ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କାକିନାଡ଼ାର ନୌସେନା ଜମି ଦେଇ ଗତି କରିଥିବା ରାଜ୍ୟ ରାଜପଥ-୧୪୯ର ପୁନଃ ମାର୍ଗୀକରଣକୁ ଅନୁମୋଦନ ମିଳିଛି । ଏହି ମର୍ମରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ-
କ- କାକିନାଡ଼ାର ନୌସେନା ଜମି ଦେଇ ଯାଇଥିବା ପ୍ରଚଳିତ ରାଜପଥ ପରିବର୍ତ୍ତେ ଆନ୍ଧ୍ର ପ୍ରଦେଶ ସରକାରଙ୍କଠାରୁ ୧୧.୨୫ ଏକର ଜମି ଅଧିଗ୍ରହଣ କରାଯିବ ।
ଖ- କାକିନାଡ଼ାସ୍ଥିତ ନୌସେନାର ୫.୨୩ଏକର ଜମିକୁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଫେରାଇ ଦିଆଯିବ ।
ଗ- ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ୧୮୮୨.୭୭୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ, ଯେଉଁଥିରେ ସେ ଜମି ଅଧିଗ୍ରହଣ ଓ ବିକଳ୍ପ ରାସ୍ତା ନିର୍ମାଣ କରିପାରିବେ ।
କାକିନାଡ଼ାରେ ରାଜ୍ୟ ରାଜପଥର ପୁନଃ ମାର୍ଗୀକରଣ ଦ୍ୱାରା ଦୁର୍ଘଟଣା ହ୍ରାସ ପାଇବା ସହ ନୌସେନା ପ୍ରତିଷ୍ଠାନର ସୁରକ୍ଷାରେ ସୁଧାର ଆସିବ । ଏହା ଭିତ୍ତିଭୂମି ସମେତ ଉଭୟ ଯୁଦ୍ଧ ପ୍ରଶିକ୍ଷଣ କେନ୍ଦ୍ରର ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରାଇବ ।