Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କାରଗିଲ ବିଜୟ ଦିବସ ସ୍ମାରକ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ରକ୍ଷାମନ୍ତ୍ରୀ ଶ୍ରୀମାନ ରାଜନାଥ ସିଂହ ମହାଶୟ, ରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ମହାଶୟ, ତିନି ବାହିନୀର ପ୍ରମୁଖ, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ, କାରଗିଲର ପରାକ୍ରମୀ ସେନା ବାହିନୀ ଏବଂ ସେମାନଙ୍କ ଆତ୍ମୀୟସ୍ୱଜନ, ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

କାରଗିଲ ବିଜୟ ଦିବସର ଏହି ଅବସରରେ ଆଜି ପ୍ରତ୍ୟେକ ଦେଶବାସୀ ଶୌର୍ଯ୍ୟ ଏବଂ ଦେଶ ପାଇଁ ସମର୍ପଣର ଏକ ପ୍ରେରଣାଦାୟକ ଗାଥାକୁ ସ୍ମରଣ କରୁଛନ୍ତି । ଆଜିର ଏହି ଅବସରରେ ମୁଁ ସେହି ସମସ୍ତ ବୀର ପୁରୁଷମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି, ଯେଉଁମାନେ କାରଗିଲର ଶିଖରରୁ ତ୍ରିରଙ୍ଗାକୁ ଓହ୍ଲାଇ ଆଣିବାର ଷଡଯନ୍ତ୍ରକୁ ବିଫଳ କଲେ । ନିଜର ରକ୍ତ ବୁହାଇ ଯେଉଁମାନେ ନିଜର ସର୍ବସ୍ୱ ଅର୍ପଣ କରିଥିଲେ, ସେହି ଶହୀଦ ମାନଙ୍କୁ, ସେମାନଙ୍କୁ ଜନ୍ମ ଦେଇଥିବା ବୀର ମାତା ମାନଙ୍କୁ ମଧ୍ୟ ମୁଁ ପ୍ରଣାମ କରୁଛି । କାରଗିଲ ସହିତ ଜାମ୍ମୁ-କଶ୍ମୀରର ସମସ୍ତ ନାଗରିକଙ୍କୁ ଅଭିନନ୍ଦନ, ଯେଉଁମାନେ ରାଷ୍ଟ୍ର ପ୍ରତି ନିଜର ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇଛନ୍ତି ।

ସାଥୀଗଣ, 20 ବର୍ଷ ପୂର୍ବେ କାରଗିଲର ଶିଖରରେ ଯେଉଁ ବିଜୟ ଗାଥା ଲେଖା ଯାଇଥିଲା, ତାହା ଆମର ଆଗାମୀ ପିଢ଼ୀଙ୍କୁ ପ୍ରେରଣା ଯୋଗାଉଥିବ ଆଉ ସେହି ପ୍ରେରଣା ଦ୍ୱାରା ବିଗତ ଦୁଇ ତିନି ସପ୍ତାହ ଧରି ଦେଶର ଭିନ୍ନ ଭିନ୍ନ ଭାଗରେ କାରଗିଲ ବିଜୟ ଦିବସ ସହିତ ଜଡ଼ିତ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ଦେଶର ସମସ୍ତ ସାମରିକ କେନ୍ଦ୍ରଠାରୁ ନେଇ ସୀମାନ୍ତ ଅଞ୍ଚଳ, ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

କିଛି ସମୟ ପୂର୍ବରୁ ଏଠାରେ ମଧ୍ୟ ଆମର ସୁପୁତ୍ର ମାନଙ୍କର ସେହି ଶୌର୍ଯ୍ୟଗାଥାର ସ୍ମରଣକୁ ସତେଜ କରାଗଲା । ଆଉ ଆଜିକାର ଏହି ପ୍ରସ୍ତୁତିରେ ଅନୁଶାସନ, କଠୋର ପରିଶ୍ରମ, ବୀରତା, ତ୍ୟାଗ ଏବଂ ବଳିଦାନର ପରମ୍ପରା, ସଂକଳ୍ପ ମଧ୍ୟ ଥିଲା ଏବଂ ସମ୍ବେଦନାରେ ଭରି ରହିଥିବା ମୂହୁର୍ତ୍ତ ମଧ୍ୟ ଥିଲା । କେବେ ବୀରତା ଏବଂ ପରାକ୍ରମର ଦୃଶ୍ୟକୁ ଦେଖି ତାଳି ଗୁଞ୍ଜରିତ ହୋଇ ଉଠୁଥିଲା, ତ ଆଉ କେତେବେଳେ ସେହି ମାଆକୁ ଦେଖି ପ୍ରତ୍ୟେକଙ୍କ ଆଖିରୁ ଅଶ୍ରୁଧାର ବହି ଆସୁଥିଲା । ଏହି ସନ୍ଧ୍ୟା ଉତ୍ସାହ ମଧ୍ୟ ଭରି ଦେଇଥାଏ, ବିଜୟର ବିଶ୍ୱାସ ମଧ୍ୟ ଭରି ଦେଇଥାଏ ଏବଂ ତ୍ୟାଗ ଓ ତପସ୍ୟା ପ୍ରତି ନତମସ୍ତକ କରିବା ପାଇଁ ମଧ୍ୟ ବାଧ୍ୟ କରି ଦେଇଥାଏ ।

