Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କନ୍ୟାକୁମାରୀଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରଦତ୍ତ ଅଭିଭାଷଣ


ବନ୍ଧୁଗଣ,

ମୁଁ ଆଜି କନ୍ୟାକୁମାରୀକୁ ଆସି ବେଶ୍‌ ଆନନ୍ଦ ଅନୁଭବ କରୁଛି ।

ମୁଁ ଆମ୍ମା, ଜୟଲଳିତାଜୀଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ମୋର ବକ୍ତବ୍ୟ ଆରମ୍ଭ କରୁଛି ।

ତାମିଲନାଡ଼ୁବାସୀଙ୍କ ପାଇଁ ସେ କରିଥିବା ଅନେକ ଉତ୍ତମ କାର୍ଯ୍ୟକୁ ଲୋକମାନେ ପିଢ଼ି ପିଢ଼ି ଧରି ସ୍ମରଣ ରଖିବେ ।

ମୁଁ ଅତ୍ୟନ୍ତ ଖୁସି ଯେ ତାମିଲନାଡ଼ୁ ସରକାର ତାଙ୍କର ବିକାଶର ପରିକଳ୍ପନାକୁ ସାକାର କରିବା ସକାଶେ ଅତ୍ୟନ୍ତ ଶ୍ରମ ସ୍ୱୀକାର କରି କାର୍ଯ୍ୟ କରୁଛନ୍ତି ।

ମୁଁ ଗର୍ବିତ ଯେ ଭାରତର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳାଜୀ ମଧ୍ୟ ଏହି ତାମିଲନାଡ଼ୁ ରାଜ୍ୟର ।

ୱିଙ୍ଗ କମାଣ୍ଡର ଅଭିନନ୍ଦନ ମଧ୍ୟ ଏହି ତାମିଲନାଡ଼ୁ ରାଜ୍ୟର, ଯାହାଙ୍କ ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବ ଓ ଗୌରବ ଅନୁଭବ କରନ୍ତି ।

ମୁଁ ମଧ୍ୟ ବିବେକାନନ୍ଦ କେନ୍ଦ୍ରକୁ ଅଭିନନ୍ଦନ ଜ୍ଞାପନ କରୁଛି ଯିଏ ମାତ୍ର କିଛି ଦିନ ପୂର୍ବେ ଗାନ୍ଧୀ ଶାନ୍ତି ପୁରସ୍କାର ଲାଭ କରିଛନ୍ତି ।

ଏହି କେନ୍ଦ୍ରର ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ବେଶ୍‌ ଉଲ୍ଲେଖନୀୟ ଏବଂ ପ୍ରେରଣାଦୀୟୀ ।

ବନ୍ଧୁଗଣ,

ମାତ୍ର ଅଳ୍ପ ସମୟ ପୂର୍ବରୁ, ଆମେ ଆଜି ଅନେକ ସଡ଼କ, ରେଳ ଏବଂ ରାଜପଥ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ, ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମ ସଂପାଦନ କରିଛେ ।

ମୁଁ ମଦୁରାଇ ଏବଂ ଚେନ୍ନାଇ ମଧ୍ୟରେ ଯାତାୟାତ କରୁଥିବା ତେଜସ୍‌ ଏକ୍ସପ୍ରେସକୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛି ।

ଏହା ଏକ ଅତ୍ୟାଧୁନିକ ଟ୍ରେନ ଏବଂ ମେକ୍‌ ଇନ୍‌ ଇଣ୍ଡିଆର ଏହା ମହାନ ଉଦାହରଣ ଯାହାକି ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ କୋଚ୍‌ ତିଆରି କାରଖାନାରେ ନିର୍ମାଣ କରାଯାଇଛି ।

ସେହିଭଳି ଆଜି ରାମେଶ୍ୱରମ୍‌ ଏବଂ ଧନୁସ୍କୋଡ଼ି ମଧ୍ୟରେ ନିର୍ମାଣ କରାଯିବାକୁ ଥିବା ଏକ ରେଳଲାଇନର ଶିଳାନ୍ୟାସ କରିଛି ।

ଏହି ରେଳଲାଇନ୍‌ ଆଜକୁ ପ୍ରାୟ ପଚାଶ ବର୍ଷ ପୂର୍ବେ 1964 ମସିହାର ଏକ ବିପର୍ଯ୍ୟୟରେ ନଷ୍ଟ ହୋଇଯାଇଥିଲା ଏବଂ ଏହାର ମରାମତି ପ୍ରତି ଆଦୌ ଧ୍ୟାନ ଦିଆଯାଇ ନଥିଲା ।

କିନ୍ତୁ, ବିଳମ୍ବରେ ହେଉ ପଛେ ଏହି କାର୍ଯ୍ୟ ଏବେ ଆରମ୍ଭ ହେବ!     

ଆପଣମାନେ ଏକଥା ଜାଣି ଖୁସି ହେବେ ଯେ ପମ୍ବନ ରେଳ ପୋଲ ଏବେ ପୁଣି ଥରେ ନିର୍ମାଣ ହେବାକୁ ଯାଉଛି ।

ବନ୍ଧୁଗଣ,

ଆଜି ଭାରତ ବିଶ୍ୱର ଦ୍ରୁତତମ ଅର୍ଥ ବ୍ୟବସ୍ଥା ଭାବେ ପ୍ରଗତି କରିଚାଲିଛି ।

ଭାରତ  ଏକ ରେକର୍ଡ଼ ଗତିରେ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ନିର୍ମାଣ କରିଚାଲିଛି ।

ଆମେ ବିଶ୍ୱର ସର୍ବବୃହତ୍‌ ଷ୍ଟାର୍ଟ ଅପ୍‌ ଇକୋ ସିଷ୍ଟମମାନଙ୍କ ମଧ୍ୟରୁ ଅନ୍ୟତମ ।

ଭାରତ ମଧ୍ୟ ବିଶ୍ୱର ସର୍ବବୃହତ୍‌ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ- ଆୟୁଷ୍ମାନ ଭାରତର ଅଧିକାରୀ ।

