Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସେଲ୍ ଗ୍ରୁପ୍ ର 90 ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ନୂଆଦିଲ୍ଲୀ ଠାରେ ଏସେଲ୍ ଗ୍ରୁପ୍ ର 90ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ଏସେଲ୍ ଗ୍ରୁପ୍ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ରା ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ତାଙ୍କ ଆମନ୍ତ୍ରଣ ସ୍ୱୀକାର କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ସେ ଏସେଲ ଗ୍ରୁପ୍ ପକ୍ଷରୁ ନିଆଯାଇଥିବା ସମାଜସେବା କାର୍ଯ୍ୟକ୍ରମ ଜଳଯୋଗାଣ, ବିଦ୍ୟୁତ୍ ଯୋଗାଣ, ସ୍ୱଚ୍ଛ ଭାରତ ଏବଂ ସୁଲଭ ଗୃହ ଆବଣ୍ଟନ ଆଦି ସମ୍ପର୍କରେ ସୂଚନା ଦେଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ସାମାଜିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏଥିମଧ୍ୟରେ ରହିଛି ସାରଥୀ- ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ବିଷୟରେ ଲୋକମାନଙ୍କୁ ସଶକ୍ତ କରିବା ଏବଂ ଦରିଦ୍ର ଲୋକମାନଙ୍କ ସଶକ୍ତିକରଣ ପାଇଁ 5 ହଜାର କୋଟି ଟଙ୍କାର ପାଣ୍ଠି ଥିବା ଡିଏସସି ଫାଉଣ୍ଡେସନ ପ୍ରତିଷ୍ଠା ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଭାରତୀୟ ପରମ୍ପରାର ଏକ ପ୍ରତିଫଳନ । ସେ କହିଥିଲେ ଯେ ଭାରତରେ ଏକ ପରମ୍ପରା ରହିଛି ଯେଉଁଠି ପରବର୍ତୀ ପିଢ଼ି ପାରିବାରିକ ଆଦର୍ଶକୁ ଆଗେଇ ନେଇଥାନ୍ତି ଏବଂ ନିଜ ସାମର୍ଥ୍ୟ ଏବଂ ଦକ୍ଷତା ଜରିଆରେ ପରିବାର ପ୍ରତି ଯୋଗଦାନ ଦେଇଥାନ୍ତି ।

ସେ ଶ୍ରୀ ନନ୍ଦ କିଶୋର ଗୋଏଙ୍କା ସହ ତାଙ୍କର ସାକ୍ଷାତ ଆଲୋଚନାର ସ୍ମୃତିଚାରଣ କରି କହିଥିଲେ ଯେ ଏହି ପରିବାର ସର୍ବଦା ନୂତନ ବିଚାର ପୋଷଣ କରିଆସିବା ସହିତ ପ୍ରତିଟି ଆହ୍ୱାନକୁ ଅବସରରେ ପରିଣତ କରିଆସିଛି ଏବଂ ମାଟିରୁ ସାଟେଲାଇଟ୍ ପର୍ଯ୍ୟନ୍ତ ନିଜର ଉପସ୍ଥିତି ଜାହିର କରିପାରିଛି ।

ଏସେଲ୍ ଗ୍ରୁପ୍ର ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛ ଭାରତ ମିଶନ ବହୁ ସଂଖ୍ୟାରେ ସାମାଜିକ ଉଦ୍ୟୋଗୀଙ୍କ ଉତ୍ଥାନ ପାଇଁ ସୁଯୋଗ ଦେଇଛି । ସେ କହିଥିଲେ ଯେ “ସାରଥୀ” ଅଧିକାର ଏବଂ କର୍ତ୍ତବ୍ୟର ଉତ୍ତମ ମିଶ୍ରଣ ପ୍ରସ୍ତୁତ କରୁଛି, ଡିଏସସି ଫାଉଣ୍ଡେସନ ଅଧିକ ସଂଖ୍ୟାରେ ନିଯୁକ୍ତି ସୁଯୋଗକାରୀଙ୍କ ଅଭିବୃଦ୍ଧିରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ 2022-ଦେଶ ସ୍ୱାଧୀନ ହେବାର 75 ବର୍ଷ ପୂର୍ତି ସୁଦ୍ଧା ଦେଶ ପାଇଁ କିଛି କରିବା ଲାଗି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଆଗେଇଯିବା ପାଇଁ ଆହ୍ୱାନ ଦେଇଥିଲେ ।