ଭାଇ ଓ ଭଉଣୀମାନେ, କାରଗିଲର ବିଜୟ ଭାରତର ବୀର ପୁତ୍ର-କନ୍ୟାମାନଙ୍କର ଅଦମ୍ୟ ସାହସର ବିଜୟ ଥିଲା, କାରଗିଲର ବିଜୟ ଭାରତର ସଂକଳ୍ପର ବିଜୟ ଥିଲା, କାରଗିଲର ବିଜୟ ଭାରତର ସାମର୍ଥ୍ୟ ଏବଂ ସଂଜମତାର ବିଜୟ ଥିଲା, କାରଗିଲର ବିଜୟ ଭାରତର ମର୍ଯ୍ୟାଦା ଏବଂ ଅନୁଶାସନର ବିଜୟ ଥିଲା, କାରଗିଲର ବିଜୟ ପ୍ରତ୍ୟେକ ଦେଶବାସୀଙ୍କର ଆଶା ଏବଂ କର୍ତ୍ତବ୍ୟ ପରାୟଣତାର ବିଜୟ ଥିଲା ।

ସାଥୀଗଣ, ସରକାର ଯୁଦ୍ଧ ଲଢ଼ି ନଥାନ୍ତି, ଯୁଦ୍ଧ ସମଗ୍ର ଦେଶ ଲଢ଼ିଥାଏ । ସରକାର ତ ଆସନ୍ତି ଯାଆନ୍ତି, କିନ୍ତୁ ଦେଶ ପାଇଁ ଯେଉଁମାନେ ଜୀଇଁବା ମରିବା ପାଇଁ ଭ୍ରୁକ୍ଷେପ କରି ନଥାନ୍ତି, ସେଇମାନେ ଅଜର-ଅମର ହୋଇ ଯାଆନ୍ତି । ସୈନିକମାନେ ଆଜି ସହିତ ମଧ୍ୟ ଆଗାମୀ ପିଢିମାନଙ୍କ ପାଇଁ ନିଜ ଜୀବନର ବଳିଦାନ କରିଥାଆନ୍ତି । ଆମର ଆଗାମୀ କାଲି ସୁରକ୍ଷିତ ରହୁ, ସେଥିପାଇଁ ସେମାନେ ନିଜର ଆଜିକୁ ମଧ୍ୟ ସ୍ୱାହା କରିଦିଅନ୍ତି । ସୈନିକ ଜୀବନ ଏବଂ ମରଣ ମଧ୍ୟରେ ପ୍ରଭେଦ କରି ନଥାନ୍ତି, ସେମାନଙ୍କ ପାଇଁ ତ କର୍ତବ୍ୟ ହିଁ ସବୁକିଛି ହୋଇଥାଏ । ଦେଶର ପରାକ୍ରମ ସହିତ ଜଡ଼ିତ ଏହି ଯବାନଙ୍କର ଜୀବନ ସରକାରଙ୍କ କାର୍ଯ୍ୟକାଳ ସହିତ ବନ୍ଧା ହୋଇ ରହି ନଥାଏ । ଶାସକ ଏବଂ ପ୍ରଶାସକ ଯେ କେହି ମଧ୍ୟ ହୋଇପାରେ, କିନ୍ତୁ ପରାକ୍ରମୀ ଏବଂ ସେମାନଙ୍କର ପରାକ୍ରମ ଉପରେ ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କର ଅଧିକାର ରହିଥାଏ ।

ଭାଇ ଓ ଭଉଣୀମାନେ, 2014ରେ ମୁଁ ଶପଥ ନେବାର କିଛି ମାସ ପରେ ହିଁ ମୋତେ କାରଗିଲ ଯିବାର ସୁଯୋଗ ମିଳିଥିଲା । ଏମିତି ତ ମୁଁ 20 ବର୍ଷ ପୂର୍ବେ କାରଗିଲ ସେତେବେଳେ ମଧ୍ୟ ଯାଇଥିଲି ଯେତେବେଳେ ଯୁଦ୍ଧ ଚରମ ସ୍ଥିତିରେ ଥିଲା । ଶତ୍ରୁ ଶିଖରରେ ରହି ନିଜର ଖେଳ ଖେଳୁଥିଲା । ମୃତ୍ୟୁ ସମ୍ମୁଖରେ ଥିଲା, ପୁଣି ମଧ୍ୟ ଆମର ପ୍ରତ୍ୟେକ ଯବାନ ତ୍ରିରଙ୍ଗା ନେଇ ସର୍ବପ୍ରଥମେ ଶିଖରରେ ଯାଇ ପହଞ୍ଚିବାକୁ ଚାହୁଁଥିଲେ । ଜଣେ ସାଧାରଣ ନାଗରିକ ହିସାବରେ ମୁଁ ଯୁଦ୍ଧରେ ଲାଗି ପଡ଼ିଥିବା ଆମର ସୈନିକମାନଙ୍କର ଶୌର୍ଯ୍ୟକୁ ସେହି ମାଟିରେ ଯାଇ ପ୍ରଣାମ କରିଥିଲି । କାରଗିଲ ବିଜୟର ସ୍ଥଳ ମୋ ପାଇଁ ତୀର୍ଥସ୍ଥଳର ଅନୁଭୂତି କରାଉଥିଲା ।