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀର ଭାରତକୁ ଉଭୟ ଦ୍ରୁତ ବେଗ ଏବଂ ମାତ୍ରାରେ କାର୍ଯ୍ୟ କରିବାକୁ ହେବ ଯାହାକି ଏନଡ଼ିଏ ସରକାର କରିଆସୁଛି ।

ଏଇ ଗଲା ରବିବାର ଦିନ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମ ଯାହାକି ଚଳିତ ବର୍ଷର ବଜେଟରେ ଘୋଷଣା କରାଯାଇଥିଲା ତାହାର ଶୁଭାରମ୍ଭ କରାଯାଇଛି ।

ଏହି ଯୋଜନା ମାଧ୍ୟମରେ, କୃଷକମାନେ ଯେଉଁମାନଙ୍କର କି ପାଞ୍ଚ ଏକର ପର୍ଯ୍ୟନ୍ତ ଚାଷଜମି ରହିଛି ସେମାନଙ୍କୁ ବର୍ଷକୁ ଛଅ ହଜାର ଟଙ୍କା ପର୍ଯ୍ୟନ୍ତ ରାଶି କେନ୍ଦ୍ର ସରକାର ତିନୋଟି କିସ୍ତିରେ ପ୍ରଦାନ କରିବେ ।

ଏଯାବତ୍‌ ଏହି ଯୋଜନା ମାଧ୍ୟମରେ 1.1 କୋଟି କୃଷକଙ୍କୁ ସେମାନଙ୍କର ପ୍ରଥମ କିସ୍ତି ରାଶି ସିଧାସଳଖ ଭାବେ ସେମାନଙ୍କ ବ୍ୟାଙ୍କ ଜମାଖାତାରେ ପୈଠ କରାଯାଇ ସାରିଛି ।

ଆପଣମାନେ ଅନୁମାନ କରନ୍ତୁ, ଗୋଟିଏ ଯୋଜନା ଯାହା ଫେବୃଆରୀ ପହିଲାରେ ଆରମ୍ଭ ହେଲା, ତାହା ସେହି ଗୋଟିଏ ମାସ ଭିତରେ ବାସ୍ତବତାରେ ପରିଣତ ହୋଇସାରିଛି ।

ଆମେ ନିରନ୍ତର ଭାବେ ଦିନକୁ ଚବିଶ ଘଣ୍ଟା ନିରବଚ୍ଛିନ୍ନ ଭାବେ କାମ କରି ଏହି ଯୋଜନାକୁ ଚବିଶ ଦିନ ଭିତରେ ବାସ୍ତବତାରେ ପରିଣତ କରିପାରିଛୁ ।

ବନ୍ଧୁଗଣ,

ଅଧିବର୍ଷ ପରି ଏବଂ ଫୁଟବଲ ବିଶ୍ୱ କପ୍‌ ପରି ଯାହାକି ପ୍ରତି ଚାରିବର୍ଷରେ ଥରେ ଆମ ନିକଟକୁ ଆସିଥାଏ କଂଗ୍ରେସ ଅମଳର ଅସମାପ୍ତ ଋଣଛାଡ଼ କଥା ନିର୍ବାଚନ ପୂର୍ବରୁ ଆମ ସାମ୍ନାକୁ ଆସିଛି ।

କୃଷକମାନଙ୍କ ସକାଶେ କିଛି ନକରି, ସେମାନେ ଶେଷରେ ଆସି ପହଞ୍ଚିଯିବେ ଏବଂ କହିବେ- ଆମେ ଆପଣମାନଙ୍କ ଋଣ ଛାଡ଼ କରିଦେବୁ ।

ବାସ୍ତବରେ, କଂଗ୍ରେସର ଋଣ ଛାଡ଼ ମାତ୍ର କିଛି କୃଷକଙ୍କୁ ହିଁ ଫାଇଦା ପହଞ୍ଚାଇବ ।

ଏନଡ଼ିଏ ସରକାରଙ୍କ କିଷାନ ସମ୍ମାନ ନିଧି କିଛି ବର୍ଷରେ ଥରେ କାର୍ଯ୍ୟକାରୀ ହେଉଥିବା ଯୋଜନା ନୁହେଁ ।

ଏହି ଯୋଜନା ମାଧ୍ୟମରେ ପ୍ରତିବର୍ଷ ଏଭଳି ସୁବିଧା ଯୋଗାଇ ଦିଆଯିବ ଏବଂ ଦଶ ବର୍ଷରେ ମୋଟ 7.5 ଲକ୍ଷ କୋଟି ଟଙ୍କା କଠିନ ପରିଶ୍ରମ କରୁଥିବା ଶ୍ରମିକମାନେ ପାଇପାରିବେ ।

ଯେତେବେଳେ ଏକ ସରକାର କ୍ଷିପ୍ରତା ଏବଂ ବ୍ୟାପକ ମାତ୍ରାରେ କାର୍ଯ୍ୟକରେ, ଏହା ତାର କାର୍ଯ୍ୟରୁ ହିଁ ପ୍ରତିଫଳିତ ହୋଇଥାଏ ।

ବନ୍ଧୁଗଣ,

ମହାନ ଋଷି ଥିରୁଭଲ୍ଲୁଭର କହିଛନ୍ତି ଯେତେବେଳେ କୌଣସି ଏକ ବିରଳ ସୁଯୋଗ ଆସେ, ତାହାକୁ ଆହରଣ କରି ସେହିଭଳି କିଛି ବିରଳ କାର୍ଯ୍ୟ କର ।

2014ରେ, ଗୋଟିଏ ଦଳ ତିରିଶ ବର୍ଷ ଧରି ସଂସଦରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିବାର ସୁଯୋଗ ପାଇଥିଲା ।

ଏଥିରୁ ଲୋକମାନଙ୍କ ବାର୍ତ୍ତା ସ୍ପଷ୍ଟ ଥିଲା- ସେମାନେ ଚାହୁଁଥିଲେ ଯେ ଯେଉଁ ସରକାର ଦେଶର ନେତୃତ୍ୱ ନେବ ତାହା ଦୃଢ଼ ଏବଂ କଠିନ ନିଷ୍ପତ୍ତି ନେବା ଦରକାର ।

