Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କରୋନା ସଂକ୍ରମଣ ସ୍ଥିତି ଘେନି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୂହର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମ

କରୋନା ସଂକ୍ରମଣ ସ୍ଥିତି ଘେନି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୂହର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସେଠାକାର କରୋନା  ସଂକ୍ରମଣ ସ୍ଥିତି ସମ୍ପର୍କରେ  ମତ ବିନିମୟ କରିଥିଲେ । ଏଥିରେ ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ, ମେଘାଳୟ, ମିଜୋରାମ, ଅରୁଣାଚଳପ୍ରଦେଶ, ମଣିପୁର ଓ ଆସାମର ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ ।

            କରୋନା ମହାମାରୀର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଠିକ୍ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରିଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀମାନେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ତତ୍ପରତା ଓ ଯତ୍ନ ପ୍ରଦର୍ଶନ କରିଛନ୍ତି ତାହାକୁ ସେମାନେ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଆଲୋଚନାରେ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀମାନଙ୍କ  ବ୍ୟତୀତ କେନ୍ଦ୍ର ସ୍ୱରାଷ୍ଟ୍ର, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଉତ୍ତର-ପୂର୍ବାଞ୍ଚଳ  ବିକାଶ ବିଭାଗ ମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀଗଣ ଉପସ୍ଥିତ ଥିଲେ ।

ସମ୍ପୃକ୍ତ ମୁଖ୍ୟମନ୍ତ୍ରୀଗଣ  ନିଜ ନିଜ ରାଜ୍ୟରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମର ପ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଅବସରରେ ଅବଗତ କରାଇଥିଲେ । ଏହାଛଡା ଅଗମ୍ୟ ଓ ଦୂରଦୂରାନ୍ତ ଅଞ୍ଚଳର ଲୋକଙ୍କୁ ଟିକା ଦେବା ପାଇଁ କି ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଇଛି ତାହା ମଧ୍ୟ ସେମାନେ ଜଣାଇଥିଲେ । ଟିକା ନେବାକୁ ଅନାଗ୍ରାହୀ ଲୋକଙ୍କୁ ଟିକାଦେବାକୁ କି ପ୍ରକାର କୌଶଳ ଅବଲମ୍ବନ କରାଯାଉଛି ତାହା ମଧ୍ୟ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ନିଜ ନିଜ ରାଜ୍ୟରେ କରୋନାର ସଫଳ ମୁକାବିଲା ପାଇଁ ଗ୍ରହଣ କରାଯୋଇଥିବା ପଦକ୍ଷେପ, ସ୍ୱାସ୍ଥ୍ୟ ଭିତିଭୂମିର ଉନ୍ନତି ଏବଂ ଏ କ୍ଷେତ୍ରରେ ପିଏମ୍ କେୟାର୍ସ ପାଣ୍ଠି କିପରି ବିଶେଷ ସହାୟକ ହୋଇଛି ତାହା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ନିଜ ନିଜ ରାଜ୍ୟରେ କୋଭିଡ ପଜିଟିଭଙ୍କ ସଂଖ୍ୟା ଓ ସଂକ୍ରମଣ ହାର କମାଇବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ଏବଂ ଏ ନେଇ ପ୍ରଧାନମନ୍ତ୍ରୀ ଦୃଢ ନିଶ୍ଚିତ ରହିବାକୁ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀମାନେ କହିଥିଲେ  ।

ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ସମ୍ପୃକ୍ତ ରାଜ୍ୟଗୁଡିକରେ ଦୈନିକ ମୋଟ ସଂକ୍ରମଣ ହାର କମିଛି । ତେବେ ଏ କ୍ଷେତ୍ରରେ କୌଣସି ଢିଲା ନ ଦେବାକୁ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ସତର୍କ କରାଇ ଦେଇଥିଲେ । ଦେଶର କେତେକ ଅଞ୍ଚଳରେ କରୋନା ସଂକ୍ରମଣ ହାର ବେଶ୍ ଅଧିକ ଅଛି ବୋଲି ଉଲ୍ଲେଖକରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ଟେଷ୍ଟି, ଟ୍ରେସିଂ, ଟ୍ରାକିଂ ଓ ଟିକାଦାନ-ଏହି ଚାରିଟି ବିଷୟକୁ ସର୍ବଦା ଗୁରୁତ୍ୱ ଦେବାକୁ ପଡିବ । ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଶରେ କରୋନାର ସାମଗ୍ରିକ  ଚିତ୍ର ସମ୍ପର୍କରେ ଏକ ବିବରଣୀ ଉପସ୍ଥାପନ କରି ଉତ୍ତର-ପୂର୍ବାଞ୍ଚଳରେ ସଂକ୍ରମଣ ହାର କିପରି ଅଧିକ ରହିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ମେଡିକାଲ-ଅକ୍ସିଜେନ ଯୋଗାଣ ବଢାଇବାକୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେବା ସହିତ ଟିକାକରଣ କାର୍ଯ୍ୟକ୍ରମର ପ୍ରଗତି ସମ୍ପର୍କରେ ଏକ ସ୍ଥୁଳ ବିବରଣୀ ଦେଇଥିଲେ ।