ସାଥୀଗଣ, ଯୁଦ୍ଧଭୂମିରେ ଯେଉଁ ପରିବେଶ ରହିଥିଲା ତ ଥିଲା, ସମଗ୍ର ଦେଶ ନିଜର ସୈନିକମାନଙ୍କ ସାଙ୍ଗରେ ଠିଆ ହୋଇଯାଇଥିଲା, ଯୁବକମାନେ ରକ୍ତଦାନ ପାଇଁ ଧାଡି ବାନ୍ଧି ଠିଆ ହୋଇ ଯାଇଥିଲେ, ପିଲାମାନେ ନିଜର କୁମ୍ପି (ଠଣା) ବୀର ଯବାନମାନଙ୍କ ପାଇଁ ଖୋଲି ଦେଇଥିଲେ, ଭାଙ୍ଗି ଦେଇଥିଲେ । ଏହି ସମୟରେ ଅଟଳ ବିହାରୀ ବାଜପେୟୀ ମହୋଦୟ ଦେଶବାସୀଙ୍କୁ ଏକ ଭରସା ଦେଇଥିଲେ । ସେ କହିଥିଲେ କି ଯେଉଁମାନେ ଦେଶ ପାଇଁ ଜୀବନ ଦେଉଛନ୍ତି, ଆମେ ତାଙ୍କର ଦେଖାଶୁଣା ସାରା ଜୀବନ ନ କରି ପାରିବା ତ ମାତୃଭୂମି ପ୍ରତି ନିଜର କର୍ତବ୍ୟର ପାଳନ କରିବାର ଅଧିକାରୀ ଭାବେ ଆମେ ବୁଝା ପଡ଼ିବା ନାହିଁ ।

ମୁଁ ସନ୍ତୁଷ୍ଟ ଯେ, ଅଟଳ ମହୋଦୟଙ୍କ ସେହି ଭରସାକୁ ଆପଣମାନଙ୍କ ସମସ୍ତଙ୍କ ଆଶୀର୍ବାଦରୁ ଆମେ ସୁଦୃଢ଼ କରିବା ପାଇଁ ଅନବରତ ପ୍ରୟାସ କରୁଛୁ । ବିଗତ ପାଞ୍ଚ ବର୍ଷରେ ସୈନିକ ଏବଂ ସୈନିକମାନଙ୍କ ପରିବାରର କଲ୍ୟାଣ ସହିତ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସ୍ୱାଧୀନତା ପରେ ଦଶକ ଦଶକ ଧରି ଯେଉଁ କଥାର ଅପେକ୍ଷା ରହି ଆସିଥିଲା, ସେହି(ୱାନ ରେଙ୍କ୍ ୱାନ ପେନସନ୍) ଗୋଟିଏ ପଦ- ଗୋଟିଏ ଭତାକୁ ଲାଗୁ କରିବାର କାର୍ଯ୍ୟ ଆମ ସରକାର ହିଁ ସମ୍ପୂର୍ଣ୍ଣ କରିଛନ୍ତି ।

ଏଥର ସରକାର ଗଠନ ହେବା ପରେ ହିଁ ପ୍ରଥମ ନିଷ୍ପତ୍ତିରେ ଶହୀଦଙ୍କ ପିଲାମାନଙ୍କର ବୃତ୍ତି ବୃଦ୍ଧି କରାଗଲା । ଏହା ବ୍ୟତୀତ ଜାତୀୟ ଯୁଦ୍ଧ ସ୍ମାରକ (ନ୍ୟାସନାଲ ୱାର ମେମୋରିଆଲ) ମଧ୍ୟ ଆଜି ଆମ ବୀରମାନଙ୍କର ଗାଥାକୁ ବଖାଣି ଦେଶକୁ ପ୍ରେରଣା ଯୋଗାଉଛି । ବହୁ ଦଶକ ଧରି ତାହାର ଅପେକ୍ଷା ରହିଥିଲା, ଏହି ଅପେକ୍ଷାକୁ ମଧ୍ୟ ଶେଷ କରିବାର ସୌଭାଗ୍ୟ ଆପଣମାନେ ସମସ୍ତେ ଆମକୁ ଦେଲେ ।

