କେରଳ ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନ, ମୋ କ୍ୟାବିନେଟ ସହଯୋଗୀ ଶ୍ରୀ ଆର.କେ.ସିଂହ, ଶ୍ରୀ ହରଦୀପ ସିଂହ ପୁରୀ ଓ ଅନ୍ୟ ସମ୍ମାନିତ ଅତିଥିଗଣ
ବନ୍ଧୁଗଣ,
ନମସ୍କାରମ କେରଳ! କିଛିଦିନ ପୂର୍ବେ କିଛି ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ପ୍ରକଳ୍ପର ଉଦଘାଟନୀ ପାଇଁ କେରଳ ଆସିଥିଲି । ପ୍ରଯୁକ୍ତିକୁ ଧନ୍ୟବାଦ, ଆଜି ଆପଣମାନଙ୍କ ସହିତ ପୁଣି ଯୋଡି ହୋଇଛି । ଆମେ କେରଳର ବିକାଶଯାତ୍ରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛୁ । ଆଜିଠାରୁ ସମଗ୍ର କେରଳରେ ବିକାଶମୂଳକ କାମ ଆରମ୍ଭ ହେଉଛି । ଏଥିରେ ଅନେକଗୁଡିଏ କ୍ଷେତ୍ର ସାମିଲ ରହିଛି । ଭାରତର ପ୍ରଗତି ପାଇଁ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିଙ୍କୁ ନେଇ ସମୃଦ୍ଧ ଏହି ସୁନ୍ଦର ରାଜ୍ୟକୁ ଏଗୁଡିକ ଶକ୍ତିଶାଳୀ ଓ ସଶକ୍ତ କରିବ । ଦୁଇ ହଜାର ମେଗାୱାଟ ବିଶିଷ୍ଟ ସ୍ୱଦେଶୀ ଜ୍ଞାନ କୌଶଳ ସମୃଦ୍ଧ ପୁଗାଲୁର– ଥ୍ରିସୁର ହାଇ ଭୋଲଟେଜ ଡାଇରେକ୍ଟ କରେଂଟ ସିଷ୍ଟମ ଉଦଘାଟିତ ହେଉଛି । ଜାତୀୟ ଗ୍ରୀଡ ସହିତ କେରଳକୁ ଯୋଡୁଥିବା ଏହା ପ୍ରଥମ ଏଚଡିଭିସି । ଥ୍ରିସୁର କେରଳର ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ କେନ୍ଦ୍ର । ଏବେ ଏହା କେରଳର ଶକ୍ତି କେନ୍ଦ୍ର ପାଲଟିବ । ରାଜ୍ୟର ବର୍ଦ୍ଧିଷ୍ଣୁ ବିଦୁ୍ୟତ ଚାହିଦା ପୂରଣ ପାଇଁ ଏହି ବ୍ୟବସ୍ଥା ବିପୁଳ ଶକ୍ତି ସ୍ଥାନାନ୍ତରଣରେ ସାହାଯ୍ୟ କରିବ । ଦେଶର ବିଦୁ୍ୟତ ସଂଚରଣ କ୍ଷେତ୍ରରେ ପ୍ରଥମ ଥର ପାଇଁ ଏଠାରେ ଭିଏସସି କନଭର୍ଟର ପ୍ରଯୁକ୍ତି ବ୍ୟବହାର ହୋଇଛି । ନିଃସନେ୍ଦହରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ ।
ବନ୍ଧୁଗଣ,
କେରଳର ଆଭ୍ୟନ୍ତରୀଣ ବିଦୁ୍ୟତ ଉତ୍ପାଦନର ଉତ୍ସ ଋତୁକାଳୀନ । ତେଣୁ ଜାତୀୟ ଗ୍ରୀଡରୁ ଆସୁଥିବା ବିଦୁ୍ୟତ ଉପରେ ରାଜ୍ୟ ଅଧିକ ନିର୍ଭରଶୀଳ । ଏହି ବ୍ୟବଧାନ କମାଇବାକୁ ପଡିବ । ଏଚଡିଭିସି ବ୍ୟବସ୍ଥା ଏଥିରେ ଆମକୁ ସାହାଯ୍ୟ କରିବ । ଏବେ ନିର୍ଭରଯୋଗ୍ୟ ଭାବେ ଶକ୍ତି ମିଳିପାରିବ । ଘରୋଇ ଓ ଶିଳ୍ପ ସଂସ୍ଥାଗୁଡିକୁ ବିଦୁ୍ୟତ ଯୋଗାଣ ପାଇଁ ଆନ୍ତଃରାଜ୍ୟ ସଂଚରଣ ନେଟୱର୍କକୁ ଏହା ସୁଦୃଢ କରିବ । ପ୍ରକଳ୍ପରେ ବ୍ୟବହାର ହୋଇଥିବା ଏଚଭିଡିସି ଉପକରଣଗୁଡିକ ଭାରତରେ ନିର୍ମିତ । ଏହା ଆତ୍ମନିର୍ଭର ଭାରତ ଅଭିଯାନକୁ ସୁଦୃଢ କରିଛି ।
