କିର୍ଗିଜ ସାଧାରଣତନ୍ତ୍ରର ମାନ୍ୟବର ରାଷ୍ଟ୍ରପତି ଓ ମୋର ମିତ୍ର ମି. ସୁରୋନବେ ଜୀନବେକୋବ
ବନ୍ଧୁଗଣ,
ମୋର ପ୍ରତିନିଧିମଣ୍ଡଳ ଏବଂ ମୋର ଜୋରଦାର ସତ୍କାର କରିବା ପାଇଁ ମୁଁ ରାଷ୍ଟ୍ରପତି ଜୀନବେକୋବଙ୍କୁ କୃତଜ୍ଞତା ବ୍ୟକ୍ତ କରୁଛି । ମୁଁ କିର୍ଗିଜସ୍ତାନର ପାଖାପାଖି 30 ବର୍ଷର ଅଭୂତପୂର୍ବ ଉପଲବ୍ଧିକୁ ନେଇ ଅଭିନନ୍ଦନ ଜଣାଉଛି । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଶକ୍ତିଶାଳୀ ଲୋକତନ୍ତ୍ର ଏବଂ ପ୍ରତିଭାସମ୍ପନ୍ନ ଜନସାଧାରଣଙ୍କ ପାଇଁ ଏହି ଦେଶର ଭବିଷ୍ୟତ ଉଜ୍ଜ୍ୱଳ । ଭାରତର ଜନସାଧାରଣଙ୍କ ପ୍ରତି କିର୍ଗିଜ ଜନସାଧାରଣଙ୍କ ବନ୍ଧୁତ୍ୱ ଏବଂ ପ୍ରେମ ହୃଦୟକୁ ଛୁଇଁ ଯାଇଥାଏ । ମୋର ପୂର୍ବ ଗସ୍ତରେ ଏବଂ ଚଳିତ ଥର ମଧ୍ୟ ମୁଁ ବିଲକୁଲ ଏହିପରି ଆପଣାପଣ ଅନୁଭବ କରିଛି ।
ମହାଭାଗ,
ମୁଁ ଆପଣଙ୍କୁ ଏସସିଓ ସମ୍ମିଳନୀର ସଫଳ ଅଧ୍ୟକ୍ଷତା ପାଇଁ ଶୁଭକାମନା ଜଣାଉଛି । ଆପଣଙ୍କ ଅଧ୍ୟକ୍ଷତାରେ କ୍ଷେତ୍ରୀୟ ସହଯୋଗକୁ ଆହୁରି ଉନ୍ନତ କରିବାରେ ଏସସିଓ ଅନେକ ପଦକ୍ଷେପ ଗ୍ରହଣ କରିଛି । ଗତ ମାସରେ ନୂଆଦିଲ୍ଲୀରେ ମୋର ଶପଥ ଗ୍ରହଣ ସମାରୋହକୁ ଆପଣ ସୁଶୋଭିତ କରିଥିଲେ । ମୁଁ ଆପଣଙ୍କ ପାଖେ କୃତଜ୍ଞ । ମୁଁ ଏଥିପାଇଁ ଖୁସି ଯେ ଆଜି ଆପଣଙ୍କ ସହିତ ଆମର ଦ୍ୱିପାକ୍ଷିକ ସମ୍ବନ୍ଧର ସମୀକ୍ଷା କରିବା ଅବସର ପ୍ରାପ୍ତ ହୋଇଛି । ଭାରତ ଓ କିର୍ଗିଜ ସାଧାରଣତନ୍ତ୍ର ଉଭୟ ପାରସ୍ପରିକ ସମ୍ବନ୍ଧକୁ ଅଧିକ ମହତ୍ୱ ପ୍ରଦାନ କରିଥାନ୍ତି ।
ବନ୍ଧୁଗଣ,
ଆଜି ମୋର ରାଷ୍ଟ୍ରପତି ଜୀନବେକୋବଙ୍କ ସହିତ ଅନେକ ବିଷୟ ଉପରେ ବ୍ୟାପକ ଚର୍ଚ୍ଚା ହୋଇଛି । ଆମେ ଦୁଇ ଜଣ ଅନୁଭବ କରୁଛୁ ଯେ ଆମ ମଧ୍ୟରେ ସହଯୋଗର ଅପାର ସମ୍ଭାବନା ରହିଛି । ଆଜି ଆମେ ନିଜର ଦ୍ୱିପାକ୍ଷିକ ସମ୍ବନ୍ଧକୁ ରଣନୈତିକ ଭାଗିଦାରିତା ସ୍ତରକୁ ନେଇଯିବା ପାଇଁ ନିର୍ଣ୍ଣୟ ନେଇଛୁ । ଏହାଫଳରେ ଆମକୁ ନିଜ ଭାଗିଦାରିତାର ପ୍ରତ୍ୟେକ କ୍ଷେତ୍ରରେ ଦୀର୍ଘକାଳୀନ ସହଯୋଗ ପାଇଁ ସହାୟତା ମିଳିବ ।