ଭାଇ ଓ ଭଉଣୀମାନେ, ପାକିସ୍ତାନ ଆରମ୍ଭରୁ ହିଁ କାଶ୍ମୀରକୁ ନେଇ ଛଳନା କରି ଚାଲିଲା । 1948ରେ, 1965ରେ, 1971ରେ, ସେ ଏହା କଲା । କିନ୍ତୁ 1999ରେ ତାହାର ଛଳନା, ପୂର୍ବ ପରି ପୁଣି ଥରେ ଛଳନାକୁ ଛିନଭିନ କରି ଦିଆଗଲା । ତାହାର ଛଳନାକୁ ଆମେ ସଫଳ ହେବାକୁ ଦେଲୁ ନାହିଁ । ସେହି ସମୟରେ ଅଟଳ ମହାଶୟ କହିଥିଲେ, ‘ଆମର ପଡୋଶୀଙ୍କୁ ଲାଗୁଥିଲା ଯେ କାରଗିଲକୁ ନେଇ ଭାରତ ପ୍ରତିରୋଧ କରିବ, ବିରୋଧ ପ୍ରକଟ କରିବ ଏବଂ ଚିନ୍ତାଗ୍ରସ୍ତ ହୋଇ ଦୁନିଆ ଡରିଯିବ । ହସ୍ତକ୍ଷେପ କରିବା ପାଇଁ, ପଞ୍ଚାୟତ କରିବା ପାଇଁ କିଛି ଲୋକ ଡେଇଁ ପଡ଼ିବେ ଆଉ ଏକ ନୂତନ ରେଖା ଟାଣିବାରେ ସେମାନେ ସଫଳ ହେବେ । କିନ୍ତୁ ଆମେ ଉତ୍ତର ଦେବା, ପ୍ରଭାବଶାଳୀ ଉତ୍ତର ଦେବା, ଏହାର ଆଶା ସେମାନଙ୍କୁ ନଥିଲା ।’

ସାଥୀଗଣ, କାନ୍ଦିବା-ଅନୁନୟ ବିନୟ କରିବା ବଦଳରେ ପ୍ରଭାବଶାଳୀ ଉତ୍ତର ଦେବାର ଏହି ରଣନୀତିକ ପରିବର୍ତ୍ତନ ଶତ୍ରୁ ଉପରେ ଭାରି ପଡ଼ିଗଲା । ଏହା ପୂର୍ବରୁ ଅଟଳ ମହୋଦୟଙ୍କ ସରକାର ପଡୋଶୀମାନଙ୍କ ସହିତ ଶାନ୍ତିର ଯେଉଁ ପ୍ରୟାସ ପ୍ରାରମ୍ଭ କରିଥିଲେ, ସେହି କାରଣରୁ ହିଁ ଦୁନିଆର ଦୃଷ୍ଟିକୋଣ ପରିବର୍ତ୍ତିତ ହେବାକୁ ଲାଗିଥିଲା । ସେହି ଦେଶ ମଧ୍ୟ ଆମର ପକ୍ଷକୁ ବୁଝିବାକୁ ଲାଗିଥିଲେ, ଯେଉଁମାନେ ଆଗରୁ ଆମର ପଡୋଶୀଙ୍କ କାର୍ଯ୍ୟକଳାପ ଗୁଡ଼ିକୁ ଅଣଦେଖା କରି ଚାଲୁଥିଲେ ।

ଭାଇ ଓ ଭଉଣୀମାନେ, ଭାରତର ଇତିହାସରେ ଏହି କଥାର ପ୍ରମାଣ ରହିଛି କି ଭାରତ କେବେ ଆକ୍ରାନ୍ତ ହୋଇ ରହିନାହିଁ । ମାନବତାର ହିତ ଉଦ୍ଦେଶ୍ୟରେ ଶାନ୍ତିପୂର୍ଣ୍ଣ ଆଚରଣ – ଏହା ଆମ ସଂସ୍କାରରେ ରହିଛି । ଆମ ଦେଶ ଏହି ନୀତି ଉପରେ ଚାଲୁଛି । ଭାରତରେ ଆମ ସେନାବାହିନୀର ଛବି ଦେଶର ରକ୍ଷା ନିମିତ ପାଇଁ ରହିଛି ସମଗ୍ର ବିଶ୍ୱରେ ମାନବତା ଏବଂ ଶାନ୍ତିର ରକ୍ଷକ ଭାବେ ମଧ୍ୟ ରହିଛି ।