ଲୋକମାନେ ସାଧୁତା ଚାହାନ୍ତି, ବଂଶବାଦ ଶାସନ ନୁହେଁ ।

ଲୋକମାନେ ବିକାଶ ଚାହାନ୍ତି, ବିଳମ୍ବ ନୁହେଁ ।

ଲୋକମାନେ ପ୍ରଗତି ଚାହାନ୍ତି, ପଲିସି ପାରାଲିସିସ ନୁହେଁ ।

ଲୋକମାନେ ସୁଯୋଗ ଚାହାନ୍ତି, ପ୍ରତିବନ୍ଧକ ନୁହେଁ ।

ଲୋକମାନେ ନିରାପତ୍ତା ଚାହାନ୍ତି, କୌଣସି ସ୍ଥାଣୁତା ନୁହେଁ ।

ଲୋକମାନେ ସମାବେଶୀ ବିକାଶ ଚାହାନ୍ତି, କୌଣସି ଭୋଟବ୍ୟାଙ୍କ ରାଜନୀତି ନୁହେଁ ।

ସବକା ସାଥ, ସବକା ବିକାଶନୀତି ଦ୍ୱାରା ଅନୁପ୍ରେରିତ ହୋଇ ଏବଂ 130 କୋଟି ଭାରତୀୟଙ୍କ ସକ୍ରିୟ ସହଯୋଗ ଦ୍ୱାରା ଏନଡ଼ିଏ ସରକାର ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ କେତେଗୁଡ଼ିଏ ଅତି ଜଟିଳ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିପାରିଛି ।

ମୁଁ ଆପଣମାନଙ୍କୁ ସେହିଭଳି କେତୋଟି ସ୍ଥାନୀୟ ଏବଂ ଜାତୀୟ ଉଦାହରଣ ପ୍ରଦାନ କରୁଛି ।

ତାମିଲନାଡ଼ୁ ଏକ ତଟୀୟ ରାଜ୍ୟ ଯେଉଁଠି ମାଛଧରା ସେକ୍ଟର ବେଶ୍‌ ସକ୍ରିୟ ।

ଆମର ଅନେକ ମତ୍ସ୍ୟଜୀବୀ ଭାଇ ଓ ଭଉଣୀ କଠିନ ପରିଶ୍ରମ କରି ସେମାନଙ୍କର ଜୀବନଧାରଣ ପାଇଁ ଉପାର୍ଜନ କରିଥାନ୍ତି ।

ଏନଡ଼ିଏ ସରକାର ହିଁ ସେମାନଙ୍କ ସକଳ ପ୍ରକାର କଲ୍ୟାଣ ସାଧନ ସକାଶେ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରିବାର ଗୌରବ ଅର୍ଜନ କରିଛି ।

ପୂର୍ବ ସରକାରମାନେ ଆପଣମାନଙ୍କ ଠାରୁ କେବଳ ଭୋଟ ନେବାକୁ ଆପଣଙ୍କ ପାଖକୁ ଦଉଡ଼ି ଆସୁଥିଲେ କିନ୍ତୁ ଯେତେବେଳେ ମତ୍ସ୍ୟଜୀବୀ ଭାଇଭଉଣୀମାନଙ୍କ ପାଇଁ କିଛି କରିବାର ଆବଶ୍ୟକତା ପଡେ ସେମାନଙ୍କ ପାଖରେ ସେପରି କିଛି କରିବାକୁ ନଥାଏ ।

ମତ୍ସ୍ୟଜୀବୀ ଭାଇ ଓ ଭଉଣୀମାନଙ୍କ ପାଇଁ ଏବେ କିଷାନ କ୍ରେଡ଼ିଟ କାର୍ଡ଼ ମଧ୍ୟ ଉପକାରସିଦ୍ଧ ହୋଇଛି ଏବଂ ସେମାନେ ଏଥିରୁ ଫାଇଦା ହାସଲ କରିପାରିବେ ।

କେବଳ ତାମିଲନାଡ଼ୁରେ ଗଭୀର ସମୁଦ୍ରରେ ମାଛ ଧରିବା ସକାଶେ ତରୀ ନିର୍ମାଣ ସକାଶେ କେନ୍ଦ୍ର ତିନି ଶହ କୋଟି ଟଙ୍କାରୁ ଅଧିକ ରାଶି ପ୍ରଦାନ କରିଛି ।

ଏବେ ମହାକାଶରେ ଅବସ୍ଥାପିତ ଉପଗ୍ରହ ଜରିଆରେ ମଧ୍ୟ ମତ୍ସ୍ୟଜୀବୀମାନେ ସମୁଦ୍ରରେ ମାଛ ଧରିବାବେଳେ ସୁବିଧା ଉପଯୋଗ କରିପାରିବେ ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଦ୍ୱାରା ବିକଶିତ ନାଭିକ୍‌ ବ୍ୟବସ୍ଥା ସହାୟତା ଏବେ ଆମେ ମତ୍ସ୍ୟଜୀବୀମାନଙ୍କୁ ଯୋଗାଇ ଦେଇଛୁ । ଏହା ସ୍ଥାନୀୟ ଭାଷାରେ ସକଳ ପ୍ରକାର ସୂଚନା ଯୋଗାଇଦେବ ।

ଏହି ପ୍ରଦକ୍ଷିଣ ବ୍ୟବସ୍ଥା କେବଳ ମାଛଧରା ଜୋନ ସଂପର୍କର ବିସ୍ତୃତ ସୂଚନା ପ୍ରଦାନ କରିବ ନାହିଁ ଅପରନ୍ତୁ ଏହା ମତ୍ସ୍ୟଜୀବୀମାନଙ୍କୁ ପାଣିପାଗ ସଂପର୍କରେ ସକଳ ପ୍ରକାର ଆଗୁଆ ସୂଚନା ମଧ୍ୟ ଯୋଗାଇବ ।