ବନ୍ଧୁଗଣ,
ଆମେ କେବଳ ବିଦୁ୍ୟତ ସଂଚରଣ ପ୍ରକଳ୍ପ ଉତ୍ସର୍ଗ କରୁନାହୁଁ । ବିଦୁ୍ୟତ ଉତ୍ପାଦନ ପାଇଁ ମଧ୍ୟ ପ୍ରକଳ୍ପଟିଏ ହେଉଛି । ୫୦ ମେଗାୱାଟ କ୍ଷମତା ବିଶିଷ୍ଟ ସ୍ୱଚ୍ଛ ଶକ୍ତି ସମ୍ପଦ– କସରଗଡ ସୌର ପ୍ରକଳ୍ପ ଏହି ଅବସରରେ ଉତ୍ସର୍ଗ କରିବା ସୁଖର କଥା । ସବୁଜ ଓ ସ୍ୱଚ୍ଛ ଶକ୍ତି ସ୍ୱପ୍ନ ହାସଲ ଦିଗରେ ଏହା ଏକ ପଦକ୍ଷେପ । ଭାରତ ସୌର ଶକ୍ତିକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛି । ସୌର ଶକ୍ତିରେ ଆମ ସଫଳତା ପରିବେଶ ପରିବର୍ତନ ବିରୋଧୀ ଲଢେଇକୁ ଜୋରଦାର କରିବା ସହ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବ । କୃଷକମାନଙ୍କୁ ସୌର କ୍ଷେତ୍ର ସହିତ ଯୋଡିବାକୁ ଉଦ୍ୟମ ଜାରି ରହିଛି– ଏହା ଅନ୍ନଦାତାଙ୍କୁ ଉର୍ଜାଦାତାରେ ପରିଣତ କରିବ । ପିଏସ–କୁସୁମ ଯୋଜନାରେ ଚାଷୀମାନଙ୍କୁ ୨୦ ଲକ୍ଷରୁ ଅଧିକ ସୌରଚାଳିତ ପମ୍ପ ପ୍ରଦାନ କରାଯିବ । ଗତ ୬ ବର୍ଷ ମଧ୍ୟରେ ଭାରତର ସୌର ଶକ୍ତି କ୍ଷମତା ୧୩ ଗୁଣ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ସୌର ଗଠବନ୍ଧନ ଜରିଆରେ ଭାରତ ସାରା ବିଶ୍ୱକୁ ଏକାଠି କରିପାରିଛି ।
ବନ୍ଧୁଗଣ,
ଆମ ସହରଗୁଡିକ ବିକାଶର ଇଞ୍ଜିନ ଓ ନବାଚାରର ଗନ୍ତାଘର । ସହରଗୁଡିକରେ ତିନୋଟି ଉତ୍ସାହଜନକ ପ୍ରବଣତା ପରିଲକ୍ଷିତ ହେଉଛି । ପ୍ରଯୁକ୍ତିଗତ ବିକାଶ, ସକାରାତ୍ମକ ଜନସଂଖ୍ୟା ବୃଦ୍ଧି ଜନିତ ଘରୋଇ ଚାହିଦା ବୃଦ୍ଧି । ଏହି ବିକାଶକୁ ଆଗେଇ ନେବାକୁ ଆମେ ସ୍ମାର୍ଟ ସିଟି ମିଶନ ଆରମ୍ଭ କରିଛୁ । ମିଶନ ଅନ୍ତର୍ଗତ ସମନ୍ୱିତ କମାଣ୍ଡ ତଥା ନିୟନ୍ତ୍ରଣ କେନ୍ଦ୍ର ଉନ୍ନତ ସହରୀ ଯୋଜନା ଓ ପ୍ରବନ୍ଧନରେ ସହରଗୁଡିକୁ ସାହାଯ୍ୟ କରୁଛି । ଖୁସିର କଥା ୫୪ଟି କମାଣ୍ଡ କେନ୍ଦ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରିଛି । ଏଭଳି ୩୦ଟି ପ୍ରକଳ୍ପ କାର୍ଯ୍ୟାନ୍ୱୟନର ବିଭିନ୍ନ ପର୍ଯ୍ୟାୟରେ ରହିଛି । ମହାମାରୀ ବେଳେ ଏହି କେନ୍ଦ୍ରଗୁଡିକ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । କେରଳର ଦୁଇଟି ସ୍ମାର୍ଟ ସିଟି ପ୍ରକଳ୍ପ ମଧ୍ୟରୁ କୋଚି ସ୍ମାର୍ଟ ସିଟି ନିଜର କମାଣ୍ଡ କେନ୍ଦ୍ର ସ୍ଥାପନ କରିସାରିଛି । ଥିରୁଭାନନ୍ତପୁରମ ସ୍ମାର୍ଟ ସିଟି ନିୟନ୍ତ୍ରଣ କେନ୍ଦ୍ର ପ୍ରସ୍ତୁତ କରୁଛି । ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ କେରଳର ଦୁଇଟି ସ୍ମାର୍ଟ ସିଟି– କୋଚି ଓ ଥିରୁଭାନନ୍ତପୁରମ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ଏପର୍ଯ୍ୟନ୍ତ ଦୁଇଟି ସ୍ମାର୍ଟ ସିଟିରେ ୭୭୩ କୋଟି ଟଙ୍କାର ୨୭ଟି ପ୍ରକଳ୍ପ କାମ ସରିଛି । ପ୍ରାୟ ୨ ହଜାର କୋଟି ଟଙ୍କାର ୬୮ଟି ପ୍ରକଳ୍ପ ପାଇପଲାଇନରେ ରହିଛି ।
ବନ୍ଧୁଗଣ,
ସହର ଭିତିଭୂମି ସୁଧାରିବା ପାଇଁ ଅମୃତ ଆଉ ଏକ ଉପକ୍ରମ । ବର୍ଜ୍ୟ ଜଳ ବିଶୋଧନ ଭିତିଭୂମି ବିକାଶ ସାଙ୍ଗକୁ ସହର ବିସ୍ତାରରେ ଅମୃତ ସାହାଯ୍ୟ କରୁଛି । କେରଳରେ ଅମୃତ ଯୋଜନାରେ ୧୧ଶହ କୋଟି ଟଙ୍କା ବିନିଯୋଗରେ ସମୁଦାୟ ୧୭୫ଟି ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି । ୯ଟି ଅମୃତ ସହରରେ ବ୍ୟାପକ କଭରେଜ ପ୍ରଦାନ କରାଯାଉଛି । ଆଜି ଆମେ ୭୦ କୋଟି ଟଙ୍କା ବିନିଯୋଗରେ ଦୈନିକ ୭.୫ କୋଟି ଲିଟର କ୍ଷମତା ବିଶିଷ୍ଟ ଆରୁବିକାରା ଜଳ ବିଶୋଧନ ପ୍ଲାଂଟ ଉଦ୍ଘାଟନ କରୁଛୁ । ଏହାଦ୍ୱାରା ୧୩ ଲକ୍ଷ ନାଗରିକ ଲାଭାନ୍ୱିତ ହେବେ । ମୋ ମନ୍ତ୍ରୀମଣ୍ଡଳର ସହଯୋଗୀଙ୍କ ବକ୍ତବ୍ୟ ଅନୁଯାୟୀ ଏହି ପରିଯୋଜନା ତିରୁଅନନ୍ତପୁରର ପ୍ରତି ବ୍ୟକ୍ତିଙ୍କୁ ଦୈନିକ ୧୫୦ ଲିଟର ଜଳ ଯୋଗାଇବ । ପୂର୍ବରୁ ଏହା ଦୈନିକ ୧୦୦ ଲିଟର ଥିଲା ।
ବନ୍ଧୁଗଣ,
ଆଜି ଆମେ ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ପାଳନ କରୁଛୁ । ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନ ସମଗ୍ର ଭାରତବାସୀଙ୍କୁ ପ୍ରେରଣା ଯୋଗାଉଛି । ସେ ସ୍ୱରାଜ୍ୟ ଉପରେ ଜୋର ଦେଉଥିଲେ, ଯେଉଁଠି ବିକାଶର ସୁଫଳ ସମାଜର ସବୁବର୍ଗର ଲୋକଙ୍କ ପାଖରେ ପହଁଚୁଥିଲା । ଛତ୍ରପତି ଶିବାଜୀ ମହାରାଜଙ୍କ ଭାରତର ଉପକୂଳବର୍ତୀ ଅଂଚଳ ସହିତ ଭଲ ସମ୍ପର୍କ ଥିଲା । ଗୋଟିଏ ପଟେ ସେ ସୁଦୃଢ ନୌସେନା ନିର୍ମାଣ କରିଥିବା ବେଳେ ଅନ୍ୟ ପଟେ ଉପକୂଳ ବିକାଶ ଓ ମତ୍ସ୍ୟଜୀବିଙ୍କ କଲ୍ୟାଣ ପାଇଁ ସେ କଠିନ ପରିଶ୍ରମ କରିଥିଲେ । ଆମେ ସେହି ଦୃଷ୍ଟିକୋଣ ବଜାୟ ରଖିଛୁ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବାରେ ଲାଗିଛି । ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରରେ ବେଶ ସଫଳତା ମିଳି ପାରିଛି । ଫଳରେ ଭାରତର ପ୍ରତିଭାବାନ ଯୁବପୀଢିଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ସେହିପରି ଆମ ଦେଶ ଉନ୍ନତ ଉପକୂଳ ଭିତିଭୂମି ସୃଷ୍ଟି କରିବାରେ ବଡ ଅଭିଯାନ ଆରମ୍ଭ କରିଛି । ଭାରତ ନୀଳ ଅର୍ଥନୀତିରେ ନିବେଶ କରୁଛି । ମତ୍ସ୍ୟଜୀବିଙ୍କ ପ୍ରୟାସକୁ ପ୍ରୋତ୍ସାହିତ କରାଯାଉଛି । ମତ୍ସ୍ୟଜୀବି ସମ୍ପ୍ରଦାୟ ପାଇଁ ଆମ ଉପକ୍ରମଗୁଡିକ ଅଧିକ ଋଣ, ଅଧିକ ପ୍ରଯୁକ୍ତି, ଉନ୍ନତମାନର ଭିତିଭୂମି, ସହାୟକ ସରକାରୀ ନୀତି ଉପରେ ଆଧାରିତ । ମତ୍ସ୍ୟଜୀବିମାନଙ୍କୁ କିସାନ କ୍ରେଡିଟ କାର୍ଡ ପ୍ରଦାନ କରାଯାଉଛି । ନୂଆ ପ୍ରଯୁକ୍ତି ବ୍ୟବହାରକୁ ପ୍ରୋତ୍ସାହନ ଦେଉଛୁ, ଯାହା ସେମାନଙ୍କୁ ଜଳଯାତ୍ରାରେ ସାହାଯ୍ୟ କରିବ । ସେମାନେ ବ୍ୟବହାର କରୁଥିବା ଡଙ୍ଗାଗୁଡିକ ଆଧୁନିକୀକରଣ କରାଯାଉଛି । ସାମୁଦ୍ରିକ ଖାଦ୍ୟ ରପ୍ତାନୀ କେନ୍ଦ୍ର ଭାବେ ଭାରତକୁ ଗଢି ତୋଳିବା ପାଇଁ ସରକାରୀ ନୀତି ପ୍ରସ୍ତୁତ ହୋଇଛି । ବଜେଟରେ କୋଚିରେ ଏକ ମାଛଧରା ଜେଟି ସମ୍ପର୍କରେ ଘୋଷଣା ହୋଇଛି ।
ବନ୍ଧୁଗଣ,
ମହାନ ମାଲୟାଲମ କବି କୁମାରନସନ କରିଥିଲେ ମୁଁ ଆପଣଙ୍କ ଜାତି ପଚାରୁ ନାହିଁ ଭଉଣୀ, ପାଣି ମାଗୁଛି, ମୁଁ ତୃଷାର୍ତ ଅଛି । ବିକାଶ ଓ ସୁଶାସନ ଜାତି, ବର୍ଣ୍ଣ, ଲିଙ୍ଗ, ଧର୍ମ କିମ୍ବା ଭାଷା ଜାଣିନଥାଏ । ବିକାଶ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ । ଏହା ହିଁ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସର ମୁଖ୍ୟ ଉଦେ୍ଦଶ୍ୟ । ବିକାଶ ଆମର ଲକ୍ଷ୍ୟ । ଏକତା ଓ ବିକାଶକୁ ଆଗେଇ ନେବା ପାଇଁ ମୁଁ କେରଳ ଅଧିବାସୀଙ୍କ ସହଯୋଗ ଲୋଡୁଛି । ନନ୍ଦୀ । ନମସ୍କାରମ ।
****************
SR
Projects that will boost ‘Ease of Living’ for the people of Kerala. pic.twitter.com/kCdn4f8yMM
— Narendra Modi (@narendramodi) February 19, 2021