ଉତ୍ତର-ପୂର୍ବାଞ୍ଚଳରେ କରୋନା ମୁକାବିଲା କରିବାକୁ ସେଠାକାର ଜନସାଧାରଣ, ସ୍ୱାସ୍ଥ୍ୟକର୍ମୀ ଓ ରାଜ୍ୟ ସରକାର ସମୂହ କଠିନ ପରିଶ୍ରମ କରୁଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଏହି ଅବସରରେ ପ୍ରଶଂସା କରିଥିଲେ । ଭୌଗୋଳିକ ଅସୁବିଧା ସତ୍ତ୍ୱେ ସମ୍ପୃକ୍ତ ରାଜ୍ୟ ସରକାରମାନେ ବିଭିନ୍ନ ଅଂଚଳରେ  ଟେଷ୍ଟିଂ, ଚିକିତ୍ସା, ଟିକାଦାନ ଆଦି ପାଇଁ ଯେଉଁସବୁ ଭିତ୍ତିଭୂମି ତିଆରି କରିଛନ୍ତି ତାହା ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେଠାକାର କେତେକ ଜିଲ୍ଳାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଧାନମନ୍ତ୍ରୀ ଚିନ୍ତାପ୍ରକଟ କରି ସ୍ଥିତିକୁ ନିୟନ୍ତ୍ରିତ କରିବାକୁ ସବୁ ସମ୍ଭାବ୍ୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ସଂକ୍ରମଣ ରୋକିବାକୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ନୀତି ଓ ଅଭିଜ୍ଞତାକୁ କାମରେ ଲଗାଇବାର ଆବଶ୍ୟକତା ରହିଛି । ଏହି ଭୂତାଣୁ ଅତି ଶୀଘ୍ର  ରୂପ ବଦଳାଉଥିବାରୁ ପ୍ରଧାନମନ୍ତ୍ରୀ ଏହା ଉପରେ  ଅଧିକ ଗୁରୁତ୍ୱ ଦେଇ ନୂଆ ଭୂତାଣୁଙ୍କୁ ଚିହ୍ନଟ କରିବାକୁ ପରାମର୍ଶ ଦେଇଥିଲେ । ଭୂତାଣୁର ରୂପ ପରିବର୍ତ୍ତନ ଓ ଏହାର ପ୍ରଭାବ ସମ୍ପର୍କରେ ବିଶେଷଜ୍ଞମାନେ ଗବେଷଣା କରୁଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଭଳି ପରିସ୍ଥିତିରେ ପ୍ରତିଷେଧକ ବ୍ୟବସ୍ଥା ଓ ଚିକିତ୍ସା ବିଶେଷ ଗୁରୁତ୍ୱପୂର୍ଣ୍ଣ  । କୋଭିଡ ନିୟମ ନିଷ୍ଠାର ସହ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ଶାରୀରିକ ଦୂରତ୍ୱ ରକ୍ଷା, ମାସ୍କ ବ୍ୟବହାର ଓ ଟିକା ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହା ବିନା ନିସ୍ତାର ନାହିଁ ।