ବନ୍ଧୁଗଣ,

ଆମେ ବୁଝୁଛୁ ଯେ ଯଦି ଆମକୁ ମତ୍ସ୍ୟଜୀବୀ ଭାଇ ଓ ଭଉଣୀମାନଙ୍କ ଉପାର୍ଜନ ବୃଦ୍ଧି କରିବାକୁ ପଡ଼ିବ ତେବେ ଆମକୁ ମାଛଧରା ସହ ସଂଶ୍ଳିଷ୍ଟ ଅନ୍ୟାନ୍ୟ ସାଧନର ମଧ୍ୟ ବିକାଶ ଘଟାଯିବା ଜରୁରି ।

ସେହି ଉଦ୍ଦେଶ୍ୟରେ ରାମନାଥପୁରମ୍‌ ଜିଲ୍ଲାର ମୁକାୟୁର ମାଛଧରା ବନ୍ଦର ଏବଂ ନାଗପଟ୍ଟିନମର ପୁମ୍ପୁହାର ମାଛଧରା ବନ୍ଦରର ନିର୍ମାଣ କାର୍ଯ୍ୟ ଏବେ ଶେଷ ହେବା ଉପରେ ।

ବନ୍ଧୁଗଣ,

ମତ୍ସ୍ୟଜୀବୀମାନଙ୍କ ନିରାପତ୍ତା ଏବଂ କଲ୍ୟାଣ ସକାଶେ ସରକାର ବେଶ୍‌ ସଚେତନ ଅଛନ୍ତି ।

ନିରବଚ୍ଛିନ୍ନ ଭାବେ କୂଟନୈତିକ ପ୍ରୟାସ ଫଳରେ 2014 ମସିହା ମେ ମାସରେ ଶ୍ରୀଲଙ୍କା ସରକାର ପ୍ରାୟ ଉଣେଇଶ ଶହ ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ମୁକ୍ତ କରିଛନ୍ତି ।

ବନ୍ଧୁଗଣ,

ଏନଡ଼ିଏ ସରକାର ଆମର ତଟୀୟ କ୍ଷେତ୍ରର ବିକାଶ ପ୍ରତି ବିଶେଷ ଧ୍ୟାନ ଦେଇ ଆସୁଛନ୍ତି ଏବଂ ସେଥିରେ ସଂଯୋଗୀକରଣ ଏବଂ ବିକାଶ ମୁଖ୍ୟ ପ୍ରସଙ୍ଗ ହୋଇଛି ।

ବନ୍ଦରଭିତ୍ତିକ ବିକାଶ ବ୍ୟତିରେକ ଆମେ ଆଉ ଗୋଟିଏ ପାଦ ଆଗକୁ ଆଗେଇଛୁ ।

ଅଧିକରୁ ଅଧିକ ବନ୍ଦର ନିର୍ମାଣ କରାଯାଉଛି ।

ଏବେ କାର୍ଯ୍ୟ କରୁଥିବା ବନ୍ଦରଗୁଡ଼ିକର କ୍ଷମତା ଏବଂ ସକ୍ରିୟତାରେ ଉନ୍ନତି ଘଟାଯାଉଛି  । ସାଗରମାଳା ପ୍ରକଳ୍ପ ଆମର ଏହି ପରିକଳ୍ପନାର ଅଂଶବିଶେଷ ।

ଏହି ପ୍ରକଳ୍ପ ଉପରେ ଏବେ କାର୍ଯ୍ୟ ଜାରି ରହିଛି ଏବଂ ଏଥିରେ କେବଳ ବର୍ତ୍ତମାନର ଆବଶ୍ୟକତା ପୂରଣକୁ ଦୃଷ୍ଟି ଦିଆଯାଇନାହିଁ, ଅପରନ୍ତୁ ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ମଧ୍ୟ ସ୍ମରଣ ରଖାଯାଇଛି ।

ନ୍ଧୁଗଣ,

ପ୍ରତିରକ୍ଷା ଏବଂ ନିରାପତ୍ତା ସଂପର୍କରେ ମୁଁ କିଛି ସୂଚୀତ କରିବାକୁ ଚାହେଁ ।

ଆମର ପୂର୍ବତନ ସେନା କର୍ମଚାରୀମାନଙ୍କ ଆଶୀର୍ବାଦ ସହ. ଆମେ ୱାନ ରେଙ୍କ୍‌, ୱାନ ପେନସନ୍‌ ଯୋଜନାକୁ ବାସ୍ତବତାରେ ପରିଣତ କରିବା ନିଷ୍ପତ୍ତିକୁ ସାକାର କରିଛୁ ।

ଏଭଳି କରି ଆମେ ଏକ ଯଥାର୍ଥ କାର୍ଯ୍ୟ କରିଛୁ ବୋଲି ମନେକରୁ ।

ଯେଉଁମାନେ ଏ ଦେଶକୁ ଦୀର୍ଘ ଏତେ ବର୍ଷ ଧରି ଶାସନ କରିଆସୁଥିଲେ ସେମାନେ ଓଆରଓପି ସଂପର୍କରେ ଉଚିତ ଭାବେ କେବେ ଚିନ୍ତା ସୁଦ୍ଧା କରିବାର ଆବଶ୍ୟକତା ମନେ କରିନଥିଲେ ।

ବନ୍ଧୁଗଣ,

ଭାରତ ଦୀର୍ଘ ବର୍ଷ ଧରି ଆତଙ୍କବାଦର କଷଣ ସହି ଆସୁଅଛି ।

କିନ୍ତୁ, ଏବେ ସେଥିରେ ଏକ ବିରାଟ ପରିବର୍ତ୍ତନ ଆସିଛି- ଆତଙ୍କବାଦ ପାଇଁ ଭାରତ ଆଉ ଏଣିକି ନିଜକୁ ଅସହାୟ ବୋଲି ମନେ  କରିବନାହିଁ ।

2004 ମସିହା ଠାରୁ 2014 ମସିହା ମଧ୍ୟରେ ଦେଶରେ ଅନେକ ଆଦଙ୍କବାଦୀ ଆକ୍ରମଣ ଘଟିସାରିଛି ।

ହାଇଦ୍ରାବାଦ, ଅହମ୍ମଦାବାଦ, ଜୟପୁର, ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ, ପୁନେ ଓ ଆହୁରି ଅନେକ ସ୍ଥାନରେ ଆତଙ୍କବାଦୀ ବିସ୍ଫୋରଣ ଘଟିଛି ।

ଭାରତ ଆଶା କରୁଥିଲା ଯେଉଁମାନେ ଏଭଳି ଉଗ୍ରବାଦୀ କାଣ୍ଡ ପାଇଁ ଦାୟୀ ସେମାନଙ୍କୁ ଦଣ୍ଡ ମିଳିବ, କିନ୍ତୁ ସେପରି କିଛି ଘଟିଲାନାହିଁ ।

26/11ଭଳି ଘଟଣା ଘଟିଲା, ଭାରତ ଆଶା କରୁଥିଲା ଯେ ଆତଙ୍କବାଦୀମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କିନ୍ତୁ ଯେତେବେଳେ ଉରି କାଣ୍ଡ ଘଟିଲା, ଆପଣମାନେ ଦେଖିଛନ୍ତି ଆମର ବୀର ଯବାନମାନେ କଣ କାର୍ଯ୍ୟାନୁଷ୍ଠାନ କଲେ ।

ପୁଲୱାମା କାଣ୍ଡ ଘଟିଲା ଏବଂ ଆପଣମାନେ ଦେଖିଲେ ଆମର ବାୟୁସେନାର ଲଢ଼ୁଆ ବୀରମାନେ କଣ କଲେ ।

ଯେଉଁମାନେ ଦେଶପାଇଁ ଏଭଳି ସେବା ଓ ତ୍ୟାଗ କରୁଛନ୍ତି ସେମାନଙ୍କୁ ମୁଁ ନମନ କରୁଛି ।

ସେମାନଙ୍କ ସତର୍କତା ହିଁ ଆମ ରାଷ୍ଟ୍ରକୁ ନିରାପଦ ରଖିପାରିଛି ।

ଏଭଳି ସମୟ ଥିଲା ଯେତେବେଳେ ଖବର ଆସୁଥିଲା- 26/11 ଆତଙ୍କବାଦୀ ଆକ୍ରମଣ ପରେ ଆମର ବାୟୁସେନା ଯେତେବେଳେ ଆକ୍ରମଣ କରିବାକୁ ଚାହୁଁଥିଲା, ତାକୁ ୟୁପିଏ ସରକାର ଅଟକାଇ ଦେଇଥିଲା ।

ଆଉ ଆଜି, ଆମେ ଏଭଳି ଏକ ସମୟରେ ଆସି ପହଞ୍ଚିଛେ ଯେତେବେଳେ ଖବର ମିଳୁଛି, ଆତଙ୍କବାଦୀଙ୍କ ବିରୋଧରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ସେଥିପାଇଁ ସଶସ୍ତ୍ର ବାହିନୀକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ।

ଏବେ ଆତଙ୍କବାଦୀ ଓ ଆତଙ୍କବାଦର ପ୍ରଭାବକୁ ହ୍ରାସ କରାଯାଇଛି ଏବଂ ଭବିଷ୍ୟତରେ ଏହାକୁ ଆହୁରି ପ୍ରତିହତ କରାଯିବ ।

ଏହା ହେଉଛି ନୂତନ ଭାରତ ।

ଏହା ସେଇ ଭାରତ ଯାହା ଆତଙ୍କବାଦୀମାନେ ଯେମିତି କାଣ୍ଡ ଭିଆଇବେ ସେମାନଙ୍କୁ ସୁଧମୂଳ କରି ଶୁଝାଇ ଦିଆଯିବ ।

ବନ୍ଧୁଗଣ,

ଗତ କିଛି ଦିନର ଘଟଣାବଳୀ ପ୍ରଦର୍ଶିତ କରିଛି ଯେ ଆମର ସଶସ୍ତ୍ର ସେନା କିଭଳି ଭାବେ ସେମାନଙ୍କର ସାମର୍ଥ୍ୟ ପ୍ରଦର୍ଶନ କରିପାରନ୍ତି ।

ଏହ ଦେଶବାସୀଙ୍କୁ ଅଧିକ ନିକଟତର କରିପାରିଛି ।

ରାଷ୍ଟ୍ର ସଶସ୍ତ୍ର ସେନାଙ୍କୁ ଏଭଳି ଭାବେ ସମର୍ଥନ ଜଣାଇଛି ଯେ ତାହା ଅଭୂତପୂର୍ବ ଏବଂ ମୁଁ ସେଥିପାଇଁ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ନିକଟରେ ମୁଣ୍ଡ ନୁଆଇଁ ସମ୍ମାନ ଜଣାଉଛି ।

ଦୁଃଖର କଥା, କେତେକ ରାଜନୈତିକ ଦଳ, ସେମାନଙ୍କ ମୋଦୀ ବିରୋଧୀ ଚିନ୍ତାଧାରାକୁ ଚରିତାର୍ଥ କରିବା ସକାଶେ ଭାରତକୁ ଘୃଣା କରିବା ଆରମ୍ଭ କରିଛନ୍ତି ।

ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଯେତେବେଳେ ସମଗ୍ର ରାଷ୍ଟ୍ର ଆମର ସଶସ୍ତ୍ର ସେନାଙ୍କୁ ସମର୍ଥନ କରୁଛନ୍ତି, ସେମାନେ ଆମ ସେନାଙ୍କ ସାମର୍ଥ୍ୟ ଉପରେ ସନ୍ଦେହ କରୁଛନ୍ତି ।

ଆତଙ୍କବାଦ ବିରୋଧରେ ଭାରତର ସଂଗ୍ରାମକୁ ସମଗ୍ର ବିଶ୍ୱ ସମର୍ଥନ ଜଣାଉଛି କିନ୍ତୁ କିଛି ରାଜନୈତିକ ଦଳ ଆମର ଆତଙ୍କବାଦ ବିରୋଧୀ କାର୍ଯ୍ୟନୁଷ୍ଠାନକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି ।

