ହିନ୍ଦୁସ୍ଥାନ ଷ୍ଟିଲ ୱାର୍କସ କନଷ୍ଟ୍ରକସନ ଲିମିଟେଡ (ଏଚ.ଏସ୍.ସି.ଏଲ)ର ଆର୍ଥିକ ପୁନର୍ଗଠନ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଏହାଛଡା ଏଚ.ଏସ୍.ସି.ଏଲ କେନ୍ଦ୍ର ସରକାରଙ୍କ ଅନ୍ୟତମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନେସନାଲ ବିଲଡିଂ କନଷ୍ଟ୍ରକସନ କରପୋରେସନ ଲିମିଟେଡ (ଏନ୍.ବି.ସି.ସି.) ଅଧିନରେ ଯିବା ପ୍ରସ୍ତାବକୁ ମଧ୍ୟ କ୍ୟାବିଟେନ ମଂଜୁରୀ ଦେଇଛି ।
ଏହି ଏନ୍.ବି.ସି.ସି. ହେଉଛି ନଗର ଉନ୍ନୟନ ମନ୍ତ୍ରଣାଳୟ ଅଧିନସ୍ଥ ଏକ ଉଦ୍ୟୋଗ । ଏଣିକି ଏଚ.ଏସ୍.ସି.ଏଲ ଏହି କେନ୍ଦ୍ରୀୟ ଉଦ୍ୟୋଗର ସହଯୋଗୀ ସଂସ୍ଥାଭାବେ କାର୍ଯ୍ୟ କରିବ । ଏବେ ଏହାର ମୂଳଧନ (ଇକ୍ୟୁଟି କ୍ୟାପିଟାଲ) ହେଉଛି ୧୭ କୋଟି ଏକ ଲକ୍ଷ ଟଙ୍କା । କେନ୍ଦ୍ର ସରକାରଙ୍କ ଠାରୁ ଏହା ନେଇଥିବା ଋଣର ପରିମାଣ ହେଉଛି ୧୫୦୨ କୋଟି ୨ ଲକ୍ଷ ଟଙ୍କା । ଏହି ଋଣକୁ କେନ୍ଦ୍ର ସରକାର ମୂଳଧନ ଭାବେ ଘୋଷଣା କରିବାକୁ ଏହାର ସାମଗ୍ରୀକ ମୂଲ୍ୟ ୧୬୧୯ କୋଟି ୩ ଲକ୍ଷ ହୋଇଛି । ତେବେ ଏହାର କ୍ରମାଗତ କ୍ଷତିର ପରିମାଣ ୧୫୮୫ କୋଟି ହୋଇଥିବାରୁ ମୂଳଧନ ପରିମାଣ ବସ୍ତୁତଃ ୩୪ କୋଟି ୩ ଲକ୍ଷ ହୋଇଛି । ଏଭଳି ସ୍ଥିତିରେ ଏନ୍.ବି.ସି.ସି. ୩୫ କୋଟି ୭ ଲକ୍ଷ ଟଙ୍କା ଅଂଶଧନ ଭାବେ ପ୍ରଦାନ କରିବ । ମୋଟ ଉପରେ ଏଚ୍.ଏସ୍.ସି.ଏଲ ର ମୂଳଧନ ୭୦ କୋଟି ଟଙ୍କା ହେବ । ତଦନୁଯାୟୀ ଏନ୍.ବି.ସି.ସି. ସେହି ସହଯୋଗୀ ସଂସ୍ଥାର ୫୧ ପ୍ରତିଶତ ମାଲିକାନା ପାଇବ । ଭାରତ ସରକାର ବାକି ୪୯ ପ୍ରତିଶତ ଅଂଶର ମାଲିକାନା, ସେହି ଏଚ.ଏସ୍.ସି.ଏଲ ମାଧ୍ୟମରେ ପାଇବେ । ଏଭଳି ନିଷ୍ପତ୍ତି ଫଳରେ ଉଭୟ ସଂସ୍ଥାରେ ଥିବା ମାନବ ଶକ୍ତିର ପୂର୍ତ୍ତି ବିନିଯୋଗ ହୋଇପାରିବ । ଏବେ ଏଚ.ଏସ୍.ସି.ଏଲ ପାଇଥିବା ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ସମାପ୍ତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଭାରତ ସରକାର ୨୦୦ କୋଟି ଟଙ୍କାର ସହାୟତା ଦେବେ । ଦୀର୍ଘ ମିଆଦି ଋଣ ପରିଶୋଧ ପାଇଁ ଏହି ଅନୁଦାନ ଦିଆଯିବ ବୋଲି କୁହାଯାଇଛି ।
**********