ବନ୍ଧୁଗଣ,
ଦୁଇ ପ୍ରାଚୀନ ଏବଂ ଗୌରବଶୀଳ ସଭ୍ୟତା ରୂପରେ, ଆମେ ପରସ୍ପର ସହିତ ସ୍ୱାଭାବିକ ଭାବେ ଜଡିତ ରହିଛୁ । ଭାରତ ଓ ମଧ୍ୟ ଏସିଆ ମଧ୍ୟରେ ଗଭୀର ଐତିହାସିକ ଓ ସାଂସ୍କୃତିକ ସମ୍ବନ୍ଧ ରହିଛି । ଭାରତ ଓ କିର୍ଗିଜ ସାଧାରଣତନ୍ତ୍ର ହେଉଛନ୍ତି ମହାକାବ୍ୟର ଭୂମି । ଏହାର ଉଦାହରଣ ହେଉଛି ଭାରତରେ ମହାଭାରତ ଓ ରାମଚରିତ ମାନସ ଏବଂ କିର୍ଗିଜ ସାଧାରଣତନ୍ତ୍ରରେ ମାନସ । ଆମ ଦୁଇ ଦେଶ ଲୋକତନ୍ତ୍ର ଏବଂ ବିବିଧତାରେ ଭରା ।
ଆମ ପ୍ରାଚୀନ ସମ୍ବନ୍ଧ ଏବଂ ଶାନ୍ତିକୁ ବୃଦ୍ଧି କରିବା ପାଇଁ ଆମର ବୁଝାମଣା ପୂର୍ଣ୍ଣ ଭାବନା ଆମ ସମ୍ବନ୍ଧକୁ ଆହୁରି ଅଧିକ ମଜଭୁତ କରିବା ପାଇଁ ପ୍ରେରଣା ପ୍ରଦାନ କରିଛି । ଏହାଫଳରେ ଆମ ରାଜନୈତିକ ସମ୍ବନ୍ଧରେ ମଧ୍ୟ ବିସ୍ତାର ହୋଇଛି । ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ବିଷୟର ବିଭିନ୍ନ କ୍ଷେତ୍ରରେ ଭାରତ ଓ କିର୍ଗିଜ ସାଧାରଣତନ୍ତ୍ର ନିୟମିତ ଭାବେ ପରସ୍ପର ସହିତ ଘନିଷ୍ଠତାର ସହ ପରାମର୍ଶ କରିଥାନ୍ତି । ଅନେକ ଆନ୍ତଃରାଷ୍ଟ୍ରୀୟ ବିଷୟ ଉପରେ ଆମେ ସମାନ ଦୃଷ୍ଟିକୋଣ ରଖିଥାଉ । ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ମଞ୍ଚରେ ଆମର ସହଯୋଗ ସୁଦୃଢ଼ ରହିଛି । ସୈନ୍ୟ ପ୍ରଶିକ୍ଷଣ, ସଂଯୁକ୍ତ ଯୁଦ୍ଧ ଅଭ୍ୟାସ, କ୍ଷେତ୍ରୀୟ ଗବେଷଣା ଏବଂ ସାମରିକ ବୈଷୟିକ କ୍ଷେତ୍ରରେ ଆମର ରକ୍ଷା ସହଯୋଗ ବୃଦ୍ଧି ପାଇଛି । ଦୁଇ ଦେଶ ରକ୍ଷା ସହଯୋଗ ଉପରେ ଯୁଗ୍ମ କାର୍ଯ୍ୟକାରୀ ଗ୍ରୁପ ଗଠନ କରିବାର ନିର୍ଣ୍ଣୟ ନେଇଛନ୍ତି । ଆମ ମଧ୍ୟରେ ଆର୍ଥିକ ସହଯୋଗ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ଦୁଇ ଦେଶ ମିଳିତ ଭାବେ ଏହାର ଫାଇଦା ଉଠାଇ ପାରିବେ ।