ଯେତେବେଳେ ମୁଁ ଇସ୍ରାଏଲ ଯାଉଛି ତ ସେଠାକାର ନେତା ମୋତେ ସେହି ଛବି ଦେଖାନ୍ତି ଯେଉଁଥିରେ ଭାରତର ସିପାହୀମାନେ ହାଇଫାକୁ ମୁକ୍ତ କରାଇଥିଲେ । ଯେତେବେଳେ ମୁଁ ଫ୍ରାନ୍ସ ଯାଉଛି ତ ସେଠାକାର ସ୍ମାରକ, ବିଶ୍ୱଯୁଦ୍ଧ ସମୟରେ ଭାରତୀୟମାନଙ୍କର ବଳିଦାନର ଗାଥା ଗାଇଥାଏ ।

ବିଶ୍ୱଯୁଦ୍ଧରେ ସମଗ୍ର ମାନବତା ପାଇଁ ଏକ ଲକ୍ଷରୁ ଅଧିକ ଭାରତୀୟ ଯବାନମାନଙ୍କର ବଳିଦାନକୁ ଭୁଲାଇ ଦିଆଯାଇ ପାରିବ ନାହିଁ ଆଉ ବିଶ୍ୱ ଏହା ମଧ୍ୟ ଭୁଲି ପାରିବ ନାହିଁ କି ମିଳିତ ଜାତିସଙ୍ଘ ଶାନ୍ତି ବାହିନୀ ମିଶନରେ ସର୍ବୋଚ୍ଚ ବଳିଦାନ ଦେଲାବାଲାଙ୍କ ସବୁଠାରୁ ବଡ଼ ସଂଖ୍ୟା ଭାରତୀୟ ସୈନିକମାନଙ୍କର ହିଁ ରହିଛି । ପ୍ରାକୃତିକ ବିପଦ ସମୟରେ ସେନାର ସମର୍ପଣ ଏବଂ ସେବା ଭାବନା, ସମ୍ବେଦନଶୀଳ ଭୂମିକା ଏବଂ ଜନ-ଜନ ପର୍ଯ୍ୟନ୍ତ ପହଞ୍ଚିବାର କ୍ଷମତା ବର୍ଷ ପରେ ବର୍ଷ ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଛୁଇଁଛି ।

ସାଥୀଗଣ, ଆମର ସୁରବୀର, ଆମର ପରାକ୍ରମୀ ସେନା ପରମ୍ପରାଗତ ଯୁଦ୍ଧରେ ହେଉଛନ୍ତି ପାରଙ୍ଗମ । କିନ୍ତୁ ଆଜି ସମଗ୍ର ବିଶ୍ୱ ଯେଉଁ ସ୍ଥିତି ମଧ୍ୟ ଦେଇ ଗତି କରୁଛି ସେଥିରେ ଯୁଦ୍ଧର ସ୍ୱରୂପ ବଦଳିଯାଇଛି । ଆଜି ବିଶ୍ୱ, ଆଜି ମାନବଜାତି ଛାୟାଯୁଦ୍ଧର ଶୀକାର ହେଉଛି, ଯେଉଁଥିରେ ଆତଙ୍କବାଦ ସମଗ୍ର ମାନବ ଜାତିପାଇଁ ଏକ ବହୁତ ବଡ଼ ଆହ୍ୱାନ ଦେଉଛି । ନିଜ-ନିଜ ଛଳନାର ଯୁଦ୍ଧରେ ପରାଜିତ କିଛି ଲୋକ ଛାୟାଯୁଦ୍ଧ ସାହାଯ୍ୟରେ ନିଜର ରାଜନୈତିକ ଉଦ୍ଦେଶ୍ୟ ପୂରଣ କରିବାର ଚେଷ୍ଟା କରୁଛନ୍ତି, ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି ।

ଆଜି ସମୟର ଆହ୍ୱାନ ହେଉଛି ଯେ, ମାନବତାରେ ବିଶ୍ୱାସ ରଖୁଥିବା ସମସ୍ତ ଶକ୍ତିଗୁଡ଼ିକ ସଶକ୍ତବଳଙ୍କ ସହିତ ସମର୍ଥନରେ ଠିଆ ହୁଅନ୍ତୁ, ସେତେବେଳେ ଯାଇ ଆତଙ୍କବାଦର ମୁକାବିଲା ପ୍ରଭାବଶାଳୀ ଢ଼ଙ୍ଗରେ କରାଯାଇ ପାରିବ ।

ଭାଇ ଓ ଭଉଣୀମାନେ, ଆଜିର ଲଢ଼େଇ ସବୁ ମହାକାଶ ପର୍ଯ୍ୟନ୍ତ ପହଂଚିଯାଇଛି ଏବଂ ସାଇବର ୱାର୍ଲ୍ଡରେ ମଧ୍ୟ ଲଢ଼ା ଯାଉଛି । ଏଥିପାଇଁ ସେନାକୁ ଆଧୁନିକ କରିବା, ହେଉଛି ଆମର ଆବଶ୍ୟକତା, ଆମର ପ୍ରାଥମିକତା । ଆଧୁନିକତା ଆମ ସେନାର ପରିଚୟ ହେବା ଦରକାର । ଜଳ ହେଉ, ସ୍ଥଳ ହେଉ, ଆକାଶ ହେଉ, ଆମ ସେନା ନିଜେ ନିଜେ ଅଂଚଳର ଉଚ୍ଚତମ ଶିଖରକୁ ପ୍ରାପ୍ତ କରିବାର ସାମର୍ଥ୍ୟ ରଖିବା ଏବଂ ଆଧୁନିକ ହୁଅନ୍ତୁ, ଏହା ହେଉଛି ଆମର ପ୍ରୟାସ ।

