ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ପାଇଁ ଏକ ସମନ୍ୱିତ ବହୁମୁଖୀ ଭିତ୍ତିଭୂମି ବିକାଶ ନିଗମ ପ୍ରତିଷ୍ଠା ଲାଗି ମଞ୍ଜୁରି ପ୍ରଦାନ କରିଛି ।
ନିଗମ ନିମନ୍ତେ ୧,୪୪,୨୦୦ ଟଙ୍କାରୁ ୨,୧୮,୨୦୦ ଟଙ୍କା ସ୍ତରର ବେତନ (ପେ ସ୍କେଲ)ରେ ଏକ ପରିଚାଳନା ନିଦେ୍ର୍ଦଶକ ପଦବି ସୃଷ୍ଟି ନିମନ୍ତେ ମଧ୍ୟ ମନ୍ତ୍ରିମଣ୍ଡଳ ମଞ୍ଜୁରି ପ୍ରଦାନ କରିଛି ।
ନିଗମର ପ୍ରାଧିକୃତ ସେୟାର କ୍ୟାପିଟାଲ ୨୫ କୋଟି ଟଙ୍କା ହେବ ଏବଂ ପୁନରାବୃତ୍ତି ବ୍ୟୟ ବର୍ଷକୁ ପାଖାପାଖି ୨.୪୨ କୋଟି ଟଙ୍କା ହେବ । ଏହା ଏକ ନୂଆ ପ୍ରତିଷ୍ଠାନ । ବର୍ତ୍ତମାନ, ନୂଆକରି ଗଠନ ହୋଇଥିବା ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଏଭଳି ସଂଗଠନ ଆଦୌ ନାହିଁ । ଏହି ଅନୁମୋଦନ ଦ୍ୱାରା ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ, କାରଣ ନିଗମ ଏଠାରେ ବିଭିନ୍ନ ପ୍ରକାର ବିକାଶମୂଳକ କାର୍ଯ୍ୟକଳାପ ହାତକୁ ନେବ । ଏହି ନିଗମ ଶିଳ୍ପ, ପର୍ଯ୍ୟଟନ, ପରିବହନ ଏବଂ ସ୍ଥାନୀୟ ଉତ୍ପାଦ ଓ ହସ୍ତଶିଳ୍ପ ସାମଗ୍ରୀ ନିମନ୍ତେ ବିପଣନ ଲାଗି କାର୍ଯ୍ୟ କରିବ । ଲଦାଖରେ ଭିତ୍ତିଭୂମି ବିକାଶ ନିମନ୍ତେ ଏହି ନିଗମ ଏକ ପ୍ରମୁଖ ନିର୍ମାଣ ଏଜେନ୍ସି ଭାବେ ମଧ୍ୟ କାର୍ଯ୍ୟ କରିବ ।
ଉକ୍ତ ନିଗମ ପ୍ରତିଷ୍ଠା ହେବା ଦ୍ୱାରା ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ସାମଗ୍ରିକ ତଥା ସମନ୍ୱିତ ବିକାଶ ପାଇଁ ବାଟ ଖୋଲିବ । ଫଳରେ ଏହା ସମଗ୍ର କ୍ଷେତ୍ର ଓ କେନ୍ଦ୍ରଶାସିତ ଅଞ୍ଚଳର ଲୋକମାନଙ୍କର ସାମାଜିକ-ଆର୍ଥିକ ବିକାଶକୁ ସୁନିଶ୍ଚିତ କରିବ ।
ବହୁ ଦିଗରୁ ବିକାଶର ପ୍ରଭାବ ଦେଖିବାକୁ ମିଳିବ । ଅଧିକନ୍ତୁ ଏହା ମାନବ ସମ୍ବଳ ବିକାଶକୁ ଅଧିକ ସମୃଦ୍ଧ କରିବ ଏବଂ ଏହାର ଉନ୍ନତ ଉପଯୋଗରେ ମଧ୍ୟ ସହାୟକ ହେବ । ଉତ୍ପାଦ ଓ ସେବାର ଘରୋଇ ଉତ୍ପାଦନକୁ ଏହା ବଢ଼ାଇବ ଏବଂ ତାହାର ସହଜ ଯୋଗାଣକୁ ସୁବ୍ୟବସ୍ଥିତ କରିବ । ତେଣୁ, ଏହି ଅନୁମୋଦନ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲରେ ସହାୟକ ହୋଇପାରିବ ।
ପୃଷ୍ଠଭୂମି:
୧.ଜମ୍ମୁ-କଶ୍ମୀର ପୁନର୍ଗଠନ ଅଧିନିୟମ, ୨୦୧୯ ଅନୁସାରେ ତକ୍ରାଳୀନ ଜମ୍ମୁ-କଶ୍ମୀର ରାଜ୍ୟର ପୁନର୍ଗଠନର ପରିଣାମସ୍ୱରୂପ, କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ (ବିଧାନମଣ୍ଡଳ ବିନା) ୨୦୧୯ ଅକ୍ଟୋବର ୩୧ରେ ଅସ୍ତିତ୍ୱକୁ ଆସିଲା ।
୨. ଜମ୍ମୁ-କଶ୍ମୀର ପୁନର୍ଗଠନ ଅଧିନିୟମ, ୨୦୧୯ର ଧାରା ୮୫ ଅନୁସାରେ ଏକ ଉପଦେଷ୍ଟା କମିଟି ଗଠନ କରାଯାଇଥିଲା, ଯାହା ତକ୍ରାଳୀନ ଜମ୍ମୁ-କଶ୍ମୀର ରାଜ୍ୟର ସମ୍ପତ୍ତି ଓ ଦେଣନେଣର କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ମଧ୍ୟରେ ବିଭାଜନ ସଂକ୍ରାନ୍ତରେ ସୁପାରିସ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଉକ୍ତ କମିଟି ଅନ୍ୟ ପ୍ରସଙ୍ଗ ସହିତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ବିକଶ ନିଗମ ଲିମିଟେଡ (ଏଏନଆଇଆଇଡିସିଓ) ଆଧାରରେ ଲଦାଖ ସମନ୍ୱିତ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ ସ୍ଥାପନ ଲାଗି ସୁପାରିସ କରିଥିଲା, ଯେଉଁଥିରେ ଲଦାଖର ସ୍ୱତନ୍ତ୍ର ଆବଶ୍ୟକତା ଅନୁସାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପକୁ ପରିଚାଳନା ନିମନ୍ତେ ଉପଯୁକ୍ତ ଜନାଦେଶ ଦିଆଯାଇଛି ।
୩. ତଦନୁସାରେ, କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏହି ମନ୍ତ୍ରଣାଳୟକୁ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ଉକ୍ତ ନିଗମର ପ୍ରତିଷ୍ଠା ନିମନ୍ତେ ଏକ ପ୍ରସ୍ତାବ ପଠାଇଥିଲା, ଯାହା ପାଇଁ ଏପ୍ରିଲ, ୨୦୨୧ରେ ଅର୍ଥ ମନ୍ତ୍ରଣାଳୟର ସ୍ଥାପନା ବ୍ୟୟ ସଂକ୍ରାନ୍ତ କମିଟି (ସିଇଇ) ଦ୍ୱାରା ସୁପାରିସ କରାଯାଇଥିଲା ।
SR