ବନ୍ଧୁଗଣ,
ଆଜି ଆମ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ସନ୍ଧି ଓ ଦ୍ଵେତ କର ପରିହାର ବୁଝାମଣା (ଡିଟିଏଏ) ହୋଇଛି । ଆମେ ଦୁଇ ଦେଶ ବ୍ୟବସାୟ ଓ ଆର୍ଥିକ ସହଯୋଗ କ୍ଷେତ୍ରରେ ପାଞ୍ଚ ବର୍ଷର ରୋଡମ୍ୟାପ ଉପରେ ମଧ୍ୟ ସହମତି ପ୍ରକାଶ କରିଛୁ । ରାଷ୍ଟ୍ରପତିଜୀ ଏବଂ ମୁଁ B2B ସହଯୋଗକୁ ବୃଦ୍ଧି କରିବା ପାଇଁ ସଂଯୁକ୍ତ ଭାବେ ଭାରତ-କିର୍ଗିଜ ଫୋରମର ଶୁଭାରମ୍ଭ କରିଛୁ । ଚଳିତ ବର୍ଷ ବିଶକେକରେ ‘ନମସ୍କାର ୟୁରେଶିଆ’ ଭାରତୀୟ ଟ୍ରେଡ ଶୋର ଆୟୋଜନ ମଧ୍ୟ କରାଯିବ । ମୁଁ ଭାରତୀୟ କମ୍ପାନୀମାନଙ୍କୁ ଜୋର ଦେଇ କହୁଛି ଯେ ସେମାନେ କିର୍ଗିଜ ସାଧାରଣତନ୍ତ୍ରରେ ନିର୍ମାଣ, ରେଳବାଇ, ଜଳଜ ଶକ୍ତି, ଖଣି ଏବଂ ଏହିପରି ଅନ୍ୟ କ୍ଷେତ୍ରରେ ଅବସରର ଅଧ୍ୟୟନ କରନ୍ତୁ ।
ବନ୍ଧୁଗଣ,
କିର୍ଗିଜ ସାଧାରଣତନ୍ତ୍ରର ବିକାଶ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆଜି 200 ମିଲିଅନ ଡଲାରର ଲାଇନ ଅଫ କ୍ରେଡିଟ ଘୋଷଣା କରି ମୁଁ ଖୁବ ଖୁସି ଅନୁଭବ କରୁଛି । ମୁଁ ଆଶା କରୁଛି ଯେ ଭାରତର ସହଯୋଗରେ କିର୍ଗିଜ ସାଧାରଣତନ୍ତ୍ରରେ ଅନେକ ସଂଯୁକ୍ତ ଆର୍ଥିକ ଗତିବିଧି ଆରମ୍ଭ କରିବାରେ ସହାୟତା ମିଳିବ । ଭାରତ ଓ କିର୍ଗିଜ ସାଧାରଣତନ୍ତ୍ର ତଥା ମଧ୍ୟ ଏସିଆର ବୃହତ ଭୂଭାଗ ଉପରେ ଉନ୍ନତ ସଂଯୋଗ ଫଳରେ ଦୁଇ ତରଫରୁ ଜନସାଧାରଣଙ୍କ ମଧ୍ୟରେ ବ୍ୟବସାୟ, ନିବେଶ ଓ ଜନ-ଜନ ଯୋଗାଯୋଗ ବୃଦ୍ଧି ପାଇବ ।
ବନ୍ଧୁଗଣ,
ଜାନୁଆରୀରେ ଉଜବେକିସ୍ତାନର ସମରକନ୍ଦଠାରେ ଆୟୋଜିତ ବୈଦେଶିକ ମନ୍ତ୍ରୀସ୍ତରୀୟ ପ୍ରଥମ ଭାରତ-କେନ୍ଦ୍ର ଏସିଆ ଆଲୋଚନାରେ ଭାରତ ଓ କିର୍ଗିଜସ୍ତାନ ସାଧାରଣତନ୍ତ୍ର ସକ୍ରିୟତାର ସହ ଭାଗ ନେଇଥିଲେ । ପାରସ୍ପରିକ କ୍ଷେତ୍ରରେ ସମୃଦ୍ଧି, ଶାନ୍ତି ଏବଂ ସ୍ଥିରତା ପାଇଁ ଆମର ବୁଝାମଣା ପୂର୍ଣ୍ଣ ଦୃଷ୍ଟିକୋଣ ମଧ୍ୟ ରହିଛି ।
ମହାଭାଗ,
ଭାରତ ଓ କିର୍ଗିଜସ୍ତାନ ସାଧାରଣତନ୍ତ୍ର ଭଳି ଲୋକତାନ୍ତ୍ରିକ ଏବଂ ବିବିଧତାରେ ଭରା ସମାଜ ଆଜି ଆତଙ୍କବାଦ ପାଇଁ ସବୁଠାରୁ ବିପଜ୍ଜନକ । ଆମେ ଆତଙ୍କବାଦ ଏବଂ କଟ୍ଟରବାଦର ସମାଧାନ ପାଇଁ ଏକଜୁଟ । ଆତଙ୍କବାଦର ପ୍ରାୟୋଜକମାନଙ୍କୁ ଉତ୍ତରଦାୟୀ କରିବାକୁ ପଡିବ । ସମଗ୍ର ବିଶ୍ୱକୁ ଏହି ସନ୍ଦେଶ ଦେବାର ଆବଶ୍ୟକତା ରହିଛି ଯେ ଆତଙ୍କବାଦକୁ କୌଣସି ପ୍ରକାରେ ଉଚିତ ମାନି ହେବ ନାହିଁ ।
ବନ୍ଧୁଗଣ,
ବିଶକେକରେ ଭାରତ-କିର୍ଗିଜ ଯୁଗ୍ମ ବସ୍ତ୍ର ପ୍ରଦର୍ଶନୀର ଶୁଭାରମ୍ଭ କରାଯାଇଛି । ପ୍ରଦର୍ଶନୀକୁ ଉତ୍ସାହର ସହ ଦେଖିଥିବା ଲୋକମାନେ ଆଶ୍ଚର୍ଯ୍ୟ ହେଇଥିବେ ଯେ ଭାରତ ଓ କିର୍ଗିଜ ବସ୍ତ୍ର ପରମ୍ପରାରେ ଏତେ ସମାନତା କିପରି ଭାବେ ରହିଛି । ଭାରତ ଓ କିର୍ଗିଜସ୍ତାନ ସାଧାରଣତନ୍ତ୍ର ପାର୍ବତୀୟ ପରିବେଶ, ସବୁଜ ପର୍ଯ୍ୟଟନ ଏବଂ ବରଫ ଚିତାବାଘ ସଂରକ୍ଷଣ ଆଦି ବିଷୟ ଉପରେ ସହଯୋଗ କରିବେ । ଆମ ଲୋକମାନଙ୍କ ମଧ୍ୟରେ ଜନ-ଜନ ମୈତ୍ରୀ ଏବଂ ସାଂସ୍କୃତିକ ଘନିଷ୍ଠତା ହେଉଛି ସବୁଠାରୁ ବଡ ସମ୍ପତି । ମୁଁ ଚାହୁଁଛି କି ଏହାକୁ ଅଧିକ ମଜଭୁତ କରାଯାଉ । ଏଥିପାଇଁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ।
ମୁଁ ଏହି ଘୋଷଣା କରି ଅତ୍ୟନ୍ତ ଖୁସି ଯେ ବର୍ଷ 2021କୁ କିର୍ଗିଜ ସାଧାରଣତନ୍ତ୍ର ଏବଂ ଭାରତ ମଧ୍ୟରେ ସାଂସ୍କୃତିକ ଏବଂ ମୈତ୍ରୀର ବର୍ଷ ଭାବେ ପାଳନ କରିବା ନେଇ ଆମେ ସହମତ ହୋଇଛୁ । ପୁଣିଥରେ ରାଷ୍ଟ୍ରପତିଜୀ, ଆପଣଙ୍କୁ ଧନ୍ୟବାଦ ଜଣାଉଛି । ଏହି ଅବସରରେ ମୁଁ ଆପଣଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ କରୁଛି । ଆପଣଙ୍କୁ ଭାରତରେ ସ୍ୱାଗତ କରିବା ଆମ ପାଇଁ ବଡ ସମ୍ମାନର ବିଷୟ ହେବ ।
ଧନ୍ୟବାଦ ।
****************