 ଯେଉଁ ରଣନୀତି କୋଭିଡ ମୁକାବିଲା ପାଇଁ ଗ୍ରହଣ କରାଯାଇଛି ତାହା ସଫଳ ପ୍ରମାଣିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପର୍ଯ୍ୟଟନ ଓ ବ୍ୟବସାୟ ଉପରେ କରୋନାର ପ୍ରଭାବ ପଡିଥିବା ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି । ଏଭଳି ସ୍ଥିତିରେ ଦେଶର ଶୈଳନିବାସଗୁଡିରେ ଉପଯୁକ୍ତ କରୋନା ନିୟମ କଡାକଡି ପାଳନ ହେବା ଦରକାର । ବିନା ମାସ୍କ ଓ କୋଭିଡ ନିୟମରେ ଏସବୁ ଶୈଳନିବାସରେ ଯେପରି ଭିଡ ନ  ଜମେ ସେଥିପାଇଁ ବିଶେଷ ଦୃଷ୍ଟିଦେବାକୁ ସେ ସତର୍କ କରାଇ ଦେଇଛନ୍ତି । ତୃତୀୟ ସଂକ୍ରମଣ ପୂର୍ବରୁ ଲୋକେ ଜୀବନକୁ ଉପଭୋଗ କରିବାକୁ ଆବଶ୍ୟକତା ରହିଛି ବୋଲି ଯେଉଁ ଯୁକ୍ତି ଉପସ୍ଥାପିତ କରାଯାଉଛି ପ୍ରଧାନମନ୍ତ୍ରୀ ତାହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ତୃତୀୟ ଲହର ତା ମନକୁ ମନ ଆସିବ ନାହିଁ ।ତୃତୀୟ ଲହରକୁ କିପରି ପ୍ରତିହତ କରିହେବ ସେଥିପାଇଁ ଆମକୁ ମାନସିକଭାବେ ପ୍ରସ୍ତୁତ ହେବାକୁ ପଡିବ । ଅସାବଧାନତା ଓ ଭିଡଭାଡ ବୃଦ୍ଧି ଯୋଗୁଁ  କରୋନା ସଂକ୍ରମଣ ବଢୁଥିବା ବିଶେଷଜ୍ଞ କହୁଥିବାରୁ ଭିଡ ରୋକିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ସମସ୍ତଙ୍କ ପାଇଁ ମାଗଣା ଟିକାଅଭିଯାନ ଚଳାଇଛନ୍ତି । ଏହି ଅଭିଯାନରେ ଉତ୍ତର-ପୂର୍ବାଞ୍ଚଳର  ମଧ୍ୟ ଯଥୋଚିତ ଗୁରୁତ୍ୱ ରହିଛି । ଏହି ଅଞ୍ଚଳରେ ଟିକାଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଡିବ । ଟିକାଦାନ ବିରୋଧରେ ଯେଉଁ ଅପପ୍ରଚାର ଓ ମିଥ୍ୟା ଚାଲିଛି ତାହାକୁ ପ୍ରତିହତ କରିବାକୁ ଲୋକଙ୍କ ଏକଜୁଟ କରି କାମ କରିବାକୁ ହେବ । ଏଥିପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷ, ସାମାଜିକ, ଶୈକ୍ଷିକ ଓ ଧାର୍ମିକ ଅନୁଷ୍ଠାନର ସହାୟତା, ସହଯୋଗ ନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଯେଉଁ ଅଞ୍ଚଳରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି, ସେଠାରେ ଟିକାଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ ଏବେ ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୨୩୦୦୦ କୋଟି ଟଙ୍କାର ଏକ ପ୍ୟାକେଜକୁ ଅନୁମୋଦନ କରିଛି । ଏହି ପ୍ୟାକେଜ ଉତ୍ତର-ପୂର୍ବାଞ୍ଚଳ ରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶରେ ବିଶେଷ ସହାୟକ ହେବ । ଏହା ଫଳରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଘଟିବ । ଟେଷ୍ଟି, ଡାଇଗ୍ନୋଷ୍ଟିକ, ଜେନୋମ୍ ସିକୁଏନସିଂ ଆଦିର ସୁବିଧା ଉପଲବ୍ଧ ହେବ । ଏହି ଅଞ୍ଚଳରେ ଶିଶୁ ଚିକିତ୍ସା କେନ୍ଦ୍ରଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ତୁରନ୍ତ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ପିଏମ୍ କେୟାର୍ସ ମାଧ୍ୟମରେ ଦେଶରେ ଶହ ଶହ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି ।  ଏହି ଯୋଜନାରେ ଉତ୍ତର-ପୂର୍ବାଞ୍ଚଳ ୧୫୦ପ୍ଲାଣ୍ଟ ପାଇଛି । ଏସବୁ ଅକ୍ସିଜେନ ପ୍ଲାଣ୍ଟର ପ୍ରତିଷ୍ଠା କାମ ଯଥାଶୀଘ୍ର ଶେଷ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଉତର-ପୂର୍ବାଂଚଳରେ ପାହାଡିଆ ପ୍ରତିକୂଳ ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ଏହି ଅଞ୍ଚଳରେ ଅଧିକରୁ ଅଧିକ ଅସ୍ଥାୟୀ ହସ୍‌ପିଟାଲ ତିଆରି କରିବାର ଆବଶ୍ୟକତା ରହିଛି । ବ୍ଲକସ୍ତରୀୟ ହସ୍ପପିଟାଲଗୁଡିକରେ ଅକ୍ସିଜେନ ପ୍ଲାଣ୍ଟ, ଆଇସିୟୁ ୱାର୍ଡ ଆଦି ପ୍ରତିଷ୍ଠା କରାଯାଉଥିବାରୁ ଏଥିପାଇଁ ଆବଶ୍ୟକ ଲୋକଶକ୍ତି  ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଉତ୍ତର-ପୂର୍ବାଞ୍ଚଳକୁ ସବୁ ପ୍ରକାର ସହାୟତା ଓ ସହଯୋଗ  ଯୋଗାଇଦେବେ ।

ଦୈନିକ ୨୦ଲକ୍ଷ ଟେଷ୍ଟ କରିବାର ଦକ୍ଷତା ଦେଶ ହାସଲ କରିଥିବା ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଧିକ ପ୍ରଭାବିତ ଜିଲ୍ଲାଗୁଡିକରେ ଟେଷ୍ଟିଂ ସୁବିଧାକୁ ବଢାଇବାର ଆବଶ୍ୟକତା ଅଧିକ । ଅଧିକ ଟେଷ୍ଟିଂ, ଟ୍ରେସିଂ ଓ ଟିକାଦାନ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମିଳିତ ପ୍ରୟାସ ଦ୍ୱାରା କରୋନା ସଂକ୍ରମଣକୁ ରୋକାଯାଇପାରିବ ।

 

*****

TKM /SLP