ଜର୍ମାନୀର ହାମବର୍ଗରେ ଚାଲିଥିବା ଜି-20 ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆ ରାଷ୍ଟ୍ରପତି ମହାମହିମ ମିଃ ମୁନ୍ ଜେ-ଇନ୍ ଙ୍କୁ ଭେଟିଥିଲେ । ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ବିଜୟ ପାଇଁ ରାଷ୍ଟ୍ରପତି ମୁନ୍ ଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ କୋରିଆ ଭାଷାରେ ଅଭିନନ୍ଦନ ସନ୍ଦେଶ ଟ୍ୱିଟ୍ କରିବା ଏବଂ ଫୋନ୍ କରିବା କଥା ରାଷ୍ଟ୍ରପତି ସ୍ମରଣ କରିଥିଲେ ଏବଂ ଏହାକୁ ଦକ୍ଷିଣ କୋରିଆର ଲୋକମାନେ ଉଦାରତାର ସହ ସ୍ୱୀକାର କରିଥିବା କହିଥିଲେ । ଉଭୟ ନେତା ଭାରତ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ରହିଥିବା ରଣନୈତିକ ଭାଗିଦାରୀକୁ, ବିଶେଷ କରି ମେକ୍ ଇନ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ ଆଦି କ୍ଷେତ୍ରରେ ସହଭାଗୀତା ସହିତ ଆହୁରି ଆଗେଇ ନେବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ । ଯଥାଶୀଘ୍ର ସମ୍ଭବ ଭାରତ ଆସିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ କୋରିଆ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଜଣାଇଥିଲେ । ତାଙ୍କର ଏହି ନିମନ୍ତ୍ରଣ ସ୍ୱୀକୃତ ହୋଇଥିଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟ ଇଟାଲୀ ପ୍ରଧାନମନ୍ତ୍ରୀ ମହାମହିମ ମିଃ. ପାଓଲୋ ଜେନ୍ତୋଲିନିଙ୍କ ସହ ଆଲୋଚନା କରିଥିଲେ । ଉଭୟ ବାଣିଜ୍ୟ ଏବଂ ନିବେଶ ଏବଂ ଜନ-ଜନ ସମ୍ପର୍କ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଚଳିତ ବର୍ଷ ନଭେମ୍ବର ମାସରେ ଭାରତରେ ହେବାକୁ ଥିବା ବିଶ୍ୱ ଖାଦ୍ୟ ଭାରତ (World Food India)-ଖାଦ୍ୟ ପ୍ରକ୍ରିୟାକରଣ ପ୍ରଦର୍ଶନୀରେ ଇଟାଲୀ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ ଜଣାଇଥିଲେ । ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗ ବୃଦ୍ଧି ଲାଗି ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଲାଗି ଆଲୋଚନା କରିବା ଉପରେ ଦୁଇ ନେତା ଗୁରୁତ୍ୱାରୋପ କରିଥିଲେ । ଇଟାଲୀର ଶିଳ୍ପ କ୍ଷେତ୍ରରେ ଭାରତୀୟ ନିବେଶକୁ ଇଟାଲୀ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଆଫ୍ରିକାର ବିକାଶ ଏବଂ ଏବଂ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ ପାଇଁ ଉପାୟ ଖୋଜିବା ଲାଗି ଦୁଇ ନେତା ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସହମତ ହୋଇଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ନରୱେ ପ୍ରଧାନମନ୍ତ୍ରୀ ମହାମହିମ ମିଃ. ଏର୍ଣ୍ଣା ସୋଲବର୍ଗଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ, ବିଶେଷ କରି ଅର୍ଥନୈତିକ ସମ୍ପର୍କ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠିରେ ନରୱେ ପେନସନ୍ ପାଣ୍ଠିର ନିବେଶ ପାଇଁ ଆହ୍ୱାନ କରିଥିଲେ । ଜାତିସଂଘ ସାଧାରଣ ପରିଷଦ (UNGA) ଅବସରରେ ଆୟୋଜିତ ହେଉଥିବା ସାମୁଦ୍ରିକ ସମ୍ମିଳନୀରେ ଯୋଗ ଦେବା ଲାଗି ନରୱେ ପ୍ରଧାନମନ୍ତ୍ରୀ ଭାରତକୁ ଆମନ୍ତ୍ରଣ କରିଥିଲେ । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (Sustainable Development Goals ) ହାସଲ କରିବା ଲାଗି ଏକ ଅଭିନନ୍ଦନ ପ୍ରତୀକ ଭାବେ ବୈଠକ ଶେଷରେ ପ୍ରଧାନମନ୍ତ୍ରୀ ସୋଲବର୍ଗ ‘SDGs’ ଲେଖାଥିବା ଏକ ଫୁଟବଲ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଥିଲେ ।
**********