ରାଷ୍ଟ୍ରର ସୁରକ୍ଷା ପାଇଁ ନା କାହାର ଚାପରେ କାମ ହେବ, ନା ପ୍ରଭାବରେ ଏବଂ ନା ହିଁ କାହାର ଅଭାବରେ । ହୁଏତ ‘ଅରିହନ୍ତ’ ମାଧ୍ୟମରେ ପରମାଣୁ ତିନିକୋଣରୁ ସ୍ଥାପନା ହେଉ କିମ୍ବା ‘ଏ-ସ୍ୟାଟ’ ପରୀକ୍ଷଣ, ଭବିଷ୍ୟତ ରକ୍ଷା ନିମିତ ଆବଶ୍ୟକତା, ନିଜର ସଂସାଧନର ସୁରକ୍ଷା ପାଇଁ ଚାପକୁ ଖାତିର ନକରି ଆମେ ପଦକ୍ଷେପ ଉଠାଇଛୁ ଏବଂ ଆଗକୁ ଉଠାଇଚାଲିବୁ ।

ଗଭୀର ସମୁଦ୍ରରୁ ନେଇ ଅସୀମ ଅନ୍ତରୀକ୍ଷ ପର୍ଯ୍ୟନ୍ତ, ଯେଉଁ-ଯେଉଁଠାରେ ମଧ୍ୟ ଭାରତର କଲ୍ୟାଣର ସୁରକ୍ଷା ପାଇଁ ଆବଶ୍ୟକତା ହେବ, ଭାରତ ନିଜର ସାମର୍ଥ୍ୟର ଭରପୂର ଉପଯୋଗ କରିବ । ଏହି ଚିନ୍ତାଧାରା ସହିତ ଦେଶରେ ସେନାର ଆଧୁନୀକିକରଣର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ।

ଆଧୁନିକ ରାଇଫଲରୁ ନେଇ ଟ୍ୟାଙ୍କ, ତୋପ ଏବଂ ଲଢ଼ୁଆ ବିମାନ ପର୍ଯ୍ୟନ୍ତ, ଆମେ ଦ୍ରୁତ ଗତିରେ ଭାରତରେ ନିର୍ମାଣ କରୁଛୁ । ପ୍ରତିରକ୍ଷା କ୍ଷେତ୍ରରେ ‘ମେକ୍ ଇନ୍ ଇଣ୍ଡିଆ’ ପାଇଁ ଘରୋଇ କ୍ଷେତ୍ରର ଅଧିକ ଭାଗିଦାରୀ ଏବଂ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ ମଧ୍ୟ ଆମେ ଦ୍ରୁତ ପ୍ରୟାସ କରୁଛୁ । ଆବଶ୍ୟକତା ଅନୁସାରେ ଆଧୁନିକ ଅସ୍ତ୍ର-ଶସ୍ତ୍ର ମଧ୍ୟ ମଗାଯାଇଛି ।

ଆଗାମୀ ସମୟରେ ଆମର ସେନାକୁ ଦୁନିଆର ଆଧୁନିକତମ ସାଜ ସରଞ୍ଜାମ ମିଳିବାକୁ ଯାଉଛି । କିନ୍ତୁ ସାଥୀଗଣ, ସେନା ପ୍ରଭାବଶାଳୀ ହେବା ପଛରେ ଆଧୁନିକତା ସହିତ ମଧ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ରହିଛି । ଏହା ହେଉଛି ଆମୋଦଦାୟକ । ହୁଏତ ଡ୍ରେସ କୌଣସି ପ୍ରକାରର ହେଉ, ତାହାର ରଙ୍ଗ ଯାହା ମଧ୍ୟ ହେଉ, କିଏ ମଧ୍ୟ ପିନ୍ଧୁ, କିନ୍ତୁ ଉଦ୍ଦେଶ୍ୟ ଗୋଟିଏ ହୋଇଥାଏ, ମନ ଗୋଟିଏ ହିଁ ହୋଇଥାଏ । ଯେପରି ଆମ ଦେଶର ପତକାରେ ତିନୋଟି ଭିନ୍ନ ଭିନ୍ନ ରଙ୍ଗ ଅଛି, କିନ୍ତୁ ସେହି ତିନୋଟି ରଙ୍ଗ ଏକାଠି ହୋଇ ଯେଉଁ ପତାକା ହୋଇଥାଏ, ଯିଏ ବଞ୍ଚିବା ମରିବା ପାଇଁ ପ୍ରେରଣା ଯୋଗାଇଥାଏ । ସେହିଭଳି ଭାବେ ଆମ ସେନାର ତିନୋଟି ଅଙ୍ଗକୁ ଆଧୁନିକ ସାମର୍ଥ୍ୟବାନ ହେବା ସହିତ ହିଁ ବ୍ୟବହାର ଏବଂ ବ୍ୟବସ୍ଥାରେ ପରସ୍ପର ମଧ୍ୟରେ ଯୋଡ଼ି ହେବା, ଏହା ହେଉଛି ସମୟର ଆବଶ୍ୟକତା ।