ଏଭଳି କିଛି ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନଙ୍କ ବିବୃତ୍ତି ପାକିସ୍ତାନକୁ ସାହାଯ୍ୟ କରୁଛି ଏବଂ ଭାରତକୁ କ୍ଷତି ପହଞ୍ଚାଉଛି ।

ସେମାନେ ସେହି ଲୋକ ଯେଉଁମାନଙ୍କ ବିବୃତ୍ତି ପାକିସ୍ତାନର ପାର୍ଲାମେଣ୍ଟରେ ଅବତାରଣା କରାଯାଉଛି ଏବଂ ପାକିସ୍ତାନ ରେଡ଼ିଓରେ ପ୍ରଚାର କରାଯାଉଛି ।

ମୁଁ ସେମାନଙ୍କୁ ପଚାରିବାକୁ ଚାହେଁ- ଆପଣମାନେ ନିଜର ସଶସ୍ତ୍ର ସେନାଙ୍କ କାର୍ଯ୍ୟକୁ ସମର୍ଥନ କରୁଛନ୍ତି ନା ସେମାନଙ୍କୁ ସନ୍ଦେହ କରୁଛନ୍ତି ?

ସେସମାନେ ତାହା ସ୍ପଷ୍ଟ କରିବା ଉଚିତ – ସେମାନେ ଆମ ସଶସ୍ତ୍ର ସେନାଙ୍କୁ ବିଶ୍ୱାସ କରନ୍ତି ନା ଯେଉଁମାନେ ଆତଙ୍କବାଦୀଙ୍କୁ ସମର୍ଥନ କରି ଆମ ବିରୋଧରେ ଉପଯୋଗ କରୁଛନ୍ତି ସେମାନଙ୍କ ବିଶ୍ୱାସ କରନ୍ତି ?

ମୁଁ ସେହିସବୁ ଦଳମାନଙ୍କୁ କହିବାକୁ ଚାହେଁ – ମୋଦୀ ଆସିବ, ମୋଦୀ ଯିବ, କିନ୍ତୁ ଭାରତ ରହିଥିବ ।

ଦୟାପୂର୍ବକ ନିଜ ଦଳକୁ ମଜଭୁତ କରିବା ନିଶାରେ ଭାରତକୁ ଦୁର୍ବଳ କରିବାର ମାନସିକତାରୁ କ୍ଷାନ୍ତ ରହନ୍ତୁ ।

ପ୍ରତିରକ୍ଷା ଓ ଜାତୀୟ ନିରାପତ୍ତା ପ୍ରସଙ୍ଗରେ ଆମେ ପ୍ରଥମେ ଭାରତୀୟ ଏବଂ କେବଳ ଭାରତୀୟ

ନ୍ଧୁଗଣ,

ଏବେ ଦୁର୍ନୀତି ଏବଂ କଳା ଟଙ୍କା କଥା ଧରାଯାଉ ।

ଭାରତ ପ୍ରଧାନମନ୍ତ୍ରୀଙ୍କୁ ଅତୀତରେ ଦେଖିସାରିଛି ଯିଏ କହୁଥିଲେ-  ପ୍ରତି ଟଙ୍କାରୁ ମାତ୍ର ପନ୍ଦର ପଇସାର ସୁଫଳ ଲୋକମାନଙ୍କ ନିକଟରେ ପହଞ୍ଚୁଛି ।

ଭାରତ ଏଭଳି ଅହଂକାରୀ କ୍ୟାବିନେଟ ମନ୍ତ୍ରୀଙ୍କୁ ଦେଖିଛି ଯିଏ ଲକ୍ଷ ଲକ୍ଷ କୋଟି ଟଙ୍କାର ଦୁର୍ନୀତିକୁ କହୁଥିଲେ ଜିରୋ ଲସ୍‌

କିଛି ଲୋକ କହନ୍ତି ଦୁର୍ନୀତି ହେଉଛି ଜୀବନର ସ୍ୱାଭାବିକ ଧାରା ।

ସେମାନଙ୍କ ପାଇଁ ଏହା ଗ୍ରହଣୀୟ ହୋଇପାରେ, ମୋ ପାଇଁ ନୁହେଁ ।

ଏନଡ଼ିଏ ସରକାର ଦୁର୍ନୀତି ବିରୋଧରେ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି ।

ନକଲି କମ୍ପାନୀମାନଙ୍କୁ ବନ୍ଦ୍‌ କରିଦିଆଯାଇଛି, ନକଲି ହିତାଧିକାରୀମାନଙ୍କୁ ଚୁପ୍‌ କରିଦିଆଯାଇଛି ।

ଦୁର୍ନୀତିଖୋରମାନଙ୍କୁ ଏବେ ସେମାନଙ୍କର କୃତକର୍ମର ଜବାବ ଦେବାକୁ ପଡ଼ିବ ।

ପ୍ରସିଦ୍ଧ କୁହାଳିଆ ମନ୍ତ୍ରୀ ଜଣେ ଯିଏକି ଲୋକମାନଙ୍କୁ ଅତି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ, ମଧ୍ୟମ ବର୍ଗଙ୍କୁ ଅପମାନିତ କରୁଥିଲେ, ସିଏ ଏବେ ଜାମିନ ପାଇଁ ଫାମିଲି ପ୍ୟାକ୍‌ ଲାଗି ଆବେଦନ କରୁଛନ୍ତି, ଠିକ୍‌ ତାଙ୍କ ଦଳର ପ୍ରଥମ ପରିବାର ପରି ।

ବନ୍ଧୁଗଣ,

ଆମେ ଯେତେବେଳେ ଦୁର୍ନୀତି ଉପରେ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛୁ, ସେହିପରି ସଚ୍ଚୋଟ ଟିକସଦାତାଙ୍କୁ ପୁରସ୍କୃତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଛୁ ।

ଠିକ୍‌ ମାସକ ତଳେ ବଜେଟ ଉପସ୍ଥାପନ ବେଳେ, ଘୋଷଣା କରାଯାଇଥିଲା ଯେ ଯେଉଁମାନେ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରୁଛନ୍ତି ସେମାନଙ୍କୁ ଟିକସ ଦେବାକୁ ପଡ଼ିବନାହିଁ ।

ଯେଉଁମାନେ ଭାରତକୁ ଏତେ ଦୀର୍ଘ ବର୍ଷ ଧରି ଶାସନ କରୁଥିଲେ ସେମାନେ କେବେ ମଧ୍ୟମ ବର୍ଗଙ୍କ ପାଇଁ ଏକଥା ଚିନ୍ତା କରିଥିଲେ କି ସେମାନଙ୍କୁ ଟିକସରୁ ରିହାତି ଦେବାକଥା ଚିନ୍ତା କରିଥିଲେ କି ?

