କେନ୍ଦ୍ର ପ୍ରାୟୋଜିତ ବିଭିନ୍ନ ଯୋଜନା ମଧ୍ୟରେ ସମନ୍ୱୟ ରକ୍ଷା ଲାଗି ମୁଖ୍ୟମନ୍ତ୍ରୀମାନଙ୍କ ଉପଗୋଷ୍ଠୀ ଦେଇଥିବା ସୁପାରିସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଏହି ଉପଗୋଷ୍ଠୀ ମୋଟ 66 ଟି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା (CSS)କୁ ତର୍ଜମା କରି ମତ ଦେଇଥିଲେ ଯେ ସାଧାରଣସ୍ଥଳେ ଏହିସବୁ ଯୋଜନା ସଂଖ୍ୟା 30 ରୁ ଅଧିକ ହେବା ଅନୁଚିତ । ଏହି ଉପଗୋଷ୍ଠୀ ରାଜ୍ୟ ରାଜ୍ୟ ମଧ୍ୟରେ ଥିବା ଅନେକ ବିବାଦର ସମାଧାନ ସହ ସହମତିରେ ପହଞ୍ଚିପାରିଛନ୍ତି । କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ/ବିଭାଗଙ୍କ ସହ କ୍ଷେତ୍ରୀୟ ସ୍ତରରେ ଆଲୋଚନା ମାଧ୍ୟମରେ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ରଗୁଡିକ ମଧ୍ୟରେ ଥିବା ସମସ୍ୟାର ମଧ୍ୟ ସମାଧାନ କରାଯାଇପାରିବ ବୋଲି ଉପଗୋଷ୍ଠୀ ମତପୋଷଣ କରିଛନ୍ତି ।
ଏଭଳି ସଂଗତି ଦ୍ୱାରା କେନ୍ଦ୍ରୀୟ ଯୋଜନା ପାଇଁ ଉଦ୍ଦିଷ୍ଟ ସାଧନର ସବିଶେଷ ଉପଯୋଗ କରାଯିବା ସହ ସେ ସବୁର ସର୍ବାଧିକ ସୁବିଧା ଲୋକମାନଙ୍କୁ ଉପଲବ୍ଧ କରାଯାଇପାରିବ । କ୍ଷେତ୍ରୀୟ ବିନିର୍ଦ୍ଦିଷ୍ଟ କାର୍ଯ୍ୟାନ୍ୱୟନ ଫଳରେ ଏଥିରୁ ଅଧିକ ସୁଫଳ ମିଳିପାରିବ ।
2015 ଫେବୃଆରୀ 8 ତାରିଖ ଦିନ ନୀତି ଆୟୋଗର ପ୍ରଥମ ପରିଚାଳନା ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏହି ଉପଗୋଷ୍ଠୀ ଗଠନ କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର/କେନ୍ଦ୍ର ଶାସିତ କ୍ଷେତ୍ରମାନଙ୍କ ମଧ୍ୟରେ ଥିବା ବିଭିନ୍ନ ଅସଂଗତି ପ୍ରସଙ୍ଗର ସମାଧାନ କରାଯାଇ ସହଭାଗୀ ସଂଘୀୟ ବ୍ୟବସ୍ଥା ଅନୁସାରେ ସହଯୋଗ ଓ ସମନ୍ୱୟର ବାତାବରଣ ମଧ୍ୟରେ “ଭିଜନ – 2022” ଲକ୍ଷ୍ୟ ହାସଲ କରିବା ଥିଲା ଏଭଳି ଉପଗୋଷ୍ଠୀ ଗଠନର ମୂଳ ଉଦ୍ଦେଶ୍ୟ । ଏହି ଉପଗୋଷ୍ଠୀ କରିଥିବା ପ୍ରମୁଖ ସୁପାରିଶ ଗୁଡିକ ହେଲା –
(କ) ଯୋଜନା ସଂଖ୍ୟା ସର୍ବାଧିକ 30 ରୁ ବଢ଼ାଯିବା ଉଚିତ ନୁହେଁ ।
(ଖ) ଯୋଜନାଗୁଡିକର ବର୍ଗୀକରଣ: ବର୍ତ୍ତମାନର CSS ଗୁଡିକ ‘କୋର’ ଏବଂ ‘ଅତିରିକ୍ତ ଯୋଜନା’ ଭାଗରେ ବିଭାଜନ କରିବା
i) ମୂଳ ଯୋଜନା : ଜାତୀୟ ବିକାଶ କାର୍ଯ୍ୟସୂଚୀ ଗୁଡିକୁ CSS ଯୋଜନାରେ ଅଗ୍ରପ୍ରାଧାନ୍ୟ ପ୍ରଦାନ । ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସହଯୋଗୀ ଭାବେ “ଟିମ୍ ଇଣ୍ଡିଆ” ମନୋଭାବ ନେଇ କାର୍ଯ୍ୟ କରିବେ ।
ii) କୋର ଯୋଜନାର କୋର ପ୍ରସଙ୍ଗ : ଯେଉଁ ସବୁ ଯୋଜନା ସାମାଜିକ ସୁରକ୍ଷା ଓ ସାମାଜିକ ସମୀକରଣ ଲାଗି ଉଦ୍ଦିଷ୍ଟ ସେ ସବୁକୁ ଜାତୀୟ ବିକାଶ ଯୋଜନା ପାଣ୍ଠି ଦ୍ୱାରା ପ୍ରଥମେ କାର୍ଯ୍ୟକାରୀ କରାଯିବ ।
iii) ଅତିରକ୍ତ ଯୋଜନା : ଏ ସବୁଥିରୁ କେଉଁଗୁଡିକୁ ରାଜ୍ୟମାନେ ଗ୍ରହଣ କରିବେ ତାହା ସେମାନେ ସ୍ଥିର କରିବେ । ଏଥିପାଇଁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଏକାଥରକେ ଅର୍ଥ ମଞ୍ଜୁର କରିବେ ।