ସାଥୀଗଣ, ସେନାର ସଶକ୍ତୀକରଣ ସହିତ ଆମେ ସୀମାରୁ ଅଲଗା ହୋଇ ରହିଥିବା ଗାଁ ଗୁଡ଼ିକୁ ମଧ୍ୟ ରାଷ୍ଟ୍ରର ସୁରକ୍ଷା ଏବଂ ବିକାଶରେ ସହଭାଗୀ କରୁଛୁ । ହୁଏତ ଅନ୍ୟ ଦେଶ ସହିତ ଲାଗି ରହିଥିବା ଆମର ସୀମା ହେଉ କିମ୍ବା ସମୁଦ୍ରକୂଳରେ ଗଢ଼ି ଉଠିଥିବା ଗାଁ, ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି । ଆମମାନଙ୍କୁ ଭଲ ଭାବେ ଏହି ଅନୁଭବ ରହିଛି କି ସୀମାରେ ଗଢ଼ି ଉଠିଥିବା ଗାଁ ଗୁଡ଼ିକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ପ୍ରତିକୂଳ ପରିସ୍ଥିତି କାରଣରୁ ସୀମାରେ ରହୁଥିବା ଲୋକମାନଙ୍କୁ ପଳାୟନ ପାଇଁ ବାଧ୍ୟ ହେବାକୁ ପଡ଼ିଥାଏ ।

ଏହି ସ୍ଥିତିକୁ ବଦଳାଇବା ପାଇଁ ବିଗତ ପାଞ୍ଚ ବର୍ଷରେ ସୀମାନ୍ତ ଅଂଚଳ ବିକାଶ କାର୍ଯ୍ୟକ୍ରମକୁ ସଶକ୍ତ କରାଗଲା । ଦେଶର 17ଟି ରାଜ୍ୟକୁ ସାଢ଼େ ଚାରି ହଜାର କୋଟି ଟଙ୍କାରୁ ଅଧିକ ସାହାଯ୍ୟ ଗୋଟିଏ କାର୍ଯ୍ୟ ପାଇଁ ଦିଆଯାଇଛି ।

ଜାମ୍ମୁ-କାଶ୍ମୀରରେ ଅନ୍ତରାଷ୍ଟ୍ରୀୟ ସୀମାରେ ରହିଥିବା ଲୋକଙ୍କୁ ସଂରକ୍ଷଣ – ଏହା ମଧ୍ୟ ଏହି ଶୃଙ୍ଖଳରେ ନିଆଯାଇଥିôବା ଏକ ପ୍ରମୁଖ ନିଷ୍ପତ୍ତି । ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି କି ଦେଶର ପ୍ରତ୍ୟେକ ନାଗରିକ ଏବଂ ଆମର ସୂରବୀର ମାନଙ୍କର ମିଳିତ ପ୍ରୟାସ ଦ୍ୱାରା ଦେଶର ସୁରକ୍ଷା ଅଭେଦ୍ୟ ରହିଛି ଏବଂ ଅଭେଦ୍ୟ ରହିବ । ଯେତେବେଳେ ଦେଶ ସୁରକ୍ଷିତ ରହିବ, ସେତେବେଳେ ବିକାଶର ନୂତନ ଶିଖରକୁ ଛୁଇଁ ପାରିବ । କିନ୍ତୁ ରାଷ୍ଟ୍ର ନିର୍ମାଣ ପଥରେ ଆମକୁ କିଛି କଥା ଉପରେ ଧ୍ୟାନ ମଧ୍ୟ ରଖିବାକୁ ହେବ ।

ଭାଇ ଓ ଭଉଣୀମାନେ, 1947ରେ କ’ଣ କେବଳ ଗୋଟିଏ ଭାଷା କହୁଥିବା ଲୋକ ସ୍ୱାଧୀନ ହୋଇଥିଲେ କିମ୍ବା କେବଳ ଗୋଟିଏ ସମ୍ପ୍ରଦାୟର ଲୋକ ସ୍ୱାଧୀନ ହୋଇଥିଲେ? କ’ଣ କେବଳ ଗୋଟିଏ ଜାତିର ଲୋକ ସ୍ୱାଧୀନ ହୋଇଥିଲେ? ଆଜ୍ଞା ନୁହେଁ, ସମଗ୍ର ଭାରତ ସ୍ୱାଧୀନ ହୋଇଥିଲା ।