ବନ୍ଧୁଗଣ,

ଅନେକ ବର୍ଷ ଧରି, କଂଗ୍ରେସ ଗୋଟିଏ ଆର୍ଥିକ ସଂସ୍କୃତିର ବିକାଶ ଘଟାଇଥିଲା ଯେ କେବଳ ବନ୍ଧୁମାନଙ୍କୁ ଏବଂ ବିଗ୍‌ ଡ଼ାଇନେଷ୍ଟି ପରିବାରର ସଦସ୍ୟମାନଙ୍କୁ ଯେଭଳି ସୁଫଳ ମିଳିପାରିବ ।

ସାଧାରଣ ଲୋକଙ୍କୁ କୌଣସି ପ୍ରୋତ୍ସାହନ ନାହିଁ କି ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହେବାର କୌଣସି ସୁଯୋଗ ନାହିଁ ।

ଯଦି କେହି ଜଣେ କଂଗ୍ରେସର ଏଭଳି ଆର୍ଥିକ ସଂସ୍କୃତି ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲା ସିଏ ହେଲେ ତାମିଲନାଡ଼ୁର ସୁଯୋଗ୍ୟ ପୁତ୍ର ସି ରାଜଗୋପାଳାଚାରୀ ।

ଆଜି ଆମେ ରାଜାଜୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଯାଉଛୁ ଏବଂ ସେଥିପାଇଁ ଏଭଳି ଏକ ଅର୍ଥନୀତିର ବିକାଶ ଘଟାଯାଉଛି ଯାହା ସଂସ୍କାରଧର୍ମୀ ଏବଂ ଲୋକାଭିମୁଖୀ ।

ଇଜ୍‌ ଅଫ ଡ଼ୁଇଂ ବିଜିନେସୂଚୀରେ ଭାରତ 65 ପାଦ ଆଗକୁ ଉଠିପାରିଛି ।

ଚାରିବର୍ଷ ତଳେ ଆମେ 142ତମ ସ୍ଥାନରେ ଥିବାବେଳେ ଏବେ ବିଶ୍ୱରେ ଆମ ସ୍ଥାନ 77ରେ ପହଞ୍ଚିଛି ।

କେନ୍ଦ୍ର ସରକାର ଏମଏସଏମଇ ସେକ୍ଟର ପାଇଁ ଗତ ବର୍ଷ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଘୋଷଣା  କରିଛନ୍ତି ।

ଏବେ ମାତ୍ର 59 ମିନିଟ ଭିତରେ ଉଦ୍ଦ୍ୟୋଗୀମାନଙ୍କୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ୍‌ ଋଣ ସହଜରେ ମିଳିପାରୁଛି ।

ଆପଣମାନେ ଏଠାରୁ ଯାଇ ଚେନ୍ନାଇରେ ପହଞ୍ଚିବା ସମୟଠାରୁ ବି ଏହା କମ୍‌ ଅବଧି ।

ବନ୍ଧୁଗଣ,

ଆମେ ଏବେ ଭାରତର ଯୁବଶକ୍ତି ଓ ସେମାନଙ୍କ ସାମର୍ଥ୍ୟ ଉପରେ ସଂପୂର୍ଣ୍ଣ ରୂପେ ନିର୍ଭରଶୀଳ । ସେମାନଙ୍କ ସାମର୍ଥ୍ୟ ଉପରେ ଆମର ଅଖଣ୍ଡ ବିଶ୍ୱାସ ରହିଛି ।

ସେଇଥିପାଇଁ ମୁଦ୍ରା ଯୋଜନାର ଶୁଭାରମ୍ଭ କରାଯାଇଛି ଯାହାକି ଯୁବ ଭାରତୀୟ ଉଦ୍ଦ୍ୟୋଗୀଙ୍କ ଆଶା ଆକାଂକ୍ଷାକୁ ପକ୍ଷ ପ୍ରଦାନ କରିଛି ।

ମୁଦ୍ରା ଯୋଜନାରେ, 15 କୋଟି ଲୋକ ଋଣ ପାଇ ପାରିଛନ୍ତି ଯାହାର ମୋଟ ପରିମାଣ ହୋଲା ସାତଲକ୍ଷ କୋଟି ଟଙ୍କାରୁ ଅଧିକ ।

ତାମିଲନାଡ଼ୁ  ସେଭଳି ଋଣ ପାଇଥିବା ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ।

ନ୍ଧୁଗଣ,

ବିରୋଧୀ ଦଳମାନଙ୍କର ସାମାଜିକ ନ୍ୟାୟ ସକାଶେ ମନରେ ସାମାନ୍ୟତମ ପ୍ରତିବଦ୍ଧତା ନାହିଁ ।

କଂଗ୍ରେସ ଶାସନକାଳରେ ଦେଶରେ ଦଳିତମାନଙ୍କ ଉପରେ ସବୁଠାରୁ ଘୃଣ୍ୟ ଅତ୍ୟାଚାର ଘଟିଛି ।

କଂଗ୍ରେସ ଡ଼କ୍ଟର ବାବାସାହେବ ଆମ୍ବେଦକରଙ୍କୁ ଥରେ ନୁହେଁ ଦୁଇ ଦୁଇଥର ହରାଇଥିଲେ ।

କଂଗ୍ରେସ ଡ଼କ୍ଟର ଆମ୍ବେଦକରଙ୍କୁ ଚାଳିଶ ବର୍ଷ ପର୍ଯ୍ୟନ୍ତ ଭାରତ ରତ୍ନ ସୁଦ୍ଧା ଦେଇନଥିଲେ । ଏପରିକି ସଂସଦର କେନ୍ଦ୍ରୀୟ କକ୍ଷରେ ଡ଼କ୍ଟର ଆମ୍ବେଦକରଙ୍କର ଫଟୋଚିତ୍ରଟିଏ ସୁଦ୍ଧା ସ୍ଥାପନ କରିନଥିଲେ ।

