କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସେବା (ସିଏଚଏସ) ଡାକ୍ତରଙ୍କ ବ୍ୟତୀତ ଅନ୍ୟ ଡାକ୍ତରଙ୍କ ଅବସର ବୟସସୀମା 65 ବର୍ଷକୁ ବୃଦ୍ଧି କରାଯାଇଛି । ଏହି ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।
ନିମ୍ନୋକ୍ତ ପ୍ରକାରରେ ଅବସର ବୟସ ସୀମା ବୃଦ୍ଧି କରାଯାଇଛି :
1. ଭାରତୀୟ ରେଳବାଇ ସ୍ୱାସ୍ଥ୍ୟ ସେବା ଡାକ୍ତରଙ୍କ ଅବସର ବୟସ ସୀମା 65 ବର୍ଷକୁ ବୃଦ୍ଧି ପ୍ରସ୍ତାବ ପିଛିଲା ଭାବେ ଅନୁମୋଦନ ।
2. ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟି (ସ୍ୱୟଂଶାସିତ ସଂସ୍ଥାନ)ଗୁଡ଼ିକରେ କାର୍ଯ୍ୟରତ ଡାକ୍ତର ଏବଂ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଅଧୀନ ବୃହତ୍ତ ବନ୍ଦର ନ୍ୟାସ (ସ୍ୱୟଂଶାସିତ ସଂସ୍ଥା)ଗୁଡ଼ିକରେ କାର୍ଯ୍ୟରତ ଡାକ୍ତରଙ୍କ ଅବସର ବୟସସୀମା 65 ବର୍ଷ ବୃଦ୍ଧିକୁ ମଧ୍ୟ ପିଛିଲା ଭାବେ ମଞ୍ଜୁରି ମିଳିଛି ।
3. ସମ୍ପୃକ୍ତ ମନ୍ତ୍ରଣାଳୟ/ବିଭାଗର ପ୍ରଶାସନିକ କ୍ଷମତା ଅଧୀନରେ ଥିବା ଡାକ୍ତର (ଆୟୁଷ ମନ୍ତ୍ରଣାଳୟ(ଆୟୁଷ ଡାକ୍ତର), ପ୍ରତିରକ୍ଷା ବିଭାଗ (ସଶସ୍ତ୍ର ସେନା ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ଅଧୀନରେ ଥିବା ବେସାମରିକ ଡାକ୍ତର), ପ୍ରତିରକ୍ଷା ଉତ୍ପାଦନ ବିଭାଗ (ଭାରତୀୟ ଗୋଳାବାରୁଦ ସ୍ୱାସ୍ଥ୍ୟସେବା ଚିକିତ୍ସା ଅଧିକାରୀ), ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ଦନ୍ତ ଚିକିତ୍ସକ, ରେଳବାଇ ଏବଂ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଡାକ୍ତର ଏବଂ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଡାକ୍ତର)ମାନଙ୍କ ଅବସର ବୟସ ସୀମା 65 ବର୍ଷକୁ ବୃଦ୍ଧି କରାଯାଇଛି ।
4. 62 ବର୍ଷ ବୟସ ପର୍ଯ୍ୟନ୍ତ ଡାକ୍ତରମାନେ ପ୍ରଶାସନିକ ପଦପଦବୀରେ ରହିପାରିବେ । ଏହାପରେ ସେମାନେ ଅଣପ୍ରଶାସନିକ ସେବାରେ କାର୍ଯ୍ୟ କରିପାରିବେ ବୋଲି କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି ।
ଏହି ନିଷ୍ପତ୍ତି ଦ୍ୱାରା ରୋଗୀଙ୍କ ଚିକିତ୍ସାରେ ଉନ୍ନତି ଆସିପାରିବ । ମେଡ଼ିକାଲ କଲେଜଗୁଡ଼ିକରେ ପାଠପଢ଼ାରେ ଉନ୍ନତି ଆସିବା ସହିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ଦକ୍ଷତାର ସହ କାର୍ଯ୍ୟକାରୀ କରାଯାଇପାରିବ । ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା 1445 ଜଣ ଡାକ୍ତର ଉପକୃତ ହୋଇପାରିବେ ।
ଏହି ନିଷ୍ପତ୍ତି ଦ୍ୱାରା ସେତେଟା ଆର୍ଥିକ ବୋଝ ପଡ଼ିବ ନାହିଁ । କାରଣ ବହୁସଂଖ୍ୟାରେ ଡାକ୍ତର ପଦବୀ ଏବେ ଖାଲି ପଡ଼ିଛି । ବର୍ତ୍ତମାନ କାର୍ଯ୍ୟରତ ଡାକ୍ତରମାନେ ଏବେ ସେମାନଙ୍କ ପଦବୀରେ କାର୍ଯ୍ୟ ଜାରି ରଖିପାରିବେ ।
ସୂଚନାଯୋଗ୍ୟ ଯେ ଗତ 2016 ମେ 31 ତାରିଖରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସେବା ଅଧିନରେ କାର୍ଯ୍ୟରତ ଡାକ୍ତରଙ୍କ ଅବସର ବୟସସୀମା 65 ବର୍ଷକୁ ବୃଦ୍ଧି କରାଯାଇଥିଲା ।