ଯେତେବେଳେ ଆମେ ନିଜର ସମ୍ବିଧାନ ଲେଖିଥିଲେ ତ କ’ଣ କେବଳ ଗୋଟିଏ ଭାଷା, ଗୋଟିଏ ସମ୍ପ୍ରଦାୟ ଅବା ଜାତିର ଲୋକଙ୍କ ପାଇଁ ଲେଖିଥିଲେ? ଆଜ୍ଞା ନୁହେଁ, ସମଗ୍ର ଭାରତ ପାଇଁ ଲେଖିଥିଲେ । ଆଉ ଯେତେବେଳେ 20 ବର୍ଷ ପୂର୍ବେ ଆମର 500ରୁ ଅଧିକ ବୀର ସୈନିକମାନେ କାରଗିଲର ବରଫାବୃତ ପାହାଡ଼ମାନଙ୍କରେ ଆତ୍ମବଳୀ ଦେଇଥିଲେ, ତ କାହା ପାଇଁ ଦେଇଥିଲେ? ବୀରଚକ୍ର ପାଇଥିବା ତାମିଲନାଡ଼ୁରେ ରହୁଥିବା ବିହାର ରେଜିମେଣ୍ଟର ମେଜର ସର୍ବାଣନ ଯାହାଙ୍କୁ ବାଟାଲିକ୍ ହିରୋ ବା ନାୟକ ଭାବେ କୁହାଯାଏ । କାହାପାଇଁ ବୀରଗତି ପ୍ରାପ୍ତ ହୋଇଥିଲେ? ବୀରଚକ୍ର ପାଇଥିବା ଦିଲ୍ଲୀରେ ରହୁଥିବା ରାଜପୁତନା ରାଇଫଲର କ୍ୟାପଟେନ୍ ହନିଫ ଉଦ୍ଦୀନ କାହା ପାଇଁ ଆତ୍ମୋତ୍ସର୍ଗ ଦେଇଥିଲେ? ଆଉ ପରମବୀରଚକ୍ର ପାଇଥିବା ହିମାଚଳ ପ୍ରଦେଶର ସନ୍ତାନ ଜମ୍ମୁ ଏବଂ କଶ୍ମୀର ରାଇଫଲର କ୍ୟାପଟେନ ବିକ୍ରମ ବାତ୍ରା ଯେତେବେଳେ କହିଥିଲେ- (ୟେ ଦିଲ୍ ମାଙ୍ଗେ ମୋର୍) ମୋ ହୃଦୟ ଆହୁରି ଅଧିକ ଚାହେଁ, ତ ତାଙ୍କ ହୃଦୟ କାହା ପାଇଁ ମାଗୁଥିଲା? ନିଜ ପାଇଁ ନୁହେଁ, କୌଣସି ଗୋଟିଏ ଭାଷା,ଧର୍ମ ଅବା ଜାତି ପାଇଁ ନୁହେଁ, ସମଗ୍ର ଭାରତ ପାଇଁ, ମାଆ ଭାରତୀ ପାଇଁ ।

ଆସନ୍ତୁ, ଆମେ ସମସ୍ତେ ମିଶି ସ୍ଥିର କରିନେବା କି ଏହି ବଳିଦାନ ଏହି ଆତ୍ମୋତ୍ସର୍ଗ ଆମେ କେବେ ବ୍ୟର୍ଥ ହେବାକୁ ଦେବା ନାହିଁ । ଆମେ ସେମାନଙ୍କଠାରୁ ପ୍ରେରଣା ନେବା ଆଉ ସେମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବା ପାଇଁ ଆମେ ମଧ୍ୟ ନିଜ ଜୀବନକୁ ନିୟୋଜିତ କରିଚାଲିବା ।
ଆଜି ଏହି କାରଗିଲ ବିଜୟ ପର୍ବରେ ଆମେ ବୀରମାନଙ୍କ ଠାରୁ ପ୍ରେରଣା ନେଇ, ଦେଶ ପାଇଁ ନିଜର କର୍ତବ୍ୟ ପାଇଁ ଆମେ ନିଜକୁ ନିଜେ ସମର୍ପିତ କରିବା । ଏହି ଏକ ଭାବନାର ସହିତ ସେହି ବୀରମାନଙ୍କୁ ପ୍ରଣାମ କରି ଆପଣ ସମସ୍ତେ ମୋ ସହିତ କୁହନ୍ତୁ-

ଭାରତ ମାତା କୀ – ଜୟ

ଭାରତ ମାତା କୀ – ଜୟ

ଭାରତ ମାତା କୀ – ଜୟ

ବହୁତ ବହୁତ ଧନ୍ୟବାଦ ।

*******