଶ ଓ ନେତୃମଣ୍ଡଳୀଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କକୁ ଏହା ପ୍ରତିପାଦିତ କରିଥିଲା ।

ବିମ୍ସଟେକ ଦେଶ ସମୂହ ମଧ୍ୟରେ ସହଯୋଗ ଦୃଢ଼ କରିଥିବାରୁ ଥାଇଲାଣ୍ଡର ବଳିଷ୍ଠ ଅବଦାନ ରହିଛି ବୋଲି ମୁଁ ଉଲ୍ଲେଖ କରିବାକୁ ଚାହୁଁଛି ।

ଭାରତ ଆରସିଇପି ବାଣିଜ୍ୟ ଚୁକ୍ତିରେ ସାମିଲ ହେବାକୁ ଇଚ୍ଛୁକ ନଥିବା ମନେ ହେଉଛି । ଆପଣ ଭାବୁଛନ୍ତି କି ଆରସିଇପି ଚୁକ୍ତି ଏ ବର୍ଷ ଚୂଡ଼ାନ୍ତ ହୋଇପାରିବ ଓ ଏହି ଲକ୍ଷ୍ୟ ହାସଲ କରିବା ପାଇଁ କଣ କରାଯିବ?

ଭାରତ ବାଣିଜ୍ୟ ପାଇଁ ଏବେ ବିଶ୍ୱର ସବୁଠାରୁ ଉନ୍ମୁକ୍ତ କ୍ଷେତ୍ର । ବିଶ୍ୱ ବ୍ୟାଙ୍କର ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ତାଲିକାରେ 142 ସ୍ଥାନରୁ 62 ସ୍ଥାନକୁ ଆମେ ଗତ ଚାରି ପାଞ୍ଚ ବର୍ଷ ମଧ୍ୟରେ ଉନ୍ନୀତ ହୋଇଥିବା ଏହା ପ୍ରତିପାଦିତ କରିଛି । ଅର୍ଥନୈତିକ ସମନ୍ୱୟ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଶ୍ୱ ବାଣିଜ୍ୟର ଗୁରୁତ୍ୱ ରହିଛି ବୋଲି ଆମେ ବିଶ୍ୱାସ କରୁ ।

ପ୍ରଚଳିତ ଆରସିଇପି ଚୁକ୍ତିର ବ୍ୟାପକ ଓ ସନ୍ତୁଳିତ ପରିଣାମ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଏହାର ସଫଳତା ସମସ୍ତ ସହଭାଗୀ ଦେଶର ସ୍ୱାର୍ଥ ସାଧନରେ ନିହିତ ଅଛି । ଦ୍ରବ୍ୟ, ସେବା ଓ ବିନିଯୋଗ ତଥା ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳନ ରହିବା ଉଚିତ ବୋଲି ଭାରତ ମନେକରେ ।

ଆମେ ସାମଗ୍ରୀ ଉପରେ ଭାଗିଦାରମାନଙ୍କ ଉଚ୍ଚ ମହତ୍ୱାକାଂକ୍ଷାକୁ ସ୍ୱୀକୃତି ଦେଉ । ଆମେ ସଫଳ ପରିଣାମ ମଧ୍ୟ ଚାହୁଁ । ଏଥିପାଇଁ ଅସ୍ଥିର ବାଣିଜ୍ୟିକ କ୍ଷତିକୁ ନେଇ ସୃଷ୍ଟ ସମସ୍ୟାକୁ ମୁକାବିଲା କରିବାରେ ଆମେ ବିଶ୍ୱାସ କରୁ । ବିସ୍ତୃତ ଭାରତୀୟ ବଜାର ଖୋଲିବା ସହିତ ଆମ ବ୍ୟବସାୟ ଲାଭାନ୍ୱିତ ହେବା ଭଳି କିଛି ଅଞ୍ଚଳ ଖୋଲିବା ଉଚିତ ବୋଲି ଆମେ ଭାବୁ ।

ଆମେ ସ୍ପଷ୍ଟ ଭାବେ ଉଚିତ ପ୍ରସ୍ତାବ ଦେବା ସହ ନିଷ୍ଠାପର ଭାବେ ଆଲୋଚନା କରିବାକୁ ଚାହୁଁ । ଆମ ଅଂଶୀଦାରମାନଙ୍କ ସମ୍ବେଦନଶୀଳତାକୁ ଗୁରୁତ୍ୱ ଦେବା ପାଇଁ ଆମେ ପ୍ରସ୍ତୁତ ଥିବା ବେଳେ ସେବା ଉପରୁ ମହତ୍ୱାକାଂକ୍ଷାର ସ୍ତର କମିବା ଉଚିତ ।

ମୋଟ ଉପରେ ପରସ୍ପରିକ ଲାଭପ୍ରଦ ଆରସିଇପି, ଯେଉଁଥିରେ ସମସ୍ତ ପକ୍ଷ ବେଶ ଲାଭାନ୍ୱିତ ହୋଇପାରିବେ ଭାରତର ତଥା ରାଜିନାମାର ସବୁ ଅଂଶୀଦାରଙ୍କ ହିତ ସାଧନ କରିବ ।  

 

**********