ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସଫ) ଗ୍ରୁପ-ଏ କାର୍ଯ୍ୟନିର୍ବାହୀ କ୍ୟାଡରର ସମୀକ୍ଷା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସିଆଇଏସଏଫର ବରିଷ୍ଠ ଡ୍ୟୁଟି ପଦବୀରେ ସୁପରଭାଇଜରୀ ଷ୍ଟାଫ ବଢ଼ାଇବା ଲାଗି ସହାୟକ କମାଣ୍ଡାଂଟଙ୍କଠାରୁ ଅତିରିକ୍ତ ମହାନିର୍ଦ୍ଦେଶକ ରେଙ୍କ ପର୍ଯ୍ୟନ୍ତ ବିଭିନ୍ନ ରେଙ୍କରେ 25ଟି ପଦବୀ ସୃଷ୍ଟିର ବ୍ୟବସ୍ଥା ରହିଛି ।
ସିଆଇଏସଏଫ କ୍ୟାଡରକୁ ନୂଆ ଢାଂଚା ଦେବା ଦ୍ୱାରା ଗ୍ରୁପ ଏ ପଦବୀ 1252ରୁ ବୃଦ୍ଧି ପାଇ 1277 ହୋଇଯିବ । ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ଦୁଇଟି ପଦବୀ ବୃଦ୍ଧି ପାଇବ, ମହାନିରୀକ୍ଷକ ସ୍ତରରେ 7ଟି ପଦ ଏବଂ ଉପମହାନିରୀକ୍ଷକଙ୍କ 8ଟି ପଦବୀ ତଥା 8ଟି କମାଣ୍ଡାଂଟ ପଦବୀ ମଧ୍ୟ ବଢ଼ିବ ।
ପ୍ରଭାବ :
ସିଆଇଏସଏଫରେ ଗ୍ରୁପର ଏହି ପଦବୀଗୁଡ଼ିକ ସୃଷ୍ଟି ହେବା ପରେ ବାହିନୀର ସୁପରଭାଇଜରୀ ଦକ୍ଷତା ଏବଂ କ୍ଷମତା ମଧ୍ୟ ବଢ଼ିବ । ଗ୍ରୁପ ଏ ପଦବୀର କ୍ୟାଡର ସମୀକ୍ଷାରେ ପ୍ରସ୍ତାବିତ ପଦବୀ ନିର୍ଦ୍ଧାରିତ ସମୟରେ ସୃଷ୍ଟି ହେବା ଦ୍ୱାରା ବାହିନୀର ଅନୁଧ୍ୟାନ ଏବଂ ପ୍ରଶାସନିକ କ୍ଷମତା ବୃଦ୍ଧି ପାଇବ ।
ସୂଚନାଯୋଗ୍ୟ ଯେ ସିଆଇଏସଏଫ ଅଧିନିୟମ 1968 ମାଧ୍ୟମରେ କେନ୍ଦ୍ର ଶିଳ୍ପ ସୁରକ୍ଷା ବାହିନୀ ଗଠନ କରାଯାଇଥିଲା । ଏହି ଅଧିନିୟମକୁ 1983ରେ ସଂଶୋଧନ କରାଯାଇ ବାହିନୀକୁ ଦେଶର ସଶସ୍ତ୍ର ବାହିନୀ ଭାବେ ଘୋଷଣା କରାଯାଇଥିଲା । ପରବର୍ତ୍ତୀ କାଳରେ 1989, 1999 ଏବଂ 2009ରେ ଏହି ଅଧିନିୟମରେ ସଂଶୋଧନ ଅଣାଯାଇଥିଲା । ଯାହାଦ୍ୱାରା ଡ୍ୟୁଟି ପରିସରକୁ ବ୍ୟାପକ କରାଯାଇଥିଲା । ଘରୋଇ କ୍ଷେତ୍ରର ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ପ୍ରଦାନ କରିବା ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ଅନ୍ୟ ଦାୟିତ୍ୱ ନିର୍ବାହ କରିବା ଲାଗି ସିଆଇଏସଏଫକୁ ଦାୟିତ୍ୱ ଦିଆଯାଇଥିଲା ।
**********