ବିଜେପି ସମର୍ଥିତ ଅଣ କଂଗ୍ରେସ ସରକାର ହିଁ ଏଭଳି ଦୁଇଟି କାର୍ଯ୍ୟ ସଂପାଦନ କରିଛି ।

ବନ୍ଧୁଗଣ,

ବର୍ତ୍ତମାନର ଏନଡ଼ିଏ ସରକାର ଏସସି ଏବଂ ଏସଟି ଆଇନରେ ଦୃଢ଼ତମ ସଂଶୋଧନ ଘଟାଇଛି ।

ଆର୍ଥିକ ଏବଂ ସାମାଜିକ ନ୍ୟାୟ ହେଉଛି ଆମମାନଙ୍କ ଲାଗି ଏହାର ଆସ୍ଥାର ଧାର, ଏହା କେବଳ ଭୋଟ ସାଉଁଟିବା ସକାଶେ ସ୍ଲୋଗାନ ନୁହେଁ ।

ନ୍ଧୁଗଣ,

2019 ଲୋକସଭା ନିର୍ବାଚନର ଦୁଇଟି ପ୍ରମୁଖ ପାର୍ଶ୍ଵ ରହିଛି ।

ଆମ ପକ୍ଷ ଦୃଢ଼ତା ଓ ସ୍ଥିରତା ପ୍ରଦାନ ପାଇଁ ଉଦ୍ଦିଷ୍ଟ ।

ଅନ୍ୟ ପକ୍ଷଟି ଦୁର୍ବଳତା ଏବଂ ଆଶଙ୍କାର ପକ୍ଷ ।

ଆମ ନେତୃତ୍ୱ ଓ କାର୍ଯ୍ୟ ସଂସ୍କୃତି ଭାରତ ସାରା ସମସ୍ତଙ୍କୁ ଜଣା ।

ଅନ୍ୟ ପକ୍ଷ କିନ୍ତୁ ବିଚଳିତ ।

ଦେଶକୁ ପରବର୍ତ୍ତୀ ନେତୃତ୍ୱ ଦେବା ପାଇଁ ସେମାନଙ୍କ ନିକଟରେ ଘୋଷଣା କରିବାକୁ କୌଣସି ନାମ ନାହିଁ ।

ଭାରତର ବିକାଶ ପାଇଁ କୌଣସି ଲକ୍ଷ୍ୟ କି ପରିକଳ୍ପନା ନାହିଁ ।

ଏପରିକି ରେକର୍ଡ଼ ଦୁର୍ନୀତି କରିଥିବାରୁ ସେମାନଙ୍କ ନିକଟରେ ଲଜ୍ଜା ସୁଦ୍ଧା ନାହିଁ ।

ଭାରତ 2009 କଥା ସ୍ମରଣ ରଖିଛି ଏବଂ କିପରି ଡ଼ିଏମକେ ଓ କଂଗ୍ରେସ ନିର୍ବାଚନ ପରେ ମନ୍ତ୍ରୀପଦ ବାଣ୍ଟିଥିଲେ ସେକଥା ବି ଲୋକଙ୍କ ସ୍ମୃତିରେ ରହିଛି ।

ପ୍ରଧାନମନ୍ତ୍ରୀ ସେତେବେଳେ ତାଙ୍କର ମନ୍ତ୍ରୀଙ୍କୁ ଚୟନ କରିନଥିଲେ ବରଂ ଜନସେବାରେ ଯାହାଙ୍କର କିଛି ନେଣଦେଣ ନଥିଲା ସେମାନେ ହିଁ ଏହା ଚୟନ କରିଥିଲେ ।

ମନ୍ତ୍ରୀପଦ ପାଇଁ ଟେଲିଫୋନରେ ସଉଦା ହେଉଥିଲା ।

ମହା ମିଲାବଟ କିମ୍ବା ଅପମିଶ୍ରଣ ସରକାରକୁ କିଛି ଲୋକଙ୍କ ଅହଂକାର ଓ ବଂଶବାଦର ମହତ୍ତ୍ୱାକାଂକ୍ଷା ବନ୍ଦୀ କରି ରଖିବେ ।

ମୋର ଏକମାତ୍ର ପରିବାର ହେଲେ 130 କୋଟି ଭାରତୀୟ ।

ମୁଁ ସେମାନଙ୍କ ପାଇଁ ବଞ୍ଚିବି, ସେମାନଙ୍କ ପାଇଁ ମରିବି ।

ମୋର ବଂଶର ଲାଭ ପାଇଁ ମୁଁ ଜନ ଜୀବନରେ ରହି କାର୍ଯ୍ୟ କରୁନାହିଁ ।

ମୁଁ ଏଠାକୁ ସେଇଥିପାଇଁ ଆସିଛି ଯାହା ଫଳରେ ଭାରତର ବିକାଶ ପାଇଁ ମୁଁ କିଛି କରିପାରିବି ।

ମୁଁ ଏଇଥିପାଇଁ ଆପଣମାନଙ୍କ ସମର୍ଥନ ଓ ଆଶୀର୍ବାଦ କାମନା କରେ ଯାହା ଫଳରେ ଏଭଳି ଏକ ଭାରତ ଗଠନ କରାଯାଇପାରିବ ଯେଉଁଠାରେ ଦରିଦ୍ରତମ ଲୋକଙ୍କ ସ୍ଵପ୍ନ ବି ସାକାରିତ ହୋଇପାରିବ ।

ଆଜି ଏହି ଜନସମାବେଶରେ ଏତେ ସଂଖ୍ୟାରେ ଆପଣମାନେ ଯୋଗ ଦେଇଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ।

ଭାରତ ମାତା କୀ ଜୟ ।

**************